Unknown

 

 

 

 

 

 

 

 

 

 

 

କାଗଜ ଫୁଲ ଓ ଅନ୍ୟାନ୍ୟ ଗଳ୍ପ

ଶ୍ରୀ ଉମାଶଙ୍କର ପଣ୍ଡା

 

କଥା ଓ କଥାକାର

 

୧.

କଥା ଓ କଥାକାର

୨.

ଶତରଂଜ ଖେଳୱାର୍ଡ଼ (ପ୍ରେମଚାନ୍ଦ)

୩.

ପେଶାବାର ଏକ୍‍ସପ୍ରେସ (କୃଷନ୍‍ଚନ୍ଦର)

୪.

ବେହାୟାତ (ମୁଲ୍‍କରାଜ ଆନନ୍ଦ)

୫.

ଡେଡ଼୍‍ ଲେଟର (କେ. ଏ. ଆବାସ)

୬.

କରମାବାଲି (ଅମୃତା ପ୍ରିତମ୍)

୭.

ନାଳପୋଲ ଓ ଟିଣଘରର ଚିତ୍ରକର (ଜ୍ୟାତିରିନ୍ଦ୍ର ନନ୍ଦୀ)

୮.

ଶେଷ ପ୍ରତୀକ୍ଷା (ଏସ୍. କେ. ପୋଟ୍ଟେକାଟ)

୧୦.

ନୀଳିମାର ଭୂତ (ଗୁଲାବଦାସ. ଏଚ. ବ୍ରୋକର)

୧୧.

କାଗଜ ଫୁଲ (ଉମାଶଙ୍କର ପଣ୍ଡା)

Image

 

ସମ୍ବଲପୁରର ପ୍ରଥିତଯଶା କଳାକାର ଚିତ୍ରାଭିନେତା

 

ବଂଧୁ ଶ୍ରୀଯୁକ୍ତ ଶରତ୍ ପୂଜାରୀ

 

କରକମଳେଷୁ !

 

ତୁମର ତୁଳୀରେ ବିସ୍ମୟ ତମର ଅଭିନୟରେ ଅମର ଶିଳ୍ପୀର କଳା କୁଶଳତା । ତମେ ଥରେ ମଂଚରେ ଠିଆହେଲେ ଅନ୍ୟମାନଙ୍କ ତଥା କଥିତ ଅଭିନୟ ଅଭିମାନ ମ୍ଳାନ ପଡ଼ିଯାଏ ।

 

ମହା-ବିଷୁବ ସଂକ୍ରାନ୍ତି

ଉମାଶଙ୍କର

ରେଙ୍ଗାଲି

୧୩-୪-୭୧

Image

 

ମୋ ନିଜ କଥା

 

ଗଙ୍ଗାଧର ମେହେର କଲେଜରେ ମୁଁ ଅଧ୍ୟୟନ କରୁଥିବାବେଳେ ଏମିତି ଏକ ଗଳ୍ପ ସଂକଳନର ପରିକଳ୍ପନା କରିଥିଲି । ସେ ଆଜିକି ସାତବର୍ଷ ତଳର କଥା । ଏହାରି ଭିତରେ ବହୁ ଉତ୍‍ଥାନ ପତନର ସମ୍ମୁଖୀନ ହୋଇଛି । ଚାକିରି ଜୀବନର ଅସ୍ଥିରତା, ଘନଘନ ବଦଳିର ମାନସିକ ଅଶାନ୍ତି ମୋର ଏହି ଶିଳ୍ପୀ ମନରେ ଯେଉଁ ଆଘାତ ଆଣିଛି, ଲେଖନୀରେ ଯେଉଁ ସ୍ଥାବରତା ଆଣିଛି, ତାହା ପ୍ରକାଶ କରିବାର ଅବକାଶ ବା ଇଚ୍ଛା ଆଜି ଆଉ ନାହିଁ । ଗ୍ରାମଗୋଷ୍ଠୀ ଯୋଜନା ବିଭାଗରେ ସଂପ୍ରସାରଣ କର୍ମ୍ମୀଭାବରେ ମୋର ଯେଉଁ ତିକ୍ତ ଅନୁଭୂତି ତାର ଅତି ବାସ୍ତବ ଓ ରୂଢ଼ ପରିପ୍ରକାଶ ପାଇଛି ହିନ୍ଦୀର ଶ୍ରେଷ୍ଠ କାହାଣୀକାର ମୁଲ୍‍କରାଜ ଆନନ୍ଦଙ୍କ ‘ଆବେହାୟାତ୍’ ଗଳ୍ପଟିର ତେଣୁ ତାକୁ ଅନୁବାଦ କରି ଏ ସଂକଳନରେ ଅନ୍ତର୍ଭୁକ୍ତ କରିବାର ମୋହ ସଂଭାଳି ପାରିନାହିଁ । ଗଳ୍ପଟି ଠିକ୍ ଗଳ୍ପ ନୁହେଁ । ପଢ଼ିଲେ ମନହେବ ସଂବାଦପତ୍ରର କୌଣସି ଗୋଟିଏ ଅଂଶ ।

 

ପ୍ରଥମ ଗଳ୍ପ ପ୍ରେମଚନ୍ଦ୍‍ଙ୍କ ‘ଶତରଂଜ ଖେଳୱାର୍ଡ଼’ ‘ଆଗ୍ନେୟ’ ଛଦ୍ମନାମରେ ଛଅବର୍ଷ ତଳେ ପ୍ରକାଶ ପାଇଥିଲା ଝଙ୍କାରରେ । ତା ଛଡ଼ା କେ.ଏ. ଆବାସଙ୍କ ‘ଡେଡ଼୍‍ ଲେତର’ ଓ କୃଷନ୍‍ଚନ୍ଦରଙ୍କ ‘ପେଶାବାର ଏକ୍‍ସପ୍ରେସ’ ଆସନ୍ତାକାଲିର ଦୁଇଟି ବିଶେଷାଙ୍କରେ ଆଗରୁ ପ୍ରକାଶିତ । ବାକୀ ଛ’ଟି ଯାକ ଗଳ୍ପ ପୂରାପୂରି ଅପ୍ରକାଶିତ । ଗଳ୍ପଗୁଡ଼ିକ ଇଂରାଜୀ, ଉର୍ଦ୍ଦୁ, ହିନ୍ଦୀ ଓ ବଙ୍ଗଳାରୁ ଅନୁଦିତ । ତେଣୁ ଅନୁବାଦର ଅନୁବାଦ ହେଲେ କେତେ ପରିମାଣରେ ମୂଳରଚନାର ଭାଵଗାମ୍ଭୀର୍ଯ୍ୟ, ସାବଲୀଳତା ଯେ ନଷ୍ଟ ହୁଏ ଏକଥା ଜାଣି ସୁଦ୍ଧା ଅମୃତା ପ୍ରିତମ୍, ଏସ୍.କେ. ପୋଟ୍ଟେକାଟ, ବ୍ରୋକର ପ୍ରଭୃତିଙ୍କ ମାତୃଭାଷା ଜଣା ନଥିବାରୁ ବାଧ୍ୟ ହୋଇ ଇଂରାଜୀର ଆଶ୍ରୟ ନେଇଛି ।

 

ଏହି ସଂକଳନଟିରେ ସାତଟି ଭାଷାର ନଅଟି ଗଳ୍ପ ସ୍ଥାନ ପାଇଛି । ଅବଶିଷ୍ଟ ଛଅଟି ଭାଷାର ଗଳ୍ପ ଦ୍ଵିତୀୟପ୍ରସ୍ଥରେ ପ୍ରକାଶ କରିବାର କଳ୍ପନା ରହିଛି । ଏ ଦିଗରେ ମୋର ସଫଳତା ଓ ବିଫଳତାର ବିଚାର ମୋର ବହୁ ବିଜ୍ଞ ପାଠକପାଠିକାମାନଙ୍କ ହାତରେ । ତାଙ୍କରି ଶୁଭେଚ୍ଛା, ସହାନୁଭୂତି ଓ ଉପଦେଶକୁ ପାଥେୟ କରି ହୁଏତ ସେହିମାନଙ୍କ ହାତରେ ମୁଁ ଆଜି ମୋର ଏହି ଆୟସଲ୍‍ବଧ ସଂକଳନଟିକୁ ଅର୍ପଣ କରୁଛି ।

 

ଶେଷରେ ଭିନ୍ନପ୍ରାନ୍ତର ଲେଖକଲେଖିକାମାନେ ନିଜ ନିଜ ଗଳ୍ପ ଓଡ଼ିଆରେ ପ୍ରକାଶ ପାଇଁ ଅନୁମତି ଦେଲେ ଯେଉଁ ଉଦାରତାର ପରିଚୟ ଦେଲେଛନ୍ତି ଓ ବଂଧୁ ନିର୍ମଳଚନ୍ଦ୍ର ପାଢ଼ୀ ଆଗ୍ରହରେ ପ୍ରକାଶ ଭାର ଗ୍ରହଣ କରି ଯେଉଁ ମହନୀୟତା ପ୍ରକାଶ କରିଛନ୍ତି ସେଥିପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ମହାବିଷୁବ ସଂକ୍ରାନ୍ତି

ବିନୀତ

ରେଙ୍ଗାଲି, ୧୩-୦୪-୬୧

ଶ୍ରୀ ଉମାଶଙ୍କର ପଣ୍ଡା

Image

 

ଶତରଂଜ ଖେଳୱାର୍ଡ଼

 

-ପ୍ରେମଚନ୍ଦ୍-

 

[ହିନ୍ଦି କଥା ସାହିତ୍ୟର ସମ୍ରାଟ ପ୍ରେମଚନ୍ଦ୍‍ଙ୍କ ଯଶ ଆଜି ସୁଦୂର ପ୍ରସାରି ହୋଇପାରିଛି ତାଙ୍କର ବଳିଷ୍ଠ ଓ ମନୋଜ୍ଞ ପ୍ରକାଶ ଭଙ୍ଗି, ବାସ୍ତବ ଚରିତ୍ର ଚିତ୍ରଣ ଯୋଗୁ । ତାଙ୍କର ଲିଖିତ ଗୋଦାନ, ଗବନ, ପ୍ରେମାଶ୍ରମ ପ୍ରଭୃତି ଉପନ୍ୟାସ ଓ ଅନେକ କ୍ଷୁଦ୍ରଗଳ୍ପ ବିଭିନ୍ନ ଭାଷାରେ ଅନୁଦିତ ହୋଇସାରିଛି । ତାଙ୍କର କ୍ଷୁଦ୍ରଗଳ୍ପ ‘ଦୋ ବୈଲ୍’ ‘ହୀରାମୋତି’ ଛାୟା ଛବିରେ ରୂପାନ୍ତରିତ ହୋଇ ପୁରସ୍କୃତ ହୋଇଛି ଓ ସୁନାମ ଅର୍ଜନ କରିଛି । ଶତରଂଜ ଖେଳୱାର୍ଡ଼ ଏକ ସାମନ୍ତବାଦୀ କ୍ଷୟିଷ୍ଣୁ ସହରର ଇତିକଥା ।]

Image

 

ଓୟାଜିଦ୍ ଆଲୀ ଶାହାର ରାଜତ୍ୱ କାଳ ଲକ୍ଷ୍ନୌ ବିଳାସର ସ୍ରୋତରେ ଆକଣ୍ଠ ମଗ୍ନ । ଛୋଟ ବଡ଼ର ଭେଦ ନାହିଁ । ଅମୀର ଗରିବର ପ୍ରଶ୍ନ ନାହିଁ । ପ୍ରତ୍ୟେକ ଲୋକ ନିଜ ନିଜ ରୁଚି ଆଉ ସାମର୍ଥ ଅନୁସାରେ ନାନାପ୍ରକାର ଅନାବଶ୍ୟକ ନିଶାରେ ଲିପ୍ତ । ନାଚଗାନରେ କିଏ ମତ୍ତ, କିଏ ବା ଅଫିମ ନିଶାରେ ମସ୍‍ଗୁଲ୍ । କୁକୁଡ଼ା ଲଢ଼େଇ, ବାଜପକ୍ଷୀ ଶିକାର ଆଉ ଗୁଡ଼ି ଉଡ଼ାଇବାର ଧୂମ୍ । ଯାହା ଆଜିକାଲି କେବଳ ଛୋଟ ଛୋଟ ଶିଶୁମାନଙ୍କର ମନୋରଂଜନ କରେ । ଟିକିଏ ବୟସ ବଢ଼ିଲେ ଯାହା କିଶୋର ବୟସ୍କମାନଙ୍କ ପାଖରେ ଅତି ଅକିଂଚିତକର ମନେ ହୁଏ, ସେହି ଗୁଡ଼ି ଲଢ଼େଇରେ ଆବାଳବୃଦ୍ଧଙ୍କର ପ୍ରବଳ ଉତ୍ସାହ । ସ୍ଥାନେ ସ୍ଥାନେ ମେଳାପରି ଲୋକ ଗହଳି—କଣ ନା ଗୁଡ଼ି ଲଢ଼େଇ ହେଉଛି । ଚିତ୍କାରରେ କାନ ବଧିରା ହେବାର ଉପକ୍ରମ । ମଝିରେ ମଝିରେ ବସେ କବି ମଜଲିସ୍ । ଅତି ତୁଚ୍ଛ ଧରଣର କବିତା ନେଇ ପାଟିତୁଣ୍ଡ—ବାହାବା କ୍ୟା ଖୁବ୍ ତୁମନେ ର ଗଜବ୍ କରଦିୟା । ଇତ୍ୟାଦି ଧ୍ୱନିରେ କାନ ଅତଡ଼ା ପଡ଼େ । ତା’ବି ଅଶ୍ଳୀଳ କବିତା, ଅଧିକାଂଶ ଧର୍ମବିରୋଧି । ରାଜ୍ୟଶାସନ, ସାହିତ୍ୟ, ବ୍ୟବସାୟ, ସମାଜ-ବ୍ୟବସ୍ଥା ସବୁକିଛି ଉପରେ ବିଳାସର ଛାୟା । ବିଳାସର ଛାୟା ତ ନୁହେଁ, ଆସନ୍ନ ସଂଧ୍ୟା; ଦିନାନ୍ତର ଛାୟା । ମୁସଲମାନ ରାଜଶକ୍ତି ସମୂଳେ ନିର୍ବାପିତ ହେବା ପୂର୍ବରୁ ଥରକ ପାଇଁ ଯେପରି ବିଳାସର ପ୍ରଳୟ ଶିଖା ଶେଷ ମୁହୂର୍ତ୍ତରେ ଶ୍ମଶାନର ଅଗ୍ନି ଉତ୍ସବ ଲଗେଇ ଦେଲେଛି । ରାଜ କର୍ମଚାରୀ ଶାସନ ବିମୁଖ, ଘୁସ୍‍ଖୋର—କବିଗଣ ଅଶ୍ଳିଳତା ଓ ଅଧର୍ମକୁହଁ ବିଷୟବସ୍ତୁ କରିଛନ୍ତି, କପଡ଼ା ବ୍ୟବସାୟୀ ଟାଲେର, ଜରୀ ଓ ନାନାରୂପ ଓ ରଙ୍ଗର ଫୁଲପକା ସୂକ୍ଷ୍ମ କାରୁକାର୍ଯ୍ୟ ନେଇ ବ୍ୟସ୍ତ । ସୁରମା ଅତାର ପ୍ରଭୃତି ନାନାପ୍ରକାର ସୁଗନ୍ଧ ଦ୍ରବ୍ୟ; କଜ୍ଜଳ ଓ ନାନାରକମର ମସଲାର ବଜାର ସର୍ବଦା ସରଗରମ । ପ୍ରତ୍ୟେକ ଗୃହରେ ତିତେର ପ୍ରଭୃତି ଲଢ଼ୁଆପକ୍ଷୀ ପୋଷା ହୋଇଛନ୍ତି । ଆଉ ଚାଲିଛି ନିରନ୍ତର ତାସ, ପଶା, ଦାବା ଆଉ ଶତରଂଜ । ବାଜି ଉପରେ ବାଜି । ଅବିରାମ ବାଜି ଚାଲିଛି ।

 

ଏହି ବ୍ୟସନୋନ୍ମତ୍ତ ନଗରରେ ଯେଉଁଠି ଲୋକ ଇହ-ପରକାଳ ଭୁଲି ଆମୋଦ ପ୍ରମୋଦର ସ୍ରୋତରେ ଦେହ ଭସେଇ ଦେଲେଛନ୍ତି । ସେଇଠି ମିର୍ଜା ସଜ୍ଜାଦ ଅଲୀ ଓ ମୀର ରୌଶନ ଅଲୀଙ୍କ ତୁଳନାର ପଟାନ୍ତର ନାହିଁ । ତେବେ ଭିକ୍ଷୁକ ଯେଉଁଠି ଭିକ୍ଷାଲବ୍‍ଧ ଅର୍ଥରେ ଅନ୍ନ ପରିବର୍ତ୍ତେ ମାଦଳ ଦ୍ରବ୍ୟ, ଗଞ୍ଜେଇ, ଅଫିମ ଇତ୍ୟାଦି ସଂଗ୍ରହ କରେ ସେଇଠି । ପୁରୁଷାନୁକ୍ରମେ ଜାୟଗିରି ଭୋଗ କରୁଥିବା ଲେଖକଙ୍କର ସ୍ଥାନ କାଳ ବିସ୍ତୃତ ହୋଇ ବିଳାସରେ ବୁଡ଼ି ରହିବା ଆଶ୍ଚର୍ଯ୍ୟ କଣ ? ଦୁଇ ବନ୍ଧୁ ସକାଳରୁ ଉଠି ପ୍ରାତକୃତ୍ୟ ଶେଷ କରି ଦାବାର ଛକ ନେଇ ବସିଯାଆନ୍ତି-। ବୋର୍ଡ଼ ସଜେଇ ରଜା, ମନ୍ତ୍ରୀ, ଉଜିର, ହାତୀ, ଘୋଡ଼ା ସମ୍ମୁଖରେ ଖେଳରେ ଥରେ ପ୍ରବେଶ କଲେ ସମୟର ମୋଟେ ଖିଆଲ ନଥାଏ । ମନ ରଙ୍ଗୀନ ଲଘୁପକ୍ଷ ବିସ୍ତାର କରି ଉଡ଼ିଚାଲେ ଅବିରାମ ଗତିରେ । ସକାଳରୁ ଦ୍ୱିପ୍ରହର, ଦ୍ୱିପ୍ରହରରୁ ସନ୍ଧ୍ୟା, ତାପରେ ଦିବସର ଆଲୋକ ଲିଭେଇ ଦେଲେ ଆସେ ରାତ୍ରି । ସମସ୍ତ ଚେତନା କେନ୍ଦ୍ରିଭୂତ କରି ଏମାନେ ନିବିଷ୍ଟ, ଧ୍ୟାନମଗ୍ନ । ମଝିରେ ଯେତେବେଳେ ମଧ୍ୟାହ୍ନ ଭୋଜନ ଆସେ ଅନ୍ୟମନସ୍କ ଭାବରେ ଖାଦ୍ୟ ପଦାର୍ଥ ଗୁଡ଼ିକ ଉଦରସ୍ଥ ହୁଏ । ଖେଳ ଏପଟେ ସମାନ ଗତିରେ ଚାଲିଥାଏ । ଗୋଟିଏ ହାତରେ ଗୁଟି ଚାଳନା ଆର ହାତରେ ଭୋଜନ । ମିର୍ଜା ସଜ୍ଜାଦ ଅଲୀ ବୈଠକଖାନାରେ ହିଁ ଶତରଂଜର ପାଳି ପଡ଼େ । ସାହସ କରି କେହି କିଛି କହୁ ନଥିଲେ ହେଁ, ଚାକର ବାକର ପର୍ଯ୍ୟନ୍ତ ଅତିଷ୍ଟ । ମିର୍ଜାଙ୍କ ବେଗମ ସୁଯୋଗ ପାଇଲେହେଁ କ୍ରୋଧଟା ଅନ୍ୟ ଉପରେ ମେଣ୍ଟେଇ ନିଅନ୍ତି । ବେଗମ ସାହେବା ଶଯ୍ୟାତ୍ୟାଗ କରିବା ପୂର୍ବରୁ ମିର୍ଜା ବୈଠକଖାନାରେ ଉପସ୍ଥିତ ହୋଇପଡ଼ନ୍ତି, ଆଉ ସେ ରାତ୍ରିରେ ଶୋଇବା ପୂର୍ବରୁ ଶୟନକକ୍ଷରେ ଦର୍ଶନ ମିଳେ ନାହିଁ । ବେଗମ କୌଣସି ଉପାୟ ନପାଇ ଚାକରମାନଙ୍କ ଉପରେ ରାଗଟା ମେଣ୍ଟେଇ ନିଅନ୍ତି । ଯଦି କେହି ମିର୍ଜା ସାହେବଙ୍କ ନାଆଁରେ ପାନ, ପାଣି ବା ମଧ୍ୟାହ୍ନ ଭୋଜନ ନେବାକୁ ଆସନ୍ତି । ତେବେ ପାଟିକରି ଘର ଥରେଇ ଦିଅନ୍ତି । କିନ୍ତୁ ଅନ୍ତପୁର ଦୂରରେ, ଗଭୀର ପରଦା ଅନ୍ତରାଳରେ ଥିବାରୁ ବୈଠକଖାନା ଯାଏ ତାହା ପହଞ୍ଚି ପାରେନା । ବେଗମଙ୍କର କ୍ରୋଧଟା ମୀର ସାହେବଙ୍କ ଉପରେହିଁ ବେଶୀ । ସେ ଭାବନ୍ତି ତାଙ୍କରି ସ୍ୱାମୀଙ୍କୁ ସାଧାସିଧା ମଣିଷ ପାଇ ମୀର ସାହେବ ଉନ୍ମତ୍ତ କରି ତୋଳଛନ୍ତି । ତାର କାରଣ ମଧ୍ୟ ଥିଲା । ସ୍ତ୍ରୀଙ୍କ ସହିତ ଅକାଳେ ସକାଳେ ଦେଖାହେଲେ । ମିର୍ଜା ସମସ୍ତ ଦୋଷ ମୀର ସାହେବଙ୍କ ଉପରେ ଚପେଇ ଦିଅନ୍ତୁ । ମୀର ହିଁ ତାଙ୍କୁ ବିପଥଗାମୀ କରୁଛନ୍ତି—ଏ ଧାରଣା ସେଥିପାଇଁ ବେଗମଙ୍କ ମନରେ ବଦ୍ଧମୂଳ ହୋଇଯାଇଛି ।

 

ଦିନେ ବେଗମଙ୍କର ଶିରପୀଡ଼ା ହେଲା—ଦାସୀକୁ ପଠେଇ ସ୍ୱାମୀଙ୍କ ନିକଟକୁ ଖବର ଦେଲେ ଯେ, ଶୀଘ୍ର ଥରେ ଆସିବାକୁ ହେବ । ହାକିମ ପାଖକୁ ଲୋକ ପଠେଇବା ଦରକାର ।

 

କିସ୍ତି ସମ୍ଭାଳିବାକୁ ବ୍ୟସ୍ତ । ମିର୍ଜା କଥା ନ ଶୁଣି ଜବାବ ଦେଲେ “କୁହ ଏହିକ୍ଷଣି ଯାଉଛି ! ‘‘କହିସାରି ପୁନର୍ବାର ସମସ୍ତ ଭୁଲିଗଲେ । ବେଗମ ଆଉଥରେ ଦାସୀକି ପଠେଇ ଜଣେଇଲେ “ଏହି ମୁହୂର୍ତ୍ତରେ ନ ଆସିଲେ ସେ ନିଜେ ହାକିମ ପାଖକୁ ଚାଲିଯିବେ ।

 

ମିର୍ଜା ସେତେବେଳକୁ ବାଜି ଜିଣିବା ଉପରେ—ବିରକ୍ତ ହୋଇ ଧମକେଇ କହିଲେ ଏକାଥରେ କଣ ଶେଷ ଦଶା ଉପସ୍ଥିତ ହେଲା । ଦୁଇ ମିନତ ଡେରି ସବୁର କରାଯାଇପାରୁନି ।

 

ମୀର—ଶୁଣି ଆସନା, ନାରୀମାନଙ୍କ ମସ୍ତିଷ୍କ ଟିକିଏ ନରମ ଗରମହିଁ ଥାଏ ।

 

ମିର୍ଜା—ହଁ....ହଁ ତୁମେତ କହିବ, ଦୁଇ କିସ୍ତିମାତ ତୁମର ହୋଇଛି କିନା ।

 

ସେହି ଭରସାରେ ରୁହନା ଜନାବ, ଏପରି ଚାଲ୍ ଭାବି ରଖିଛି ଯେ, ତୁମର ଦାବା ବୋର୍ଡ଼ ଯେପରି ଅଛି ସେପରି ଥାଇ ମଧ୍ୟ ଏକାଥରକେ ଓଲଟ ପାଲଟ ହୋଇଯିବ । ସେ କଥା ଥାଉ—ଥରେ ଯାଇ ଦେଖି ଆସ ବ୍ୟାପାରଟା କଣ । ତୁଚ୍ଛାଟାରେ ବିଚାରିକି ଦୁଃଖ ଦେଲେ କି ଲାଭ-

 

—ତୁମର ଅତି ଆଶ୍ଚର୍ଯ୍ୟ ଚାଲଟି ତାହାହେଲେ ଦେଖିକରି ଯାଏ ।

 

—ମୁଁ ଖେଳିବନି କହିଦେଲି—ପ୍ରଥମେ ତୁମେ ଥରେ ଯାଇ ଫେରିଆସ ।

 

—ଭାଇ ତୁମେ ବୁଝି ପାରୁନ, ହାକିମ ଘରକୁ ଯିବାକୁ ହେବ । ମୁଣ୍ଡବ୍ୟଥା ଏକ ଫିକର-। ମୋତେ ଜବଦ୍ କରି ନାକେଦମ୍ କରିବାର ଉପାୟ ।

 

—ଯାହା ହେଉ ଥରେ ଦେଖି ଆସ ।

 

—ଆଚ୍ଛା ଏହି ଚାଲ୍ ପରେ ।

 

—କୌଣସି ପ୍ରକାରେ ନୁହେଁ । ଯେତେବେଳ ଯାଏ ଘର ଭିତରକୁ ଥରେ ଯାଇ ନ ଫେରିଛ—ମୁଁ ବୋର୍ଡ଼ ଉପରେ ହାତ ଦେଉନି । ମିର୍ଜା ସାହେବଙ୍କୁ ଅଗତ୍ୟା ଯିବାକୁ ହିଁ ହେଲା—ବେଗମ କାତାର ଭାବରେ କ୍ଷୋଭ ଓ କ୍ରୋଧ ପ୍ରକାଶ କରି କହିଲେ—“ଏ ଘୋଡ଼ ଖେଳ ତୁମର ଏତେ ପିଆରା ଚିଜ । ଏପଟେ ମୁଁ ମୁଣ୍ଡବ୍ୟଥାରେ ମରିଯାଉଛି, ଥରେ ଉଠି ଆସିବାକୁ ଚାହଁନା—ଚୁଲିରେ ଯାଉ ଏମିତି ଖେଳ ।

 

ମିର୍ଜା କହିଲେ “କଣ କରିବି କୁହ—ମୀର ସାହେବ ମାନିବାକୁ ନାରାଜ, କେତେ ବଳାବଳି କରି ଆସିବା ପାଇଁ ହେଲା ।

 

ପୋଡ଼ା ମୁହାଁ । ହତଭାଗ୍ୟ ଉଚ୍ଛନ୍ନ ହେଉ । ନିଜେ ଯେପରି ନିଷ୍କର୍ମା, ଅପଦାର୍ଥ, ସମସ୍ତଙ୍କୁ ସେ ମନେକରେ ବୋଧହୁଏ । ତାର ବି ତ ନିଜର ଘରସଂସାର ପୁଅ ଝିଅ ଅଛନ୍ତି—ନାଁ ସମସ୍ତଙ୍କୁ ଖାଇଦେଲେ ବାହାରିଛି ।

 

—ବଡ଼ ନଛୋଡ଼ବନ୍ଧା ଲୋକ—ଥରେ ଆସି ପୁଣି ପହଞ୍ଚିବାର ଅପେକ୍ଷାରେ ଥିବେ । ତାପରେ ଖେଳେଇଲେ ହିଁ ଛାଡ଼ିବେ ।

 

—ତଡ଼ି ଦେଉନାହଁ କାହିଁକି ?

 

କିପରି ତଡ଼ିବି ତୁମେହିଁ କୁହ । ସମାନ ବୟସ, ସମାନ ମାନମର୍ଯ୍ୟଦା—ବରଂ ଟିକିଏ ବେଶୀ ହୋଇପାରେ, ଚକ୍ଷୁ ଲଜ୍ଜାତ ଅଛି ।

 

—ତା ହେଲେ ମୁଁ ନିଜେ ତଡ଼ିବି । ରାଗ କଲେ କରିବେ । ତାଙ୍କର ମୁଁ ଖାଁଏ ନା ଧାରେ-। ରାଗି ଯିବେ ତ ଯିବେ ।

 

ଏ ହରିଆ ବାହାରୁ ଶତରଞ୍ଜ ଉଠେଇ ନେଇଆ । ଆଉ ମୀର ସାହେବଙ୍କୁ କହିଦେ ଆଜି ଆଉ ଖେଳ ହେବନାହିଁ । ମେହେରବାନୀ କରି ନିଜ ରାସ୍ତା ଦେଖନ୍ତୁ ।

 

ତୁମେ କଣ କହୁଛ ବେଗମ ? ଭଦ୍ରତା ବୋଲି କିଛି ଅଛି ତ—ହରିଆ ରହ କୁଆଡ଼େ ଯାଉଛୁ ?

 

ତାକୁ ମନା କରୁଛ କାହିଁକି ? ମୋର ମୁଣ୍ଡ ଖାଅ । ମୋର ରକ୍ତରେ ସ୍ନାନ କର, ଯଦି ତୁମେ ତାକୁ ମନା କରୁଛ । ଆଛା ବେଶ୍ ତାକୁତ ମନା କଲ, ମୋତେ ଅତକାଅ ଦେଖି । ଏତିକି କହି ବେଗମ ପରଦା ଅଗ୍ରାହ୍ୟ କରି ଏକବାରେ ସିଧା ବୈଠକଖାନା ଆଡ଼କୁ ଅଗ୍ରସର ହେଲେ ।

 

ତ୍ରସ୍ତ ମିର୍ଜା ପଛେ ପଛେ ମିନତୀ କରି କରି ଆସୁଛନ୍ତି—“ଖୋଦାକା କସମ୍, ହଜରତ୍ ହୁସେନକା କସମ୍, ଯଦି ସେ ଆଡ଼କୁ ପାଦ ବଢ଼େଇଛ ମୋର ମଲା ମୁହଁ ଦେଖିବ । ବେଗମ କର୍ଣ୍ଣପାତ ନକରି ସେତେବେଳକୁ ବୈଠକଖାନାର ଦୁଆର ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି । କିନ୍ତୁ ଆଜନ୍ମ ସଂସ୍କାର ଓ ଅଭ୍ୟାସ ଛିନ୍ନ କରି ପରପୁରୁଷ ସାମନାରେ ପହଞ୍ଚିବା ସହଜ କଥା ନୁହେଁ । କ୍ରୋଧ ସମୟରେ ମଧ୍ୟ ସଂସ୍କାର ସଜାଗ । ବେଗମ ଦରଜା ନିକଟରେ ଠିଆ ହୋଇରହିଲେ । ତାପରେ କବାଟ ଫାଙ୍କରେ ମୁହଁ ବଢ଼େଇଘର ଭିତରକୁ ଦେଖିଲେ । ଘର ଖାଲି । ମୀର ଗୋଟିଏ ଯୋଡ଼ିଏ ଗୁଟି ଏପଟ ସେପଟ କରିଦେଲେ ନିଜର ସାଧୁତାର ପ୍ରମାଣ ଦେବାପାଇଁ ବାହାର ବାରଣ୍ଡାରେ ପଦଚାରଣ କରୁଛନ୍ତି । ବେଗମ ଯୁଦ୍ଧକ୍ଷେତ୍ର ଶତ୍ରୁ ଶୂନ୍ୟ ଦେଖି ଭିତରକୁ ପ୍ରବେଶ କଲେ । ଦାବା ଯୁଦ୍ଧର ସମସ୍ତ ସରଞ୍ଜାମ ବିଭିନ୍ନ ଦିଗକୁ ନିକ୍ଷେପ କରି ଛକଟି ଛିଣ୍ଡେଇ ପକେଇଲେ ଏବଂ ବାହାର ଦରଜା ଭିତର ପଟରୁ ବନ୍ଦ କରିଦେଲେ । ମୀର ଭିତରପଟୁ ଅନେକ ଗୁଟି ନିକ୍ଷିପ୍ତ ହେବା—ଦେଖିଲେ । ଚୁଡ଼ିର କ୍ରୋଧବ୍ୟଞ୍ଜକ ଶବ୍ଦ ଶୁଣିଲେ; ଶେଷରେ ଯେତେବେଳେ ସଶବ୍ଦେ ଦରଜା ବନ୍ଦ ହେଲା ବ୍ୟାପାର ଅନୁମାନ କରି ଯେତେଦୂର ସମ୍ଭବ ଶିଘ୍ର ଗୃହାଭିମୂଖେ ଗମନ କଲେ ।

 

ବିଜୟୋତ୍‍ଫୁଲ୍ଲ ବେଗମଙ୍କୁ ମିର୍ଜା ଦୁଃଖର ସହିତ କହିଲେ “ତୁମେ ଏକା ଥରକେ ସମସ୍ତ ସର୍ବନାଶ କରି ଛାଡ଼ିଲ” । ବେଗମ ଉତ୍ତର ଦେଲେ “ଏବେ କଣ ବା ହୋଇଛି । ମୀର ଯଦି ପୁଣି ଏ ଦିଗକୁ ମୁହଁ ଫେରାଏ, ଗଳା ଧକ୍କା ଦେଲେ ବାହାର କରିଦେବି । କମ୍‍ବଖତ୍ ନିଖଟ୍‍ଟୁ କାହାଁକା । .....ହାକିମ ସାହେବ ଘରକୁ ଯିବନା ନାହିଁ ?

 

ମିର୍ଜା ଘରୁ ବାହାରି ମୀର ସାହେବଙ୍କ ଘରେ ପହଞ୍ଚିଲେ । ମୀର ସାହେବ ସମସ୍ତ ବୃତାନ୍ତ ଶୁଣି କହିଲେ “ଗୁଟି ଉଡ଼ି ଆସିବା ଦେଖି ମୁଁ ଏ ସବୁ ବିଷୟ ଅନ୍ଦାଜ କରିଥିଲି । ତୁମର ବେଗମ ବଡ଼ ବଦରାଗୀ । ତୁମେ ମୁହଁ ଦେଲେ ଦେଲେ ତାଙ୍କୁ ମୁଣ୍ଡ ଉପରେ ଚଢ଼େଇ ଦେଲେଛ ।” ତୁମେ ବାହାରେ କଣ କର ବା ନ କର ସେ ଖବରରେ ତାଙ୍କର କି କାମ । ଘରର ବୋହୂ, ବୋହୂ ପରି ରହିବା କଥା । ମୀର୍ଜା କହିଲେ “ସେ ସବୁ କଥା ଛାଡ଼ । ଏବେ କୁହ କାଲଠୁ ବସିବା କେଉଁଠି-?”

 

ମୀର ଉତ୍ତର ଦେଲେ “ସ୍ଥାନର କଣ ଅଭାବ ରହିଛି । ମୋର ଏତେ ବଡ଼ ଘର ରହିଛି କାହିଁକି ?”

 

କିନ୍ତୁ ବେଗମଙ୍କ ରାଗ କି ଉପାୟରେ ଶାନ୍ତି କରେ । ନିଜ ଘରେ ବସି ଖେଳନ୍ତି, ତହିଁରେ ତାର କେତେ ରାଗ; ଆଉ ଏବେ ତୁମର ଘରେ ବସି ଖେଳିଲେ ରାଗ ସୀମା ରହିବ ନାହିଁ ।

 

କଣ ଯେ ତୁମେ କୁହ, ନାରୀର ରାଗ ପାଣିର ଦାଗ ଦୁଇ ଚାରିଥର ହାତଗୋଡ଼ ଛାଟି ପିଟି ହେବେ; ଚିତ୍କାର, ପାଟିତୁଣ୍ଡ କରିବେ । ତାପରେ ନିଜକୁ ନିଜେ ଥଣ୍ଡା । ସ୍ତ୍ରୀ ସାମନାରେ ଏତେ ମାଇଚିଆ ହେଲେ ମୋଟେ ଚଳିବନି ।

 

ମୀର ସାହେବଙ୍କ ବେଗମ୍ ସାହେବୀ କୌଣସି ଏକ ଅଜ୍ଞାତ କାରଣରୁ ସବୁବେଳେ ସ୍ୱାମୀଙ୍କ ଅନୁପସ୍ଥିତିହଁ କାମନା କରନ୍ତି । ସେଥିପାଇଁ ସେ କେବେହେଲେ ମୀରଙ୍କ ଶତରଞ୍ଜ ପ୍ରୀତି ଉପରେ ବିରକ୍ତି ପ୍ରକାଶ କରନ୍ତିନି ବରଂ ଯେଉଁଦିନ ମୀର ଘରୁ ବାହାରିବାକୁ କୌଣସି ଆକସ୍ମିକ କାରଣରୁ ବିଳମ୍ବ କରନ୍ତି, ସେଦିନ ସେ ଅସ୍ଥିର ହୋଇ ଉଠନ୍ତି । ବାରମ୍ବାର ମନେ ପକେଇ ଦିଅନ୍ତି ସମୟ ଗଡ଼ି ଯାଉଛି । ମୀର ଏଥିପାଇଁ ଆନନ୍ଦମନେ ଭାବନ୍ତି, ତାଙ୍କର ସ୍ତ୍ରୀ ଅତିଶୟ ପତିବ୍ରତା । ସ୍ୱାମୀର ସୁଖକୁହିଁ ସୁଖ ଜ୍ଞାନ କରନ୍ତି । ଏବେ ଯେତେବେଳେ ମୀରଙ୍କ ବୈଠକଖାନାରେ ଶତରଞ୍ଜର ଆସର ବସିବାକୁ ଲାଗିଲା, ସେତେବେଳେ ବେଗମଙ୍କର ବଡ଼ କଷ୍ଟ ବୋଧ ହେଲା । ତାଙ୍କର ଅବାଧ ସ୍ୱାଧୀନତାରେ ବାଧା ପହଞ୍ଚିଲା ।

 

ଚାକରମାନଙ୍କର ମଧ୍ୟ ଅସୁବିଧାର ସୀମା ରହିଲା ନାହିଁ । ଏତେଦିନ ପର୍ଯ୍ୟନ୍ତ କୌଣସି ହାଙ୍ଗାମା, ହଇଚଇ ନଥିଲା । ଶୋଇ ବସି ଦିନ କଟଉଥିଲ । ଗୋଟିଏ ଅଧେ ଦୃଷ୍ଟି କଟୁ ଦୃଶ୍ୟରୁ ଚକ୍ଷୁ ଫେରେଇନେଲେ ଦିନ ସାରା ଆରାମ । ଯାର ଯେପରି ଖୁସି ଚଳୁ, ସେଥିରେ ସେମାନଙ୍କର ଯାଏ ଆସେ କେତେ । କେବଳ ତାଙ୍କର ଚେଷ୍ଟାରେ ବାଧା ନ ପହଞ୍ଚିଲେ ହେଲା । ସେ ସୁଖର ଦିନ ଆଉ ରହିବନି । ପାନ ନେଇ ଆସ, ମିଠେଇ କିଣି ଆଣ, ଅଳେଇଚ ଦାନା ହାଜର କର—ଏ ସବୁ ରହିଛି; ତା ଉପରେ ଅବିରାମ କ୍ରୋଧ । ରାବଣର ଚିତା ପରି, ହୋତା ବ୍ରାହ୍ମଣର ଅଗ୍ନି ପରି, ତାହା ଆଉ ନିର୍ବାପିତ ହୁଏ ନାହିଁ । ଦୌଡ଼ା ଦୌଡ଼ି କରି କରି ହାତ ଗୋଡ଼ ଦରଜ, ଅଣ୍ଟାରେ ବାତ ରୋଗର ଉପକ୍ରମ । ଦାସଦାସୀ ସମସ୍ତ ଆସି ହଜୁର ବେଗମ ସାହେବାଙ୍କ ପାଖରେ ସମସ୍ୱରେ ନାଲିଶ କଲେ ।

 

ରାଜ୍ୟର ହାହାକାର ପଡ଼ିଛି । ଦିନ ଦି’ପହରେ ଡକାୟତି ଖୁନ୍, ନିରୀହ ପ୍ରଜାର ଧନ ଜୀବନ ବଳବାନ ବ୍ୟକ୍ତିର ଖେଳନାରେ ପରିଣତ ହୋଇଛି । ସର୍ବତ୍ର ଘୋର ବିଶୃଙ୍ଖଳା । ପ୍ରତିକାର କରିବାର ଇଚ୍ଛାକରେ ବା କରିପାରେ ଏପରି କେହି ନାହିଁ । ଗ୍ରାମର ଧନଦୌଲତ ସହରରେ ଆସି କେନ୍ଦ୍ରୀଭୂତ ହୁଏ । ସେଠାରୁ ଯାଇ ପହଞ୍ଚେ ବେଶ୍ୟା ଆଉ ତାର ଦଲାଲ ଘରେ । ଇଂରେଜ କଂପାନୀର ଋଣ ଦିନକୁ ଦିନ ବଢ଼ିଚାଲିଛି ଓଦା କମ୍ବଳରେ ଅନବରତ ପାଣି ଜମା ହୋଇ ଭୀଷଣ ଓଜନ ହୋଇଉଠୁଛି । ରାଜକୋଷ ଶୂନ୍ୟ—ଇଂରେଜର ବାର୍ଷିକ ପ୍ରାପ୍ୟ ଆଦାୟ ହେଉନାହିଁ । ରେସିଡ଼େଣ୍ଟ ନବାବଙ୍କୁ ବାରମ୍ବାର ସାବଧାନ କରୁଛନ୍ତି କିନ୍ତୁ ନବାବ କାନରେ ତୁଳାଗୁଞ୍ଜି ବସିଛନ୍ତି ।

ବାହାରେ ଧ୍ୱଂସର ଦିନ ଦୃତ ପଦକ୍ଷେପରେ ଆଗେଇ ଆସୁଛି, କିନ୍ତୁ ଚକ୍ଷୁ କର୍ଣ୍ଣହୀନ ଦୁହି ଜାୟଗିରୀଦାର ଦିନ ପରେ ଦିନ, ମାସ ପରେ ମାସ, ଶତରଞ୍ଜ ଖେଳରେ ପର ଆପଣା ବିସ୍ତୃତ ହୋଇପଡ଼ିଛନ୍ତି । ନିତ୍ୟ ନୂତନ ଧରଣର ବାଜି । ନୂତନ କଳ୍ପନାରେ ସୈନ୍ୟସାମନ୍ତ ସମାବେଶ । କେବେ କେବେ କଳହ, । ପାଟିତୁଣ୍ଡ, ଅପଭାଷା ପ୍ରୟୋଗ । ଅପର ମୁହୁର୍ତ୍ତରେ ମିତ୍ରତା ଓ ପୁଣି ନୂତନ ଉଦ୍ୟମର ଖେଳର ଆରମ୍ଭ ହୁଏ । ମଝିରେ ମଝିରେ କ୍ରୋଧର ମାତ୍ରା ଟିକିଏ ବଢ଼ିଗଲେ ମିର୍ଜା ଖେଳ ଛାଡ଼ି ଘରକୁ ଚାଲିଆସନ୍ତି । ରାତ୍ରି ପ୍ରଭାତ ହେବା ସଙ୍ଗେ ସଙ୍ଗେ ପୁଣି ଉଭୟେ ଏକ ପ୍ରେରଣାରେ, ଏକ ସମୟରେ ବୈଠକଖାନାରେ ଉପସ୍ଥିତ ହୁଅନ୍ତି । ସଲାମ ବିନିମୟ ଓ ତତ୍‍କ୍ଷଣାତ୍ ଖେଳର ଆରମ୍ଭ । ଗତକାଲି ବଚସାର ଉଲ୍ଲେଖ ପର୍ଯ୍ୟନ୍ତ କେହି କରନ୍ତି ନାହିଁ ।

ଦୁଇ ବନ୍ଧୁ ଶତରଂଜ ଖେଳରେ ନିମଜ୍ଜିତ, ଏପରି ସମୟରେ ରାତ୍ରି ଶେଷ ପ୍ରହରର ଦୁଃସ୍ୱପ୍ନ ଭଳି ବାଦଶାହୀ ଘୋଡ଼ା ସବାର ଦୁଆରକୁ ଆସି ଉପସ୍ଥିତ ହେଲା ମୀର ସାହେବଙ୍କ ସନ୍ଧାନରେ । ମୀର ଶିଘ୍ର ଉଠି ଦରଜା ବନ୍ଦ କରି ଚାକରକୁ ଆଦେଶ ଦେଲେ “କହିଦିଅ ମୀରସାହେବ ଘରେ ନାହାନ୍ତି ।’’

 

ଘୋଡ଼ାସବାର ପ୍ରଶ୍ନକଲା “ଘରେ ନାହାନ୍ତି ତ କେଉଁଠି ଅଛନ୍ତି ?”

 

ଚାକର କହିଲା—ଜାଣିନି । କି ଦରକାର ?

 

ଦରକାରରେ ତୋର କି ଦରକାର । ନବାବ ସାହେବ ତଲବ କରିଛନ୍ତି ଆଉ କଣ । ବୋଧହୁଏ ଫୌଜପାଇଁ ସିପାହୀ ଦରକାର । କେବଳ ଜାୟଗିରଦାର ହେଲେ ହେଲା । ଦଳ ଲଢ଼େଇକି ନେଲେ କେତେ ଧାନରୁ କେତେ ଚାଉଳ ବୁଝାଯିବ ।

 

ବାଦଶାପରି ବସି ବସି ନବାବଙ୍କ ନମକ ଖାଉଛନ୍ତି ।

ଆଚ୍ଛା, ଆଚ୍ଛା ତୁମେ ଏବେ ଯାଅ ଆସିଲେ ମୁଁ କହିଦେବି ।

 

ତୁମର କହିବାର ପ୍ରୟୋଜନ ନାହିଁ । ମୁଁ ପୁଣି କାଲି ଆସିବି । ସଙ୍ଗେ ସଙ୍ଗେ ନେଇଯିବାର ହୁକୁମ ରହିଛି । ଘୋଡ଼ାସବାର ଚାଲିଗଲା । ମୀର ସାହେବ ଶ୍ୱାସରୁଦ୍ଧ କରି ଦୁହିଙ୍କର କଥାବାଣୀ ଶୁଣୁଥିଲେ । ଜମିରହିଥିବା ସମସ୍ତ ପବନ ଏକସଙ୍ଗେ ଛାଡ଼ିଦେଲେ ହତାଶ କଣ୍ଠରେ କହିଲେ “ଦୋସ୍ତ ବର୍ତ୍ତମାନ ଉପାୟ ।”

 

ମିର୍ଜା ମନେ ମନେ ନିଜକଥା ଭାବୁଥିଲେ । ଚିନ୍ତିତ ଭାବରେ କହିଲେ “ବଡ଼ ମୁସ୍‍କିଲ ହେଲା ଦେଖୁଛି, ମୋତେ ଯେମିତ ଡକେଇ ନ ପଠାଏ । “ ସବୁ ଯେତେ ବିପଦ କଣ ଆମରି କପାଳରେ । ଯୁଦ୍ଧକୁ ଯେବେ ଯିବାକୁ ପଡ଼ିଛି ଆମେ ତ ଯାଇଛୁ, ତେବେ ପୁଣି କଣ ?

 

ମୁଁ କହୁଛି ଘରୁ ଚାଲ ନିରୁଦ୍ଦେଶ ହେବା । କାଲିଠାରୁ ଗୋମତୀ ତୀରରେ କେଉଁ ନିରୋଳା ଜାଗାରେ ଆସର ଜମେଇବା । ସେଠାକୁ କିଏ ଖୋଜିବାକୁ ଯିବ ? ସେଇଠି ନବାବ ଆସର୍ଫୋଦ୍ଦଲ୍ଲାର ତିଆରି ଯେଉଁ ଭଙ୍ଗା ମସ୍‍ଜିଦ ରହିଛି ।

 

ୟା ଆଲ୍ଲା ! ତୁମର ବୁଦ୍ଧିର ତାରିଫ୍ କରିବାକୁ ପଡ଼େ ଦୋସ୍ତ । ଏପଟେ ମୀରସାହେବଙ୍କ ବେଗମ ହସି ହସି ଗଡ଼ି ଯାଉଛନ୍ତି । ଘୋଡ଼ା ସବାରକୁ ସେ ନିଜେ ଏକଥା ଶିଖେଇ ପଠେଇ ଥିଲେ-। ତୁମର ବୁଦ୍ଧିର ଜୟ ହେଉ । ଘୋଡ଼ା ସବାର ଆତ୍ମ ପ୍ରସାଦରେ ଫୁଲିଉଠି ସମସ୍ତ ଦମ୍ଭ ସଂଚୟ କରି ଜବାବ ଦେଲା—ସେମାନଙ୍କର କି ଆଉ ହୋସ ଅଛି । ଶତରଞ୍ଜ ସେମାନଙ୍କ ମସ୍ତିଷ୍କକୁ କଣ ଯେ କରି ଦେଲେଛି ? କାଲିଠୁ ଆଉ ଘରେ ରହିବେନି, ଆମର ରାସ୍ତା ପରିଷ୍କାର ।

 

ଆରଦିନ ସକାଳେ ଅନ୍ଧକାର ଥାଉଣୁ ଦୁହେଁ ଗୃହରୁ ଅନ୍ତର୍ହିତ ହେଲେ । ସାଥିରେ ବସିବାପାଇଁ ଖଣ୍ଡେ ଛୋଟ ଦରି, ହାତରେ ପାନଡ଼ିବା, ଆଉ ପୁଟୁଳିରେ ଖେଳ ସରଞ୍ଜାମ । ଚଞ୍ଚଳ ପଦକ୍ଷେପରେ ଗୋମତୀ ପାରହୋଇ ପୂର୍ବୋକ୍ତ ଜନସମାଗମ ଶୂନ୍ୟ ଭଙ୍ଗା ମସ୍‍ଜିଦରେ ଆଶ୍ରୟ ନେଲେ । ଶିଉଳିଧରା କାନ୍ଥ, ମଝିରେ ମଝିରେ ଇଟା ଖସି ପଡ଼ିଛି; ସ୍ଥାନେ ସ୍ଥାନେ ଚଟାଣରେ ଗାତ-। ଭିତରେ ଦିନବେଳେ ମଧ୍ୟ ଚିମନି ଚଢ଼େଇଗୁଡ଼ିକ ଅବାଧରେ ଉଡ଼ି ବୁଲୁଛନ୍ତି । ଟିକିଏ ଜାଗା ପରିଷ୍କାର କରିନେଇ ଉଭୟ ଛକ, ପକେଇଲେ । ହୁକାଭରି, ତମାକୁ ସାଜି ଶତରଞ୍ଜ ପକେଇ ସେ ଯେଉଁ ଖେଳରେ ବସିଲେ କ୍ଷୁଧାର ତାଡ଼ନା ନ ପାଇବାଯାଏ । ପାର୍ଶ୍ୱ ପରିବର୍ତ୍ତନ କଲେନାହିଁ । କ୍ଷୁଧା ଅତି ତୀବ୍ର ହେବାରୁ ଅଳ୍ପଦୂରରେ ଥିବା ଗୋଟାଏ ଦୋକାନକୁ ଯାଇ ଇଂଜିନରେ କୋଇଲା ଦେଲେ ଫେରିଲେ । କେଉଁ କେଉଁ ଦିନ ଖାଇବା ବି ପାଶୋର ହୋଇଗଲା ।

 

ଏ ଦିଗରେ ଦେଶର ଅବସ୍ଥା ଆହୁରି ଶୋଚନୀୟ ହୋଇଉଠୁଛି । କମ୍ପାନୀର ଫୌଜ କ୍ରମେ ଲକ୍ଷ୍ନୌର ନିକଟବର୍ତ୍ତୀ ହେଉଛନ୍ତି । ସହରର ବିଷମ ଅବ୍ୟବସ୍ଥା । ଅଧିକା°ଶ ଲୋକ ପୁତ୍ର, କନ୍ୟା, ସ୍ତ୍ରୀ ନେଇ ଦୂର ଗ୍ରାମକୁ ପଳାୟନ କରୁଛନ୍ତି, କିନ୍ତୁ ମିର୍ଜା ଓ ମୀରର କୌଣସି ଖିଆଲ ନାହିଁ । ଗୋଟାକ ପରେ ଗୋଟାଏ କିସ୍ତିମାତ । ହେଉଛି । ସକାଳୁ ମସ୍‍ଜିଦ୍‍କୁ ଆସିବା ଓ ରାତିରେ ଫେରିବା ସମୟରେ ପ୍ରଧାନ ରାସ୍ତା ଦେଲେ ଯିବାକୁ ସାହସ କୁଳାଏ ନାହିଁ । କାଳେ ନବାବଙ୍କ ଚର ଦେଖିପାରି ଧରି ନେଇଯିବେ । ସବୁଦିନ ପର ସେହି ଭଙ୍ଗା ମସ୍‍ଜିଦ୍‍ ରେ ଉଭୟେ ଖେଳରେ ମଗ୍ନ ଅଛନ୍ତି, ଏପରି ସମୟରେ ଦିନେ ଦୂରରେ ଇଂରେଜ କଂପାନୀର ଫୌଜ ଆସିବା ଦେଖାଗଲା । ଲକ୍ଷ୍ନୌ ଦଖଲ କରିବାକୁ ଗୋରା ସୈନ୍ୟ ଆସୁଛନ୍ତି ।

 

ସେ ଦିନ ମିର୍ଜାଙ୍କ ବାଜି ଟିକିଏ ଦୁର୍ବଳ ଥିଲା । ସେ ତଦଗତ ଚିତ୍ତରେ ଆତ୍ମରକ୍ଷାର ଉପାୟ ଚିନ୍ତା କରୁଥିଲେ । ମୀରଙ୍କ ଦୃଷ୍ଟି ପ୍ରଥମେ ଗୋରା ସୈନ୍ୟମାନଙ୍କ ଆଡ଼କୁ ଆକୃଷ୍ଟ ହେଲା । ସେ କହିଲେ “ଦେଖ, ଦେଖ ଇଂରେଜ ଫୌଜ ଆସୁଛନ୍ତି । ଆଜି କେଜାଣି କଣ ହେବ ।’’

 

ମିରଜା କହିଲେ “ତୁମେ ବି ପାଗଳ । ଇଂରେଜ ଆସୁଛି ତ ଆସୁ ଏପଟ ତୁମର ସେନାପତି ଯେ ମଲା, ବଂଚାଅ ।”

 

ମୀର ଚିନ୍ତିତ ହୋଇ ଉତ୍ତର ଦେଲେ “ଟିକିଏ ଦେଖିବା ଦରକାର । ଏହି କାନ୍ଥ ଆଢ଼ୁଆଳରେ ରହି ବ୍ୟାପାର କଣ ଦେଖିବା ।’’

 

—ଏତେ ତର ତର କାହିଁକି, ପରେ ଦେଖିବା । ଏ କିସ୍ତିଟା ତ ଆଗେ ସମ୍ଭାଳ ।

 

—ସଙ୍ଗେ ତୋପ ବି ରହିଛି ଦେଖୁଛି । ଲୋକ ତ ପାଞ୍ଚହଜାର ଉପରେ ହେବେ । ଦେଖିବାକୁ ସମସ୍ତେ ଯୁବକ । ମାଙ୍କଡ଼ ପରି ମୁହଁ ଲାଲ । ଦେଖିଲେ ଭୟ ହୁଏ ।

 

 

—ମାହାଳିଆଟାରେ ବିକୁଛ କାହିଁକି ? ମୋର ଏ ଚାଲରୁ ବଞ୍ଚିବା ଫିକର ଖୋଜୁଛି ମନେହୁଏ । କିସ୍ତି ସମ୍ଭାଳ ।

 

—ତୁମେ ବଡ଼ ଅଜବଲୋକ ଭାଇ । ସହର ଉପରେ ଏହି ବିପଦ । ଆଉ ତୁମର କିସ୍ତି ର ନିଶାହିଁ ଛାଡ଼ୁନାହିଁ । ଭାବି ଦେଖିଛ କି, ଚାରିଦିଗରୁ ଯଦି ସହରଟାକୁ ଘେରି ଦିଅନ୍ତି ତ ଘରକୁ ପହଞ୍ଚିବ କିପରି ?

 

ଘରକୁ ଯିବା ସମୟ ହେଲେ ଭାବିବା । ପ୍ରଥମରେ ଆସି ତୁମର ସେନାପତି ତ ସଂଭାଳ-। ଆଉ ସମ୍ଭାଳିବାକୁ ହେବନାହିଁ । ଗୋଟିଏ କିସ୍ତି ରେ ମାତ୍ । ସୈନ୍ୟଦଳ ଅଦୃଶ୍ୟ ହେଲେ-। ପୁଣି ଛକ ପରା ହେଲା । ଖେଳ ଦଶଟା ପର୍ଯ୍ୟନ୍ତ ଚାଲିଲା; ମୀର ସେତେବେଳେ ପଚାରିଲେ ଆଜିତ ସବୁ ଓଲଟପାଲଟ ହୋଇଯାଇଥିବ । ଖାଇବ କେଉଁଠି ?

 

ତୁମର ତ ଗୋଟାଏ ନା ଗୋଟାଏ ଉତ୍ପାତ ଲାଗି ରହିଛି । ଖାଇବି କେଉଁଠି ? କାହିଁକି ଆଜି କଣ ଉପବାସ ରୁହା ଯାଇପାରେନା । ସମୟର ମୋ ଦଶଟା, ଏହା ଭିତରେ କଣ ପେଟରେ ନିଆଁ ଲାଗିଯାଇଛି ?

 

ମୀର ଅନ୍ୟମନସ୍କ ଭାବରେ କହିଲେ “ନା……..ନା ତାହା ନୁହେଁ ଯେ.... । ସହରରେ ଆଜି କେଜାଣି କଣ ହେଉଛି, ଘରେ ତ ସମସ୍ତେ ଏକା ।

 

—ମିର୍ଜା କହିଲେ “ହେବ ଆଉ କଣ” । ଲୋକ ଖାଇ ପିଇ ମଉଜ କରୁଛନ୍ତି । ହଜୁର ନବାବ ସାହେବ ବି ନିଶ୍ଚୟ । ପ୍ରମୋଦ କୁଞ୍ଜରେ ଅଛନ୍ତି । ପୁଣି ଖେଳ ଆରମ୍ଭ ହେଲା । ଖେଳୁ ଖେଳୁ ତିନିଟା ବାଜି ଗଲା । ଏଥର ମଧ୍ୟ ମିର୍ଜାଙ୍କର ବାଜି ତଳମଳ କରୁଥିଲା । ତାହାର କେତେ ଘଣ୍ଟା ପରେ ଗୋରା ସୈନ୍ୟ ଫେରି ଆସିବାର ଦେଖାଗଲା । ନବାବ୍ ଓୟାଜିଦ୍ ଆଲିଙ୍କୁ ବନ୍ଦୀ କରି କେଉଁ ଅଜ୍ଞାତ ସ୍ଥାନକୁ ନେଇ ଯାଉଛନ୍ତି । ସହରରେ କୌଣସି ବିକ୍ଷୋଭ ନାହିଁ । ବିନ୍ଦୁ ଏ ରକ୍ତପାତ ବି ହୋଇନି । ଏପରି ବିନା ରକ୍ତପାତରେ କୌଣସି ସ୍ୱାଧିନ ରାଜାର ରାଜ୍ୟଚ୍ୟୁତି ଇତିହାସରେ ଆଜି ପର୍ଯ୍ୟନ୍ତ ଲେଖାନାହିଁ । କିନ୍ତୁ ଏ ତ ଶାନ୍ତି ନୁହେଁ, ମୁନିଜନ କାମ୍ୟ ଅହିଂସା ନୁହେଁ, ଘୋର କାପୁରୁଷତା, ବହୁଦିନବ୍ୟାପି ବିଳାସ ସମ୍ଭୋଗର ପରିଣାମରେ ଦେହ ଓ ମନରେ ଯେଉଁ ଐକାନ୍ତିକ ଦୈନ୍ୟଦଶା ଉପସ୍ଥିତ ହୁଏ, ଏହା ସେୟା । ବିଶାଳ ଅଯୋଧ୍ୟାର ଅଧୀଶ୍ୱର ଚୋର ଡକାୟତ ପରି ଶୃଙ୍ଖଳିତ ଅବସ୍ଥାରେ ଆପଣାର ରାଜଧାନୀ ଭିତରେ ନିଆ ହେଉଛନ୍ତି, ପ୍ରଜାବର୍ଗ ଆରାମରେ ବ୍ୟସନର ନିଶାରେ ଅନ୍ଧ ହୋଇ ପଡ଼ିଛନ୍ତି, ଚକ୍ଷୁ ଖୋଲି ଦେଖିବାର ମଧ୍ୟ ସୁଯୋଗ ନାହିଁ ।

 

ମୀର ବିମନା ହୋଇ କହିଲେ—ହଜୁର ନବାବ ସାହେବଙ୍କୁ ଲାଲମୁହାଁ ମାଙ୍କଡ଼ମାନେ ବନ୍ଦୀ କରି ନେଇଗଲେ ।

 

ମିର୍ଜା କହିଲେ—ହେବ । କିସ୍ତି ସମ୍ଭାଳ ।

 

ମୀର କହିଲେ ତୁମର କଣ କୌଣସିଥିରେ ହୋସ ହେବନାହିଁ । ମୋତେ ଆଜି ଆଉ କିଛି ଭଲ ଲାଗୁନାହିଁ । ବିଚରା ନବାବ ! ଏବେ ଯେଉଁ ଅଶ୍ରୁ ତାର ଚକ୍ଷୁରୁ ବୋହୁଛି, ସେ ତ ଅଶ୍ରୁ ନୁହେଁ—ବିନ୍ଦୁ ବିନ୍ଦୁ ରକ୍ତ ବାଧା ନ ମାନି ବାହାରି ଆସୁଛି ।

 

ମିର୍ଜା ଉତ୍ତର ଦେଲେ ତା ଆଉ କହିବାକୁ ଅଛି । ଏପରି ଆରାମ କଣ ଆଉ କେଉଁଠି ମିଳିବ ।

 

ଏପରି ହୃଦୟହୀନ ଭଳି କଥା କୁହନା ଭାଇ । ଏକା ମାଘକେ ଶୀତ ଯାଏନାହିଁ । “ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।”

 

ହଁ.....ହଁ ସେ ତ ଠିକ୍ କଥା, ନିଅ ଏଥର କିସ୍ତି ସମ୍ଭାଳ ।

 

ଖୁଦା କି କିସମ ତୁମେ ବଡ଼ ହୃଦୟହୀନ । ଆଖି ଆଗରେ ଏପରି ସର୍ବନାଶ ଦେଖି ସୁଦ୍ଧା ମନରେ ଟିକିଏ ହେଲେ ଦୁଃଖ ନାହିଁ । ହାୟ ବିଚରା ଓୟାଜିଦ୍‍ ଆଲିଶାହା ।

 

ଆଗେ ନିଜର ବାଦଶାହାକୁ ବଞ୍ଚାଅ ଭାଇ, ଓୟାଜିଦ୍ ଆଲି ଶାହାର ଭାବନ ପଛ କଥା । ଏ କସ୍ତିରେହିଁ ବାଦଶା’ ଶେଷ କହି ରଖୁଛି । କିସ୍ତି ପକାଅ ।

 

ସନ୍ଧ୍ୟା ହୋଇ ଆସୁଛି । ଭଙ୍ଗା ମସ୍‍ଜିଦ୍‍ରେ ଚିମିଣୀ ଦଳର କୋଳାହଳ ବୃଦ୍ଧି ଲାଭ କରୁଛି। ଅନ୍ୟାନ୍ୟ ପକ୍ଷୀଗଣ ନିଜ ନିଜ ନୀଡ଼ରେ ବିଶ୍ରାମ କରିବାକୁ ଲାଗିଲେଣି । କିନ୍ତୁ ଖେଳୱାର୍ଡ଼ ଦୁଇ ଜଣଙ୍କ ବିଶ୍ରାମ ନାହିଁ । ମିର୍ଜା କ୍ରମାଗତ ତିନି ବାଜି ହାରି ଟିକିଏ ଉତପ୍ତ ହୋଇପଡ଼ିଛନ୍ତି । ଏଥରର ବାଜି ବି କିଏ ସୁବିଧାଜନକ ନୁହେଁ । କିନ୍ତୁ କ୍ରୋଧ ଓ ଆବେଗକୁ ପ୍ରାଣପଣେ ସଂଯତ କରି ମୁହଁ ଏବଂ ଚକ୍ଷୁ କଠିନ କରି ମିର୍ଜା ଖେଳି ଯାଉଛନ୍ତି । ଏଥର ଜିଣିବା ନିହାତି ଦରକାର । ଏ ପଟରେ ମୀରଙ୍କୁ ଜୟର ନିଶା ଲାଗିଛି । ଅଳ୍ପକ୍ଷଣ ପୂର୍ବର ବିମନା ଭାବ ଆଉ ନାହିଁ ।

 

ଫୁର୍ତ୍ତିରେ କେତେବେଳେ କବିତା ଆବୃତ୍ତି କରୁଛନ୍ତି ତ କେତେବେଳେ ତାଳ ଦେଲେ ଗଜଲର ପଦେ ଦୁଇପଦ ଗାଉଛନ୍ତି । ମିର୍ଜା ରାଗରେ ଫୁଲି ଉଠୁଛନ୍ତି । ବାଜି ହାରିବାର ଯେତେ ନିକଟତମ ହୋଇଆସୁଛି ସେତେ ଧୈର୍ଯ୍ୟଚ୍ୟୁତି ଘଟୁଛି । ବର୍ତ୍ତମାନ କଥାରେ କଥାରେ ଝଗଡ଼ା କରିବାର ଉପକ୍ରମ । କେତେବେଳେ କହୁଛନ୍ତି ଏହା ତୁମର କି ରକମ ଚାଲ୍ ମୀର ସାହେବ । ଗୁଟି ହାତରେ ଧରି ବସିଛ ତ ବସିଛ । ଏତେ ସମୟ ନେବ କାହିଁକି ? ଯେତେବେଳ ଯାଏ ଚାଲ୍ ଠିକ୍ ନ କରିଛ, ଗୁଟି ଉପରେ ହାତ ଦେଲେ ପାରିବନି । ନହେଲେ କେବଳ ଏପଟସେପଟ କରୁଛ ଗୋଟିଏ ଚାଲରେ ରାତି ପାହାନ୍ତା । ଏ ରକମ ଚଳିବନି କହିଦେଉଛି । ଗୋଟିଏ ଚାଲ୍ ପାଇଁ ପାଞ୍ଚ ମିନଟ୍ ରୁ ଅଧୁକ ସମୟ ନେଲେ ଭାବିବାକୁ ହେବ ତୁମେ ହାରିଗଲ । ଫେର ତୁମେ ଚାଲ୍ ବଦଳ କଲ ଯେଉଁଠି ବସେଇଥିଲ ସେଇଠି ରଖ କହୁଛି ।

 

ମୀରଙ୍କ ହାର ହେବାର ଉପକ୍ରମ ହୋଇଥିଲା । କହିଲେ ମୁଁ କେତେବେଳେ ଚଳେଇଲି ଯେ ବଦଳେଇବାର ପ୍ରଶ୍ନ ଉଠୁଛି ?

 

ତୁମ ଚଳେଇଛ । ବୋର୍ଡ଼ରେ ଯେଉଁଠି ରଖିଥିଲ ସେଇଠି ଛାଡ଼ିଦିଅ । ଠିକ୍ ଏହି ଘରେ ରହିବା ଦରକାର ।

 

—ମୁଁ ତ ବୋର୍ଡ଼ରୁ ହାତ ଉଠେଇନି ।

 

ଏ ହାତଟା ସେ ଦିଗକୁ ନେଲେହିଁ ହେଲା । ଗୁଟି ନେଇ କଣ ପ୍ରଳୟ କାଳ ପର୍ଯ୍ୟନ୍ତ ବସିରହିବ ? ଥରେ ଏପଟ ଥରେ ସେପତ । ଯେତେବେଳେ ଦେଖିଲ ହାରିଯାଉଛି ଚାଲ୍ ବଦଳେଇ ଦେଲ, ତା ହେବ ନାହିଁ । କୁସ୍ତି ର ମାରପ୍ୟାଞ୍ଚ କି ? ଯେତେ ସବୁ ଚାଲାକି ।

 

ହାରଜିତ ଭାଗ୍ୟର ଖେଳ । ଚାଲାକି କରୁଛ ତୁମେ ନା ମୁଁ ?

 

—ତାହାହେଲେ ମାନିନିଅ ତୁମେ ଏ ବାଜି ହାରିଛ ।

 

—କହିଦେଲେ ହେଲା, ମୁଁ ହାରିଲି କେତେବେଳେ ?

 

—ତେବେ ଗୁଟି ଏହି ଘରେହିଁ ରଖିଦିଅ । ହାର କି ଜିତ ଜଣା ପଡ଼ିବ ।

 

—ଏଠି କାହିଁକି ରଖିବି, କୌଣସି ପ୍ରକାରେ ରଖିବି ନି ।

 

—ରଖିବାକୁ ହେବ । ରଖିବନି ପୁଣି । ଭୁମର ଚୌଦପୁରୁଷ କିଏ ଶତରଂଜ ଖେଳିଛି ଯେ ଖେଳର ମର୍ମ ଜାଣିବ । ବାପା, ଦାଦା ଥଲେ ଘାସି, ଏବେ ହେଇଛି ମୀର ସାହେବ । ଜାଗିରୀ ପାଇଲେ ଯଦି ସ୍ୱଭାବ ବଦଳିଯାନ୍ତା ତେବେ କଣ କଥା ଥିଲା ? ‘‘ଘାସି ଥିଲା ତୋର ବାପ” କ୍ରୋଧରେ ମୀର ଉଠି ଠିଆ ହେଲେ । ମିର୍ଜା ବି ଉଠିପଡ଼ ଆରକ୍ତ ମୁଖରେ କହିଲେ “ନବାବ ଘରେ ମା ରାନ୍ଧୁଣୀ ହୋଇ ପେଟ ପୋଷେ ଏବେ ତୁମେ ଅମୀର ।” କଥାରେ ଅଛି ପୁଅର ଦେଖୁଥା ଚାତାର, ବାପ ବିକୁଥିଲା ଚିଙ୍ଗୁଡି ଶୁଖୁଆ, ମାଆ ବିକୁଥିଲା ପତାର । ଯେତେବଡ଼ ମୁହଁ, ସେତେବଡ଼ କଥା; ଛୋଟ ଲୋକଙ୍କର ମୁହଁରେ ନିଆଁ । ମା ଧାନକୁଟି ପୁଅ ନାଗର ।

 

ମୀର ଗର୍ଜି ଉଠିଲେ ସାବଧାନ ମିର୍ଜା “ପ୍ରାଣର ମାୟା ଥିଲେ ଚୁପ୍ ରହ ।

 

—ମିର୍ଜା କହିଲେ ଘାସି ପୁଅର ପୁଣି ସାହସ ଅଛି । ସାହସ ଅଛି ତ ବାହାରକର ତଲବାର । ତତ୍‍କ୍ଷଣାତ ଅଣ୍ଟାରେ ଭିଡ଼ା ହୋଇଥିବା ତଲବାର ଉଭୟେ ବାହର କଲେ । ନବାବଙ୍କ ଅମଳରେ ପ୍ରାୟ ସମସ୍ତେ ନିଜ ନିକଟରେ ଅସ୍ତ୍ର ରଖିଥିଲେ । ବିଶେଷ ଭାବରେ ଅମୀରଗଣ । ପ୍ରଚଳିତ ପ୍ରଥାନୁସାରେ ମିର୍ଜା ମୀର ଦୁଇଜଣହିଁ ଦେହ ସଜ୍ଜାର ଅପରିହାର୍ଯ୍ୟ ଅଙ୍ଗରୂପେ ତାରବାରୀ ଝୁଲୋଉଥିଲେ କିନ୍ତୁ ତାହା ଖୋଳରୁ ବାହାରିବାର ଅବକାଶ ନଥିଲା । ବଜ୍ର ନିଃଶେଷ ବିଦ୍ୟୁତ୍ ଭଳି ତାରବାରୀ କୋଷ ମଧ୍ୟରେ ନିଦ୍ରିତ ଥାଏ । ବାଲ୍ୟକାଳରେ ଗୋଟାଏ ଓସ୍ତାଦ୍ ପାଖରେ ଦୁହେଁ ଅସ୍ତ୍ର ଚାଳନା ଶିକ୍ଷା କରିଥିଲେ କିନ୍ତୁ ଅବ୍ୟବହାରରେ ଲବ୍ଧ ବିଦ୍ୟାଲୁପ୍ତ ପ୍ରାୟ ହୋଇଆସିଛି । ଏତେଦିନ ଧରି ଉତ୍ସ ମୁଖରେ ଜଡ଼ତ୍ୱର ଯେଉଁ ଜଞ୍ଜାଳ ଜମି ରହିଥିଲା ଆଚମ୍ବିତ ଭାବରେ ପ୍ରବଳ ଧକ୍କା ଲାଗି ତାହା ନିମିଷକ ମଧ୍ୟରେ ଅପସରି ଗଲା, ଧମନୀରେ ପୁଣି ଉସ୍ମ ଶୋଣିତ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା । ଭୋଗ ବିଳାସ, ଆରାମ ଏବଂ ଆଳସ୍ୟର ଭସ୍ମସ୍ତୁପରେ ଆଚ୍ଛାଦିତ ହୋଇ ମଧ୍ୟ ତାତାର ରକ୍ତର ତେଜବୀର୍ଯ୍ୟ ନିଃଶେଷ ହୋଇ ନିର୍ବାପିତ ହୋଇ ନଥିଲା । ଯେଉଁମାନେ ନବାବଙ୍କ ସୈନ୍ୟଦଳରେ ଯୋଗ ଦେବା ଭୟରେ, ଯୁଦ୍ଧକୁ ଯିବାର ସମ୍ଭାବ । ମାତ୍ରକେ ଅନ୍ଧକାର ମଧ୍ୟରେ ପେଚକପରି ମୁହଁ ଲୁଚେଇ ବୁଲୁଥିଲେ, ମର୍ମ ସ୍ଥଳରେ ଆଘାତ ଲାଗିବା ମାତ୍ରକେ ସେମାନେ ଆହତ ସିଂହପରି ଠିଆ ହୋଇଛନ୍ତି ।

 

ତଲବାର ଚଳିବାକୁ ଲାଗିଲା । ସନ୍ଧ୍ୟାର ସମୀରଣରେ ତରଙ୍ଗତୋଳି ସଦ୍ୟ ନୀଡ଼ାଶ୍ରୟୀ ପକ୍ଷୀଗଣଙ୍କୁ ସଚକିତ କରି ଅସ୍ତ୍ରର ଝନ୍ ଝନ୍ ବାଜିବାକୁ ଲାଗିଲା—ପ୍ରଥମେ ଧୀରେ ଧୀରେ ତା ପରେ କ୍ଷିପ୍ର ଗତିରେ । ଆଘାତ ସମ୍ଭାଳି, ପ୍ରତିଘାତ କରି ଦୁଇ ବଂଧୁ ଲଢ଼ି ଲଢ଼ି ମସ୍‍ଜିଦ୍‍ ବାହାରର ଉନ୍ମୁକ୍ତ ସ୍ଥାନରେ ପହଞ୍ଚିଥିଲେ । ଦୂର ଦିଗନ୍ତରେ ତରୁଶ୍ରେଣୀର ଅନ୍ତରାଳରେ ସନ୍ଧ୍ୟାରେ ରକ୍ତରଶ୍ମି ସୁନ୍ଦରୀ ସୀମାନ୍ତର ସିନ୍ଦୁର ରେଖାପରି ଚକ୍ ଚକ୍ କରୁଥିଲା । ମୁଣ୍ଡ ଉପରେ ଗୋଟିଏ ଦୁଇଟି କରି କୌତୁହଳୀ ତାରକା ପାତଳା ଅନ୍ଧକାରର ଯବନିକା ସାମାନ୍ୟ ଅପସାରଣ କରି ଅନ୍ତରାଳରୁ ଉଙ୍କିମାରି, ପୁଣି ଭୟରେ ମୁହଁ ଲୁଚେଇ ଦେଉଛନ୍ତି । ସେହି ଅର୍ଦ୍ଧସ୍ୱଚ୍ଛ ପ୍ରଦୋଷାନ୍ଧକାରରେ, ଉନ୍ମୁକ୍ତ ଅମ୍ବର ତଳେ ପରସ୍ପର ଶୋଣିତ ପିପାସୁ ଦୁଇ ସୁହୃତ ଘାତ ପ୍ରତିଘାତ କରି କରି ଏକ ସଂଗେ ସାଂଘାତିକ ଆହତ ହୋଇ ଭୂତଳରେ ପଡ଼ିଗଲେ । ପ୍ରାଣବାୟୁ ବହିର୍ଗତ ହେବାକୁ ବିଳମ୍ବ ହେଲାନାହିଁ । ଯୁଦ୍ଧ ଏମାନେ ଭୁଲିଯାଇ ନଥିଲେ, ଉଦ୍ଦୀପ୍ତ ହେଲେ ପ୍ରାଣର ମାୟା ବିସର୍ଜନ କରି ଜାଣନ୍ତି—ହୃଦୟର ଶୋଣିତରେ ଏହି ପ୍ରମାଣ ଲିପିବଦ୍ଧ କରି ବିଳାସ ବ୍ୟସନର ଯୁଗାନ୍ତ ସମ୍ମତ ପାପର ପ୍ରାୟଶ୍ଚିତ କରି ଦୁଇ ଆବାଲ୍ୟ ସହଚର, ଦୁଇ ଅଭିଜାତ ବଂଶୀୟ ଯୁବକ ଅଯୋଧ୍ୟାର ନବାବୀ ଅମଳ ସହିତ ସହମୃତ ହେଲେ । ସହସ୍ର ଉତ୍ଥାନ ପତନର ସହସ୍ର ଚକ୍ଷୁ ମୂକସାକ୍ଷୀ ସୂର୍ଯ୍ୟଦେବ ପଶ୍ଚିମ ଦିଗନ୍ତରେ ଢଳି ପଡ଼ିଲେ, ନବାବଙ୍କର ଭାଗ୍ୟରବି, ମିର୍ଜା ମୀରର ଜୀବନ ରବି ସେଥି ସଙ୍ଗରେ ଚିରଦିନ ପାଇଁ ଅସ୍ତମିତ ହୋଇଗଲା ।

Image

 

ପେଶାବାର ଏକ୍‍ସପ୍ରେସ୍

-କୃଷନ୍‍ଚନ୍ଦର–

 

[ଏ ଯୁଗର ପ୍ରବୀଣ ଓ ପ୍ରଗତିଶୀଳ କଥା ସାହିତ୍ୟିକମାନଙ୍କ ମଧ୍ୟରେ କୃଷନ୍‍ଚନ୍ଦର ଅଗ୍ରଣୀ । ଅନ୍ନଦାତା, ଏକ୍ ଗଧେକି କାହିନୀ, କାଶ୍ମିର୍ କି ଫୁଲ ପ୍ରଭୃତି ବହୁ ଐତିହାସିକ ଓ ସାମାଜିକ ଉପନ୍ୟାସ ଓ ଅଜସ୍ର କ୍ଷୁଦ୍ର ଗଳ୍ପ ବହୁ ସାମୟିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ପେଶାବାର ଏକ୍ସପ୍ରେସ୍ ଖଣ୍ଡିତ ଭାରତାର ଏକ କଳଙ୍କିତ ଅଧ୍ୟାୟ । ବଳିଷ୍ଠ ଭାଷା ଓ ପ୍ରଗତିଶୀଳ ଚରିତ୍ର ସଂଯୋଜନା କୃଷନ୍‍ଚନ୍ଦରଙ୍କ ଏକାନ୍ତ ନିଜସ୍ୱ । ତାଙ୍କର ବହୁ ଗଳ୍ପ ଚଳଚିତ୍ରରେ ରୂପାନ୍ତରିତ ହୋଇଛି । ଏହା ଆଗରୁ ଓଡ଼ିଆରେ କୃଷନ୍‍ଚନ୍ଦରଙ୍କ ‘ଅନ୍ନଦାତା’ ଉପନ୍ୟାସ ଅନୁଦିତ ହୋଇ ପ୍ରକାଶିତ ହୋଇଛି ।]

Image

 

ପେଶାବାର ଷ୍ଟେସନ ଛାଡ଼ିବା ପରେ ମୁଁ ସ୍ୱସ୍ତିର ଧୂମ୍ର ନିଶ୍ୱାସ ତ୍ୟାଗ କଲି । ମୋ ଗାଡ଼ିରେ ଯେଉଁମାନେ ଯାତ୍ରୀ, ସେମାନେ ପ୍ରାୟ ହିନ୍ଦୁ ଓ ଶିଖ୍‍ ଶରଣାର୍ଥୀ । ସେମାନେ ଆସିଛନ୍ତି ପେଶାବାର ହତିମଦାନ, କୋହାଟ, ଚାରସରା, ଖାଇବାର, ଲାଣ୍ଡିକୋଟାଲ, ବାନ୍ନୁ, ନଓସରା, ମାନସରା ଓ ସୀମାନ୍ତ ପ୍ରଦେଶର ବିଭିନ୍ନ ସ୍ଥାନରୁ । ଅତ୍ୟନ୍ତ ସଜାଗ ଦୃଷ୍ଟିରଖି ନିପୁଣ ଭାବରେ ମିଲଟାରୀ ଅଫିସରଗଣ ଷ୍ଟେସନ ପହରା ଦେଉଛନ୍ତି । କିନ୍ତୁ ମୁଁ ଯେ ପର୍ଯ୍ୟନ୍ତ ବିଚିତ୍ର ପଞ୍ଚନଦୀର ଦେଶକୁ ଧାବମାନ ହେବାପାଇଁ ପଦଚକ୍ର ନ ଚଳେଇଛି ସେମାନେ କୌଣସିପ୍ରକାରେ ଆଶ୍ୱସ୍ତ ହେଉନଥିଲେ, ତୁମେ ଅନ୍ୟାନ୍ୟ ପଠାଣମାନଙ୍କଠାରୁ ଏ ଶରଣାର୍ଥୀ ମାନଙ୍କର କୌଣସି ପ୍ରକାର ପ୍ରଭେଦ ପାଇ ପାରିବନି । ବେଶ୍ ଲମ୍ବା ଚଉଡ଼ା ସୁନ୍ଦର ଶକ୍ତ ସମର୍ଥ ଲୋକଗୁଡ଼ିକ, ଦେହର ପହରଣରେ କୁଲ୍ଲା, ଲୁଙ୍ଗୀ ଆଉ ଶେଲଓ୍ୟାର, କଥାବାର୍ତ୍ତାରେ ରୁତ୍‍ ପୁସ୍ତୋ ଭାଷା । ଗାଡ଼ି ସାମନାରେ ସଦାସର୍ବଦା ପ୍ରସ୍ତୁତ ଦୁଇଜଣ ଲେଖାଏଁ ବେଲୁଚି ସୈନ୍ୟ ଠିଆ ହୋଇଛନ୍ତି । ହାତରେ ରାଇଫଲ୍, ହିନ୍ଦୁ ପଠାଣମାନଙ୍କ ପ୍ରତି, ତାଙ୍କ ସ୍ତ୍ରୀ ଓ ଶିଶୁମାନଙ୍କ ପ୍ରତି ମୁହଁରେ ମୃଦୁ ହସ । ହଜାର ହଜାରବର୍ଷଧରି ପୁରୁଷାନୁକ୍ରମେ ଏଇଠି ବାସକରି ଆଜି ଏହି ଲୋକଗୁଡ଼ିକ ନିଜର ଭିଟାମାଟି ଛାଡ଼ି ପଳେଇ ଯାଉଛନ୍ତି କୌଣସି ଅଜଣା ସ୍ଥାନର ଉଦ୍ଦେଶ୍ୟରେ । ଏହି ପାହାଡ଼ୀ କଙ୍କର ଭୂଇଁର ଆବେଷ୍ଟନିରେ ସେମାନେ ଶକ୍ତିମାନ ହୋଇଉଠିଛନ୍ତି, ଏହି ତୁଷାର ବିଗଳିତ ଝରଣାର ଧାରାରେ ସେମାନେ ମେଣ୍ଟେଇଛନ୍ତି, ସେମାନଙ୍କର ତୃଷା, ଆଉ ସେମାନଙ୍କର ଜୀବନସତ୍ତାରେ ମିଶି ରହିଛି ସୂର୍ଯ୍ୟକରୋସ୍ନାତ ଦ୍ରାକ୍ଷାକୁଞ୍ଜର ସୁମିଷ୍ଟ ଅଙ୍ଗୁରଫଳର ରସ । ହଠାତ୍ ଆଜି ସେମାନଙ୍କର ଜନ୍ମଭୂମି; ସେମାନଙ୍କର ସ୍ଵଦେଶ 'ପରଦେଶରେ ପରିଣତ ହୋଇଗଲା ସେମାନେ ଆଜି ଶରଣାର୍ଥୀ ଅନିଚ୍ଛାସତ୍ୱେ ଦୁର୍ଭାଗ୍ୟର ତାଡ଼ନାରେ ସେମାନେ ପଳାୟନ କରୁଛିନ୍ତି କେଉଁ ଗ୍ରୀଷ୍ମପ୍ରଧାନ ନୂତନ ଦେଶ ଉଦ୍ଦେଶ୍ୟରେ । ଭଗବାନଙ୍କର ଅସୀମ ଦୟା, ତେଣୁ ସେମାନେ ଆଜି ଜୀବନଧରି, କିଛି ସମ୍ପତ୍ତି ହାତରେ ନେଇ, ଝିଅମାନଙ୍କୁ ସମ୍ମାନ ବଞ୍ଚାଇ ଚାଲି ଆସି ପାରିଛନ୍ତି । ସେମାନଙ୍କର ହୃଦୟ ଭାଙ୍ଗି ପଡ଼ିଛି—ଦୁଃଖ, ବେଦନା ଓ କ୍ରୋଧରେ । କଙ୍କର ଭୂମିରେ ପ୍ରସ୍ତର ପ୍ରାଣ ଭେଦକରି ସେମାନଙ୍କର ନାଲିଶ୍‍, ସେମାନଙ୍କର ଜିଜ୍ଞାସା, ଯେପରି ମୂର୍ତ୍ତ ହୋଇଉଠିଛି ସେମାନଙ୍କର ପ୍ରତିଟି ଦୀର୍ଘନିଶ୍ୱାସ, ସେମାନଙ୍କର ଚାହାଣି ଭିତରେ ଦେଲେ । ମା’ଗୋ କାହିଁକ ତୋର ସନ୍ତାନମାନଙ୍କୁ ଆଜି ଦୂର କରିଦେଲୁ, ତୋର ବୁକୁ ଉପରେ ଯେଉଁ ସରଳା କନ୍ୟାଗଣ ଦ୍ରାକ୍ଷା କୁଞ୍ଜ ଭଳି ବଢ଼ି ଉଠିଛନ୍ତି, ଆଜି କାହିଁକି ସେମାନଙ୍କୁ ଦୂର କରି ଦେଉଛ ମା ?”

 

ମୁଁ ଛୁଟିଚି ଉପତ୍ୟକା ଭୂମି ଉପରେ । ମୋରି ଗାଡ଼ିଭିତରେ ବେଦନାଭରା ଦୃଷ୍ଟିହାଣି ଛୁଟି ଚାଲିଛନ୍ତି ଶରଣାର୍ଥୀର କାଫିଲା । ପ୍ରତି ମୁହୂର୍ତ୍ତରେ ପଛରେ ପକେଇ ଆସୁଥିବା ମାଳଭୂମି, ନିମ୍ନଭୂମି, ଗରିସଙ୍କତ, ଅଙ୍କାବଙ୍କା ନଦୀ ଉପରେ ଅଶ୍ରୁସିକ୍ତ ଦୃଷ୍ଟି ବୁଲେଇ ବେଦନାହତ ହୃଦୟରେ ସେମାନେ ଯେପରି ବିଦାୟ ନେଉଛନ୍ତି ଚିରଦିନ ପାଇଁ । କ୍ଷୁଦ୍ରାତିକ୍ଷୁଦ୍ର ପ୍ରତିଟି ଜିନିଷ, ଆଖି ଆଗରେ ପଡ଼ୁଛି ତାର ପ୍ରତ୍ୟେକଟି ଏବଂ ସମଗ୍ର ଭାବରେ ସବୁକିଛି ଯେପରି ସେମାନେ ସଂଗ୍ରହ କରି ନେଇ ଚାଲିଛନ୍ତି କେଉଁ ସୁଦୂର ଦେଶକୁ, ଏବଂ ମୋର ବ୍ୟଥାରେ, ବେଦନାରେ, ଲଜ୍ଜାରେ ସମସ୍ତ ଦେହ ଓ ପଦଚକ୍ର ଏତେ ଗୁରୁ ବୋଧ ହେଉଛି ଯେ ମୁଁ ଆଉ ଦଉଡ଼ି ପାରୁନାହିଁ, ବୋଧହୁଏ ମୁଁ ଆଉ ଦୌଡ଼ି ପାରିବିନାହିଁ ।

 

ଆସି ଠିଆ ହେଲି ହାସାନ ଆବଦାଲ୍ ଷ୍ଟେସନରେ । ଆହୁରି ଶରଣାର୍ଥୀର ଭିଡ଼ । ପାଞ୍ଝା ସାହେବରୁ ଆଗତ ଶରଣାର୍ଥୀ ସେମାନେ । ଅଣ୍ଟାରେ ସେମାନଙ୍କର ଝୁଲୁଛି ଲମ୍ବା କିର୍‍ପାନ, ଭୟ ଓ ତ୍ରାସରେ ମୁହଁ ବିବର୍ଣ୍ଣ । ଅଜଣା ଆଶଙ୍କାରେ ସେମାନଙ୍କର ଛୋଟ ଛୋଟ ପୁତ୍ରକନ୍ୟାଗଣ ବଡ଼ ବଡ଼ ଆଖିରେ ଚାରିଆଡ଼କୁ ଚାହିଁ ରହିଛନ୍ତି । ମୋତେ ଦେଖି ସେମାନେ ଦୀର୍ଘନିଶ୍ୱାସ ଛାଡ଼ି ପ୍ରବେଶ କଲେ ମୋରି ଅଭ୍ୟନ୍ତରରେ । ଶରଣାର୍ଥୀମାନଙ୍କ ଭିତରେ ଏଇ ଯେ ଲୋକଟିକୁ ଦେଖୁଛ, ତାର ଘରଦ୍ୱାର ସବୁଯାଇଛି, କୋଣର ସେହି ଲୋକଟି ସବୁ ଛାଡ଼ିଦେଲେ ପଳେଇ ଆସିଛି । କିଛି ଆଣିପାରିନାହିଁ, କେବଳ ପିନ୍ଧିଥିବା କାମିଜ୍ ଆଉ ଶେଲଓ୍ୟାର ଛଡ଼ା; ଏହି ଲୋକଟି ଯୋତା ହଳକ ଛାଡ଼ି ଚାଲି ଆସିଛି; ଏହି କୋଣର ଯେଉଁ ଲୋକଟିକୁ ଦେଖୁଛ ସେ ପ୍ରକୃତରେ ଭଗ୍ୟବାନ କାରଣ ତାର ସମସ୍ତ ଜିନିଷ ସେ ଆଣିପାରିଛି ସାଥିରେ, ଏପରିକି ଭଙ୍ଗା ଖଟିଆଟି ପର୍ଯ୍ୟନ୍ତ । ଆରକୋଣରେ ବସିଥବା ଶରଣାର୍ଥୀର ମୁହଁଟି ଯେପରି କିଏ ସିଲେଇ କରି ଦେଲେଛି, ଚୁପ୍‍ଚାପ୍ ସେ ଏକାକୀ ବସିଛି । ଏଇ ଯେଉଁ ଲୋକଟିକୁ ଦେଖୁଛ, କଥାରେ କଥାରେ ଯିଏ ଲକ୍ଷକୋଟୀର ଖଇଫୁଟେଇ ଚାଲିଛି ଆଉ ମୁସଲମାନମାନଙ୍କୁ ଗାଲିଗୁଜବ୍ କରୁଛି, ତାରି ଜୀବନରେ କିନ୍ତୁ କୌଣସି ଦିନ ପଇସାଟାଏ ବି ନଥିଲା । ଦ୍ୱାର ନିକଟରେ ଥିବା ବେଲୁଚି ସୈନ୍ୟଗଣ ନୀରବରେ ପହରା ଦେଉଛନ୍ତି । ସେମାନଙ୍କ ମୁହଁରେ ମୃଦୁହସ ।

 

ତକ୍ଷଶିଳାରେ ମୋତେ ଅନେକ ବେଳଯାଏ ଠିଆହେବାକୁ ପଡ଼ିଲା । ଗାଡ଼ି ଛାଡ଼ିବା ପାଇଁ ମୋର ଗାଡ଼ି ଷ୍ଟେସନମାଷ୍ଟରଙ୍କୁ କହିବାମାତ୍ରକେ ସେ କହିଲେ ଆଖପାଖ ଗାଁ’ରୁ ହିନ୍ଦୁ ଶରଣାର୍ଥୀର କାଫିଲା ଆସୁଛୁ । ସେମାନେ ବି ଏହି ଗାଡ଼ିରେ ଯିବେ । ଘଣ୍ଟାଏକାଳ ଅପେକ୍ଷା କଲି-। ଗାଡ଼ି ଭିତରେ ଯେଉଁସବୁ ଶରଣାର୍ଥୀ ଗାଁ ଛାଡ଼ି ପଳେଇ ଆସିଲାବେଳକୁ କିଛି ଖାଦ୍ୟପଦାର୍ଥ ଆଣିଥିଲେ, ସେମାନେ ଗଣ୍ଠିଲି ଫିଟେଇ ଖାଇ ବସିଲେ । ଛୋଟ ଛୋଟ ପୁଅଝିଅଙ୍କର ଶଙ୍କାଜଡ଼ିତ ମୁହଁରେ ପୁଣି ହସ ଫୁଟି ଉଠିଲା । ଯୁବତୀ କିଶୋରୀ କନ୍ୟାଗଣ ଲଜ୍ଜା ବିନମ୍ର ଆଖିତୋଳି ଖୋଲା ଝରକା ଦେଲେ ବାହାରକୁ ଚାହିଁଲେ । ବୃଦ୍ଧାମାନେ ମୁହଁରେ ହୁକାଦେଲେ ପୁଣି ଗୁଡ଼ାଖୁ ଆଣିବା ଆରମ୍ଭ କରିଦେଲେ । ଏପରି ସମୟରେ ହଠାତ୍ ବହୁଦୂରରୁ ଢୋଲର କଡ଼ କଡ଼ ଶବ୍ଦ ଆସି କାନରେ ପଡ଼ିଲା । ହିନ୍ଦୁ, ଶରଣାର୍ଥୀମାନଙ୍କର ଗୋଟାଏ ପଟୁଆର ଆସୁଛି ଏ ଆଡ଼କୁ । ଆହୁରି ପାଖକୁ ଆସିଲେ ଶୁଣାଯାଉଛି ସେମାନଙ୍କର ଚିତ୍କାର । ଆହୁରି କିଛିସମୟ କଟିଗଲା......ମନେହେଲା ବୋଧହୁଏ ସେମାନେ ଷ୍ଟେସନର ଖୁବ୍ ନିକଟକୁ ଆସି ଯାଇଛନ୍ତି । ଜୟତକ ଯେପରି ଖୁବ୍ ଜୋରରେ ବାଜିଉଠୁଛି, ଗୋଟାଏ ରାଉଣ୍ଡ ଗୁଳବର୍ଷଣର ଶବ୍ଦ କାନରେ ଶୁଣାଗଲା । ସନ୍ତ୍ରସ୍ତ କିଶୋରୀ ଓ ଯୁବତୀଗଣ ଶୀଘ୍ର ଝରକା ଗୁଡ଼ିକ ବନ୍ଦ କରିଦେଲେ ଅଭ୍ୟନ୍ତରର ଅନ୍ଧକାର ଭିତରେ ଲୁଚି ପଡ଼ିଲେ । ପାଖ ଆଖ ଗାଁର ମୁସଲମାନ ପ୍ରତିବେଶୀର ରକ୍ଷଣଶୀଳ ହିନ୍ଦୁ ଶରଣାର୍ଥୀଙ୍କର ଗୋଟାଏ ଶବ ପଟୁଆର ସତରେ ଆସୁଛି । ପ୍ରତ୍ୟେକ ମୁସଲମାନର କାନ୍ଧରେ ରହିଛି ଜଣେ ଜଣେ କାଫେରର ମୃତଦେହ । ଗାଁ’ ଛାଡ଼ି ଯେଉଁମାନେ ପଳାୟନ କରୁଥିଲେ ସେମାନଙ୍କର ଦୁଇଶହ ମୃତଦେହ ଅତି ଯତ୍ନରେ ବୁହା ହୋଇ ଅଣାହୋଇଛି । ମୃତଦେହଗୁଡ଼ିକ ବେଲୁଚି ସେନ୍ୟମାନଙ୍କ ହାତରେ ଦେଲେ ଜନତା ଦାବିକଲେ ଯେ ଏହିସବୁ ହିନ୍ଦୁ ଶରଣାର୍ଥୀଙ୍କ ମୃତଦେହ ସସମ୍ମାନରେ ହିନ୍ଦୁସ୍ଥାନର ଦ୍ୱାରଦେଶରେ ପହୁଞ୍ଚାଇ ଦେବାପାଇଁ ହେବ । ଏହି ମହାନ୍ ଦାୟିତ୍ୱ ମୁଣ୍ଡରେ ନେଇ ବେଲୁଚି ସୈନ୍ୟଗଣ ପ୍ରତ୍ୟେକ ଗାଡ଼ି ମଝିରେ କେତୋଟି ଲେଖାଏଁ ମୃତଦେହ ଶୁଆଇ ଦେଲେ । ତାପରେ ସେଇ ଜନତା ଆଉ ଏକ ରାଉଣ୍ଡ ଗୁଳି ଆକାଶକୁ ବର୍ଷଣ କରି ଷ୍ଟେସନମାଷ୍ଟରଙ୍କୁ ଗାଡ଼ି ଛାଡ଼ିବାର ହୁକୁମ ଦେବାପାଇଁ କହିଲେ । ମାତ୍ର ଅଳ୍ପଦୂର ଅଗ୍ରସର ହୋଇଛି ଏପରି ସମୟରେ କିଏ ଯେପରି ଶିକୁଳିଟାଣି ପୁନର୍ବାର ମୋର ଗତିରୋଧ କଲା । ଆଖପାଖ ଗାଁ’ର ମୁସ୍‍ଲିମ ଜନତାର ଜମିଦାର ନେତା ଆଗେଇ ଗୋଟାଏ କାମରା ନିକଟରେ ଠିଆହୋଇ କହିଲା, ଦୁଇଶହ ଜଣ ହିନ୍ଦୁ ସେମାନଙ୍କ ଗାଁ ଛାଡ଼ି ଶରଣାର୍ଥୀ ହୋଇଚାଲିଗଲେ । ସେମାନଙ୍କର ଗ୍ରାମର ଏ କ୍ଷତି ପୂରଣ ତ କରା ହୋଇନାହଁ; ସେ କ୍ଷତି ପୂରଣ କରିବାକୁ ହେବ । ସୁତରାଂ ଏହି ଟ୍ରେନରୁ ଦୁଇଶହ ଜଣ ହିନ୍ଦୁ ଓ ଶିଖଙ୍କୁ ଓହ୍ଲେଇ ନିଆହେବ । ସେମାନଙ୍କ ଦେଶର ସଖ୍ୟାଳ୍ପତା ପୁଣି ପୂରଣ କରିବାକୁ ପଡ଼ିବ ? ନେତାର ଦେଶାତ୍ମବୋଧର ତାରିଫ କଲେ ବେଲୁଚି ସୈନ୍ୟଗଣ । ଟ୍ରେନର ବିଭିନ୍ନ କାମରାରୁ ଦୁଇଶହ ଜଣ ଶରଣାର୍ଥୀଙ୍କୁ ଓହ୍ଲେଇ ସେମାନେ ଜନତାର ହାତରେ ସମର୍ପଣ କଲେ ।

 

ଜମିଦାର ନେତା ଚିତ୍କାର କରି ହୁକୁମ ଦେଲେ “କାଫେରଗଣ—ଲାଇନ ଧରି ଠିଆହୁଅ-

 

ଭୟ ଓ ତ୍ରାସରେ ଯେପରି ଲୋକଗୁଡ଼ିକ କାO ପାଲଟି ଯାଇଛନ୍ତି । ମୃତ୍ୟୁର ହିମ ଶୀତଳ ସ୍ପର୍ଶ ଲାଗିଛି ଯେପରି ସେମାନଙ୍କର ଦେହରେ । ଜନତାର ଲୋକେ ଏମାନଙ୍କୁ ଧରାଧରି କରି କୌଣସି ପ୍ରକାରେ ଗୋଟାଏ ଲାଇନରେ ଠିଆ କରେଇଦେଲେ ।

 

ଦୁଇଶହଟି ମୃତଦେହ.....ଭୟରେ ସେମାନଙ୍କର ମୁହଁରେ ନୀଳାଭାର ଛାପ ପଡ଼ିଛି । ତାଙ୍କରି ଚକ୍ଷୁର ମଣିରେ ଯେପରି ଠୋକର ଲାଗିଛି ରକ୍ତପିପାଶୁମାନଙ୍କର ଶରାଘାତ ।

 

ବେଲୁଚି ସୈନ୍ୟମାନେହିଁ ଆରମ୍ଭ କଲେ........

 

ପନ୍ଦରଜଣ ଶରଣାର୍ଥୀ ଥରି ଥରି ଶେଷ ନିଶ୍ୱାସ ତ୍ୟାଗକଲେ.... ।

 

ତକ୍ଷଶିଳା ।

 

ଆହୁରି କୋଡ଼ିଏ ଜଣ ଲୋଟି ପଡ଼ିଲେ ।

 

ଏଶିୟାର ସର୍ବବୃହତ୍ ବିଶ୍ୱବିଦ୍ୟାଳୟ ଥିଲାଏହି ତକ୍ଷଶିଳାରେ । ହଜାରବର୍ଷ ଧରି ଅଗଣନ ଛାତ୍ର ମାନବ ସଭ୍ୟତାର ପ୍ରଥମ ପାଠ ଶିକ୍ଷା କରିଥିଲେ ଏହି ବିଦ୍ୟାର ପୀଠସ୍ଥଳିରେ ।

 

ଆହୁରି ପଚାଶ ଜଣ ପଡ଼ିଗଲେ ।

 

ତକ୍ଷଶିଳାର ଯାଦୁଘରରେ ରହିଛି କି ସୁନ୍ଦର ସୁଠାମ ମର୍ମର ମୂର୍ତ୍ତି ଶିଳ୍ପଚାତୁର୍ଯ୍ୟର କି ଅଦ୍ଭୁତ ଅତୁଳନୀୟ ଅଳଙ୍କାର....ଅପୂର୍ବ ଦୁର୍ଲଭ ଭାସ୍କର୍ଯ୍ୟର କି ଅତ୍ୟୁତ୍‍କୃଷ୍ଟ ଶିଳ୍ପ ନମୁନା-ଆମରି ମହାନ୍‍ ସଭ୍ୟତାର ପ୍ରଜ୍ଜଳିତ ପ୍ରଦୀପ.....ଯେଉଁ ଐତିହର ଆଲୋକରେ ଆମେ ଗର୍ବିତ । ଆଉ ପଚାଶ ଜଣଙ୍କ ମାୟା ଏହି ପୃଥିବୀରୁ କଟିଗଲା ।

 

ଏହାର ପଛପଟରେ ସିର୍ କପର ପ୍ରାସାଦ—ଏକକ୍ରୋଶ ବ୍ୟାପୀ ବିରାଟ କ୍ରୀଡ଼ା ଉଦ୍ୟାନ.....ଗୋଟାଏ ସୁପ୍ରାଚୀନ ନଗରୀର ଧ୍ୱଂସାବଶେଷ । ଆହୁରି ତିରିଶଜଣ.....

 

କନିଷ୍କଙ୍କର ରାଜଧାନୀ ଥିଲା ଏଇଠି । ଜନସାଧାରଣଙ୍କୁ ସେ ଦେଲେଥିଲେ ଶାନ୍ତି, ସମୃଦ୍ଧି ଓ ଭାତୃତ୍ୱବୋଧ ।

 

ଆହୁରି କୋଡ଼ିଏ ଜଣ.....

 

ଆଖପାଖ ଏହି ସବୁ ଗ୍ରାମରେ ବୁଦ୍ଧଙ୍କର ବାଣୀ ପ୍ରତିଧ୍ୱନିତ ହୋଇଥିଲା.....ସତ୍ୟମ୍ ସୁନ୍ଦରମ୍ ଓ ମାନବ ପ୍ରୀତିର ନୂତନ ଜୀବନ ପଥରେ ସନ୍ଧାନ ଦେଲେଥିଲେ ବୌଦ୍ଧ ଭିକ୍ଷୁଗଣ ।

 

ଦୁଇଶହଟି ମଣିଷର ଅବଶେଷ କେତୋଟି ଜୀବ ମହାପ୍ରୟାଣ ପ୍ରତିକ୍ଷାରେ ପଲକ ଗଣୁଛନ୍ତି.....

 

ଏହାରି ଦିଗନ୍ତରେ ସର୍ବପ୍ରଥମେ ହସି ଉଠିଥିଲା ଇସଲାମ୍‍ର ଅର୍ଦ୍ଧଚନ୍ଦ୍ର, ବୋହିଆଣିଥିଲା ମମତା, ଭାତୃତ୍ୱ ଓ ମାନବତାର ମହାବାଣୀ । ପ୍ରତୀକ୍ଷମାଣ ଅବଶିଷ୍ଟ ମଣିଷ ଜୀବଗୁଡ଼ିକର ଜୀବନ ଶେଷ ହୋଇଗଲା । ଆଲ୍ଲା ହୋ ଆକବର୍ । ଆଲ୍ଲା ତୁମେହିଁ ମହାନ୍ ! ରକ୍ତସ୍ମାତ ରେଳ ପ୍ଲାଟଫର୍ମ୍ ଛାଡ଼ି ଶେଷରେ ମୁଁ ରମାନା ହେଲି । ମୋରି ପଦଚିତ୍ରର ପ୍ରତିଟି ଆବର୍ତ୍ତନରେ ମୁଁ ଯେପରି ଅନୁଭବ କଲି ମୋର ଚକ ଚଳୁନି, ପିଛୁଳି ପଡ଼ୁନି ।

 

ଟ୍ରେନର ପ୍ରତ୍ୟେକ କାମରାରେ ମୃତ୍ୟୁ ନଇଁ ଆସିଛି । ଗାଡ଼ି ମଝିରେ ଶାୟିତ ମୃତଦେହକୁ ଘେରି ବସିଛନ୍ତି ଜୀବନ୍ତ ମୃତ ଦେହଗୁଡ଼ିକ । ଗୋଟିଏ ଶିଶୁ ରୋଦନ କରି ଉଠେ । ଗୋଟିଏ ସ୍ତ୍ରୀ ଲୋକର ଚାପା କାନ୍ଦଣା କାନରେ ଭାସି ଆସେ.....ଏଇଠି ମୃତ ସ୍ୱାମୀର କ୍ଷତବିକ୍ଷତ ଦେହ ଜଡ଼େଇ ଧରି ସ୍ତ୍ରୀ ପଡ଼ିରହିଛି.... । ମୁଁ ଛୁଟି ଚାଲିଛି, ଭୟରେ ତୁହିନ ଶୀତଳ ମନରେ ଛୁଟି ଚାଲିଛି । ଆସି ଠିଆ ହେଲି ରାଓଲପିଣ୍ଡି ଷ୍ଟେସନରେ ।

 

ଏଇଠି କୌଣସି ଶରଣାର୍ଥୀ ମୋର ଅପେକ୍ଷାରେ ନାହାନ୍ତି । କେବଳ କେତେଜଣ ମୁସଲମାନ ଯୁବକ ପ୍ରାୟ କୋଡ଼ିଏ ଜଣ ବୋରଖା ପରିହିତା ସ୍ତ୍ରୀଲୋକଙ୍କୁ ନେଇ ଗୋଟିଏ କାମରାରେ ଉଠିଲେ । ସେମାନଙ୍କର ହାତରେ ରାଇଫଲ ଆଉ କେତେ ବାକ୍ସ ଗୋଲା ବାରୁଦ । ଝେଲମ୍ ଓ ଗୁଜରଖାନା ମଝିରେ ଶିକୁଳି ଟାଣି ମୋତେ ସେମାନେ ଅତକେଇ ତଳକୁ ଓହ୍ଳେଇଲେ । ବୋରଖା ଆବୃତ ତରୁଣୀଗଣ ହଠାତ୍ ବୋରଖା ଖୋଲି ଚିତ୍କାର କରି କାନ୍ଦି ଉଠିଲେ ।

 

“ଆମ୍ଭେମାନେ ହିନ୍ଦୁ, ଆମ୍ଭେମାନେ ଶିଖ, ଆମ୍ଭମାନଙ୍କୁ ଜୋର କରି ଏମାନେ ନେଇ ଆସିଛନ୍ତି ।’’

 

ଯୁବକଗଣ ଅଟ୍ଟହାସ୍ୟ କରି ଉଠିଲେ । ହଁ ଆମେ ଏମାନଙ୍କର ଶାନ୍ତିର ନୀଡ଼ ଭାଙ୍ଗି ଟାଣି ନେଇ ଆସିଛୁ.....ଆମ୍ଭମାନଙ୍କର ଲୁଣ୍ଠନର ମାଲ, ଯାହା ଖୁସି ତାହା କରିବୁ । ଦେଖିବା ପ୍ରତିବାଦ କରିବାର କାର କେତେ ହିମ୍ମତ ରହିଛି ? ଦୁଇଜଣ ହିନ୍ଦୁ ଡ଼େଇଁ ପଡ଼ିଲେ କାମରାରୁ ସେମାନଙ୍କୁ ରକ୍ଷା କରିବା ପାଇଁ । ନୀରବ ବେଲୁଚି ସୈନ୍ୟଗଣ ଶାନ୍ତ ଭାବରେ ସେମାନଙ୍କୁ ଖତମ କରିଦେଲା । ଆହୁରି କେତେଜଣ ଡ଼େଇଁ ପଡ଼ିଲେ ଏବଂ ଏହି ଭାବରେ ସେମାନେ ବି ଜୀବନ ଦେଲେ । ତାପରେ ସେହି ଯୁବକଗଣ ଲାଇନ ପାଖ ଜଙ୍ଗଲକୁ ଜୋରକରି ଟାଣି ନେଇଗଲେ ଯୁବତୀ କନ୍ୟମାନଙ୍କୁ.... । ଲଜ୍ଜାରେ କଳାଧୂଆଁ ଉଦ୍‍ଗୀରଣ କରି ଉର୍ଦ୍ଧ୍ୱଶ୍ୱାସରେ ମୁଁ ପୁଣି ଛୁଟି ଚାଲିଲି । ଯାଉ, ଫାଟିଯାଉ ମୋର ହୃଦୟର ଲୌହ ଫୁସ୍‍ଫୁସ୍ । ମୋର ଚକ୍ଷୁ ଆଗରେ ଯେଉଁ ଲଜ୍ଜା ଅପମାନ ଘଟିଗଲା, ସେ ଦୃଶ୍ୟର ନୀରବସାକ୍ଷୀ ଭଳି ଠିଆ ହୋଇରହିଲା ଏହି ଗହନ ଅରଣ୍ୟ, ତାକୁ ପୋଡ଼ି ପାଉଁଶ କରିଦେଉ ମୋରି ମନର ଜ୍ୱାଳାରେ ପ୍ରଜ୍ୱଳିତ ଅଗ୍ନିଶିଖା ।

 

ଲାଲାମୁସା ଆଡ଼କୁ ମୁଁ ଛୁଟିଛି । କାମରା ଭିତରେ ଥିବା ମୃତ ଦେହଗୁଡ଼ିକରୁ ଦୁର୍ଗନ୍ଧ ବାହାରୁଛି । ବେଲୁଚି ସୈନ୍ୟଗଣ ସ୍ଥିର କଲେ ଏ ଗୁଡ଼ିକ ଚଳନ୍ତା ଗାଡ଼ିରୁ ଫୋପାଡ଼ି ଦେବେ କିନ୍ତୁ କିପରି ଫୋପଡ଼ା ହେବ ? ହଠାତ୍ ସେମାନଙ୍କ ମୁଣ୍ଡରେ ବୁଦ୍ଧି ଖେଳିଗଲା । ଶରଣାର୍ଥୀମାନଙ୍କ ଭିତରୁ ଯାହାଙ୍କୁ ସେମାନେ ପସନ୍ଦ କରନ୍ତି ନାହିଁ ସେମାନଙ୍କୁ ହୁକୁମ ହେବ ଗୋଟାଏ ଗୋଟାଏ ଗଳିତ ଲାସ ଦୁଆର ନିକଟକୁ ଟାଣି ଆଣିବାକୁ । ହୁକୁମ ଅନୁସାରେ ଲାସ ଆଣିବା ପରେ ମୃତ ଦେହ ସହିତ ତାକୁ ବି ସେମାନେ ଫୋପାଡ଼ି ଦେବେ ତଳେ ।

 

ଲାଲାମୁସାରୁ ଆସି ପହନଞ୍ଚିଲି ଓୟାଜିରାବାଦରେ । ପଞ୍ଜାବର ଏହି ସହରଟି ଆଜି କିନ୍ତୁ ପ୍ରଖ୍ୟାତ । ସମଗ୍ର ଭାରତବର୍ଷ ରେ ପରସ୍ପରକୁ ହତ୍ୟାକରିବା ପାଇଁ ହିନ୍ଦୁ ମୁସଲମାନ ଯେଉଁ ଛୁରା ଛୁରି ବ୍ୟବହାର କରିଥିଲେ ସେ ସବୁ ପ୍ରାୟ ଏହିଠୁ ଚାଲାନ ହୋଇଛି । ଓୟାଜିରାବାଦର ବୈଶାଖୀ ମେଳା ବି ପ୍ରସିଦ୍ଧ....ହିନ୍ଦୁ ମୁସଲମାନ ମାନଙ୍କର ମିଳିତ ପ୍ରାଣମତାଣିଆ ଫସଲକଟାରେ ଆନନ୍ଦ ଉତ୍ସବ । ଓୟାଜିରାବାଦରେ ପହଞ୍ଚି କେବଳ ଆଖିରେ ପଡ଼ିଲା ଚାରିଦିଗରେ ଅଗଣନ ଲାସ ପଡ଼ି ରହିଛି । ବହୁ ଦୂରରେ ସହର ଉପରେ ଉଠୁଛି କଳାଧୂଆଁ......ଷ୍ଟେସନର ପାଖାପାଖି କେଉଁଠି ଉନମତ୍ତ ଜନତାର ଚିତ୍କାର, କରତାଳି, ହସ, ବାଜା ସ୍ପଷ୍ଟ ଶୁଣି ପାରୁଛି । ବୋଧହୁଏ ବୈଶାଖୀ ଉତ୍ସବ । କିଛିସମୟ ପରେ ଜନତା ଗୀତ ଗାଉଛନ୍ତି କେତୋଟି ଉଲଗ୍ନ ତରୁଣୀଙ୍କୁ ଘେରି । ହଁ ସମ୍ପୂର୍ଣ ଉଲଗ୍ନ ନାରୀ.....ବୃଦ୍ଧା, ଯୁବତୀ, ତରୁଣୀ, ଛୋଟ ଛୋଟ ବାଳିକା—ଯେଉଁମାନେ ନଗ୍ନତା ପାଇଁ ଲଜ୍ଜା ଅନୁଭବ କରିବା ବୟସରେ ଏ ଯାଏଁ ପହଞ୍ଚି ନାହାନ୍ତି । ଆଈ, ନାତୁଣୀ, ମା, ଝିଅ, ଭଉଣୀ ସ୍ତ୍ରୀ, କୁମାରୀ ଏହିମାନଙ୍କୁ ଘେରି ନାଚୁଛନ୍ତି, ହଲ୍ଲା କରୁଛନ୍ତି ପୁରୁଷମାନେ । ନାରୀଗଣ ସମସ୍ତେ ହିନ୍ଦୁ ଆଉ ଶିଖ୍‍ ଓ ପୁରୁଷଗଣ ମୁସଲମାନ । ଏହି ତିନିହେଁ ମିଳି ଆଜି କି ଅଭୂତ ବୈଶାଖୀ ଉତ୍ସବର ପାଳନ କରୁନାହାନ୍ତି ଉନ୍ନତଶିର, ଋଜୁଦେହୀ ନାରୀଗଣ ଚାଲିଛନ୍ତି, ମୁଣ୍ଡର ଇତସ୍ତତଃ ବେଣୀ ଖୋଲିଯାଇଛି । ଅପମାନର ଚିହ୍ନ ଫୁଟିଉଠିଛି ସର୍ବାଙ୍ଗରେ । ତେବେ ବି ସେମାନେ ଅତ୍ୟନ୍ତ ସହଜ ଭାବରେ ମୁହଁ ଉପରକୁ ଟେକି ଚାଲିଛନ୍ତି, ଯେପରି ସେମାନଙ୍କର ସତ୍ତାକୁ, ସର୍ବ ଚେତନାକୁ ସତ୍ତାକୁ, ସର୍ବ ଚେତନାକୁ ଆଢ଼ୁଆଳ କରି ରଖିଛି ମୃତ୍ୟୁଦେବତାର ଘନକୃଷ୍ଣ ଛାଇ । ସେମାନଙ୍କର ଚକ୍ଷୁରେ ଘୃଣାର ଲେସ ମାତ୍ର ଚିହ୍ନ ନାହିଁ । ଲକ୍ଷ ସୀତାର ସତୀଗର୍ବ ଯେପରି ଜଳୁଛି ସେହି ଚକ୍ଷୁ ଗୁଡ଼ିକରେ । ଉପସ୍ଥିତ ଜନତାର ଆନନ୍ଦଭରା କଣ୍ଠ ଚିତ୍କାର କରିଉଠଛି ପାକିସ୍ଥାନ ଜିନ୍ଦାବାଦ୍‍ ! ଇସଲାମ୍ ଜିନ୍ଦାବାଦ୍ କାୟେଦ୍—ଏ—ଆଜାମ୍ ମହମ୍ମଦ୍ ଆଲୀ ଜିନ୍ଦାବାଦ !!!

 

ନୃତ୍ୟଗୀତ ଆଉ ଟିକିଏ ଆଗକୁ ଆସିବାମାତ୍ରେ ମୋର କାମରା ଭିତରେ ଥିବା ଶରଣାର୍ଥୀମାନଙ୍କ ଦୃଷ୍ଟି ପଡ଼ିଲା ଏହି ଅଦ୍ଭୁତ ପଟୁଆରଟି ଉପରେ । ଝରକାରୁ ଶୀଘ୍ର ମୁହଁ ଫେରେଇ ନେଲେ ସ୍ତ୍ରୀ ଲୋକମାନେ । ଶଙ୍କା ଓ ଲଜ୍ଜାରେ ପଣତ କାନିରେ ଢ଼ାଙ୍କି ଦେଲେ ମୁହଁ । ପୁରୁଷ ଲୋକେ ଆଗେଇ ଯାଇ ଝରକାଗୁଡ଼ିକ ବନ୍ଦ କରିଦେଲେ ।

 

“ବନ୍ଦ କରନାହିଁ.....ଖୋଲା ରଖ” ଚିତ୍କାର କରି ଉଠିଲେ ବେଲୁଚି ସେନ୍ୟଗଣ “ପବନ ଆସିବାକୁ ଦିଅ ।” ସେ ହୁକୁମ କାହାରି କାନରେ ବାଜେନା । ସେମାନେ ଝରକା ବନ୍ଦ କରି ଚାଲନ୍ତି-

 

ସୈନ୍ୟଗଣ ଗୁଳି ମାରନ୍ତି.....କେତେ ଶରଣାର୍ଥୀ ମରି ପଡ଼ିଯାନ୍ତି, ଅନ୍ୟମାନେ ଆଗେଇ ଆସନ୍ତି ଝରକା ବନ୍ଦ କରିବାକୁ । ସେମାନେ ବି ମରି ପଡ଼ନ୍ତି ଠିକ୍ ସେହି ଭାବରେ; ତାପରେ ଆଉ ଝରକା ବନ୍ଦ ହୋଇପାରେନା ।

 

ମୋର ଗାଡ଼ିର ଅଭ୍ୟନ୍ତରରେ ଏହି ନବାଗତା ନଗ୍ନ ତରୁଣୀମାନଙ୍କୁ ଭର୍ତ୍ତିକରି ଶରଣାର୍ଥୀମାନଙ୍କ ଭିତରେ ବସେଇ ଦିଆହେଲା । “ଇସଲମ ଜିନ୍ଦାବାଦ ଏବଂ କାୟେଦ—ଏ—ଆଜାମ ମହମ୍ମଦ ଆଲି ଜିନ୍ଦାବାଦ” ବୋଲି ବଣ୍ୟ ଚିତ୍କାର ଭିତରେ ସେମାନେ ମୋତେ ବିଦାୟ ଦେଲେ । ଗୋଟାଏ ପତଳା ରୋଗା ଛୋଟ ଛୁଆ ଧୀରେ ଧୀରେ ଆଗେଇ ଯାଇ ଜଣେ ମହିଳାକୁ ପ୍ରଶ୍ନ କଲା “ମା ତୁମେ ବୋଧହୁଏ ଏହିକ୍ଷଣି ସ୍ନାନ କରିଛି ?”

 

ହଁ, ସ୍ନାନ କରେଇଛନ୍ତି ମୋରି ଦେଶର ଯୁବକଗଣ; ଆମରି ଭାଇମାନେ ମୋତେ ସ୍ନାନ କରେଇଛନ୍ତି ।” ତୁମର ବସ୍ତ୍ର କାହିଁ ମା ?

 

ମୋରି ବୈଧବ୍ୟର ରକ୍ତ ଛାପରେ ନଷ୍ଟ ହୋଇଯାଇଥିଲା ସେ ଲୁଗା । ଭାଇମାନେ ସେ ଲୁଗା ନେଇ ଯାଇଛନ୍ତି ।

 

ଚଳନ୍ତା ଗାଡ଼ିର ଦରଜା ଖୋଲି ତମସାବୃତ ବସୁନ୍ଧରା ବୁକୁରେ ଡେଇଁ ପଡ଼ିଲେ ଦୁଇଟି ତରୁଣୀ । ମୁଁ ଆତଙ୍କରେ ଚିତ୍କାର । ସେ କରିଉଠିଲି, ଘନ ନଶିଥିନୀର ବୁକୁ ଉପରେ ମୁଁ ବି ଝାମ୍ପ ଦେଲେ ଛୁଟିଲି, ଯେ ପର୍ଯ୍ୟନ୍ତ ଲାହୋର ଷ୍ଟେସନରେ ପହଞ୍ଚି ନାହିଁ ।

 

ଲାହୋରର ଏକ ନମ୍ବର ପ୍ଲାଟଫର୍ମରେ ଆସି ମୁଁ ଠିଆହେଲି । ମୋର ବିପରୀତ ଦିଗରେ ଦୁଇ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଛି ପୂର୍ବ ପଞ୍ଜାବର ଅମୃତସରରୁ ଆସିଥିବା ଆଉ ଗୋଟାଏ ଟ୍ରେନ । ସେ ଟ୍ରେନରେ ଆସିଛନ୍ତି ପୂର୍ବପଞ୍ଜାବରୁ ମୁସଲମାନ ଶରଣାର୍ଥୀ । କିଛି ସମୟ ପରେ ଗୋଟାଏ ମୁସଲିମ୍‍ ରକ୍ଷୀବାହିନୀ ମୋରି କାମରେ ଉଠି ତଲାସି ନାଁରେ ଶରଣାର୍ଥୀଙ୍କ ନିକଟରୁ ଯାହା କିଛି ଟଙ୍କା ପଇସା ଅଳଙ୍କାର ଦାମିକା ଜିନିଷ ଥିଲା ନେଇଗଲେ । ତାପରେ ଚାରିଶହ ଜଣ ଶରଣାର୍ଥୀ ସେମାନେ ଓହ୍ଲେଇ ନେଇଗଲେ ହତ୍ୟା କରିବା ପାଇଁ । କାରଣ ଅମୃତସରରୁ ଆସିଥିବା ଏହି ଟ୍ରେନ୍‍ଟି ଉପରେ ମଝି ରାସ୍ତା ଆକ୍ରମଣ ହୋଇଥିଲା । ସେହି ଆକ୍ରମଣରେ ଚାରିଶହ ଜଣ ମୁସଲିମ ଶରଣାର୍ଥୀ ପ୍ରାଣ ଦେଲେଥିଲେ ଏବଂ ଧର୍ଷିତା ହୋଇଥିଲେ ପଚାଶ ଜଣ ମୁସଲମାନ ରମଣୀ । ତେଣୁ ପାକିସ୍ଥାନ ଓ ହିନ୍ଦୁ ସ୍ଥାନର ସମତା ରକ୍ଷା କରିବା ପାଇଁ ହିନ୍ଦୁ ଓ ଶିଖମାନଙ୍କୁ ମରିବାପାଇଁ ହେବ, ଧର୍ଷିତା ହେବେ ପଚାଶ ଜଣ ହିନ୍ଦୁ ଓ ଶିଖ ରମଣୀ ।

 

ମୋଘଲପୁରା ଷ୍ଟେସନରେ ପ୍ରହରୀ ପରିବର୍ତ୍ତନ ହେଲା । ବେଲୁଚି ସୈନ୍ୟ ବଦଳରେ ଆସିଲେ ଶିଖ୍‍, ଡୋଗ୍ରା ଓ ରାଜପୁତ ପ୍ରହରୀ । ଅତରି ଷ୍ଟେସନ ପରେ ସଂପୂର୍ଣ୍ଣ ପଟ୍ଟ ପରିବର୍ତ୍ତନ ହେଇଗଲା । ଚାରିପାଖରେ ମୃତଦେହ ଗୁଡ଼ିକ କେବଳ ମୁସଲମାନ ଶରଣାର୍ଥୀମାନଙ୍କର । କାମରା ଭିତରେ ଥିବା ଶରଣାର୍ଥୀଗଣ ବୁଝି ପାରିଛନ୍ତି ଯେ ଆଜାଦ୍ ହିନ୍ଦୁସ୍ଥାନର ସୀମାନ୍ତକୁ ଟ୍ରେନ ଆସିଯାଇଛି ।

 

ଅମୃତସରରେ ଚାରିଜଣ ବ୍ରାହ୍ମଣ ଉଠିଲେ ଗୋଟାଏ କାମରାରେ । ସେମାନେ ହରିଦ୍ୱାରର ଯାତ୍ରୀ । ମୁଣ୍ଡିତ ମସ୍ତକ ମଝିରେ ଲମ୍ବା ଶିଖା । ଚନ୍ଦନ ଚର୍ଚ୍ଚିତ କପାଳ, ଦେହରେ ରାମ ନାମ ଲେଖା ନାମାବଳି । ସେମାନେ ବାହାରିଛନ୍ତି ତୀର୍ଥଯାତ୍ରାରେ । ଶିଖ୍‍ ଓ ହିନ୍ଦୁର ଛୋଟ ଛୋଟ ଦଳ ବର୍ଚ୍ଛା, କିରପାନ୍ ଓ ବନ୍ଧୁକ ନେଇ ପୂର୍ବପଞ୍ଜାବ ଗାମୀ ପ୍ରତ୍ୟେକଟି ଗାଡ଼ି ଅନୁସନ୍ଧାନ କରୁଛନ୍ତି ‘ଶିକାର’ ଲୋଭରେ । ଏହି ଚାରିଗଣ ବ୍ରାହ୍ମଣଙ୍କ ସମନ୍ଧରେ ହଠାତ୍ ଶିକାରୀମାନଙ୍କ ମନରେ ଜାଗିଉଠିଲା ସନ୍ଦେହ, ଜଣେ ପ୍ରଶ୍ନକଲା “ ବ୍ରାହ୍ମଣଦେବତା କେଉଁଠିକି ଯାଉଛନ୍ତି ?”

 

‘ହରିଦ୍ୱାର’ ।

 

ହରିଦ୍ୱାର ନା ପାକିସ୍ଥାନ ? ହସି ହସି ପ୍ରଶ୍ନକଲା ଜଣେ ।

 

ହରିଦ୍ୱାର ଯିବୁ । ଆଲ୍ଲାକି କସମ । ଜାଠଟି ହସି ଉଠିଲା । ‘ଠିକ୍ ହ୍ୟାୟ, ଆଲ୍ଲାର ନାଁରେ ତୁମକୁ ବଳି ଦିଆହେବ ।’ ତାପରେ ଚିତ୍କାରକରି ଡାକିଲା ।

 

ନାଥା ସିଂ ଇଧାର, ଇଧାର ଶିକାର ମିଲା ।’

 

ବ୍ରାହ୍ମଣଟିକୁ ସେମାନେ ହତ୍ୟା କଲେ । ବାକି ତିନିଜଣ ବ୍ରାହ୍ମଣ ଉର୍ଦ୍ଧ୍ୱଶ୍ୱାସରେ ପଳାୟନର ଚେଷ୍ଟା କରନ୍ତି, କିନ୍ତୁ ପାରିବେ କେମିତି ?

 

ନାଥା ସିଂ ପାଟିକରି କୁହେ—ହରିଦ୍ୱାର ଯିବା ବ୍ରାହ୍ମଣ ବାବା ? ତାହାହେଲେ ଆଗେ ଥରୁଟେ ଡାକ୍ତରୀ ପରୀକ୍ଷା କରିବା ପାଇଁ ହେବ, ଦେବତା !

 

‘ଡାକ୍ତରୀ ପରୀକ୍ଷା’ ଦେଖେଇ ଦିଅ, ନାଥା ସିଂ ଯାହା ଦେଖିବା ପାଇଁ ଚାହିଁଥିଲା ସୁଉନ୍ନତ ଅଛି କି ନା ? ବାକି ତିନିଜଣ ବ୍ରାହ୍ମଣଙ୍କୁ ବି ଏ ଧରାଧାମ ତ୍ୟାଗ କରିବାକୁ ହେଲା ।

 

ମୁଁ ଛୁଟି ଚାଲିଛି । ହଠାତ୍ ଗୋଟାଏ ନିବିଡ଼ ଅରଣ୍ୟ ପାଖରେ ଚେନ୍‍ଟାଣି ମୋର ଗତିରୋଧ କରିହେଲା । ପରମୁହୁର୍ତ୍ତରେ ଚିତ୍କାର ଶୁଣିଲେ ‘ସତଶ୍ରୀ ଅକାଳ’ ‘ହର ହର ମହାଦେବ’ । ତାପରେ ଦେଖିଲି ହିନ୍ଦୁ ଓ ଶିଖ୍ ଶରଣାର୍ଥୀ ଓ ପ୍ରହରୀଗଣ ଅରଣ୍ୟକୁ ଛୁଟି ଚାଲିଛନ୍ତି । ଭାବିଲି ମୁସଲମାନ ଆକ୍ରମଣକାରୀଙ୍କ ଭୟରେ ବୋଧହୁଏ ଏମାନେ ଜୀବନ ଭୟରେ ପଳାୟନ କରୁଛନ୍ତି-। ଟିକିଏ ଭଲକରି ଚାହିଁ ବୁଝିଲ—ମୋର ଭୁଲ ହୋଇଛି । ନିଜ ଜୀବନ ରକ୍ଷା ପାଇଁ । କେତେ ଶହ ମୁସଲମାନ କୃଷକ ସେମାନଙ୍କର ପିଲା କୁଟୁମ୍ବ ନେଇ ଏହି ବଣକୁ ପଳେଇଛନ୍ତି । ଅଧଘଣ୍ଟା ଭିତରେ ସବୁ ଶେଷ । ବିଜୟୋଲ୍ଲାସରେ ଚିତ୍କାର କରି କରି ଫେରିଆସିଲେ ବୀରଗଣ । ଭାଲମୁନରେ ଗୋଟିଏ ମୁସଲିମ୍‍ ଶିଶୁର ମୁଣ୍ଡ ଗେଞ୍ଜି ନଚେଇ ଗୀତ ଗାଉଛି ଜଣେ ଜାଠ । ବୈଶାଖି ଆସ, ବୈଶାଖି ଆସ, ହୈ....ହୈ.... ।

 

ଜଳନ୍ଧର ନିକଟରେ ଗୋଟାଏ ପଠାଣ ଗ୍ରାମ ଅଛି । ଶିକୁଳି ଟାଣି ପୁଣି ସେମାନେ ମୋର ଗତିରୋଧ କରି ସେହି ଗ୍ରାମ ଉପରେ ହାମଲା କଲେ । ବୀରଭଳି ଠିଆ ହୋଇ ଶେଷବିନ୍ଦୁ ରକ୍ତ ଦେଲେ ପଠାଣମାନେ ସେ ଆକ୍ରମଣ ପ୍ରତିହତ କରିବା ପାଇଁ ଚେଷ୍ଟା କଲେ । କିନ୍ତୁ ସଂଖ୍ୟାଧିକ ଆକ୍ରମଣକାରୀଙ୍କର ଅପର୍ଯ୍ୟାପ୍ତ ଅସ୍ତ୍ର ସମ୍ମୁଖରେ ସେମାନେ କେତେ ସମୟ ବା ଠିଆ ହେବେ । ଗାଁର ସମସ୍ତ ପୁରୁଷ ପ୍ରାଣଦେଲେ ଲଢ଼େଇରେ । ଏଥର ଆସିଲା ସ୍ତ୍ରୀ ଲୋକଙ୍କ ପାଳି । ଉନ୍ମୁକ୍ତ ବିଶାଳ କ୍ଷେତ ମଝିରେ, ପିପପ୍‍ଲ, ଶିଶମ୍ ଆଉ, ସରେନ ଗଛତଳେ ଅପମାନିତ ହେଲା ସେମାନଙ୍କର ନାରୀତ୍ୱ । ପଞ୍ଜାବରଏହି ସୁଫଳା କ୍ଷେତରେ ହିନ୍ଦୁ ମୁସଲମାନ ଶିଖ୍‍ କୃଷକମାନେ ଏକାଠି ଫଳଉଥିଲେ ସୁନେଲି ଶସ୍ୟ; ଏଇଠି ସବୁଜ ସୋରିଷ ଗଛର ହଳଦିଆ ଫଳର ବିସ୍ତୀର୍ଣ୍ଣ ଭୂଇଁ ପରିଣତ ହେଉଥିଲା ସ୍ୱପ୍ନର କାଉଁରୀ ରାଇଜରେ । ଏହି ପିପପ୍‍ଲ ଆଉ ଶିଶମ୍‍ ଗଛତଳେ କ୍ଷେତ କମରେ ପରିଶ୍ରାନ୍ତ କୃଷକ ସ୍ୱାମୀଗଣ ଚାହିଁ ରହୁଥିଲେ ତାଙ୍କରି ପ୍ରିୟାମାନଙ୍କ ହାତରେ ଲସି ପାଇଁ । ଏଇଠୁ ସେମାନେ ଦେଖୁଥିଲେ ଗ୍ରାମ୍ୟପଥବାହୀ ଆଗତ ପ୍ରେୟସୀଗଣଙ୍କ କାଫିଲା । କାଖରେ ଲସିର ଘଡ଼ା, ବୋହି ନେଇ ଆସୁଛନ୍ତି ମଧୁ, ମାଖନ ଆଉ ତାଂକର କ୍ଷେତାର ସୁନାଗହମର ଚପାତି । ବିମୋହିତ ଦୃଷ୍ଟିରେ କୃଷକ ଦେଖୁଥିଲ କାଫିଲା ଭିତରେ ତାର ବିଶେଷ ପ୍ରିୟାକୁ । ଚକ୍ଷୁର ମଣୀରେ ପଲ୍ଲବ ସଦୃଶ ନାଚୁଥିଲା ତାର ସୁପ୍ରିୟା । ଏଇତ ପଞ୍ଜାବର ଚେହେରା, ପଞ୍ଜାବର ପ୍ରାଣକେନ୍ଦ୍ର; ପଞ୍ଜାବର ହୃଦୟ ଆଲେଖ୍ୟ । ଏଇଠି ଜନ୍ମଗ୍ରହଣ କରିଥିଲେ ସୋହନୀ ଓ ମହୀଓୟାଲ, ହୀର ଓ ରାନଝା । ଆଉ ଏବେ ପଚାଶଟି ବାଘ, ପଚାଶଟି ସୋହନୀ ଆଉ ପାଞ୍ଚଶହ ମହୀଓୟାଲ । ସେଦିନ କଣ ଆଉ ଫେରିଆସିବ । ସେ ଦୁନିଆ ଆଉ କଣ ଫେରିପାଇବୁ ? ଧୀର ଶାନ୍ତ ଚେନାବ ଆଉ କଣ ବୋହିବ ? ଆଉ କଣ ସେହି ହୀର-ରାନଝା, ସୋହନୀ-ମହୀଓୟାଲ, ମିର୍ଜା ସାହେବାନ୍‍ର ସଂଗୀତ ଆମରି ହୃଦୟ ତନ୍ତ୍ରୀରେ ବାଜି ଉଠିବ ନାହିଁ ? ଆକାଶ ଭାଙ୍ଗି ଅଭିସଂପାତ ବୃଷ୍ଟି ହେଉ ଏହି ସବୁ ନେତାମାନଙ୍କ ମୁଣ୍ଡ ଉପରେ, ସେମାନଙ୍କର ସାତପୁରୁଷ ବଂଶଧରମାନଙ୍କ ଉପରେ । ଯେଉଁମାନେ ଏହି ସୁନାର ଦେଶକୁ, ପ୍ରାଣବନ୍ତ ବୀରଭୂମିକୁ ଖଣ୍ଡ-ବିଖଣ୍ଡ କରିଦେଲେ, ଅସମ୍ମାନ, ଛଳନା ହତ୍ୟାର କୁତ୍ସିତ କର୍ଦ୍ଦମରେ ଦେଶକୁ ବୁଡ଼େଇଦେଲେ, ଯେଉଁମାନେ ଆଜି ପ୍ରାଣ-ଶକ୍ତିକୁ ଉପଦଂଶାକ୍ରାନ୍ତ କରି ଦେଶର ସର୍ବାଙ୍ଗରେ ଫୁଟେଇଇଛନ୍ତି ହତ୍ୟା, ଲୁଣ୍ଠନ ଆଉ ବଳାତ୍କାରର ବିଷାକ୍ତ କ୍ଷତ । ପଞ୍ଜାବ ସେ ଆଜି ମରିଗଲା । ପଞ୍ଜାବର ବୃଷ୍ଟି ଯେ ଆଜି ଧ୍ୱଂସ ହୋଇଗଲା, ଦେଶର ସେ ସଙ୍ଗୀତ ଯେ ହଜିଗଲା, ସାହସି ଦିଲ୍‍ଖୋଲା ସେହି । ସରଳପ୍ରାଣ ଗଲା ଚୁରମାର ହୋଇ....ମୋର ଚକ୍ଷୁ ନାହିଁ, କାନ ନାହିଁ ମୁଁ ଜାଣେ ତଥାପି ଯେପରି ଏ ଦେଶର ମୃତ୍ୟୁର ପଦଧ୍ଵନି ମୋର କାନରେ ଆସି ବାଜୁଛି ।

ସୈନ୍ୟ ଓ ଶରଣାର୍ଥୀଗଣ ଫେରିଆସିଲେ, ସଙ୍ଗରେ ନେଇ ଆସିଲେ ପଠାଣ ସ୍ତ୍ରୀ ଓ ପୁରୁଷଙ୍କର ମୃତଦେହ । କେତେକ ମାଇଲ ପରେ ଯେତେବେଳେ ଗୋଟାଏ କେନାଲ ପଡ଼ିଲା ମୋତେ ପୁଣି ବନ୍ଦ କରାହେଲା । କେନାଲ ଭିତରେ ସବୁଗୁଡ଼ିକ ଲାସ ଫିଙ୍ଗି ଦିଆହେଲା । ମୁଁ ପୁଣି ଚାଲିଲି । ରକ୍ତର ଓ ଘୃଣାଳ ସ୍ଵାଦ ଗ୍ରହଣ କରି ଏଥର ସେମାନେ ଆନନ୍ଦ ପାଇବା ପାଇଁ ତାଡ଼ି ହାଣ୍ଡି ଖୋଲା ବସିଗଲେ ।

ଲୁଧିୟାନା ଷ୍ଟେସନରେ ପୁନର୍ବାର ରହିଲି । ଲୁଟେରାଗଣ ଦୌଡ଼ିଲେ ସହରକୁ । ମୁସଲମାନ ମହଲ୍ଲା ଓ ଦୋକାନ ଲୁଣ୍ଠନ କରି ସେମାନେ ଷ୍ଟେସନକୁ ଫେରିଆସିଲେ ଦୁଇଘଣ୍ଟା ପରେ । ସମସ୍ତ ରାସ୍ତାରେ ଏହି ଭାବରେ ଚାଲିଲା ହତ୍ୟା ଓ ଲୁଣ୍ଠନ । ମୋର ମନ ଯେଉଁ ସର୍ବାଙ୍ଗରେ କ୍ଷତ ବିକ୍ଷତ ହୋଇଉଠିଛି । ମୋର ଗାଡ଼ି ଗୁଡ଼ିକର ସର୍ବାଙ୍ଗରେ ସ୍ତରସ୍ତର ରକ୍ତର ଦାଗ, ଏତେ ମଳି ଜମି ରହିଛି ଯେ ମୁଁ ସ୍ନାନ କରିବା ପାଇଁ ବ୍ୟାକୁଳ ହୋଇପଡ଼ିଲି; କିନ୍ତୁ ମୁଁ ଜାଣେ ମୋର ଏହି ଦୀର୍ଘ କଠିନ ଯାତ୍ରାପଥରେ ମୋତେ ସ୍ନାନ କରିବାର ସୁଯୋଗ କେହି ଦେବେ ନାହିଁ ।

ଅର୍ଦ୍ଧରାତ୍ରୀରେ ଆସି ପହଞ୍ଚିଲା ଆମ୍ବାଲାରେ । ମିଲିଟାରୀ ପହରାରେ ଜଣେ ମୁସଲମାନ ଡେପୁଟି କମିଶନର ପରିବାର ଓ ଶିଶୁ ସନ୍ତାନ ସହିତ ଆସି ମୋର ଗୋଟାଏ ପ୍ରଥମଶ୍ରେଣୀ କାମରାରେ ଉଠିଲେ । ତାଙ୍କରି ଜୀବନ ଓ ସଂପତ୍ତିର ନିରାପତ୍ତା ପାଇଁ କଡ଼ା ହୁକୁମ ଥିଲା ମିଲିଟାରୀମାନଙ୍କ ଉପରେ ।

 

ରାତ୍ରି ଦୁଇଟାରେ ଛାଡ଼ିଲି ଆମ୍ବାଲା । ମାତ୍ର ଦଶମାଇଲ ଯାଇଛି, ଏପରି ସମୟରେ କିଏ ଶିକୁଳି ଟାଣି ଯେପରି ମୋର ଗତିରୋଧ କଲା । ଉଚ୍ଚପଦସ୍ଥ ମୁସଲମାନ କର୍ମଚାରୀର ପ୍ରଥମ ଶ୍ରେଣୀ କାମରାଟି ଭିତରପଟୁ ବନ୍ଦଥିଲା । ବାହାରୁ କାମରାର୍ ଝରକା ଭଙ୍ଗା ହେଲା । ଗାଡ଼ି ଭିତରେ ଡେପୁଟୀ କମିଶନର, ତାଙ୍କ ସ୍ତ୍ରୀ ଓ ତିନୋଟି ଶିଶୁ ସନ୍ତାନଙ୍କୁ ହତ୍ୟା କରାହେଲା । ସାଥିରେ ଥିଲା ଅଫିସରଙ୍କ ସୁନ୍ଦରୀ ଯୁବତୀ କନ୍ୟା । ସେମାନେ ତାକୁ ହତ୍ୟା କଲେ ନାହିଁ । ଅଫିସରଙ୍କ ଟଙ୍କା ପଇସା ଅଳଙ୍କାର ଯାହାଥିଲା ଏବଂ ତାଙ୍କର ସୁନ୍ଦରୀ ଯୁବତୀ କନ୍ୟାକୁ ନେଇ ହତ୍ୟାକାରୀ ଲୁଟେରାଗଣ ଓହ୍ଲେଇ ଆସିଲେ କାମରାରୁ । ତାକୁ ନେଇଗଲେ ଲାଇନ ପାଖ ଜଙ୍ଗଲକୁ । ଝିଅର ହାତରେ ଥିଲା ଖଣ୍ଡେ ବହି ।

 

ଝିଅଟିକି ନେଇ କଣ କରାଯିବ ? ତାକୁ ବଞ୍ଚିବା ପାଇଁ ଦିଆହେବା ନା ହତ୍ୟା କରାହେବ ? ବସିଲା ଆଲୋଚନା ସଭା । ଝିଅଟି କହିଲା “ମୋତେ କାହିଁକି ହତ୍ୟା କରିବ ? ମୋତେ ଧର୍ମାନ୍ତରିତ କରିନିଅ । ତୁମରି ଭିତରୁ କାହାକୁ ମୁଁ ବିବାହ କରିବି ।

 

ଠିକ୍ କଥା, ଜଣେ ଯୁବକ, କହିଲା ‘ମୋର ମନେ ହୁଏ’ ଆମରି ଉଚିତ କଥା ଶେଷ ହେବା ଆଗରୁ ଜଣେ ଝିଅଟିର ପେଟରେ ଛୁରା ମାରି ଦେଲେ କହିଲା ଅନେକ ଗୋଲଟେବୁଲ ବୈଠକ ହୋଇଛି, ଏଥର ଫେରିଚାଲ” ।

 

ଶୁଷ୍କ ଘାସ ଉପରେ ଶେଷ ନିଶ୍ୱାସ ତ୍ୟାଗ କଲା ଝିଅଟି । ହାତର ବହିଟି ରକ୍ତରେ ତିନ୍ତିଗଲା । ବହିଟି ସମାଜତନ୍ତ୍ର ଉପରେ ଲେଖା । ବୁଦ୍ଧି ମତୀ ଝିଅ ଥିଲା ସିଏ । ହୁଏତ ସେ ଚାହଁଥିଲା ଦେଶର, ଜାତିର, ମଣିଷର ସେବା କରିବାକୁ ।

 

ହୁଏତ ସେ ଚାହିଁଥିଲା ପ୍ରେମ....ଚାହିଁଥିଲା ଜଣକର ଗଭୀର ସୋହାଗଭରା ପ୍ରେମ ଆଲିଙ୍ଗନ.....ଚାହିଁଥିଲା ନିଜ ଶିଶୁ ସନ୍ତାନର ଚୁମ୍ବନ । ସେ ଥିଲ ଯୁବତୀ, ସେ ଥିଲା ସ୍ତ୍ରୀ, ପ୍ରେମିକା, ମା, ସୁଷମାମଖା ସୁଷ୍ମିତା ନାରୀ, ପ୍ରକୃତିର ରହସ୍ୟମୟୀ ସୃଷ୍ଟି । ଆଉ ଆଜି, ଏହିକ୍ଷଣି, ଏଇ ମୁହୁର୍ତ୍ତରେ......ଜୀବନହୀନ ଗହନବଣ ମଝିରେ ପଡ଼ିଛି ତାର ମୃତଦେହ ଶୃଗାଳ, ଶକୁନୀ, ଗୃଧିନୀର ଖାଦ୍ୟ । ତାହାରି ନିକଟରେ ପଡ଼ିଛି ବୁଦ୍ଧିମତୀ ତରୁଣୀର ଶୋଣିତ ଶିକ୍ତ ବହିଟି, “ସମାଜତନ୍ତ୍ରବାଦ, ମତ ଓ ପଥ” ।

 

ଆଶାହୀନ ନିଶିଥିନୀ ଅନ୍ଧକାର ଭେଦକରି ମୁଁ ଛୁଟିବ । ମୋର କାମର ଭିତରେ ନେଇ ଚାଲିଛି ଯେଉଁମାନେ ତାଡ଼ିର ମାଦକତାରେ ଚିତ୍କାର କରୁଛନ୍ତି “ମହାତ୍ମା ଗାନ୍ଧୀକି ଜୟ” !!

 

ଅନେକଦିନ ପରେ ମୁଁ ବମ୍ବେକୁ ଫେରିଆସିଛି । ଏଇଠି ମୋତେ ଧୋଇପୋଛି ପରିଷ୍କାର କରି ଟ୍ରେନ୍ ସେଡ଼୍‍ ତଳେ ରଖାହୋଇଛି । ମୋ ଦେହରେ ଆଉ ରକ୍ତର ଦାଗ ଲାଗିନାହଁ....ଏବେ ଆଉ ମୁଁ ଶୁଣିବାକୁ ପାଉନାହିଁ । ସେ ନରଘାତକମାନଙ୍କ ଅଟ୍ଟହାସ୍ୟ, କିନ୍ତୁ ରାତିରେ ଯେତେବେଳେ ମୁଁ ଏକାକି ଠିଆ ହୋଇଥାଏ, ସେତେବେଳେ ସମସ୍ତ ପ୍ରେତାମା ଜାଗି ଉଠନ୍ତି । ମୃତଗଣ ପୁଣି ଜୀବନ୍ତ ହୋଇ ଉଠନ୍ତି, ପୁଣି ଶୁଣିବାକୁ ପାଏ ଆହତ, ମାନଙ୍କର ସେହି ଚିତ୍କାର, ଶିଶୁ ଓ ତରୁଣୀମାନଙ୍କର ସେହି ତ୍ରାସ ଓ ଭୟର ବୁକୁଫଟା କ୍ରନ୍ଦନ । ଥରକୁଥର ଭାବେ ମୋତେ ଯେମିତି ଏ ସେଡ୍ ଛାଡ଼ି ସେହି ଭୟଙ୍କର ପଥରେ ଯିବାକୁ ଆଉ ନ ପଡ଼ୁ । .....ପଞ୍ଜାବର କ୍ଷେତ୍ରରେ ପୁଣି ଯେଉଁଦିନ ହସିଉଠିବ ସେହି ସୁନେଲି ଶସ୍ୟ, ଭାର କ୍ଷେତରେ ହଳଦିଆ ସୋରିଷ ଫୁଲର ପ୍ରତ୍ୟେକ ଦୋଳନରେ ଯେଉଁଦିନ ପୁଣି ଭାସିଉଠିବ ସଂଗୀତ, ଶୁଣାଯିବ ହୀର ଓ ରାନଝାର ସେହି ଶାଶ୍ୱତ ପ୍ରେମଗୀତ....ହିନ୍ଦୁ, ମୁସଲମାନ, ଶିଖ୍ କୃଷକ ପୁଣି ଯେତେବେଳେ ଏକ ସଙ୍ଗରେ ଚଷିବେ ଭୂଇଁ, ବୁଣିବେ ବୀଜ, କାଟିବେ ଶସ୍ୟ, ପୁଣି ଯେତେବେଳେ ସ୍ତ୍ରୀମାନଙ୍କ ପ୍ରତି ସେହି ପ୍ରାଣଉଜୁଡ଼ା ପ୍ରେମବିଶ୍ୱାସ, ସମ୍ମାନବୋଧ ଫେରିଆସିବ କୃଷକର ମନରେ, ମୁଁ ସେତେବେଳେ ପୁଣି ଯିବ, ପୁଣି ଛୁଟିବି ପଞ୍ଜାବର ସୁନ୍ଦର ଗାଁ’ ଗୁଡ଼ିକ ଭିତର ଦେଲେ, ଦୌଡ଼ି ଦୌଡ଼ି ଛୁଟିଯିବି ସେହି ଦିଲଖୋଲା ସାଧାରଣ ମଣିଷର ଦେଶକୁ ।

 

ଶୁଷ୍କ କାଠରେ ତିଆରି ମୋର ଦେହ, ତଥାପି ମୁଁ ଚାହେଁନା ଯେ ପ୍ରତିହିଂସା ଓ ଘୃଣା ଭର୍ତ୍ତି କରି ପୁଣି ମୋତେ ତୁମେ ପଠାଅ ଏହି ବିଭତ୍ସ ନାରକୀୟ ଯାତ୍ରାପଥରେ । ତୁମେ ମୋତେ ପଠାଅ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳକୁ ଖାଦ୍ୟ ଭର୍ତ୍ତି କରି । ମୋତେ କୋଇଲା ଲୁହା, ତେଲ ବୋହି ନେବାକୁ ପଠାଅ ଶିଳ୍ପାଞ୍ଚଳକୁ, ଗାଁ’ର କୃଷକ ନିକଟକୁ ପଠାଅ ସାର ଓ ଟ୍ରାକ୍ଟର ଭର୍ତ୍ତିକରି । ମୃତ୍ୟୁ ଓ ଧ୍ୱଂସ ବୋହିନେବା କାମରେ ମୋତେ ଆଉ ତୁମେ ଠେଲି ଦିଅନାହିଁ । ମୁଁ ଚାହେଁ ମୋର କାମରାରେ ଉଠନ୍ତୁ ଦେଶର ବିତ୍ତଶାଳୀ କୃଷକ ଓ ଶ୍ରମିକ....ସେମାନଙ୍କ ସାଙ୍ଗରେ ତାଙ୍କର ସୁଖି ସ୍ତ୍ରୀ ଓ ଶିଶୁ । ପଦ୍ମଫୁଲ ପରି ସେମାନଙ୍କର ହସ ହସ ମୁହଁ। ନୂତନ ଜୀବନପଥରେ ଶିଶୁମାନେ ବଢ଼ି ଉଠିବେ; ଯେଉଁଠି ମଣିଷ ହେବ ମଣିଷ; ହେବନାହିଁ ହିନ୍ଦୁ ଓ ମୁସଲମାନ; ହେବ ସେହି ଆଶ୍ଚର୍ଯ୍ୟ ଜୀବ ଯାହାକୁ ଗୋଟାଏ କଥାରେ କୁହାହୁଏ ମ....ଣି....ଷ !!”

Image

 

ଆବେ ହାୟାତ୍

-ମୁଲ୍‍କରାଜ ଆନନ୍ଦ-

 

[ଭାରତାର ଏକମାତ୍ର ଶିଳ୍ପକଳା ସମନ୍ଧୀୟ ବହୁଳ ପ୍ରଚାରିତ ଇଂରାଜୀ ‘ମାର୍ଗ ପତ୍ରିକାର ସଂପାଦକ, ଭାରତୀୟ ସାହିତ୍ୟ ଏକାଡ଼େମୀର ସକ୍ରିୟ ସଭ୍ୟ, ଭାରତ ଓ ଭାରତ ବାହାରେ ବହୁନନ୍ଦିତ ଗାଳ୍ପିକ; ସମାଲୋଚନ ଓ ଔପନ୍ୟାସିକ ଭାବରେ ମୁଲ୍‍କରାଜ ଆନନ୍ଦ ପରିଚିତ । ତାଙ୍କର ଅଚ୍ଛବ, କୁଲି ପ୍ରଭୃତି ଉପନ୍ୟାସ ଭାରତୀୟ ଭାଷାମାନଙ୍କରେ ଅନୁଦିତ ହୋଇ ଲୋକପ୍ରିୟ ହୋଇଛି । ତାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଇଂରାଜୀ ଓ ଋଷ୍ ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇଛି । ‘ଆବେହାୟାତ୍’ ଏକ ସମସ୍ୟାମୂଳକ ଗଳ୍ପ, ଗଳ୍ପଟି ଗଳ୍ପ ହୋଇବି ଗଳ୍ପ ନୁହେଁ, ସତେ ଯେମିତି ଆମରି ବହୁଳ ବିଫଳ ଯୋଜନା ଆଉ କାଗଜ ଚାଷର ଏକ କାନ୍ତ ସମାଲୋଚନା ।]

Image

 

ଦେଶ ସ୍ୱାଧୀନ ହେଲା । ଆଉ ଏ ନୂତନ ସ୍ୱାଧୀନତାକୁ ସାକାର କରିବାପାଇଁ ଆମ ଦେଶରେ ଆରମ୍ଭ ହେଲା ନବନିର୍ମାଣର ବିଶାଳ କାର୍ଯ୍ୟକ୍ରମ । ଏହି ବରଦାନକୁ କରପାତି ଗ୍ରହଣ କରିବା ପାଇଁ ସମଗ୍ର ଜାତି ଉନ୍ମୁଖ ହୋଇ ପଡ଼ିବା କଥା କାହାକୁ ଅବିଦିତ ନୁହେଁ । ଏହି କାର୍ଯ୍ୟକ୍ରମ ବହୁମୁଖୀ । ଆମ ଦେଶର ବିଶାଳ ଜନତାର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ପାଇଁ ଏହାରି ଭିତରେ କଳ୍ପନା କରାଯାଇଛି ବିଭିନ୍ନ ରକମର କର୍ମସୂଚୀ । ବହୁବର୍ଷ ପରେ ସ୍ୱାଧୀନତା ଦିବସର ପୁଣ୍ୟପର୍ବରେ ଆମର ନେତାମାନେ ଯେଉଁ ପ୍ରତିଜ୍ଞା କରିଥିଲେ, ସବୁକିଛି କରିବା ପାଇଁ ସେମାନେ ଯେଉଁ ପ୍ରତିଶ୍ରୁତି ଦେଲେଥିଲେ ବର୍ତ୍ତମାନ ଆମ ପାଇଁ ସେ ପ୍ରତିଶ୍ରୁତି ପାଳନ କରୁଛନ୍ତି । ସେତେବେଳେ ସେମାନେ ଡିଣ୍ଡିମ ପିଟି କହିଥିଲେ ଆମରିପାଇଁ ଆଣିବେ ପୂର୍ଣ୍ଣ ସ୍ୱତନ୍ତ୍ରତା । ସେମାନେ ଘୋଷଣା କରିଥିଲେ......

 

ଆମର ପୂର୍ଣ୍ଣ ବିଶ୍ୱାସ ପୃଥିବୀର ଅନ୍ୟ ସ୍ୱାଧୀନତାକାମୀ ଜନସାଧାରଣଙ୍କ ଭଳି ଭାରତୀୟ ଜନତାର ପୂର୍ଣ୍ଣ ସ୍ୱାଧୀନତା ପାଇଁ ଜନ୍ମସିଦ୍ଧ ଅଧିକାର ରହିଛି । ସେମାନଙ୍କର ଅଧିକାର ରହିଛି ଯେ ସେମାନେ ନିଜ ପରିଶ୍ରମର ଫଳ ନିଜେ ଭୋଗ କରିବେ ଆଉ ଜୀବନର ଆବଶ୍ୟକତା ପୂର୍ଣ୍ଣ କରି ପାରିବେ ଯାହା ଫଳରେ ସେମାନେ ଆପଣାର ବିକାଶ ପାଇଁ ପାଇବେ ଏକ ଦୀର୍ଘ ଅବସର । ଏହି ସ୍ଳୋଗାନକୁ ହୃଦୟରେ ଶିଳାଲିପି କରି ଆମରି ତଥା ଆମରି ଦେଶର ବିଶାଳତା ଆଉ ସମସ୍ୟାନୁରୂପ ବଡ଼ ବଡ଼ ବିଶାଳ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ କରିବାରେ ସେମାନେ ଲାଗି ରହିଛନ୍ତି ସଦାସର୍ବଦା ।

 

ମାତ୍ରକ ଆମ ଦେଶର ମୁଖ୍ୟ ସମସ୍ୟା ଆମରି ଜନତାର ଅନ୍ନସମସ୍ୟା । ଏହି ଜଠରାଗ୍ନି କେତେ ସହସ୍ର ବର୍ଷହେଲା ତାର ଲେଲିହାନ ଶିଖା ବିସ୍ତାର କରି ଜଳୁଛି କହି ହେବନି ଆଉ ଏହି ପୁରାତନ ବହ୍ନିରେ ପତଙ୍ଗ ସଦୃଶ ବହୁ ଜନତା ଏହାର ଶିକାର ହୋଇ ପଡ଼ିଲେଣି । ଏହି ସମସ୍ୟାର ସମାଧାନ କରିବାପାଇଁ ଆମରି ପ୍ରଧାନମନ୍ତ୍ରୀ ବଡ଼ବଡ଼ ବନ୍ଧ ନିର୍ମାଣ କରିବାପାଇଁ ଆଦେଶ ଦେଲେଛନ୍ତି, ଯାହା ଆମେରିକାର ଟି. ବି. ଏ. ଆଉ ସୋଭିଏଟ୍ ରୁଷର ନିପାର ବନ୍ଧୁଠାରୁ ବି ବୃହତ୍ ଆଉ ମହାନ । ଆମରି ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏହି ବନ୍ଧ ଓ ଆମରି ଏ ଯୁଗର ବୈଜ୍ଞାନିକ ଚମତ୍କାରିତାରେ ଦେଶରୁ ଭୋକିଲା ଜନତାର ଏହି ଜଠରାଗ୍ନି ସମ୍ପୂର୍ଣ୍ଣରୂପେ ନିର୍ବାପିତ ହୋଇଯିବ । ଏହି ବିଶାଳ ଯୋଜନାକୁ ଜନତା ଅବିଶ୍ୱାସ କରି ଆସିଛି ଚିରଦିନ । ମାତ୍ର ନେତାଗଣ ଆମକୁ ସବୁବେଳେ ସଚେତ କରିଦେଲେଛନ୍ତି ଯେ ଜନତାର ଦୃଷ୍ଟି ସବୁବେଳେ ସଂକୁଚିତ ଏବଂ ସେଥିପାଇଁ ସେମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁନାହାନ୍ତି । ସୁଖ ଓ ସମୃଦ୍ଧିର ସେ ଯୁଗ ବର୍ତ୍ତମାନ ଆମରି ଦ୍ୱାରଦେଶରେ ।

 

ମାତ୍ରକ ଏହି ଦ୍ୱାର ଉନ୍ମୁକ୍ତ କରିବାପାଇଁ ଦୀର୍ଘ ଦଶ ବର୍ଷ ଲାଗିବ (ଦେଶର ଏତେ ଦୈର୍ଘ୍ୟ ଓ ପ୍ରସ୍ଥ ହେବାଟା ବି ଗୋଟାଏ ପ୍ରତିବନ୍ଧକର କାରଣ) । ଏଥିପାଇଁ ଆମରି ନେତାଗଣ ଏହି ମଧ୍ୟବର୍ତ୍ତୀ କାଳରେ ପ୍ରାନ୍ତୀୟ ସରକାରଙ୍କ ଜରିଆରେ ଅଧିକ ଶସ୍ୟ ଉତ୍ପନ୍ନ ଆନ୍ଦୋଳନକୁ ଜୋରସୋରରେ ଚଳେଇବା ଆରମ୍ଭ କରି ଦେଲେଛନ୍ତି । କ୍ଷୁଧା ରୂପକ ରୋଗକୁ ଦେଶରୁ ମୂଳୋତ୍ପାଟନ କରିବା ସଦୃଶ ପୂଣ୍ୟକାମରେ ଯିଏ ବି ହାତ ମିଳେଇବା ପାଇଁ ଚାହୁଁଛି ତାକୁ ସରକାର ଉଦାରତା ସହିତ ଟଙ୍କାପଇସା ସାହାଯ୍ୟ ଦେଉଛନ୍ତି ।

 

ଶ୍ରୀଯୁକ୍ତ ରାମମୋହନ ମିଶ୍ର ସୀତାପୁର ଜିଲ୍ଲାର ଏକ୍‍ଜିକ୍ୟୁଟିଭ ଇଂଜିନିୟର ଥିଲେ ଏବଂ ଇଂରେଜି ଶାସନକାଳରେ ତାଙ୍କରି ରିଟାୟର କରିବା ବର୍ଷକ ପୂର୍ବରୁ ପେନ୍‍ସେନ୍‍ ନେବାପାଇଁ ବାଧ୍ୟ ହୋଇଥିଲେ । ତାହା ତାଙ୍କରି ଦେଶଭକ୍ତି ଓ ରାଷ୍ଟ୍ରୀୟ ଆନ୍ଦୋଳନ ପ୍ରତି ଏ ଦେଶର ଶାସନଡୋରି ହାତରେ ଧଇଲେ ତାଙ୍କୁ ତାମିରା ମହାକୁମାରେ ପୁନର୍ନିଯୁକ୍ତି କରି ଚାକିରୀରେ ରଖାଗଲା ।

 

ମିଶ୍ର ମହାଶୟ ଦେଶସେବାର ଆଦର୍ଶରେ ଅନୁପ୍ରାଣିତ ହୋଇ ସୀତାପୁର ଜନତାର ଅବସ୍ଥାର ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ସହଳ ଗୋଟାଏ ଯୋଜନା ତିଆରି କରି ପକେଇଲେ । ଉତ୍ତରପ୍ରଦେଶ ସରକାରଙ୍କୁ ସେ ଗୋଟାଏ ରିପୋର୍ଟ୍ ପଠାଇଲେ, ଯାହାର ଭୂମିକାରେ ସେ ଲେଖିଲେ ଯେ ଗୋରା ଶାସକ ଏହି ଅଞ୍ଚଳକୁ ପୁରାପୂରି ଅକାଳ ମୁହଁରେଠେଲି ଦେଲେ ଯାଇଛି । ଗାଁ ସାରା ଜୁନ୍‍ ପର୍ଯ୍ୟନ୍ତ ଅର୍ଦ୍ଧେକ ଦିନ ଉପବାସରେ ରହନ୍ତି ଆଉ ଯେଉଁ କୃଷକ ଅପର ମୁହଁରେ ଖାଦ୍ୟ ଯୋଗାଏ ସିଏ ଘାସ ଖାଇ ଦିନ କଟାନ୍ତି । ସିଏ ରାମଗଡ଼ ନାମକ ଗୋଟାଏ ଗାଁର ଅବସ୍ଥା ପ୍ରତି ସରକାରଙ୍କ ତିକ୍ଷ୍‍ଣ ଦୃଷ୍ଟି ଆକର୍ଷଣ କଲେ ଯେଉଁଠି ଗତବର୍ଷ ଅନାବୃଷ୍ଟିଫଳରେ ଜଳାଭାବ ରହିଛି, ଯେଉଁଠି ମଣିଷ ଓ ପଶୁ—ଉଭୟଙ୍କ ଦଶା ଅବିଶ୍ୱାସ୍ୟ ଭାବରେ ବେଦନାଦାୟକ ହୋଇପଡ଼ିଛି ।

 

ଜଳାଭାବରୁ ଅକାଳ ପଡ଼ିବାର ସମ୍ଭାବନା ଥିଲା । ତେଣୁ ଏହି ଦୁର୍ଯୋଗରୁ ଉଦ୍ଧାର କରିବା ପାଇଁ ସିଏ ସରକାରଙ୍କୁ ପ୍ରସ୍ତାବ ଦେଲେ ଯେ ପାଣି ଜମାକରି ରଖିବାକୁ ଗୋଟାଏ ଜଳାଶୟ ଖନନ କରାଯାଉ । ଏହି ଜଳାଶୟ ଖନନ କରିବାକୁ ପ୍ରାୟ ପନ୍ଦରହଜାର ଟଙ୍କା ଖର୍ଚ୍ଚ ହିସାବରେ ପଡ଼ୁଛି । ମାତ୍ର ଏହି ଜଳାଶୟ ଫଳରେ କୋଡ଼ିଏ ହଜାର ଗୁଣଲାଭ ପ୍ରମାଣିତ ହେବ, କାହିଁକିନା ଏହି ଏଲାକାରେ ଏହାରି ଫଳରେ ଜନତା ଭିତରେ ରାଷ୍ଟ୍ରୀୟ ସରକାରଙ୍କ ପ୍ରତି ମମତା ବଢ଼ିଯିବ ଏବଂ ସେମାନେ ବୁଝିପାରିବେ ଯେ ତାଙ୍କରି ନିଜ ସରକାରଙ୍କ ମନରେ ସଦାସର୍ବଦା ତାଙ୍କରି ଉନ୍ନତି ଓ ମଙ୍ଗଳ ଚିନ୍ତା ରହିଛି । ଏହା ଫଳରେ ଲୋକଙ୍କ ମନରେ ଏହି ବିଶ୍ୱାସ ବଦ୍ଧମୂଳ ହେବ ଯେ ତାଙ୍କ ଅବସ୍ଥାର ଉନ୍ନତି ପାଇଁ ସରକାର କିଛି କାମ କରୁଛନ୍ତି ।

 

ମିଶ୍ର ମହାଶୟ ଏହା ବି ସୂଚେଇଦେଲେ ଯେ “ବିଦେଶୀ ଲୋକଙ୍କ ଧାରଣା ଅଧିକାଂଶ ଭାରତବାସୀ ଦୁଃଖକଷ୍ଟରେ ଜୀବନ କଟାନ୍ତି ଏବଂ ଆଜି ବି କଟାଉଛନ୍ତି, ତାଙ୍କୁ ଏହାବି ପ୍ରମାଣ କରାଯାଇପାରିବ ଯେ ଦେଶୀୟ ସରକାର ଏହି ଅବସ୍ଥାର ଉନ୍ନତି ସାଧନ କରୁଛନ୍ତି, ଏହି ପରିବର୍ତ୍ତନ ଯେତେ ମହତ୍ତ୍ୱହୀନ ବା ସ୍ୱଳ୍ପ ହେଉ ନା କାହିଁକି । ମାତ୍ର ସେ ଦିନ ପାଖେଇ ଆସୁଛି ଯେତେବେଳେ ଲକ୍ଷ ଗୃହ ସ୍ଥଳି ‘ହସିଉଠିବ’ ହଜାର ହଜାର ପାଠଶାଳା ଖୋଲା ହେବ ଆଉ ଜୀବନ ଧାରଣର ମାନ ହେବ ଉନ୍ନତତର; ସମସ୍ତ ଆବଶ୍ୟକୀୟ ପଦାର୍ଥ ଶସ୍ତା ହୋଇଯିବ । ସେ ଏହା ଉପରେ ବି ଜୋର ଦେଲେ ଲେଖିଲେ ଯେ ଯଦି ଆମେ ଦୁନିଆଁକୁ ସୂଚେଇ ଦେବାପାଇଁ ପଶ୍ଚାଦ୍‍ପଦ ହେବୁନାହିଁ ଯେ ଆମଦେଶରେ ଜୀବନ କଠିନ ନିଶ୍ଚୟ, ମାତ୍ର ଆମେ ତାକୁ ସୁଧାରିବା ପାଇଁ ଯତ୍‍ପରୋନାସ୍ତି ଚେଷ୍ଟା କରୁଥାଇଁ, ତେବେ ଦୁନିଆଁ ଆମରି ସତ୍ୟତା ଆଉ ଇମାନ୍‍ଦାରୀ ପାଇଁ ଆମକୁ ପ୍ରଶଂସା କରିବେ ଏବଂ ଆମକୁ ଡୋଲାର ଓ ବିଶ୍ୱବେଙ୍କରୁ କରଜ ଦେଲେ ନବଜୀବନ ରଚନାରେ ଆମକୁ ସାହାଯ୍ୟ କରିବେ ।

 

ଏହି ମାନପତ୍ରକୁ ମନ୍ତ୍ରିମଣ୍ଡଳରେ ପୂର୍ଣ୍ଣ ସ୍ୱାଗତ କରାଗଲା କାରଣ ଏହାକୁ ଦେଖିବାମାତ୍ରେ ଘରୋଇମନ୍ତ୍ରୀଙ୍କ ପୁରାତନ ସ୍ମୃତି ସଜାଗ ହୋଇଉଠିଲା । ତାଙ୍କର ମନେ ପଡ଼ିଲା ବାରବର୍ଷ ପୂର୍ବେ କେମିତି ତାଙ୍କୁ ମିଶ୍ର ମହାଶୟଙ୍କ ସୁନ୍ଦରୀ ପତ୍ନୀଙ୍କର ଗଭୀର ନିଷ୍ଠା ଥିଲା ଗାନ୍ଧିଜୀଙ୍କ ଉପରେ ଯାରି ଫଳରେ ସେ ଖଦଡ଼ ପରିଧାନ କରୁଥିଲେ ଆଉ ଚରଖାରେ ସୁତା କାଟୁଥିଲେ ।

 

ଏଥିପାଇଁ ଆସେମ୍ଳିର ଶରଦ୍‍କାଳୀନ ଅଧିବେଶନରେ ଯେତେବେଳେ ରାମଗଡ଼ ଜଳାଶୟ ତିଆରି ସାହାଯ୍ୟପାଇଁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ମଂଜୁରୀ ଆଗତ କରାଗଲା ସେତେବେଳେ ଆସେମ୍ଳି ଏହି ପ୍ରସ୍ତାବକୁ ବିନାବାଧାରେ ପାସ୍ କରିଦେଲେ ।

 

ସାର୍ବଜନୀନ ନିର୍ମାଣ ମନ୍ତ୍ରଣାଳୟରୁ ଆଦେଶ ଜାରିହେଲା ଯେ ଏହି ଜଳାଶୟର କାର୍ଯ୍ୟ ଯେତେ ଶୀଘ୍ର ହୋଇପାରେ ଶେଷ କରାଯାଉ କାହିଁକିନା ଏହାଫଳରେ କେବଳ ଯେ ରାମଗଡ଼ରଶସ୍ୟ ଉତ୍ପାଦନ ବଢ଼ିବ ଏମିତି ନୁହେଁ ପଞ୍ଜାବରୁ ଚାଲି ଆସୁଥିବା ଶରଣାର୍ଥୀମାନଙ୍କ ପାଇଁ ନୂତନ ଭୂମି ବି ଆବାଦ କରାଯାଇପାରିବ ।

 

ଶ୍ରୀଯୁକ୍ତ ରାମମୋହନ ମିଶ୍ର ଏହି ଜଳାଶୟ ତିଆରିପାଇଁ ବିସ୍ତୃତ ଓ ଜୋରଦାର ଯୋଜନା ତିଆରି କରିଦେଲେ । ସେ ଏ ବିଷୟରେ ସବୁଠୁ ଶ୍ରେଷ୍ଠ ନିର୍ମାଣ କୌଶଳ ଇଂଜିନିୟରମାନଙ୍କ ମତାମତ ଗ୍ରଥିତ ଗ୍ରନ୍ଥର ଆଶ୍ରୟ ନେଲେହେଁ ନେଯେ ଯୋଜନାପାଇଁ ସେ ଭାରତୀୟ ଶିଳ୍ପକଳା ଉପରେ ଲିଖିତ ଆଚାର୍ଯ୍ୟଗଣଙ୍କ ଟୀକାଗୁଡ଼ିକ ମୁଖ୍ୟ ଆଧାର ରୂପେ ଗ୍ରହଣ କଲେ । କାରଣ ଭାରତର ଉଜ୍ଜ୍ୱଳ ପରମ୍ପରାରେ ଜଳାଶୟ ଖନନ କଳା ପଛରେ ଯେଉଁ ଆଦର୍ଶ ଆଉ ଭାବନା ଛପି ରହିଛି ଯଥାସମ୍ଭବ ତାରି ଅନୁରୂପ ଜଳାଶୟ ଖନନ କରିବା ତାଙ୍କରି ଲକ୍ଷ୍ୟ ଥିଲା ।

 

ତାଙ୍କୁ ଶିଳ୍ପଶାସ୍ତ୍ରରୁ ବି ବହୁତ ସହାୟତା ମିଳିଲା । ଏହି ଶାସ୍ତ୍ରରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ବାୟୁ ପ୍ରଭୃତିର ସ୍ଥିତି ଅନୁସାରେ ପୁଷ୍କରିଣୀର ସ୍ଥଳ ଓ ଆକାର ପ୍ରକାର ସମନ୍ଧରେ ଶିଳ୍ପକଳାର ସୂକ୍ଷ୍ମାତୀସୂକ୍ଷ୍ମ ନିୟମ ଦିଆଯାଇଛି ।

 

ଏତେ ମେହେନତ କଲାପରେ ଯୋଜନା ତିଆରି କରି ସେ ତାକୁ ନିର୍ମାଣ ମନ୍ତ୍ରୀ ମହୋଦୟଙ୍କ ଅନୁମତି ପାଇଁ ପଠାଇଦେଲେ । ଏହି ଯୋଜନାର ଟେକନିକେଲ ଅଂଶ ଆଉ ତାର ନକ୍ସା କେବଳ ପେଶାଦାର ଇଂଜିନିୟରଙ୍କ ଗୋଚର ଥିଲା କାହିଁକି ନା ଏହି ଯୋଜନା ଜଣେ ହୋସିଆର ବିଶେଷଜ୍ଞ ତିଆରି କରି ପଠେଇଥିଲେ, ଏଥିପାଇଁ ସାର୍ବଜନୀନ ନିର୍ମାଣମନ୍ତ୍ରୀ ସହଳ ତାକୁ ମଂଜୁର କରିଦେଲେ । ଘରୋଇମନ୍ତ୍ରୀ ମହୋଦୟ ଶ୍ରୀଯୁକ୍ତ ରାମମୋହନ ମିଶ୍ରଙ୍କ ସୁନ୍ଦରୀ ପତ୍ନୀଙ୍କ ଅତୀତର ଆତିଥେୟତା ଭୁଲି ନଥିଲେ । ଏଥିପାଇଁ ସେ ମିଶ୍ର ମହାଶୟଙ୍କ ଦେଶଭକ୍ତି ନେଇ ନିର୍ମାଣମନ୍ତ୍ରୀଙ୍କୁ ସୁପାରିଶ କରି ତାଙ୍କର ବିଶ୍ୱାସ ଜାଗ୍ରତ କରିଥିଲେ ।

 

ଶ୍ରୀ ରାମମୋହନ ମିଶ୍ର ମଧ୍ୟ ଅନ୍ୟପକ୍ଷରେ ଜଳାଶୟ ଖନନ କାର୍ଯ୍ୟରେ ଲୁହଲହୁ ଏକାଠି କରିଦେଲେ । ଆମରି ଦେଶର ସାର୍ବଜନୀନ ନିର୍ମାଣ ବିଭାଗର ଅନ୍ୟାନ୍ୟ ଇଂଜିନିୟରଙ୍କ ଭଳି ମିଶ୍ର ମହାଶୟ କେବଳ ମାତ୍ର ଜଣେ ଇଂଜିନିୟର ନଥିଲେ, ସେ ଥିଲେ ଜଣେ କୁଶଳ ନିର୍ମାତା ଆଉ ଦକ୍ଷ ସଙ୍ଗଠକ । ଆଉ ଏହି ସୁଯୋଗ୍ୟ ସଜ୍ଜନ ଭାରତୀୟ ବାଙ୍ଣୟ ପ୍ରାପ୍ତ ହୋଇଥିବା ଶିଳ୍ପକଳା ସମନ୍ଧୀୟ ସାହିତ୍ୟ ସହିତ ମଧ୍ୟ ପରିଚିତ ଥିଲେ ଏବଂ ନିଜର ଦୈନିକ ପ୍ରାର୍ଥନା ଭଗବାନ ବିଶ୍ୱକର୍ମାଙ୍କୁ ଆବାହନ କରୁଥିଲେ, ଅତଏବ ଏହି ମହାଶୟ କୁଶଳ ନିର୍ମାଣ କଳାରେ ସିଦ୍ଧିଲାଭ କରିଥିଲେ ।

 

‘ଛ’ ମାସ ଭିତରେ ଏହି ପୁଷ୍କରିଣୀ ଖନନ କାର୍ଯ୍ୟ ଶେଷ ହୋଇଗଲା ଏବଂ ଶ୍ରୀଯୁକ୍ତ ରାମମୋହନ ମିଶ୍ର ଏହାର ରିପୋର୍ଟ୍ ସାର୍ବଜନୀନ ନିର୍ମାଣ ବିଭାଗମନ୍ତ୍ରୀ ପାଖକୁ ପଠେଇ ଦେଲେ । ଏହି ରିପୋର୍ଟ୍ ସେକ୍ରେଟେରୀଏଟ୍ ଫାଇଲ ଭିତରେ ସୁରକ୍ଷିତ ହୋଇରହିଲା । ଏହି ପୁଷ୍କରିଣୀ ନିର୍ମାଣରେ ଶ୍ରୀ ରାମମୋହନ ମିଶ୍ରଙ୍କ ଆଶ୍ଚର୍ଯ୍ୟଜନକ ଯୋଗ୍ୟତା ଦେଖି ତାଙ୍କୁ ପଞ୍ଜାବର ବାଖ୍ରାନଙ୍ଗଳ ବନ୍ଧର ଉପଦେଷ୍ଟା ରୂପେ ବଛାଗଲା ଆଉ ତାଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀଙ୍କ ସେକ୍ରେଟେରୀଙ୍କ ଜଣେ ବଂଧୁ ଶ୍ରୀ ଜାନକୀଦାସଙ୍କୁ ସୀତାପୁର ଜିଲ୍ଲାର ଇଂଜିନିୟର ରୂପେ ନିଯୁକ୍ତି ପତ୍ର ଦିଆହେଲା । ମି: ଜାନକୀ ଦାସ ଅଳ୍ପଦିନ ତଳେ ଏହି ବିଦ୍ୟାରେ ସର୍ବୋଚ୍ଚ ଡିଗ୍ରୀ ଲାଭକରି ଆମେରିକାରୁ ଫେରିଥିଲେ ।

 

ଏହି ନିଯୁକ୍ତିନେଇ ଆସେମ୍ଳିରେ କେତେକ ପ୍ରଶ୍ନ ଉଠିଥିଲା । କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ବିରୋଧିଦଳ ଏ ବିଷୟରେ ପାତରଅନ୍ତର କରିଥିବାର ଅଭିଯୋଗ ବି ଆଣିଥିଲେ । ମାତ୍ର ବାକ୍‍ବିତଣ୍ଡାର ଉଷ୍ଣତା ସହଳ ଥଣ୍ଡା ପଡ଼ିଗଲା, କାହିଁକିନା ଆମରି ଦେଶରେ ଯୋଗ୍ୟ ଇଂଜିନିୟରଙ୍କ ଅଭାବ ।

 

ଚାର୍ଜନେବାର କିଛିଦିନପରେ ମି: ଜାନକୀ ଦାସ, ଶ୍ରୀଯୁକ୍ତ ରାମମୋହନ ମିଶ୍ରଙ୍କୁ ସାକ୍ଷାତ୍‍କରି କଥା ପ୍ରସଙ୍ଗରେ ରାମଗଡ଼ର ସୁନ୍ଦର ପୁଷ୍କରିଣୀ ତଥା ଉତ୍‍ଥାପନ କଲେ । ଏହି କଥାବାର୍ତ୍ତାରୁ ଜଣାଗଲା ସେ ଯୋଜନାକାରୀଙ୍କ ଅସାବଧାନତାବଶତଃ ଗାଁ ଲୋକଙ୍କ ଗାଧୋଇବା, ଲୁଗା ପରିଷ୍କାର କରିବା ତଥା ମାଠିଆରେ ପାଣିନେବା ସୁବିଧାପାଇଁ ପାହାଚ ତିଆରି ହୋଇନାହିଁ । ଏ ବର୍ଷର ଅନାବୃଷ୍ଟି ଫଳରେ ଜଳାଶୟରୁ ପାଣି ବହୁତ କମିଯାଇଛି ଯାରିଫଳରେ ଗାଁ ଲୋକଙ୍କ ଅସୁବିଧା ଆହୁରି ବଢ଼ିଯାଇଛି । ଶ୍ରୀ ରାମମୋହନ ମିଶ୍ର ଜଣାଇଲେ ଯେ ଏ ପ୍ରସଙ୍ଗରେ ତାଙ୍କ ପାଖକୁ ଗାଁ ଲୋକଙ୍କ ପାଖରୁ ଅଭିଯୋଗ ଆସିଛି । ଆଉ ମୋର ପୂର୍ଣ୍ଣବିଶ୍ୱାସ ହୋଇଛି ଯେ ନିର୍ମାଣର ଏହି ମହତ୍ତ୍ୱପୂର୍ଣ୍ଣ ଅଙ୍ଗପ୍ରତି ଆଖି ବୁଜିଦେଲେ ଆପଣ ଭୟଙ୍କର ଭୁଲ୍ କରିଛନ୍ତି । ମିଶ୍ର ମହାଶୟ ନ ଲେଖିବା ପାଇଁ ନିର୍ଦ୍ଦେଶ କରିବା ପରିବର୍ତ୍ତେ ପୁଷ୍କରିଣୀର ଗୋଟାଏ ପାର୍ଶ୍ୱରେ ପାହାଚ ତିଆରି କରିବାପାଇଁ ସରକାରଙ୍କୁ ପନ୍ଦରହଜାର ଟଙ୍କା ମଂଜୁର ଦେବାପାଇଁ ଅନୁରୋଧପତ୍ର ଲେଖିବାକୁ ଉପଦେଶ ଦେଲେ ।

 

ମି: ଜାନକୀ ଦାସଙ୍କ ମନରେ ବୃଦ୍ଧ ଇଂଜିନିୟର ଙ୍କ ପ୍ରତି ମୋଟେ ଦୟା ନ ଥିଲା । ମାତ୍ରକ ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ହୋଇଥିବା ପାର୍ଟିରେ ଯେତେବେଳେ ସେ ତାଙ୍କର ଷୋଡ଼ଶୀକନ୍ୟାର ସାହାଚର୍ଯ୍ୟ ଲାଭ କଲେ, ସେତେବେଳେ ସେ ଭାବିନେଲେ ଯେ ବୃଦ୍ଧଙ୍କର ଭୁଲ୍ ସୁଧାରିନେବା ପାଇଁ ପାହାଚ ତିଆରି କରିବା ଯୋଗ୍ୟତା ସେ ସହଜରେ କରିପାରିବେ ।

 

ଏଥିପାଇଁ ସେ ସାର୍ବଜନୀନ ନିର୍ମାଣ ବିଭାଗର ମନ୍ତ୍ରୀ ମହୋଦୟଙ୍କ ସେବାରେ ଗୋଟାଏ ମାନପତ୍ର ପଠେଇଲେ । ଯହିଁରେ ଜଣାଇ ଦିଆଗଲ ଯେ ପ୍ରଥମେ ପୁଷ୍କରିଣୀ ଖନନ କେବଳ କୃଷି କ୍ଷେତ୍ରରେ ଜଳସେଚନ ପାଇଁ କରାହୋଇଥିଲା; ସିଏ ବି ଖୁବ୍ କମ୍ ଖର୍ଚ୍ଚରେ । ଏହାର ଉପଯୋଗିତା ସିଦ୍ଧ ହୋଇଯାଇଛି । ବର୍ତ୍ତମାନ କୃଷକମାନଙ୍କ ଅତ୍ୟାବଶ୍ୟକ ଘରୋଇ କାମକୁ ସୁଚାରୁରୂପେ ନିର୍ବାହ କରିବାପାଇଁ ପନ୍ଦର ହଜାର ଟଙ୍କା ଖର୍ଚ୍ଚକରି ଏଥିରେ ପାହାଚ ବି ତିଆରି ହେବା ଉଚିତ । ଏହା ଫଳରେ ରାମଗଡ଼ କୃଷକ ମାନଙ୍କର ଯେଉଁ ପରିମାଣରେ ଲାଭ ହେବ ତାରି ତୁଳନାରେ ଏ ଖର୍ଚ୍ଚର ପରିମାଣ କିଛି ନୁହେଁ । ଶ୍ରୀଯୁକ୍ତ ମିଶ୍ର କମ୍‍ ଟଙ୍କା ଭିତରେ ବହୁ କଷ୍ଟରେ ଏ ପୁଷ୍କରିଣୀର ଖନନ କାର୍ଯ୍ୟ ସମାପ୍ତ କରି ପାରିଛନ୍ତି ଏଣୁ ଏଥିରେ ପାହାଚ ତିଆରି ହୋଇପାରିନାହିଁ-

 

ସାର୍ବଜନୀନ ନିର୍ମାଣ ମନ୍ତ୍ରୀ ଏହି ଦଲିଲ୍ ଦ୍ୱାରା ପ୍ରଭାବିତ ହୋଇପଡ଼ିଲେ । ଏ ବିଷୟ ମନ୍ତ୍ରୀମଣ୍ଡଳରେ ଉପସ୍ଥାପିତ କରିବାକୁ ତାଙ୍କୁ ପ୍ରାର୍ଥନା କରାଯାଇଥିଲା । ଶ୍ରୀଯୁକ୍ତ ରାମମୋହନ ମିଶ୍ରଙ୍କୁ ମଧ୍ୟ ମନ୍ତ୍ରୀ ମହୋଦୟଙ୍କ ସହିତ ସାକ୍ଷାତ କରିବାର ସୁ-ଅବସର ମିଳିଗଲା ସିଏ ବି ମି: ଜାନକୀ ଦାସ ଦେଲେଥିବା ମାନପତ୍ର ଉପରେ ପ୍ରଭୃତ ଜୋରଦେଲେ । ମନ୍ତ୍ରୀ ମହୋଦୟଙ୍କୁ ଜଣେ ବିଶେଷଜ୍ଞଙ୍କର ଉପଦେଶ ମଧ୍ୟ ମିଳିଗଲା । ତେଣୁ ସେ ଏ ବିଷୟରେ ସୁପାରିଶ ଦେଲେ ମନ୍ତ୍ରୀମଣ୍ଡଳରେ ପେଶ୍ କରିଦେଲେ । ଆଗାମୀ ବଜେତ ଅଧିବେଶନରେ ରାମଗଡ଼ ଜଳାଶୟର ପାହାଚ ପାଇଁ ପନ୍ଦର ହଜାର ଟଙ୍କା ବ୍ୟୟମଞ୍ଜୁର ହୋଇଗଲା ।

 

ଆଧୁନିକ ଭାରତରେ ନବୀନ ଜୀବନ ଧାରଣ ପାଇଁ ନୂତନ ନୂତନ ଚିନ୍ତାଧାରା ପ୍ରଚଳିତ ହୋଇ ପଡ଼ିଛି । ତଦନୁସାରେ ବିବାହ ସମ୍ବନ୍ଧଟା ବିଧାତାଙ୍କ ଲେଖନୀ ଅନୁସାରେ ନୁହେଁ, ଦୁନିଆଦାରିର—ସୁବିଧା ମୁତାବକ ହେଉଛି—ପରଲୋକ ପାଇଁ ନୁହେଁ, ଇହଲୋକ ପାଇଁ କରାଯାଉଛି ଏଥିପାଇଁ ଏଥିରେ ଲୌକକହିତ ଅହିତ ପ୍ରତି ପୂରାମାତ୍ରାରେ ଧ୍ୟାନ ରଖଯାଉଛି । ରାମଗଡ଼ର ଲୋକମାନଙ୍କ ପାଇଁ ଜଳାଶୟରେ ଯେଉଁ ପାହାଚ ତିଆରି କାମ ଚାଲୁଥିଲା ତାହାରି ଅବଶ୍ୟମ୍ଭାବି ପରିଣାମ ହେଲା ଯେ ମି: ଜାନକୀ ଦାସଙ୍କ ସହିତ ଶ୍ରୀଯୁକ୍ତ ରାମ ମୋହନ ମିଶ୍ରଙ୍କ ଷୋଡ଼ଶୀ ସୁନ୍ଦରୀ କନ୍ୟାର ବିବାହ ସମ୍ପନ୍ନ ହୋଇଗଲା । ଆଉ ଏହିଭଳି ଭାବରେ ଅକାଳ ପାଇଁ ରାମଗଡ଼ର କୃଷକମାନଙ୍କୁ ସାହାଯ୍ୟ କରୁଥିବା ଦେଶ ସେବକ ପରିବାରରେ ମି: ଜାନକୀ ଦାସ ଏକ ଅଭିନ୍ନ ଅଂଗ ହୋଇଗଲେ । ତାଙ୍କରି ଖ୍ୟାତି ଓ ଶକ୍ତି ଏହାରି ଫଳରେ ଆହୁରି ବଢ଼ିଗଲା ।

 

ଶ୍ରୀଯୁକ୍ତ ରାମମୋହନ ମିଶ୍ରଙ୍କ ଭଳି ଉଚ୍ଚ ପରିବାରରେ ବିବାହ କରିବାପରେ ମି: ଜାନକୀ ଦାସ କେବଳ ସୀତାପୁର ଭଳି ଛୋଟ ଜିଲ୍ଲାରେ ରହିଯିବେ, ଏହା କିପରି ସମ୍ଭବ ହୁଅନ୍ତା ! ସେଥିପାଇଁ ସେ ଗୋଟାଏ ବିଲାତି ଫାର୍ମରେ (ଯାହା କଲିକତାର ଜଣେ ମାରବାଡ଼ି ସେଠ୍‍ କିଣି ନେଇଥିଲେ) ଯନ୍ତ୍ରପାତିର ଦେଖା ଶୁଣା ଇଂଜିନିୟର ପଦରେ ନିଯୁକ୍ତି ପାଇଲେ । ମି: ଜାନକୀ ଦାସଙ୍କ ଜାଗାରେ ଶ୍ରୀଯୁକ୍ତ ମିଶ୍ର ଜଣେ ନୂତନ ଯୁବକ ଇଂଜିନିୟରଙ୍କୁ ନିଯୁକ୍ତ କରିଦେଲେ । ଏହି ଇଂଜିନିୟର ମହୋଦୟ ତାଙ୍କ ବଡ଼ ଭଉଣୀଙ୍କ ପୁଅ । ମି: ରାମ ଗୋପାଳ ସାର୍ବଜନୀନ ନିର୍ମାଣ ବିଭାଗରେ ଜଣେ ମାମୁଲି ଓଭରସିଅର ଥିଲେ । ମାତ୍ରକ ଆପଣାର କଠିନ ପରିଶ୍ରମ ଫଳରେ ସେ ଡାକଦାରା ହେଉଥିବା ପାଠପଢ଼ିରୁ ଗୋଟାଏ ସାର୍ଟିଫିକେଟ୍‍ ହାସଲ କରିଥିଲେ ଏବଂ ଆମେରିକାର ଏହି ଧରଣର ଗୋଟାଏ ଏସୋସିଏସନରେ ସଭ୍ୟ ହୋଇଥିଲେ ଯେଉଁଠି କିଛି ଦିଆନିଆ କରି ଆପଣା ସଦସ୍ୟମାନଙ୍କୁ ଉକ୍ତ ଅନୁଷ୍ଠାନରୁ ପୁରସ୍କୃତ କରାଯାଏ । ଶ୍ରୀଯୁକ୍ତ ମିଶ୍ରଙ୍କ ହାତ ସରକାରଙ୍କୁ ଏକ ଲମ୍ବା ରିପୋର୍ଟ ପେସ୍ କରିଥିଲେ । ଏଥିପାଇଁ ମି: ରାମଗୋପାଳଙ୍କ ପାଇଁ ତାଙ୍କରି ସୁପାରିଶ ମଂଜୁର କରାଗଲା ।

 

କେବଳ ଏତିକି ନୁହେଁ ଶ୍ରୀଯୁକ୍ତ ରାମମୋହନ ମିଶ୍ର ଏବଂ ନୂତନ ଇଂଜିନିୟର ମି: ରାମଗୋପାଳ ରାମଗଡ଼ ପୁଷ୍କରିଣୀର ଉନ୍ନତିପାଇଁ ଯେଉଁ ନୂତନ ରିପୋର୍ଟ ପେସ୍ କଲେ ତାହା ବି ମଂଜୁର ହୋଇଗଲା । ମି: ରାମଗୋପାଳ ଲେଖିଥିଲେ ଯେ ଏହି ଦୁଇବର୍ଷ ଭିତରେ ଜଳାଶୟ ତଳେ ବହୁତ ପଂକ ଜମା ହୋଇଯାଇଛି, ଯାହା ଫଳରେ ପ୍ରାକୃତିକ ସୁଅର ମୁହଁ ବନ୍ଦ ହୋଇଯାଇଛି ଯେଉଁଠାରୁ ପ୍ରଥମରେ ପାଣି ବାହାରୁଥିଲା ।

 

ଏହି ଜଳାଶୟର ଆଖପାଖରେ ଥିବା କୃଷକମାନଙ୍କ ଶସ୍ୟକ୍ଷେତ୍ରକୁ ଜଳସେଚନର ସୁବିଧା ମିଳୁଥିଲା । ଏକ ପକ୍ଷରେ ଏହି ଜଳାଶୟଟି ଏହି କ୍ଷେତ୍ରମାନଙ୍କ ପାଇଁ ଥିଲା ଅମୃତାର ଧାରା-। ମାତ୍ରକ ଜୀବନର ଏହି ଅମୃତ ସମ୍ପୂର୍ଣ୍ଣରୂପେ ଶୁଷ୍କ ହୋଇଯିବା ପୂର୍ବରୁ ପଂକୋଦ୍ଧାର କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା ଏଣୁ ଦୁହେଁ ପୁନରାୟ ପନ୍ଦର ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ସୁପାରିଶ୍‍ କଲେ ।

 

ସାର୍ବଜନୀନ ନିର୍ମାଣମନ୍ତ୍ରୀ ବିଚାର କଲେ ଯେ ଏହି ଅଳ୍ପ ଖର୍ଚ୍ଚକୁ ବଞ୍ଚେଇବାକୁ ଯାଇ କାହିଁକି ଜଳସ୍ରୋତକୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ପାଇଁ ଦିଆହେବ । ଏଥିପାଇଁ ସେ ଏହି ମାନପତ୍ରକୁ ମନ୍ତ୍ରିମଣ୍ଡଳରେ ଉପସ୍ଥାପିତ କରିଦେଲେ । ମନ୍ତ୍ରିମଣ୍ଡଳ ସାଧାରଣ କାମ ଭଳି ଏହି ଟଙ୍କା ବି ମଂଜୁର କରିଦେଲେ ।

 

ରାମଗଡ଼ ଜଳାଶୟର ପଂକୋଦ୍ଧାରର ପ୍ରଗତି ସମ୍ପର୍କରେ ରିପୋର୍ଟ୍ ନିୟମିତ ନିର୍ମାଣ ବିଭାଗ ମନ୍ତ୍ରୀଙ୍କ ପାଖକୁ ଆସୁଥିଲା । ଏହି ସମୟରେ ମି: କାଣ୍ଡର ନାମକ ଜଣେ ବିଲାତି ଇଞ୍ଜିନିୟର ରାଷ୍ଟ୍ରୀୟ ସରକାରଙ୍କ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଦେଶସାରା ଦୌରା ଆରମ୍ଭ କଲେ । ତାଙ୍କୁ କେନ୍ଦ୍ରୀୟ ସରକାର ନିଯୁକ୍ତ କରିଥିଲେ ଏଣୁ ବିଭିନ୍ନ ପ୍ରଦେଶର ନିର୍ମାଣ ବିଭାଗମନ୍ତ୍ରୀ ତାଙ୍କୁ ସାକ୍ଷାତ କଲେ ଏବଂ ଲକ୍ଷ୍ନୌରେ ଫାଇଲ ଦେଖୁ ଦେଖୁ ତାଙ୍କୁ ରାମଗଡ଼ ଜଳାଶୟର ଫାଇଲ ବି ଦେଖିବାକୁ ମିଳିଲା ।

 

ରାମଗଡ଼ ଜଳାଶୟ ନେଇ ନିର୍ମାଣ ବିଭାଗ ମନ୍ତ୍ରୀଙ୍କ ଗୁରୁ ଅଭିମାନ ରହିଥିଲା । କାରଣ ଜନତାର ସେବା ପାଇଁ ଗଣତନ୍ତ୍ର ସରକାର ଯଦି କୌଣସି ଆଦର୍ଶ ନର୍ମାଣ କାର୍ଯ୍ୟ କରିଛନ୍ତି ତ, ସେ ହେଉଛି ରାମଗଡ଼ ଜଳାଶୟ । ଏଥିପାଇଁ ଇଂରେଜ ଇଞ୍ଜିନିୟର ଏହି ଜଳାଶୟକୁ ଦେଖିବାକୁ ଗଭୀର ଇଚ୍ଛା ପ୍ରକାଶ କଲେ ।

 

ସାର୍ବଜନୀନ ନିର୍ମାଣ ବିଭାଗ ମନ୍ତ୍ରୀ ସୀତାପୁରର ଇଞ୍ଜିନିୟର ମି: ରାମଗୋପାଳଙ୍କୁ ଡକେଇ ଆଣିବା ପାଇଁ ଆଦେଶ ଦେଲେ । ମି: ରାମଗୋପାଳ କହିଲେ ପ୍ରଥମତଃ ତାଙ୍କର ଶରୀର ଅସୁସ୍ଥ, ଆଉ ଦ୍ୱିତୀୟତଃ ମି: କାଣ୍ଡର ଟିକିଏ ଆଗରୁ ଖବରଦେବା ଉଚିତ ଥିଲା । କାହିଁକି ନା ରାମଗଡ଼ରେ ଗୋଟାଏ ଭଲ ତମ୍ବୁର ବନ୍ଦୋବସ୍ତ ହୋଇଥାନ୍ତା ଆଉ ଇଂରେଜ ଅତିଥିଙ୍କ ପାଇଁ ଇଂରେଜୀ ଚବ୍ୟଚୋଷ୍ୟର ବନ୍ଦୋବସ୍ତ ହୋଇଥାନ୍ତା । ପୁଣି ରାମଗଡ଼ ଏମିଟି ଏକ ଜାଗା ଯେଉଁଠିକି ସ୍ୱୟଂ ଭଗବାନ ମଧ୍ୟ ଯିବାକୁ ଭୟ କରନ୍ତି । ତେଣୁ ସେଠି କୌଣସି ୟୁରୋପିୟାନ୍ ଅଫିସର ରହିବା କଠିନ । ମି: ରାମଗୋପାଳ ଉପଦେଶ ଦେଲେ ଯେ ଯଦି ମି: କାଣ୍ଡର ଆସନ୍ତା ବର୍ଷ ଶରତ୍ ଋତୁରେ ଆସନ୍ତି ତେବେ ଶ୍ରୀଯୁକ୍ତ ରାମମୋହନ ମିଶ୍ରଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇଯିବ ଏବଂ ଏହି ସମୟ ଗାଁରେ ବୁଲିବା ଓ ଚଢ଼େଇ ଶିକାର କରିବାର ପ୍ରକୃଷ୍ଟ ସମୟ ।

 

ଦୁର୍ଭାଗ୍ୟ ବଶତଃ ମି: କାଣ୍ଡର ଥିଲେ ଉଡ଼ନ୍ତା ଚଢ଼େଇ ଏବଂ ଜଳାଶୟଟି ତୁରନ୍ତ ଦେଖିବା ପାଇଁ ଚାହୁଁ ଥିଲେ କାରଣ ଆଉଥରେ ସୁବିଧା ମିଳିପାରେ କି ନା ସନ୍ଦେହ । ଆଉ ସେ ଥିଲେ । ଖାଣ୍ଟି ଆଉ ଚତୁର ଇଂରେଜ ପୁଣି ସେ ଦେଖିବାକୁ ଇଂରେଜ ଦେଲେଥିବା ସ୍ୱାଧୀନତା ଭାରତୀୟମାନେ କେମିତି ବ୍ୟବହାର କରୁଛନ୍ତି ତେଣୁ ସିଏ ମାନନୀୟ ମନ୍ତ୍ରୀଙ୍କୁ ଜୋର୍ ଦେଲେ କହିଲେ ଯେ ଯଦି ଶନିବାର ଦିନ ମନ୍ତ୍ରୀମହୋଦୟଙ୍କ ଅନ୍ୟକିଛି ଜରୁରୀ କାମ ନାହିଁ ତେବେ ତାଙ୍କ ସହିତ ରାମଗଡ଼ ଜଳାଶୟ ଦେଖିଯାଆନ୍ତେ ।

 

ମି: କାଣ୍ଡରଙ୍କ ସୁବିଧା ଅସୁବିଧା ଦେଖିବା ନିର୍ମାଣମନ୍ତ୍ରୀଙ୍କ ଦାୟିତ୍ୱରେ ଥିଲା, ଏଥିପାଇଁ ସପ୍ତାହର ଶେଷ ଦିନରେ ରାମଗଡ଼ ଯିବାପାଇଁ ସ୍ଥିର କରାଗଲା । ।

 

ରାମଗଡ଼ ଭଳି ଅଜ୍ଞାତ ଆଉ କ୍ଷୁଦ୍ର ଗ୍ରାମକୁ ଯାଇଥିବା ରାସ୍ତା, ଜଙ୍ଗଲୀ ବୁଦା ଆଉ ଧୂଳିରେ ଭର୍ତ୍ତି ହୋଇଥଲା ଏଣୁ ମୋଟରଟିକୁ ନେବାକୁ ଡ୍ରାଇଭରକୁ ବହୁ ପ୍ରୟାସ କରିବାକୁ ପଡ଼ିଥିଲା । ଶେଷରେ କେତୋଟି ଭଙ୍ଗାକୁଡ଼ିଆ ଠିଆ ହୋଇଥିବା ଗୋଟାଏ ସ୍ଥାନରେ ମୋଟରଟି ଠିଆହେଲା ଯାହାକୁ ମଫସଲର ଲୋକେ ରାମଗଡ଼ ବୋଲି କହୁଥିଲେ ।

 

ମୋଟରରେ ବସିଥିବା ଯାତ୍ରୀଗଣ ଗ୍ରାମବାସୀଙ୍କୁ ଶସ୍ୟ କ୍ଷେତ୍ରରେ ଜଳସେଚନ ପାଇଁ ନିର୍ମାଣ ହୋଇଥିବା ଜଳାଶୟଟି ଦେଖାଇବା ପାଇଁ କହିଲେ । କୃଷକଗଣ କହିଲେ ଏଥି ସେପରି ଜଳାଶୟ ନାହିଁ ।

 

ସାର୍ବଜନୀନ ନିର୍ମାଣ ବିଭାଗ ମନ୍ତ୍ରୀ ଥିଲେ ଗାଁରେ ରହିବା ଲୋକ ଏବଂ ସେ ଖୁବ୍‍ ଭଲଭାବରେ ଗାଁ ଲୋକଙ୍କ ଭାଷା କହି ଏବଂ ବୁଝି ପାରୁଥିଲେ । ତଥାପି ସେ ବୁଝିଲେ ଯେ ଗ୍ରାମବାସୀଗଣ ତାଙ୍କର ଉଦ୍ଦେଶ୍ୟ ବୁଝି ପାରିଲେ ନାହିଁ । ତେଣୁ ସେ ଶେଷରେ ଗାଁର ମୁଖିଆକୁ ସେ ଜଳାଶୟ ନେଇ ପ୍ରଶ୍ନ ପଚାରିଲେ । ବୁଢ଼ା ନିର୍ବାକ୍ ହୋଇ ନିଃଷ୍ପଳକ ଭହବରେ ଚାହିଁ ରହିଲା ।

 

ତାହାର ଚେହେରା ଫିକା ପଡ଼ିଗଲା । କେବଳ ତାଙ୍କୁ ‘କିଛି ଜଣା ନାହିଁ’ ଏପରି ଭାବରେ ହଲେଇବାକୁ ଲାଗିଲା । ସ୍ଥାନୀୟ ପୋଲିସ ମଧ୍ୟ ଏହିପରି ଭାବରେ ମୁଣ୍ଡ ହଲେଇ ଦେଲେ । ଯାତ୍ରୀଗଣ ସିଧା ଲକ୍ଷ୍ନୌ ଫେରିଆସିଲେ । ଭୋକଶୋଷ ଛାଡ଼ିଗଲେ ଲୋକ ଗମ୍ଭୀର ହୋଇଉଠନ୍ତି-। ମି: କାଣ୍ଡାର ଭାରତାର ପ୍ରଧାନ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଲେ ମାତ୍ର ପ୍ରଧାନମନ୍ତ୍ରୀ ଆଜିକାଲି ଦେଶର ବଡ଼ ବଡ଼ ସମସ୍ୟା ନେଇ ବ୍ୟସ୍ତ ।

 

ରାମଗଡ଼ ଜଳାଶୟର ଖବର କୌଣସିପ୍ରକାରେ ଜନସାଧାରଣରେ ପ୍ରକାଶ ପାଇଗଲା ଏବଂ ଏହାରି ଉପରେ ଆସେମ୍ଳିରେ ଗୋଟାଏ ପ୍ରଶ୍ନ ବି ଆସିଲା ।

 

ସାର୍ବଜନୀନ ନିର୍ମାଣମନ୍ତ୍ରୀ ଉତ୍ତରଦେଲେ କହିଲେ ଯେ ଏ ବିଷୟରେ ତଦନ୍ତ ହୋଇ ପ୍ରକୃତ ତଥ୍ୟ ସଂଗ୍ରହ କରାଯାଉଛି ।

 

କାରଣ ଏ ବିଷୟରେ ସାକ୍ଷୀ ଥିଲେ ଶ୍ରୀ ରାମମୋହନ ମିଶ୍ର ଯିଏ ହଠାତ୍ ହୃତଯନ୍ତ୍ରକ୍ରିୟା ବନ୍ଦ ହୋଇଯିବା ଫଳରେ କିଛି ଦିନ ତଳେ ଇହଲୋକ ତ୍ୟାଗ କରିସାରିଥିଲେ ତେଣୁ ସ୍ୱର୍ଗ କିମ୍ବା ନରକରେ ଏହି ପ୍ରଶ୍ନର ଉତ୍ତର ପାଇବାଭଳି ଆଉ ସମ୍ଭବ ଦେଖାଯାଉନାହିଁ ।

Image

 

ଡେଡ୍-ଲେଟର୍‍

–କେ. ଏ. ଆବାସ–

 

[କେ. ଏ. ଆବାସ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ବିସ୍ମୟ । ଆବାସ କେବଳ ଗାଳ୍ପିକ ଓ ଔପନ୍ୟାସିକ ନୁହନ୍ତି, ସେ ଜଣେ ପ୍ରଗତିଶୀଳ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ । ତାଙ୍କରି ପରିଚାଳିତ “ଶିଶେ କି ଦିବାର“ “ସହର ଔର ସପନା” ଓ ଶିଶୁ ଚଳଚିତ୍ର “ମୁନ୍ନା” ବିଶେଷ ଭାବରେ ଲୋକପ୍ରିୟ । ଆବାସଙ୍କ ଲିଖିତ ଅଧିକାଂଶ ଗଳ୍ପ ଉପନ୍ୟାସ ଓ ପରିଚାଳିତ ଚଳଚିତ୍ର ଗୁଡ଼ିକରେ ଏକ ସମାଜବାଦୀ ଦୃଷ୍ଟିଭଙ୍ଗିର ଛାପ ଦେଖିବାକୁ ମିଳେ । ତାଙ୍କର ଅନେକ ପୁସ୍ତକ ଇଂରାଜୀ ଓ ଋଷ୍‍ ଭାଷାରେ ଅନୁଦିତ ହୋଇଛି ।]

Image

 

“ଡାର୍ଲିନା ।”

 

“ଉଁ’’

“ପ୍ରସାଦ ଆଜି ବ୍ରିଜ୍ ଓ ଡ଼ିନର ପାଇଁ ନିମନ୍ତ୍ରଣ କରିଛି ମନେ ଅଛି ନା ?”

 

“ହଁ ।”

 

“ତାହାହେଲେ ମୁଁ ଅଫିସରୁ ଠିକ୍ ସାଢ଼େ ପାଞ୍ଚଟାରେ ଫେରିବି, ତୁମେ ଯେମିତି ପ୍ରସ୍ତୁତ ଥିବା ।”

 

“ହଁ, ହଁ, ହଁ,’ ।” ଏହି ବୈବାହିକ ଜୀବନର ବାରବର୍ଷ ଭିତରେ ନିଜର ପତ୍ନୀ ମୁହଁରୁ କେବଳ ଏହି ଏକାକ୍ଷରୀ ମନ୍ତ୍ର ‘ହଁ’ ଟି ଶୁଣିବାକୁ ପାଇଛି । ଦଶୋଟି ପ୍ରଶ୍ନରୁ ପ୍ରାୟ ନଅଟିର ଉତ୍ତର କେବଳ ‘ହଁ’ ଦ୍ୱାରା ହିଁ ଆଶା କରାଯାଏ । ଯେପରି ପୋଷା ସାରୀ ମୁଖସ୍ଥ କରି କହୁଛି ‘‘ହଁ, ହଁ, ହଁ ।’’

 

ନାରାୟଣଗଞ୍ଜ ଜିଲାର ଡେପୁଟି କମିଶନର ସୁଧୀର ସକ୍‍ସେନା ଆଇ. ସି. ଏସ. ଦୁନିଆର ସୌଭାଗ୍ୟଶାଳୀ ଲୋକଙ୍କ ମଧ୍ୟରୁ ଅନ୍ୟତମ ଏହା ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି । ମୋଟା ଦରମା ପ୍ରାପ୍ତ ଗେଜେଟେଡ଼୍ ଅଫିସର, ଆରାମପ୍ରଦ ଫ୍ରି କ୍ୱାଟର । ତହିଁରେ ପୁଣି ଉଚ୍ଚଶିକ୍ଷିତା ଆଧୁନିକା ପତ୍ନୀ ବିମଳା, ଯେ କି କମିଶନର ସାହେବଙ୍କ ସହିତ ବ୍ରିଜ୍ ଖେଳିପାରେ, ରାମନଗର ରାଜାସାହେବଙ୍କ ସାଥିରେ ଡାନ୍ସ କରିପାରେ । ତିନୋଟି ଚତୁର ଓ ସୁକୁମାର ଶିଶୁର ମା’ ସେ ।

 

ସବୁଠୁ ବଡ଼ ରଣଧୀର, ଯେ କି ଦଶବର୍ଷ ବୟସରେ ନୈନିତାଲର ଗୋଟାଏ ଇଂରାଜୀ ସ୍କୁଲରେ ଜୁନିୟର କେମ୍ବ୍ରିଜ୍ରେ ପଢ଼େ—ସେ କ୍ଲାସ୍‍ର କ୍ରିକେଟ୍ ଖେଳାଳୀମାନଙ୍କର କେପଟେନ୍‍—କଥାବାର୍ତ୍ତା, ଚାଲିଚଲଣ ଅନେକଟା ଏଙ୍ଗ୍ଳୋଇଣ୍ଡିଆନ୍‍ମାନଙ୍କ ପରି । ତାଠୁ ସନ ସାତବର୍ଷର ଝିଅ ଉଷା—ଯିଏ ତାର ମା’ଭଳି ପତଳା, ଲମ୍ବା, ଗଠନଶୀଳ ଅଙ୍ଗଶ୍ରୀ, ହରିଣୀ ଚୋରା ବଡ଼ ବଡ଼ ଆଖି, ସ୍ୱର୍ଣ୍ଣଭ କେଶରାଶି—ନାରାୟଣଗଞ୍ଜ କନଭେଣ୍ଟର ସେ ଥାର୍ଡ଼ ଷ୍ଟାଣ୍ଡାର୍ଡ଼ ଛାତ୍ରୀ । ନର୍ସରୀ ରାଇମ୍ ଗୁଡ଼ିକ ତାର ମୁଖସ୍ଥ ପ୍ରାୟ—“ଟୁଇଙ୍ଗକିଲ ଟୁଇଙ୍ଗକିଲ ଲିଟିଲ୍ ଷ୍ଟାର” ଭଳିଆ କବିତା ଏକା ନିଶ୍ୱାସରେ ଗାଇପାରେ । ଆଉ ସବା ସାନ ଶାନ୍ତି ତିନିବର୍ଷର ଝିଅଟିଏ । ଡାକ ନାଁ ବେବୀ । ବାପ ମା’ର ଆଖିର ପିତୁଳୀ, ଗେହ୍ଲାଝିଅ, ଭଙ୍ଗା ଭଙ୍ଗା କଥାରେ, “ ଡାଡ଼ି, ଟଟା, ମମି....ବାଏ....ବାଏ” କହି ଶିଖୁଛି ।

 

ସୁଧିର ସକ୍‍ସେନା ଆଇ. ସି. ଏସ. ଙ୍କୁ ସମସ୍ତେ ସୌଭାଗ୍ୟଶାଳୀ ମନେ କରନ୍ତି, ସେ ନିଜେ ମଧ୍ୟ ତାହା ଉପଲବ୍‍ଧି କରେ । ତାର ଯାହା ଅଛି, ତହିଁରୁ ଅଧିକ କଣ ଆଉ ଜୀବନରେ ଆଶା କରାଯାଇପାରେ ? କିନ୍ତୁ ସେ ତାର ପତ୍ନୀ ବିମଳାର ମୁହଁରୁ ସେହି ଏକାକ୍ଷରୀ ମନ୍ତ୍ର ‘ହଁ’ ଶୁଣିଶୁଣି ଓ ତାର ମନମରା ଚେହେରା ତଥା ମନମରା ଢଙ୍ଗ ଲକ୍ଷ୍ୟ କରି କାହିଁକି କେଜାଣି ନିଜ ଭାଗ୍ୟକୁ ବେଳେବେଳେ ସନ୍ଦେହ କରେ ଓ ତାର ମନଭିତରେ ନିରାଶାର ଘନ କୃଷ୍ଣଛାୟା ଘୋଟିଆସେ ।

 

‘ହଁ’ କେତେଦିନରୁ ଏହି ଶବ୍ଦଟା କାହିଁକି ତା ମନରେ ଯେପରି ଗୁରୁ ଆଘାତ କରୁଛି । ମାସକ ଆଗରୁ ସେ ବିଲାତରୁ ଫେରିଛି ଓ ନିଯୁକ୍ତି ପରେ ସପ୍ତାହକ ଛୁଟି ନେଇ ହୋଲିଡ଼େଇଂ ପାଇଁ ଆସିଛି । ମସୌରୀ ଭଳି ଜାଗାରେ ଖାନ୍‍ଦାନ୍ ଘର, ସୁନ୍ଦରୀ ସୁସଜ୍ଜିତା ଓ ମନୋମୁଗ୍ଧକାରୀ କିଶୋରୀମାନଙ୍କ ଅଭାବ ନଥିଲା । ଲାଇବ୍ରେରୀ ସାମନାରେ ସାନ୍ଧ୍ୟଭ୍ରମଣରତା ରଙ୍ଗୀନ ଶାଢ଼ି, ଚୁସ୍ତକମିଜ୍‍, ରେଶମୀ ସଲବାର ତଥା ତରଙ୍ଗାୟିତ ଦୁପଟ୍ଟାରେ ସଜ୍ଜିତ ଋଷି ମନଭୁଲା ତରୁଣୀଙ୍କ ଫେସନ ପରେଡ଼ ପ୍ରାୟ ନିତ୍ୟ ନୈମିତିକ । ହାଇହିଲ ଯୋତା, ଅଣ୍ଟାଭଙ୍ଗା ଚାଲି, ନିର୍ଭୟ ଚାହାଣୀ, ଉଦ୍ଦାମ ଯୌବନ, ରଙ୍ଗୀନ୍‍ ଓଠ, ତୁଳି ସେଇ ଅଙ୍କା ଧନୁଆକୃତିର ଭ୍ରୁ, ପାଉଡ଼ର ମଖା ଗାଲ ଓ ସେମ୍ପୁକରା ବାଳ....ପ୍ରତ୍ୟେକ ଯୁବକ ପକ୍ଷରେ ଏହା ଏକ ଲୋଭନୀୟ ଦୃଶ୍ୟ, ମାତ୍ର କେଜାଣି କାହିଁକି—ସୁଧୀର ମସୌରୀ ସାରା ଖୋଜି ଖୋଜି ଶେଷରେ ‘ହେକମେନ୍’ ହୋଟେଲର ଏକ ମଧୁର ସନ୍ଧ୍ୟାର “ଟି’ ଡାନ୍ସରେ’’ ବିମଳାକୁ ପ୍ରଥମଥର ଦେଖି ତା’ ପ୍ରତି ଆକୃଷ୍ଟ ହୋଇପଡ଼ିଲା ।

 

“ହ୍ୟାଲୋ ସୁଧୀର’’ ତାର ପାଟଣାର ବନ୍ଧୁ ମାଥୁର ତାକୁ ହାତାର ଇଷାରାରେ ନିଜ ଟେବୁଲ୍ ଆଡ଼କୁ ଡାକୁ ଡାକୁ କହିଲା “ଏଆଡ଼େ ବନ୍ଧୁ ୟା’ଙ୍କ ସହିତ ସାକ୍ଷାତ୍‍ କର, ଇୟେ ହେଉଛନ୍ତି ବିମଳା ବାନାର୍ଜି, ବଙ୍ଗାଳୀ ହେଲେ ବି ଲକ୍ଷ୍ନୌରେ ପାଳିତା, ଏଠାକାର କଲେଜରେ ପଢ଼ନ୍ତି ।”

 

ସୁଧୀର ଦେଖିଲା ପାଉଡ଼ର ଶୂନ୍ୟ ଗୋରା ତୋରା ଚେହେରାରେ ବଡ଼ବଡ଼ ଦୁଇଟା ଉଦାସ ଆଖି ଦେଖିଲେ ମନେହୁଏ ସେଇ ଘୁମନ୍ତ ଆଖିରେ ସଲଜ୍ଜ ପଲକ ତଳେ ସତେ ଯେମିତି ଦୁଃଖ ଓ ନୈରାଶ୍ୟ ଜମାଟ ବାନ୍ଧି ରହିଛି । ସେ ମାଥୁରର ଅନୁରୋଧକୁ ଅପେକ୍ଷା ନକରି ବସି ପଡ଼ିଲା ବିମଳାର ପାର୍ଶ୍ୱସ୍ଥିତ ଚୌକି ଉପରେ । ସେହି ଲୋକାରଣ୍ୟ “ବାଲରୁମ୍” ହଲରେ ଥାଇ ସୁଦ୍ଧା ସୁଧୀରର ମନେହେଲା ସେ ଆଉ ବିମଳା ବ୍ୟତୀତ ସେଠି ଯେମିତି ଆଉ କେହି ନଥିଲେ ।

 

ବାରବର୍ଷ ପରେ ସୁଦ୍ଧା ସେ ଦିନର ସେହି କଥାବାର୍ତ୍ତା ଆଜିପରି ଲାଗୁଛି ।

 

“ତାହା ହେଲେ ଆପଣ ଆଇ. ଟି କଲେଜରେ ପଢ଼ନ୍ତି ।”

 

“ହଁ ।”

 

“ବି. ଏ. ରେ ବୋଧହୁଏ ।”

 

“ହଁ’’

 

ଆସନ୍ତାବର୍ଷ ବୋଧହୁଏ ଫାଇନେଲ ଦେବେ ।’’

 

“ହଁ ।”

 

ଦୁଇବର୍ଷ ଧରି ଇଂରେଜ ମହିଳାଙ୍କର ପୁରୁଷ କଣ୍ଠ ସଦୃଶ କର୍କଶକଥା ଶୁଣି ଶୁଣି ଓ ବିଗତ ଦୁଇସପ୍ତାହ ଭିତରେ ମସୌରୀର ହୋ ହଲ୍ଲା ବାତାବରଣରେ ରହିବାପରେ ବିମଳାର ଏହି ‘ହିଁ’ ପଦକରେ ସୁଧୀର ଯେ କେତେ ଶାନ୍ତି ଅନୁଭବ କଲା ଯେମିତି ବର୍ଷା, ବାଦଲ, ବଜ୍ର, ବିଜୁଳି ଓ ଝଡ଼ ତୋଫାନପରେ ବର୍ଷା ଥମି ଯାଇଛି ଏବଂ ସଦ୍ୟସ୍ନାତା ଗୋଲାପ ପାଖୁଡ଼ାରୁ ଝରୁଛି ମୁକ୍ତା ନିନ୍ଦି ଜଳକଣା ସବୁଜ ଘାସର ଉନ୍ମୁକ୍ତ ବୁକୁରେ । ସେହି ସାମାନ୍ୟ ‘ହଁ’ ଟା ମଧ୍ୟରେ ଫୁଟି ଉଠୁଛି ଭାରତୀୟ ନାରୀର କୋମଳତା, ମଧୁରତା, ପବିତ୍ରତା ତଥା ଲଜ୍ଜା ।

 

ପଚାରିଲା “ଆପଣ ଡାନ୍ସ କରନ୍ତି” ।

 

“ଆଜ୍ଞା ନା”

 

ମାଥୁର ବଳ ଡାନ୍ସରେ ମସଗୁଲ୍‍ ହୋଇ ପଡ଼ିଥିଲା । ଏହି ରଙ୍ଗୀନ ଆବହାଉଆରେ ବର୍ତ୍ତମାନ ସୁଧୀର ଓ ବିମଳା ନିଜ ଟେବୁଲରେ ଏକାକୀ । ସୁଧୀର ଭାବିଲା ଏତେଦିନ ପରେ ତାର ମାନକାମନା ପୂର୍ଣ୍ଣ ହୋଇଛି । —ବିମଳାଠାରୁ ଭଲ ପତ୍ନୀ ଆଉ ମିଳି ନ ପାରେ ।

 

ସେ ସୁନ୍ଦରୀ ନିଶ୍ଚୟ ମାତ୍ର ପ୍ରଜାପତି ପରି ଚଞ୍ଚଳ ନୁହେଁ ଯେ ଗୋଟାଏ ଫୁଲରୁ ଆଉ ଗୋଟାଏ ଫୁଲକୁ ଆକର୍ଷିତ ହେବ । ସେ ଶିକ୍ଷିତା ସତ୍ତ୍ୱେ ନିରାଡ଼ମ୍ବର ଖାନ୍‍ଦାନ୍ ଆଭିଜାତ୍ୟ ଘରର ଝିଅ ମନେହୁଏ, ତେବେ ଆଇ. ସି. ଏସ୍‍.ର ପ୍ରସ୍ତାବକୁ ଏଡ଼ାଇ ଯିବା ଭଳି ବଡ଼ଲୋକ ମଧ୍ୟ ନାହିଁ । ବିବାହ ବନ୍ଧନରେ ଛନ୍ଦାହୋଇ ତା’ଠାରୁ ସୁଖ ଓ ଶାନ୍ତି କରାଯାଇପାରେ ।

 

ପୁଣି ପଚାରିଲା ‘ଆପଣବ ପିତା କଣ... ?

 

“ସେ ଲକ୍ଷ୍ନୌ ଆର୍ଟ ସ୍କୁଲ୍‍ରେ ଅଧ୍ୟାପକ ।”

 

“ଓଃ ତାହାହେଲେ ଆପଣ ଆର୍ଟିଷ୍ଟ ବାନାର୍ଜିଙ୍କ ଝିଅ ନିଶ୍ଚୟ । ତାଙ୍କ ଚାରୁକଳାର ପ୍ରଦର୍ଶନୀ ଆମ ପାଟଣାରେ ମଧ୍ୟ ହୋଇଥିଲା ।” ସେ ମିଥ୍ୟାର ଆଶ୍ରୟ ନେଇ ଆରମ୍ଭ କଲା, ‘ବାସ୍ତବିକ ତାଙ୍କର ଛବିଗୁଡ଼ିକ ମୋର ବିଶେଷ ପସନ୍ଦ ହୋଇଥିଲା”, ଯଦିଓ ସେ ସେତେବେଳେ ଭାବିଥିଲା ଯେ ଏହି ଅଙ୍କାବଙ୍କା ଗାରଗୁଡ଼ିକ ଭିତରେ ନାଲି, ନେଳି ଆହୁରି କେତେ ରଙ୍ଗ ଢାଳିବାରେ କଣ ବିଶେଷତ୍ୱ, ଲୋକେ ତାର ଏତେ ପ୍ରଶଂସା କରନ୍ତି ବା କାହିଁକି ? ମାତ୍ର ସେତିକିବେଳେ ତାର ମନେ ପଡ଼ିଲା ଗୋଟାଏ ବିଶେଷ ଚିତ୍ରର କଥା । ଏଗାର ବାର ବର୍ଷର ଚପଳ ଚଞ୍ଚଳ ଝିଅଟାଏ, ସାବୁନ ପାଣିର ଫେଣରୁ ରଙ୍ଗିନ ବେଲୁନ ଉଡ଼ାଉଛି । ଛବିଟାର ନାଁ “ପାଣିବେଲୁନ୍ ।”

 

“ସେଇ ଛବିଟା ଆପଣଙ୍କର ନାଁ ?’’

 

‘‘ହଁ’’

 

“ତହିଁରେ ଆପଣ କେଡ଼େ ଚଞ୍ଚଳ ଜଣା ପଡ଼ୁଛନ୍ତି ମାତ୍ର ବର୍ତ୍ତମାନ ଆପଣ କେତେ ଗମ୍ଭୀର କେତେ ସିରିୟସ ।” ମାତ୍ର ଏହି କଥାରେ ଜବାବ କେବଳ ‘ହଁ’ ରେ ପୂରା ନ କରି ଗୋଟାଏ ମନମରା ଫିକା ହସ ହସି କହିଲା, “ପାଣିଫୋଟକାର ଜୀବନ ବା କେତେ ମୁହୂର୍ତ୍ତ, ହାଓ୍ୟାର ଗୋଟାଏ ଦମକାରେ ତ ଫାଟିଯାଏ, ତାପରେ ସବୁ ଶେଷ ।”

 

ମସୌରୀରେ ସେ ଯେତେଦିନ ଯାଏ ରହିଲା ବିମଳା ସହିତ ତାର ଘନିଷ୍ଠତା ବଢ଼ି ଚାଲିଲା । ଦୁହେଁ ସାଥୀ’ହୋଇ “ଚଣ୍ଡାଳ ଗିରି ଶୃଙ୍ଗ” ଆରୋହଣ କଲେ, କେମ୍‍ଟି ଫଲର ଦୃଶ୍ୟ ଉପଭୋଗ କଲେ ।

 

ଏଇ କେତେଦିନ ଭିତରେ ବିମଳା ହୁଏତ ତା ସାଥିରେ କଥାବାର୍ତ୍ତା ବେଳେ ପ୍ରାୟ ଏକ ଦର୍ଜନ ଶବ୍ଦ କହିଥିବା । ସୁଧୀରର କଥା ଗୁଡ଼ିକ ସେ ଧୈର୍ଯ୍ୟର ସହିତ ଶୁଣେ । ସିଧା ସଳଖ କୌଣସି ପ୍ରଶ୍ନ ନ କଲା ଯାଏ, ସେ ନିଜର ବ୍ୟକ୍ତିଗତ ମତ ପ୍ରକାଶ କରିବାକୁ ସଂକୋଚ ବୋଧକରେ । ମାତ୍ର ସ୍ୱଳ୍ପଭାଷିଣୀ ବିମଳା ପ୍ରତି ସୁଧୀରର କୌଣସି ଆକ୍ଷେପ ନାହିଁ । ପ୍ରତ୍ୟେକ କଥାର ଜବାବ ମୁହେଁମୁହେଁ ଦେବା ଭଳି ସ୍ତ୍ରୀଲୋକମାନଙ୍କ ପ୍ରତି ତାର ମନରେ ସ୍ଥାନ ନାହିଁ । ତାର ପ୍ରତ୍ୟେକ କଥାକୁ ସମର୍ଥନ କରି ବିମଳାର ସେହି ହଁ ହଁ କହିବାରେ ସୁଧୀରର ମନରେ ଆନନ୍ଦର ଜୁଆର ମାଡ଼ିଆସେ । ସୁଧୀର ହୃଦୟଙ୍ଗମ କଲା, ବିମଳା ତାକୁ ହୃଦୟ ଦେଲେ, ଜୀବନ ଦେଲେ, ଭଲ ପାଇବାରେ ଲାଗିଛି ଏବଂ ଅବସର ଦେଖି ହଠାତ୍ ‘ପ୍ରପୋଜ୍’ କରି ବସିବ ।

 

“ବିମଳା ମୁଁ ତୁମକୁ ଭଲ ପାଇବାର ଗଭୀରତା ଅନୁଭବ କରିପାରୁଛି ।”

 

“ହଁ”

 

“ମୁଁ ତୁମଠାରୁ ଦୂରରେ ରହି ନ ପାରେ, ତମେ ମୋର ଜୀବନସାଥୀ ହେବାକୁ ରାଜି ତ-?”

 

“ହଁ”

 

ଏହି ହଁଟାରେ ମିଶ୍ରିତ ଥିବା ପ୍ରଶ୍ନ ଓ ଉତ୍ତର ମିଶା ମନୋଭାବ । “ଦେଖନ୍ତୁ ମୁଁ ଆପଣଙ୍କୁ ବିଶେଷ ଆଦର କରେ । ଆପଣଙ୍କଥରେ ମୁଁ ବିଶ୍ୱାସ ହରେଇବାକୁ ଚାହେଁନା, ଆପଣଙ୍କୁ ପ୍ରେମ ଚକ୍ଷୁରେ ଦେଖେନା ।”

 

“ତାହାହେଲେ ଆପଣ ଅନ୍ୟ କାହାର ପ୍ରେମର ପୂଜାରିଣୀ ।”

 

ନାହିଁ ଶବ୍ଦଟା ଯେ ବିମଳାର ମୁହଁରୁ ବାହାରେ ନାହିଁ ଏମିତି ନୁହେଁ । ଏଥର ସେ କହିଲା ‘ନାଁ ସେପରି କିଛି ନାହିଁ ।’

 

ସୁଧୀରର ଆତ୍ମବିଶ୍ୱାସ ଜାଗିଲା, ସେ କହିଲା, “ତାହାହେଲେ ଆପତ୍ତିର ପ୍ରଶ୍ନ ଉଠୁନାହିଁ-। ମୁଁ ତୁମକୁ ଭଲ ପାଇବାକୁ ରାସ୍ତା ଦେଖାଇବି ।”

 

ସେ ଦିନ ସନ ୧୯୪୦ ଜୁଲାଇ ମାସର ତା ୧୪ ରିଖ ।

 

ଡାକରେ ଆସିଥିବା ଚିଠିପତ୍ର ଗୁଡ଼ିକ ରଖିଦେଲେଗଲା ଚାକର ଟୋକାଟା, ସୁଧୀରର ସାମନା ଟେବୁଲ ଉପରେ ।

 

ସୁଧୀରର ନଜର ପଡ଼ିଲା ପ୍ରଥମ ଚିଠିଟା ଉପରେ—ଡାକ ଘରର ମୋହର “ନାରାୟଣଗଞ୍ଜ—ଜୁଲାଇ ତା୧୪ ରିଖ ୧୯୫୨ ।”

 

ସେହି ମୁହୂର୍ତ୍ତରେ ସୁଧୀରର ସ୍ମୃତିପଟରେ ବାରବର୍ଷ ତଳର ସେହି ଦିନଟା ଜୀବନ୍ତ ହୋଇଉଠିଲା ।”

 

ଲଫାପାର ମୁହଁକୁ ଛୁରୀରେ କାଟୁ କାଟୁ ସୁଧୀର କହିଲା “ଆଜିର ତାରିଖଟା ମନେଥିବ ନିଶ୍ଚୟ ।”

 

ସେ ସାମନା କାନ୍ତରେ ଝୁଲୁଥିବା କ୍ୟାଲେଣ୍ଡରଟା ଉପରେ ନଜର ପକାଉ ପକାଉ କହିଲା “ହଁ’’ ।

 

ମନେ ଅଛି ତୁମର ବାରବର୍ଷ ତଳର ସେ ଚିଠିଟି ମୁଁ ତୁମକୁ ପ୍ରପୋଜ କରିଥିଲି । ’

 

ହଁ, ମାତ୍ର ଏହି ହଁ ଟା ଭିତରେ ଥିଲା ସ୍ୱୀକୃତି, ପ୍ରଫୁଲ୍ଲତାର ଗନ୍ଧ ନଥିଲା । ସୁଧୀର ବାରବର୍ଷ ତଳର ପାଉଁଶ ଗଦାକୁ ଘାଣ୍ଟି ବସିଲା ସିନା ମାତ୍ର ଦେଖିଲା ବରଫ ପରି ଶୀତଳ; ସତେ ଯେମିତି ସେଠି କେବେ ନିଆଁର ଲେଶମାତ୍ର ନଥିଲା ।

 

ମାତ୍ର ସୁଧୀର ବିମଳା ମୁହଁର କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲା ନାହିଁ । ସେ ତାର ପାଟଣାର ପୁରୁଣା ଓକିଲ ବନ୍ଧୁ ମାଥୁର ପାଖରୁ ଆସିଥିବା ଚିଠିଟା ପଢ଼ି ବସିଲା ଚିଠିଟା ଉପରେ ନଜର ବୁଲେଇ ମନେ ମନେ ହସିଲା । ସେ ଲେଖିଛି, “ବନ୍ଧୁ ତୁମେ ବଡ଼ ଭାଗ୍ୟବାନ, କାହିଁକି ନା; ବିମଳାପରି ପତ୍ନୀ ପାଇଛା । ମୋର ଥ୍ରୁରେ ହେକ୍‍ମେନ୍ ରେ ତୁମ ଦୁହିଁଙ୍କର ପ୍ରଥମ ସାକ୍ଷାତ୍‍ । ତୁମଠାରୁ ଧନ୍ୟବାଦଟା ପାଇବାର ଏ ପର୍ଯ୍ୟନ୍ତ ଆଶାକରେ ମାତ୍ର ଦୁନିଆରେ ସମସ୍ତେ ତ ସ୍ୱାର୍ଥପର-।”

 

“ଶୁଣିଲ ମାଥୁର କଣ ଲେଖିଛି ।”

 

“ହଁ”

 

ବିମଳାର ଉଦ୍ଦେଶ୍ୟରେ ମାଥୁର ଯାହା ସବୁ ଲେଖିଥିଲା ସୁଧୀର ସେ ସବୁ ପଢ଼ି ଶୁଣାଇଲା, ପୁଣି ଅନ୍ୟ ଚିଠି ଖୋଲି ପଢ଼ିବାରେ ବ୍ୟସ୍ତ ହେଲା । ମାତ୍ର ମାଥୁରର ଖାମଖିଆଲି ଲେଖାରେ ଯେ ବିମଳା ଆଖିରେ କୌଣସି ଚମକ ଜାତ ହେଲା ନାହିଁ ସେଥିପାଇଁ ନଜର ଦେଲାନାହିଁ କେବଳ ଓଠରେ ଗୋଟାଏ କଠୋର ହସର ଚିହ୍ନ ମାତ୍ର ଦେଖାଗଲା ଓ ସଂଗେ ସଂଗେ ଲିଭିଗଲା । ଅନ୍ୟ ଚିଠିଟା ଫିଟାଉ ଫିଟାଉ ଦେଖିଲା କ୍ଲବର ବିଲ୍‍ । ସେ ଚିଠିଟାକୁ ବିମଳାଆଡ଼େ ବଢ଼େଇଦେଲା, କାରଣ ଦେଣା ପାଉଣା କାରବାର ତା’ର ହାତରେ । ତୃତୀୟ ପତ୍ରଟା ଆଇ. ସି. ଏସ୍‍. ଏସୋସୀଏସନର ବାର୍ଷିକୋତ୍ସବ ଓ ନିର୍ବାଚନ ସମ୍ପର୍କୀୟ ।

 

“ଶୁଣିଲ ? ଏ ବର୍ଷ ବଳଦେବ ଓ ଏହି ସାନ ଇତ୍ୟାଦି ସେକ୍ରେଟେରୀ ପାଇଁ ମୋତେ ପ୍ରପୋଜ କରିବାପାଇଁ ଚାହାନ୍ତି ।”

 

ଚତୁର୍ଥ ପତ୍ର ବିମଳାର ଠିକଣାରେ । ହଳଦୀ ରଙ୍ଗର ମୋଟା ପୁରୁଣ ଲଫାଫା ଦିହଯାକ ମୋହରମରା, ଠିକଣା କଟାହୋଇ ବହୁବାର ରି-ଡାଇରେକ୍ଟ କରାହୋଇଛି । ମାତ୍ର ଏ କଣ ? ମିସ୍ ବିମଳା ବାନାର୍ଜି ! କିଏସେ ବଦମାସ୍ ମିସେସ୍ ବିମଳା ସକ୍‍ସେନାକୁ ବିବାହ ହେବାର ବାରବର୍ଷ ପରେ ବି ମିସ୍ ଲେଖିଛି ? ସୁଧୀରର ଦୃଷ୍ଟି ପଡ଼ିଲ ବିମଳା ଉପରେ, ସେ ମଧ୍ୟାହ୍ନ ଭୋଜନ ଯୋଗାଡ଼ ପାଇଁ ଚାକରକୁ କଣ କହୁଛି । ଦେଖିଲା ବିମଳା ତା’ର ଚିଠି କଥାଟା ଆଦୌ ଜାଣିପାରି ନାହିଁ । ସେ ଚା, କେଟଲିଟା ସାମନାରେ ରଖି ଲଫାଫାଟା ଖୋଲି ବସିଲା । ବିବାହ ପରେ ବିମଳାର ଅନେକ ଚିଠି ସେ ତା’ର ଅଜାଣତରେ ଖୋଲି ପଢ଼ିଛି, ମାତ୍ର କଲେଜରେ ପଢ଼ାସାଥି କିମ୍ବା ବନ୍ଧୁ ବାନ୍ଧବଘର ଭଉଣୀମାନଙ୍କ ବ୍ୟତୀତ କୌଣସି ସନ୍ଦେହଜନକ ଚିଠି ମିଳିନାହିଁ । କିନ୍ତୁ ଏ ଚିଠିର ଲଫାଫାରୁ ତା’ର ମନହେଲା ନିଶ୍ଚୟ କିଛି ମସଲା ଅଛି । ବୋଧହୁଏ ଏହି ଖାପଛଡ଼ା ‘ହଁ’ ଆଉ ମନମରା ଗତିବିଧି ପଛରେ ନିଶ୍ଚୟ କୌଣସି କଳାଦାଗ ଅଛି ।

 

ଲଫାଫା ଭିତରୁ ଅନେକ ପୃଷ୍ଠା ଲମ୍ବା ଚିଠିଟାଏ ବାହାରିଲା ମାତ୍ରକ ପ୍ରଥମ କେତେକ ଲାଇନ ପଢ଼ିବା ପରେ ହିଁ ସୁଧୀରର ମୁଣ୍ଡ ବିଗିଡ଼ିଗଲା । ଲେଖାଥିଲା—

 

“ଜୀବନ ସର୍ବସ୍ୱ ବିମଳା !”

 

ତୁମ ସାଥିରେ ଦେଖା ହେବାର ଦୁଇମାସ ବିତିଗଲାଣି ମାତ୍ର ଏହି ଦୁଇମାସ ଦୁଇବର୍ଷରୁ ଅଧିକ ମନେ ହେଉଛି । ଭାଗ୍ୟରେ କଣ ସବୁବେଳେ ଚୋରଙ୍କ ପରି ଲୁଚି ଛପି ଦେଖା କରିବାଟା ଲେଖା ହୋଇଛି । ମଝିରେ ଥିବା କାନ୍ଥଟାକୁ କଣ ଭଙ୍ଗା ଯାଇ ନ ପାରେ.... ?

 

କ୍ରୋଧ ଓ ଘୃଣାରେ ସୁଧୀରର ହାତ ଥରି ଉଠିଲା । ତା’ ଆଗକୁ ଆଉ ଚିଠିଟା ପଢ଼ି ପାରିଲାନାହିଁ । ଚିଠିଟା ତାର ନଷ୍ଟଚାରିତ୍ରା ସ୍ତ୍ରୀର ଘୋଷଣାପତ୍ର । ଶେଷ ପୃଷ୍ଠାର ସମାପ୍ତରେ ଲେଖାଅଛି—“ତୁମ ସବୁ ଦିନର ଅନୀଲ ।”

 

ଅନୀଲ ଏହି ଅଜଣା ନାଁଟା ଯେପରି ତାର ମୁଣ୍ଡଉପରେ କଚାଡ଼ି ଦେଲେଗଲା ଗୋଟାଏ ଆତମବମ୍ । “ ବିମଳା” ସେ ଜୋର ଗଳାରେ ଚିତ୍କାର କରି ଉଠିଲା ।

 

ଠିକ୍ ସେତିକିବେଳେ ବିମଳା ଉଠିଯିବାପାଇଁ ଦୁଆରମୁହଁକୁ ପହଂଚି ଯାଇଥିଲା । ପାଟି ଶୁଣି ହଠାତ୍ ରହିଗଲା ।

 

“ହୁଁ ।”

 

“ଅନୀଲ ତମର କିଏ ?

 

ସୁଧୀରର ଏହି ଆକସ୍ମିକ୍ ପ୍ରଶ୍ନରେ ବିମଳା ପଥର ପାଲଟିଗଲା । ପ୍ରଥମରେ ସୁଧୀରର ମତଲବଟା କଣ କିଛି ଭାବିପାରିଲା ନାହିଁ । କଳା ବଉଦର ଓଢ଼ଣାତଳୁ ସୂର୍ଯ୍ୟ ଯେତେବେଳେ ସୁନେଲି କିରଣ ବିଛେଇ ଦିଏ, ସେହିପରି ବିମଳାର ଓଠରୁ କ୍ଷଣକପରେ ଫୁଟି ଉଠିଲା ମଧୁର ହସ-

 

“ଅନୀଲ’ ଧୀରେ ଧୀରେ ସେହି ନାଁ’ଟା ଆପେ ଆପେ ତା’ ମୁହଁରୁ ବାହାରି ଆସିଲା; ମା’—ଯେପରି ନିଜର ଶିଶୁକୁ ଡାକେ । ଭକ୍ତ ଯେମିତି ଭଗବାନଙ୍କୁ ଡାକେ, କବି ଯେମିତି କବିତା ଗାଏ....ତାର ଆଖିରୁ ଫୁଟିଉଠିଲା ଏକ ଅଦ୍ଭୁତ ଧରଣର ପ୍ରକାଶ ଯାହା ସୁଧୀର ଏହି ବାରବର୍ଷ ମଧ୍ୟରେ କେବେ ଦେଖି ନଥିଲା ।

 

ହଁ, ହଁ, ଅନୀଲ ? କିଏ ସେ’ ସୁଧୀରର ଧୈର୍ଯ୍ୟଚ୍ୟୁତି ଘଟିଲା ତାର ଆଖିରେ ପ୍ରକାଶରେ ।

 

କିନ୍ତୁ ବିମଳା ସେତେବେଳେ ଭାବନା ରାଜ୍ୟରେ ପହଞ୍ଚି ସାରିଥିଲା—ଦୂରେ....ବହୁଦୂରେ ଯେମିତି ସେ ଗୋଟାଏ ଅଭିନବ ଦୃଶ୍ୟ ଦେଖୁଥିଲା, କେଉଁ ମଧୁର ସ୍ମୃତି !! ଆଶାର ସୁନେଲି କିରଣ ! ହଠାତ୍ ତାର ହସ ହସ ଓଠ ଭିତର ଦେଲେ ବାହାରି ଆସିଲା “ସିଏ ମୋର ସର୍ବସ୍ୱ” ଏ କଥା ସୁଧୀରକୁ ନୁହେଁ, ସାରା ଦୁନିଆଁକୁ ଶୁଣାଇ କହିଲା ବିମଳା । କିଛିକ୍ଷଣପରେ ଓଠର ହସ କୁଆଡ଼େ ମିଳେଇଗଲା । ତାର ଅନ୍ତରାତ୍ମା କଠୋର ବ୍ୟଙ୍ଗ କଣ୍ଠରେ କହି ଉଠିଲା ‘ନା ସେ ବର୍ତ୍ତମାନ ମୋର କେହି ନୁହଁ ।’ ପରେ ଗୋଟାଏ ଅଜ୍ଞାତ ବୋଝର ଭାରାରେ ମୁଣ୍ଡ ଯେମିତି ତାର ନଇଁଗଲା ।

 

ଛଳନା କରି ଲାଭନାହିଁ । ସୁଧୀର ଜୋର ଗଳାରେ କହିଲା । ତା’ର ମନେହେଲା ଟେବୁଲକୁ ଲେଉଟାଇ ଦେବାକୁ, ଚିନାମାଟିରେ ପ୍ଲେଟ୍ ସସରଗୁଡ଼ିକ ଭାଙ୍ଗି ଚୁରମାର କରି ଦେବାକୁ ଓ କେଟଲିଟା ବିମଳାର ମୁଣ୍ଡରେ ଛେଚି ଦେବାକୁ, “ସତ କହ, ତୁମେ ତାକୁ ପ୍ରେମକର ।” ବିମଳା ମୁଣ୍ଡ ଉଠେଇଲା, ଲୁହଭରା ଆଖି ଭିତରୁ ଝଲସି ଉଠଥାଏ ସେହି ଆଭା । ଫିକା ଖାପଛଡ଼ା ଗଳାରେ ଏଥର କେବଳ ହଁ ନ କହି ସୁଧୀର ଆଖିରେ ଆଖି ମିଳେଇ ବିମଳା କହିଲା “ହଁ ଆପଣଙ୍କ ଧାରଣା ଠିକ୍ ।”

 

ଏଥର ହଠାତ୍ ସୁଧୀରକୁ ଦୁନିଆସାର ଅନ୍ଧାର ଦେଖାଗଲା । ତାର ମନେହେଲାଯେପରି ବିମଳା ତାର ମାନ ମର୍ଯାଦା ଉପରେ, ତାର ମନେହେଲା ଯେପରି ବିମଳା ତାର ମାନ ମର୍ଯାଦା ଉପରେ, ତାର ଆଇ. ସି.ଏସ. ଯୋଗ୍ୟତା ଉପରେ ଓ ତାର ପୁରୁଷତ୍ୱ ଉପରେ ଗୋଟାଏ କଳାଦାଗ ଆଙ୍କି ଦେଇଛି । ତାର ମନେହେଲା ବିମଳା ତାକୁ ଏପରି କଟୁକ୍ତି କରି ଏଭଳି ଏକ ଆଘାତ ଦେଇଛି ଯାହା ତାର ଜୀବନସାରା ମନେ ରହିବ । ସେତେବେଳେ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ମିଥ୍ୟା ଆବରଣଟା ତା’ ଉପରୁ ଖସି ପଡ଼ିଲା । ତାର ମନେହେଲା ସେ ଆଉ ଲଣ୍ଡନ ଫେରନ୍ତା ବାରିଷ୍ଟର ନୁହେଁ । ଆଇ. ସି. ଏସ୍. ଏସୋସିଏସନର ଭାବି ସେକ୍ରେଟେରୀ ନୁହେଁ । କ୍ଲବର ଲୋକପ୍ରିୟ ସଦସ୍ୟ ନୁହେଁ, ଏପରିକି ନାରାୟଣଗଂଜ ଜିଲ୍ଲାର ଡେପୁଟୀ କମିଶନର ନୁହେଁ ଯାର ହାତମୁଠାରେ ଲକ୍ଷାଧିକ ଜନତାର ଭାଗ୍ୟ ନିୟନ୍ତ୍ରିତ, ସେ ବର୍ତ୍ତମାନ୍ ରୂପାନ୍ତରିତ ହୋଇ ପଡ଼ିଛି ଏକ ଅରଣ୍ୟବାସୀ ହିଂସ୍ର ଜନ୍ତୁରେ; ସେ ଏକ ଉଦ୍‍ଭ୍ରାନ୍ତ ପୁରୁଷ ଯା’ର ସ୍ତ୍ରୀ ତାକୁ ବିଶ୍ୱାସରେ ବିଷ ଦେଇଛି ।

 

ଜୋର ଗଳାରେ ତାର ମନରେ ପଶୁ ପ୍ରବୃତ୍ତି ପ୍ରକାଶ କଲା “ ଏହି ମୁହୂର୍ତ୍ତରେ ମୋ ଘରୁ ବାହାରି ଯାଅ ।” ବିମଳାର ମନୋଭାବ ଲକ୍ଷ୍ୟକଲେ କ୍ରୋଧ ବା ଦୁଃଖ ତାର ମନରେ ଆକାଶ ଢ଼ାଙ୍କିଛି ଚିହ୍ନିବା କଠିନ । ସେ ବର୍ତ୍ତମାନ ସୁଦ୍ଧା ଦୁନିଆର ଆରପାରି କଳ୍ପନା ରାଇଜରେ ଘୁରି ବୁଲୁଥିଲା । ସୁଧୀରର ଚିତ୍କାର ତାର କାନରେ ବାଜିଲା ଖୁବ୍ ଧୀରେ, ଯେମିତି ବହୁ ଦୂରରୁ କିଏ କହୁଛି କ୍ଷୀଣ ଗଳାରେ । ସେତିକିବେଳେ ତା ଓଠରୁ ଫୁଟିଉଠିଲା ଶୁଖିଲା ହସ, ତାର ମନହେଲା ଦୀର୍ଘ ବାରବର୍ଷଧରି ଯେଉଁ ଶୁଭ ମୁହୁର୍ତ୍ତର ଅପେକ୍ଷାରେ ସେ ପ୍ରହର ଗଣୁଥିଲା ଶେଷରେ ତାହା ପହଞ୍ଚିଲା ଅତି ଆଶ୍ଚର୍ଯ୍ୟଜନକ ଭାବରେ ।

 

ସେ କୌଣସି ଉତ୍ତର ଦେଲାନାହିଁ, କେବଳ ଥରେ ମାତ୍ର ତାର ପତି ଉପରେ ନଜରଟା ବୁଲେଇ ଆଣିଲା । ତାର ସତୃଷ୍ଣ ଆଖିରେ ସେତେବେଳେ କୌଣସି ଅଭିଯୋଗ ନଥିଲା । ଥିଲା କେବଳ ଦୟ, କ୍ଷମା—ତାର ଆଖିରେ ଭାଷା ଯେମିତି କହୁଥିଲା “ଏଥିରେ ତୁମର କୌଣସି ଦୋଷ ନାହିଁ । ତୁମ ମୁଣ୍ଡକୁ ଏକଥା ଗୁଡ଼ିକ ଛୁଇଁବ ନାହିଁ “ ତା’ପରେ ସେ ତାର ବେଡ଼ରୁମ୍ କୁ ଚାଲିଗଲା ଓ ସେଠାରୁ ତାର ଛୋଟ ଝିଅଟିକି କୋଳରେ ପୂରେଇ ବାରଣ୍ଡା ଉପର ଦେଇ ଚାଲିଗଲା ବାହାରକୁ । ସେ ତାର ପଦଶବ୍ଦ ଧୀରେ ଧୀରେ ମିଳେଇଗଲା । ପବନ ଦେହରେ, ଯେମିତି ସେ ନିଶ୍ଚିହ୍ନ ହୋଇଗଲା ରାସ୍ତାର ଜନଗହଳି ଭିତରେ ।

 

ସୁଧୀର ଭାବିଥିଲା ବିମଳା କାନ୍ଦିବ । ପଶ୍ଚାତାପ କରିବା, ନିଜର ଦୋଷ ପାଇଁ କ୍ଷମା ପ୍ରାର୍ଥନା କରିବା । ଭବିଷ୍ୟତ ଜୀବନ ସଂଯମରେ କଟେଇବା ପାଇଁ ପ୍ରତିଜ୍ଞାବଦ୍ଧ ହେବ କିନ୍ତୁ ହଠାତ୍ ବିମଳା ଏ ଘର ଛାଡ଼ି ଚାଲିଯିବ ଏକଥା ସେ କଳ୍ପନା ସୁଦ୍ଧା କରି ନଥିଲା । ଏହି ଅପ୍ରତ୍ୟାଶିତ ଆଘାତରେ ତାର ସର୍ବଶରୀର ଥରି ଉଠିଲା । କିଏ ଯେପରି ତାର ମୁଣ୍ଡ ଉପରେ ବାଡ଼ଉଛି ଗୋଟାଏ ଲୁହାର ହାତୁଡ଼ି । ଅନୀଲ....ଅନୀଲ.....ଅନୀଲ, କିଏ ଏହି ଅନୀଲ ? ମୁଁ ତାର ପତ୍ତା ଲଗାଇବି । ଗୋଟାଏ ବିବାହିତା ସ୍ତ୍ରୀ ପଥଭ୍ରଷ୍ଟ କରିବାର ଅଭିଯୋଗ ତା’ ଉପରେ ଲଗେଇବି । ତାକୁ ଜେଲ ପଠାଇବି—ତାକୁ ଜୀବନରେ ମାରିଦେବି ।

 

ପାଗଳପରି ସେ ଛୁଟି ଆସିଲା ବିମଳାର କୋଠାରୀକୁ । ତାକୁ ଜଣାଥିଲା ଯେ ତାର ଓ୍ୟାର୍ଡ଼ରୋବ ର ଗୋଟାଏ ଡ୍ର ଭିତରେ ସେ ତାର ଚିଠିପତ୍ର ସାଇତି ରଖେ । ଛବି ଗୋଛାକ ପଲଙ୍କ ଉପରେ ପଡ଼ିଥାଏ । ଗଲାବେଳେ ଫିଙ୍ଗିଦେଇ ଯାଇଥିଲା ବିମଳା । ୱାର୍ଡ଼ରୋବର ଡ୍ର’ରେ ଛବି ଲଗେଇ ଫିଟାଇଲା । ରଖା ହୋଇଥିବା ଚିଠିର ବଣ୍ଡଲଟା ଦରାଣ୍ଡିଲା ସୁଧୀର । ଡ୍ରୟରତଳେ ରେଶମ ଫିତାରେ ବନ୍ଧା ଗୁଡ଼ାଏ ଚିଠି । ତାର ଅନୁମାନ ଠିକ୍ । ପ୍ରତ୍ୟେକ ଚିଠିର ପ୍ରଥମ ସମ୍ବୋଧନ “ବିମଳା ମୋର ଜୀବନ“ “ମୋର ସର୍ବସ୍ୱ’’ “ବିମଳା ତୁମର ଓ କେବଳ ତୁମର ଅନୀଲ ଇହଜନ୍ମରେ ଓ ପର ଜନ୍ମରେ ମୁଁ ତୁମର ତୁମର ।” ପ୍ରତ୍ୟେକ ବାକ୍ୟ ବିଷାକ୍ତ କୀଟଭଳି ଦଂଶନ କଲା ତାର ମସ୍ତିଷ୍କରେ । ଗୋଟାକପରେ ଗୋଟାଏ ପତ୍ର କାଢ଼ି ପଢ଼ି ଫିଙ୍ଗୁ ଥାଏ । କିନ୍ତୁ ଏ କଣ ? ପୁରୁଣା ଖବର କାଗଜରେ ଗୋଟାଏ ଛିନ୍ନପୃଷ୍ଠା ମୋଡ଼ାହୋଇ ରଖାହୋଇଛି । ଖୋଲି ଦେଖିଲା ଜଣେ ନବଯୁବକର ଚିତ୍ର । ଉନ୍ନତ ମସ୍ତକର ସୁନ୍ଦର ଗୋଲଗୋଲ ଦୁଇଟି ଆଖି, ହାସିଲା ଓଠ—ତା ତଳକୁ ଖବର—

 

ନବଯୁବକର ମୃତ୍ୟୁ

 

ଆମ୍ଭଙ୍କୁ ହାର୍ଦ୍ଦିକ ଦୁଃଖର ସହିତ ଏହା ସୂଚିତ କରିବାକୁ ହେଉଛି ଯେ ପ୍ରଗତିଶୀଳ ସାହିତ୍ୟିକ, ଦେଶସେବୀ, କବି ଅନୀଲ କୁମାର “ଅନୀଲ’’ ଯେ ସନ ୨୯ରେ ସତ୍ୟାଗ୍ରହ ପାଇଁ ଜେଲ୍‍ବରଣ କରିଥିଲେ । ହୃଦ୍‍ରୋଗ ଯୋଗୁ ତାଙ୍କର ଅକାଳ ବିୟୋଗ ଘଟିଛି ।

 

ସୁଧୀର ଖବରକାଗଜରେ ଛପାଥିବା ବାକି ଅଂଶତକ ପଢ଼ି ପାରିଲା ନାହିଁ କାରଣ ଖବରକାଗଜରେ ତାରିଖଟା ଥିଲା ୧୮ ଜୁନ ୧୯୪୦ ।

 

ହାତରୁ କାଗଜର ଛିନ୍ନପୃଷ୍ଠା ସହିତ ଖସିପଡ଼ିଲା ସମସ୍ତ ଚିଠି । ସେ କିଛି ଭାବି ପାରୁନାହିଁ । ଅନୀଲ........ ଅନୀଲ୍......... ଅନୀଲ୍ । କଣ ମୃତ୍ୟୁପରେ ବି କେହି ବଞ୍ଚି ରହିପାରେ । ପଥ ଭୁଲା ବାଟୋଇ ଓ ହାରିଯାଇଥିବା ଜୁଆଡ଼ି ଭଳି ସୁଧୀର ପହଞ୍ଚିଲା ଡାଇନିଂ ରୁମକୁ । ଟେବୁଲ ଉପରେ ଅନୀଲର ଚିଠି ଓ ଲଫାଫାଟା ସେଯାଏ ପଡ଼ି ରହିଥିଲା। ଲଫାଫାଟା ଉଠେଇ ଏପଟସେପଟ କରି ଦେଖିଲା । ଦଶବାରୋଟି ଗୋଲ ମୋହର ପରେ ଗୋଟାଏ ଚାରିକୋଣିଆ ମୋହର ବି ପଡ଼ିଛି । ତା ଉପରେ ଇଂରେଜିରେ ତିନୋଟି ଅକ୍ଷର ଛପାଅଛି ଡି.ଏଲ୍.ଓ. ଡେଡ଼ଲେଟର ଅଫିସ ।

Image

 

କରମାବାଲି

-ଅମୃତା ପ୍ରିତମ୍-

 

[ ଭାରତୀୟ ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ଓ ଅଭିନନ୍ଦିତ ପଞ୍ଜାବର ଏହି ଲେଖିକା କବି ଔପନ୍ୟାସିକ ଓ ଗାଳ୍ପିକ ଭାବରେ କେବଳ ପଞ୍ଜାବରେ ନୁହେଁ, ସମଗ୍ର ଦେଶରେ ସୁପରିଚିତା । ଅମୃତା ପ୍ରିତମ୍ ମୁଖ୍ୟତ୍‍ ପଞ୍ଜାବୀ ଭାଷାରେ ଲେଖିକା ଭାବରେ ସୁପ୍ରତିଷ୍ଠିତ । ତାଙ୍କର ଅନେକ ପୁସ୍ତକ ହିନ୍ଦୀରେ ଅନୁବାଦ ହୋଇ ବହୁଳ ପ୍ରଚାରିତ ହେଉଛି । ଦିଲ୍ଲୀ କି ଗଲିୟାଁ, ବନ୍ଦ ଦରବାଜା, ଏକ ସୱାଲ୍, ଲୌଟ ଆୟେ ସାଜନ ପ୍ରଭୃତି ବହି ଉପନ୍ୟାସର ସେ ରଚୟିତ୍ରୀ ଏବଂ ବିଭିନ୍ନ ସାହିତ୍ୟପତ୍ରର ସେ ଧାରାବାହିକ ଲେଖିକା । ବଳିଷ୍ଠ ପ୍ରକାଶ ଭଙ୍ଗୀ ଓ ମନୋଜ୍ଞ ଚରିତ୍ର ଚିତ୍ରଣ ତାଙ୍କ ପ୍ରତିଭାର ଏକାନ୍ତ ନିଜସ୍ୱ । ଓଡ଼ିଆ ଭାଷାରେ ଏହି ଗଳ୍ପଟି ତାଙ୍କର ସର୍ବପ୍ରଥମ ଅନୁବାଦ ।]

Image

 

ରୋଟି ଖୁବ୍ ସୁନ୍ଦର ତିଆରି ହୋଇଥିଲା ମାତ୍ରକ ତରକାରିରୁ କାଣିଚାଏ ବି ମୁହଁରେ ଦେବା ଅସମ୍ଭବ ମନେହେଲା ।

ଏତେ ଲଙ୍କା ! ମୁଁ ଆଉ ମୋର ଦୁଇ ସନ୍ତାନ ଜ୍ୱାଳାରେ ଅତିଷ୍ଠ ହୋଇପଡ଼ିଲୁ ।

ସହରଠାରୁ ବହୁ ଦୂରରେ ରାସ୍ତାକଡ଼ର ଛୋଟ ଗୋଟାଏ ହୋଟେଲ । ଠିକ୍ ହୋଟେଲ୍ ନୁହେଁ; ଚାହା ଦୋକାନ । ଆଗରେ ସର୍ପିଳ ଗତିରେ ଶୋଇରହିଛି ନାଲି ବାଲିର ରାସ୍ତା । ମଝିରେ ମଝିରେ ଧୂଳିର ଗୋଟାଏ ଝଡ଼ ଉଠେଇ ଆଗକୁ ଛୁଟି ଯାଉଛି ଟ୍ରକ, ବସ୍, କାର୍ ଆଉ ବଳଦଗାଡ଼ି ।

ଚୁଲି ପାଖରେ କାର୍ଯ୍ୟବ୍ୟସ୍ତ ହୋଟେଲ ମାଲିକ ଗପ ଆରମ୍ଭ କରିଦେଇଛି । ମୋତେ ଉଦ୍ଦେଶ୍ୟ କରି କହୁଛି “ବୁଝିଲେ ଦେଈ ! ଆଜିକାଲି ଏ ଅଞ୍ଚଳରେ ଜାଠମାନଙ୍କ ଯିବା ଆସିବା ବଢ଼ିଯାଇଛି । ମଦ ଦୋକାନ ବି ଏ ଆଖପାଖରେ ଏହି ଗୋଟାଏ । ଆଉ ଯେତେବେଳେ ଜାଠମାନେ ମନଖୁସିରେ ପେଟେ ପିଇନିଅନ୍ତି ସେତେବେଳେ ଖାଲି ବରାଦ ହେବ କଡ଼ା ମସଲା ଦିଆ ତାରକାରୀ ।

ମୁଁ ବିସ୍ମୟ ପ୍ରକାଶ କରି କହିଲି ଏଇଠି.....ଜାଠ.....ମଦ । ହୋଟେଲ ମାଲିକ ମୋର ପ୍ରଶ୍ନରେ ଆହୁରି ଉତ୍ସାହରେ ଗପିବାକୁ ଲାଗିଲା ହଁ ଦେଈ ! ମଦ ତ ଏଠି ସମସ୍ତେ ପିଅନ୍ତି, ସବୁବେଳେ ପିଅନ୍ତି । ଏ ଅଞ୍ଚଳରେ ଖାଦ୍ୟ ଯେମିତି ଦରକାରୀ ମଦଟା ବି ସେମିତି ଦରକାରୀ । ମଦଟା ନିଶା ନୁହେଁ ଯେ, ବ୍ୟବହାର୍ଯ୍ୟ ପାନୀୟ । କିନ୍ତୁ ବେଶୀ ପିଇଲେ ଯାହା ହେବା କଥା ? ଆଉ ଏହି ଜାଠମାନେ ଯେଉଁଦିନ କୌଣସି ହତଭାଗ୍ୟ ମଣିଷକୁ ଖୁନ୍ କରି ଆସନ୍ତି ସେଦିନ ପାନୀୟର ପରିମାଣଟା ବଢ଼ିଯାଏ ।

ଏଇଠି, ଏଭଳି ଘଟଣା ? ମୁଁ ଶଙ୍କିତ ହୋଇପଡ଼ିଲି । ମାତାଲ ଜାଠମାନଙ୍କର ରଙ୍ଗିନ ହିଂସ୍ର ଆଖିର ଛବି ଆଖିଆଗରେ ନାଚିବାକୁ ଲାଗିଲା ।

ଏଇତ କାଲି ପଅରଦିନ, ପାଞ୍ଚ ଛଅ ଜଣ ଜାଠ ହଠାତ୍ ଦୋକାନ ଭିତରକୁ ପଶିଆଶିଲେ । ପାଖ ଗାଁରୁ ଲୁଟି ଆଣିଥିଲେ ଅଜସ୍ର ଅର୍ଥ ଆଉ ଛୁରା ଭୁସି ତିନିଜଣଙ୍କୁ ଖତମ୍‍ କରି ଦେଇଥିଲେ । ଏଠି ବସି ବସି ପିଇଲେ ଆକଣ୍ଠ । ତାପରେ ଆରମ୍ଭ କଲେ ସଇତାନୀ । ଏଇ ଦେଖନ୍ତୁ ମୋର ତିନୋଟି ଚୌକି ଭାଙ୍ଗିରୁଜି ଚୁରମାର କରି ଦେଇଛନ୍ତି । ପରମାତ୍ମା ପୋଲିସବାଲାଙ୍କ ମଙ୍ଗଳ କରନ୍ତୁ, ସେମାନେ ଠିକ୍ ବେଳକୁ ପହଞ୍ଚି ସେମାନଙ୍କୁ ଗିରଫକରି ନେଇଗଲେ ନ ହେଲେ ଏ ଚୁହ୍ଲିରୁ ଖଣ୍ଡେହେଲେ ଇଟା ମିଳିବା ଦୁଷ୍କର ହୋଇପଡ଼ିଥାନ୍ତା କିନ୍ତୁ ସତ କହିବାକୁ ଗଲେ ସେମାନଙ୍କଠୁହିଁ ମୋର ବେଶୀ ଆୟ । ସେହି ରୋଜଗାର ମୋର ଦାନାପାଣି ଚଳୁଛି । କୌଶଲ୍ୟା ନଦୀ ଦେଖିବାପାଇଁ ମୋତେ ସେଦିନ ଚଣ୍ଡିଗଡ଼ରୁ ଆହୁରି ଗୋଟାଏ ଗାଁକୁ ଯିବାକୁ ପଡ଼ିଥିଲା । ଲଙ୍କାରୁ କଥା ଆରମ୍ଭହୋଇ ମଦ ଆଉ ମଦରୁ ଖୁନ୍‍ଖରାବା ଯାଏ ପହଞ୍ଚିଗଲା-। ଢେଙ୍କିଶାଳରୁ ଢେଙ୍କାନାଳ । ମନ ପାପ ଛୁଇଁଲା । ମୁଁ ମୋର ଦୁଇ ସନ୍ତାନକୁ ନେଇ କେମିତି ଶୀଘ୍ର ଫେରିଆସିବ ସେଥିପାଇଁ ଚଞ୍ଚଳ ହୋଇପଡ଼ିଲି । ହୋଟେଲଟି ଲିପାପୋଛା ହୋଇ ଖୁବ୍ ସୁନ୍ଦର ଦେଖାଯାଉଥିଲା । ଭିତର ପଟକୁ ଛ’ସାତ ଖଣ୍ଡି ଅଖାରେ ତିଆରି ପରଦା । ତା ପଛରେ ପଡ଼ିଥିବା କେତେଖଣ୍ଡି ଖଟ ସୂଚନା ଦେଉଥିଲା ଯେ, ହୋଟେଲବାଲାର ପିଲାଛୁଆ ବି ସେଇଠି ରହୁଥିଲେ । ମୋର ମନହେଲା ଯେମିତି ବେଶୀ ଭୟ ବା ଆଶଙ୍କାର କାରଣ ନାହିଁ । ଯେଉଁଠି ଅନ୍ତତଃ କୌଣସି ନା କୌଣସି ସ୍ତ୍ରୀର ଉପସ୍ଥିତି ରହିଛି ସେଠି ମାନସମ୍ମାନ ଅନ୍ତତଃ ନିରାପଦ ।

କୌଣସି ଏକ ଅପରିଚିତା ବାଉଁଶର ତାଟି ଖୋଲିଲା । ବାହାରକୁ ଭଲଭାବରେ ଦେଖିନେଇ ସିଧା ମୋରି ପାଖରେ ଆସି ଠିଆ ହେଲା ।

ଦେଈ ! ତୁମେ ମୋତେ ଚିହ୍ନି ପାରୁନ ?

ମୁଁ ମୋର ଅତୀତକୁ ରୋମନ୍ଥନ କଲି । ତଥାପି ଅତୀତରେ ଏଭଳି କୌଣସି ସ୍ତ୍ରୀଲୋକର ସଂସ୍ପର୍ଶରେ ଆସିଛି ବୋଲି ମୋର ମନେ ହେଲାନାହିଁ । ସ୍ତ୍ରୀଲୋକଟିର ମୁହଁକୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କହିଲି ‘ନା......ତ’ । ସିଏ ଜଣେ ବିବାହିତା ଯୁବତୀ । ନିସଂକୋଚରେ ହସି ହସି ଉତ୍ତର ଦେଲା । ମୁଁ କିନ୍ତୁ ଦେଖିଲା ମାତ୍ରକେ ଚିହ୍ନିପକେଇଲି । ଥରେ ଦେଖିଲେ ପାଶୋର ଯିବାର ନୁହେଁ । ଗଲାବର୍ଷ, ନାନା....ତା ଆର ବର୍ଷ ତୁମେ ଏଠିକି ଆସିଥିଲ ନା ?

“ଆସିଥିଲି ତ ।”

ଆଗ ପଡ଼ିଆରେ ଗୋଟାଏ ବରାତ ଓହ୍ଲେଇଥିଲା ମନେଅଛି ? ହଁ-ସେ କଥା ତ ମୋର ପୂରାପୂରି ମନେ ରହିଛି ।

ସେଦିନ ତୁମେ ସବାରୀ ଭିତରେ ବସିଥିବା ନୂଆବୋହୂକୁ ମୁହଁଚୁହାଁ ଟଙ୍କା ଦେଇଥିଲ ନା ? ସେ ବୋହୂ ମୁଁ ନିଜେ ।

ଘଟଣାଟା ଏଥର ପୂରାପୂରି ମନେ ପଡ଼ିଗଲା । ଦୁଇବର୍ଷ ଆଗେ ମୁଁ ଚଣ୍ଡିଗଡ଼ ଯାଇଥିଲି-। ସେଇଠି ଗୋଟାଏ ନୂଆଁ ରେଡ଼ିଓ ଷ୍ଟେସନ ଖୋଲିବାର ଥାଏ । ପ୍ରଥମ ଦିନର ସମାରୋହରେ ମୋତେ ମୋର ଦିଲ୍ଲୀ ଅଫିସ କବିତା ଆବୃତ୍ତି କରିବା ପାଇଁ ପଠାଇଥାଆନ୍ତେ ସେଇଠିକି । ମୋହନ ସିଂହ ଆଉ ଜଣେ ହିନ୍ଦୀକବି ଆସିଥାନ୍ତି ଜଳନ୍ଦର ଷ୍ଟେସନରୁ । ସମାରୋହ ଖୁବ୍ ଶିଘ୍ର ଶେଷ ହୋଇଗଲା ଏବଂ ଆମେ ତିନି ଚାରିଜଣ ଲେଖକ କୌଶଲ୍ୟା ନଦୀ ଦେଖିବାକୁ ଚଣ୍ଡିଗଡ଼ରୁ ଏହି ଗାଁକୁ ଆସିଥିଲୁ ।

ଗାଁରୁ ପ୍ରାୟ ଦେଢ଼ମାଇଲ ଦୂରରେ ନଈ । ନଈର ଗଡ଼ାଣିଆ ରାସ୍ତାରେ ଉଠୁ ଉଠୁ ଆମେ ସମସ୍ତେ କପେ ଲେଖାଏ ଗରମ ଚା’ର ଉପଲବ୍ଧ କଲୁ । ଆଖପାଖରେ ଥିବା ସମସ୍ତ ଚାହା ଦୋକାନ ଅପେକ୍ଷା ଏହି ଦୋକାନଟି ସବୁଠୁ ପରିଷ୍କାର ପରିଛନ୍ନ ବୋଲି ମନେ ହୋଇଥିଲା ତେଣୁ ସମସ୍ତେ କପେ ଲେଖାଏ ଚାହା ଏହି ଦୋକାନରୁ ପିଇଥିଲୁ । ସେଦିନ ହୋଟେଲଟାର ଚେହେରା ଥିଲା ଭିନ୍ନପ୍ରକାର । କାଚବନ୍ଧେଇ ଆଲମିରା ଭିତରେ ବିଭିନ୍ନ ରକମର ମିଠା ସହିତ ମାଂସ ଆଉ ରୋଟି ଥିଲା ପ୍ରଚୁର । ଉପସ୍ଥିତ ଖରିଦ୍‍ଦାରମାନଙ୍କୁ ଲକ୍ଷ୍ୟ କରି ହୋଟେଲ୍ ବାଲା କହୁଥାଏ “ଆଜି ଏହି ରାସ୍ତାରେ ମୋର ଭାଣିଜିର ସବାରୀ ଯିବ । ମାମୁଁ ହିସାବରେ ମୋର ବି ତ କିଛି କିଛି କର୍ତ୍ତବ୍ୟ ରହିଛି ।” କିଛି ସମୟପରେ ଆଗ ପଡ଼ିଆରେ ସବାରୀଟାଏ ଓହ୍ଲେଇଲା । ସାଙ୍ଗରେ ବାଜାବାଲା ଆଉ ବରଯାତ୍ରୀ । ସମସ୍ତଙ୍କ ମୁହଁରେ କ୍ଲାନ୍ତିର ଧୂସର ଛାୟା । ସବାରୀଟି ବୋଧହୁଏ ବହୁଦୂର କୌଣସି ଏକ ଗାଁରୁ ଆସୁଥିଲା ।

ବିବାହ ବି ଗୋଟାଏ ଅଦ୍ଭୁତ ପଦାର୍ଥ । ଗୋଟାଏ ଅପରିଚିତ ଯୁବକ ସହିତ ସମ୍ପୂର୍ଣ୍ଣ ଅପରିଚିତା ଗୋଟାଏ ଯୁବତୀର ମିଳନ । କେତେ ସମାରୋହ, ଉତ୍ସବ ରଙ୍ଗିନ, କେତେ ଆନନ୍ଦ କୋଳାହଳ ଆଉ ବିଦାୟବେଳା… ।“ ଆମ ଭିତରୁ ସନେ କିଏ ଟିପ୍ପଣୀ କରିଥିଲେ “ଚା” ପିଆଲା ସହିତ ଏହି ରଙ୍ଗିନ ପରିବେଶର ଫିଲସଫି ବେଶ୍‍ ଚମତ୍କାର ।”

ମୋର ମନେ ଅଛି ମୁଁ ସେ ଦିନ ଉତ୍ସାହ ଦେଖାଇ କହିଥିଲି “ରୁହନ୍ତୁ ମୁଁ ନୂଆବୋହୂର ମୁହଁଟା ଦେଖିଆସେ ! ଦେଖେ ତ ତାର ମୁହଁରେ କେତେ ରଙ୍ଗ, କେତେ ସ୍ୱପ୍ନର ଆବେଶ ରହିଛି ।” ସାଥିମାନେ ଆଗରୁ କହିଥିଲେ “ଆମର ସେ ସୌଭାଗ୍ୟ ନାହିଁ, ଆମକୁ ତ କେହି ସବାରୀ ପାଖକୁ ଯିବାକୁ ଦେବେ ନାହିଁ । ଆପଣ ଯାଇ ଦେଖି ଆସନ୍ତୁ, କିନ୍ତୁ ଖାଲି ହାତରେ ଦେଖିବେ ନାହିଁ ।’’

Unknown

 

ମୁଁ ଅଳ୍ପ ହସି ସବାରୀ ପାଖକୁ ଚାଲି ଯାଇଥିଲି । ସବାରୀର ଗୋଟାଏ ପାଖ ପର୍ଦ୍ଦା ଟେକା ହୋଇରହିଥାଏ । ମୁଁ ପାଖରେ ବସିଥିବା ଭଣ୍ଡାରୁଣୀକି ପଚାରିଲି “ମୁଁ ବୋହୂର ମୁହଁ ଦେଖିପାରେ ?

 

ଭଣ୍ଡାରୁଣୀ ହସ ହସ ମୁହଁରେ କହିଲା “ ଇୟେ ପୁଣି କଥା ? ତମେ ନ ଦେଖିଲେ ଆଉ କିଏ ଦେଖିବ କି ଦେଈ ! ଦେଖି ଦେଇତ ମଣିଷର ରୂପ ସରିଯିବନି ?” ଯୁବତୀଟି ନବବଧୂ ବେଶରେ ବସିଥାଏ ଚୁପ୍‍ଚାପ୍‍ । ନାକରେ ଶୃଙ୍ଗାରପୁରୀ ନଥ, ନଥ ଦେହରେ ମୋତି ପରି ଝଟକି ଉଠୁଥାଏ ଏଭଳିଭାଳିକା ପଥର । ମନେ ମନେ ଭାବିଲି “ଏ ରଙ୍ଗ ଫିକା ପଡ଼ିବାର ନୁହେଁ ।”

 

ମୁଁ ଟଙ୍କାକିଆ ନୋଟଟାଏ ଯେତେବେଳେ ତା ହାତରେ ଗୁଞ୍ଜି ଦେଇ ଫେରିଲି, ସେତେବେଳେ ମୋର ସାଥିମାନେ କହିଲେ “ ଅଳ୍ପ ସମୟ ଆଗରୁ ଯେତେବେଳେ ଆପଣ କବିତା ଆବୃତ୍ତି ଶେଷ କଲେ ଆପଣଙ୍କ ଦସ୍ତଖଟ ନୋଟ ଉପରେ ନେବାପାଇଁ କଲେଜ ତରୁଣୀମାନଙ୍କ ମଧ୍ୟରେ କେତେ ଆଗ୍ରହ, କେତେ ଉତ୍ସୁକତା ହେଲେ ଏ ବିଚାରୀ କେମିତି ଜାଣିବ ଟଙ୍କାକିଆ ନୋଟଟା ତାକୁ ଦେଲା କିଏ । ଯଦି ଜାଣିପାରନ୍ତା ତେବେ ନିଶ୍ଚୟ ଦସ୍ତଖତ କରେଇନିଅନ୍ତା ।

 

ଏ ସମସ୍ତ ଦୁଇବର୍ଷ ତଳର ଘଟଣା । ଘଟଣାଟା ପୂରାପୂରି ଏଥର ଆଖିଆଗରେ ନାଚିବାକୁ ଲାଗିଲା । ଅତୀତର ସେ ମଧୁର ସ୍ମୃତି ମାନସପଟରେ ଯେମିତି ଏକ ଜୀବନ୍ତ ଛାୟାଚିତ୍ରରେ ରୂପ ପରିଗ୍ରହ କଲା ।

 

“ତୁମେ ତାହାହେଲେ ସେ ସବାରୀର ନୂଆବୋହୂ ?”

 

“ହଁ ଦେଈ !”

 

କେଉଁ ଘଟଣା କାହିଁକି କେଜାଣି ତାକୁ ଏହି ଦୁଇବର୍ଷ ଭିତରେ ତରୁଣୀରୁ ନାରୀ କରି ତୋଳିଛି । ମୁହଁରେ ତାର କଠୋରଘାତ ପ୍ରତିଘାତର ଛାପ । ତଥାପି କେମିତି ତାକୁ ଏକଥା ପଚାରିବି, ବୁଝି ପାରିଲିନାହିଁ ।

 

“ଦେଈ ! ତମର ଛବି ମୁଁ ଖବର କାଗଜରେ ଦେଖିଥିଲି । ଥରେ ନୁହେଁ, ଦୁଇଥର । ଏଠିକି ତ ଅନେକ ଲୋକ ଆସନ୍ତି—ଯେଉଁମାନଙ୍କ ପାଖରେ ଖବରକାଗଜ ଥାଏ । ସେମାନଙ୍କ ଭିତରୁ କେହି କେହି ରୋଟି ଖାଉ ଖାଉ ଖବରକାଗଜ ପାଶୋରିଦେଇ ଚାଲିଯାଆନ୍ତି ।

 

ସତରେ ? ଆଖିରେ ମୋର ଭରା ବିସ୍ମୟ । ତାହେଲେ ମୋତେ ଛବିରେ ଦେଖି ଚିହ୍ନି ପକେଇଲ ?

 

ମୁଁ ଦେଖିବା ମାତ୍ରକେ ଚିହ୍ନି ପକେଇଥିଲି । ....କିନ୍ତୁ ଦେଈ ! ସେମାନେ ତୁମର ଚାବିକୁ ପ୍ରକାଶ କରନ୍ତି କାହିଁକି ?

 

ମୁଁ କୌଣସି ସହଜ ଉତ୍ତର ଦେଇପାରିଲିନାହିଁ । ମୁହଁରେ କୌଣସି ଭାଷା ପଇଟିଲା ନାହିଁ । ଅଳ୍ପ ଲଜ୍ଜିତ ଭାବରେ କହିଲି “ମୁଁ କବିତା, ଗପ ପ୍ରଭୃତି ଲେଖେ, ସେଇଥିପାଇଁ ।”

 

କାହାଣୀ ! ଦେଈ ସେ ସବୁ କାହାଣୀ କଣ ସତ ?

 

କାହାଣୀ ତ ସତ୍ୟ ଘଟଣାକୁ ନେଇ ଲେଖାଯାଏ କିନ୍ତୁ ପାତ୍ରପାତ୍ରୀ ର ନାମ ମିଛ ଲେଖାଯାଏ ଯେମିତି କେହି ଚିହ୍ନି ପାରିବେ ନାହିଁ ।

 

“ତମେ ତାହେଲେ ମୋ କାହାଣୀ ବି ଲେଖି ପାରିବ ଦେଈ ?”

 

“ଯଦି ତୁମେ କହିବ ତ ମୁଁ ନିଶ୍ଚୟ ଲେଖିବି !”

 

ତେବେ ଶୁଣ ଦେଈ ! ମୋ ନାଁ କରମାବାଲି (ସୌଭାଗ୍ୟବତୀ) । ଯଦି ଇଚ୍ଛା କରନ୍ତି ତେବେ ମୋର ନାଁଟା ବି ମିଛ ନଲେଖି ସତ ଲେଖିପାରନ୍ତି । ମୁଁ କଣ ତୁମକୁ କିଛି ମିଛକଥା କହିବି, ମୁଁ ତ ସବୁବେଳେ ସତକଥା କହେ କିନ୍ତୁ କେହି କଣ ମୋର କଥା ଶୁଣନ୍ତି ? କେହି ଶୁଣନ୍ତି ନି ।

 

ସେ ମୋର ହାତ ଧରି ବାଉଁଶତାଟି ପଛପଟରେ ପଡ଼ିଥିବା ଖଟ ଉପରକୁ ନେଇଗଲା ।

 

ମୋର ବିବାହ ହେବା ପୂର୍ବରୁ ଦୁଇଜଣ ସ୍ତ୍ରୀଲୋକ ମୋ ଦେହର ମାପ ନେବାକୁ ଆସିଥିଲେ । ସେହି ମାପରେ ମୋର ବିବାହର ପୋଷକପତ୍ର ତିଆରି ହେବ । ଦୁହିଙ୍କ ଭିତରୁ ଜଣେ ମୋର ସମବୟସୀ । ଦେହର ଗଠଣ, ସ୍ୱାସ୍ଥ୍ୟ, ଉଚ୍ଚତା ପୂରାପୂରି ସମାନ । ସିଏ ମୋର ଦୂର ସମ୍ପର୍କୀୟ ନଣନ୍ଦ । ମୋର ଶେଲଓ୍ୟାର, କମିଜର ମାପ ନେଇ ସାଇଲା ପରେ କହିଲା “ ପୂରାପୂରି ମୋ ନିଜ ମାପର ।” ଭାଉଜ ତୁ ମୋଟେ ଚିନ୍ତା କରିବୁନି, ଯାହା ସିଲେଇ କରିବା ଟିକିଏ ବି ଏ ପାଖ ସେପାଖ ହେବନାହିଁ । ତୋ ଦେହକୁ ପୂରାପୂରି ଲାଗିବ ।

 

ଆଉ ସତକୁ ସତ ବାହାଘରର ଯେତେ ପୋଷକପତ୍ର ମୋ ଦେହରେ ଏମିତି ଭାବରେ ଲାଗି ଯାଉଥିଲା ଯେ କେଉଁଠି ଟିକିଏ ହେଲେ ଖୁଣିବାର ଉପାୟ ନାହିଁ । ସେହି ନଣନ୍ଦଟି ବିବାହପରେ ବି ମୋ ପାଖରେ ବହୁଦିନ ଯାଏ ରହିଥିଲା । ପରେ ବି ସେ ମୋର ଅନେକ ପୋଷାକ ସିଲେଇ କରିଛି । ମୋତେ ଆଦର ବି କରୁଥିଲା ଅତ୍ୟଧିକ । ଗେହ୍ଲେଇ ହୋଇ କହୁଥିଲା “ଦେଖ ଭାଉଜ ! ମୁଁ ଯେତେଦିନ ବାହାରେ ରହିଲେ ବି ଅନ୍ୟ କାହା ପାଖରେ ପୋଷାକ ସିଲେଇ କରିବୁନି ।” ମୁଁ ବି ତାକୁ ପରିହାସ କରୁଥିଲି, ଭଲ ପାଉଥିଲି, ସ୍ନେହ କରୁଥିଲି । କେବଳ ଗୋଟାଏ ବିଷୟରେ ମୁଁ ତାକୁ ଅପସନ୍ଦ କରୁଥିଲି । ମୋ ପାଇଁ ପୋଷାକ ତିଆରି କରି ପ୍ରଥମେ ସେ ନିଜ ଦେହରେ ଲଗେଇ ମୋ ଆଗକୁ ଆସି କହୁଥିଲା “ ଦେଖ ଭାଉଜ ! ତୋର ପୋଷାକ ମତେ କେମିତି ପୂରାପୂରି ଖାପଖାଉଛି । ତୋତେ ବି ଠିକ୍ ଏମିତି ମାନିବ । ମୁଁ ସେ ପୋଷାକ ପିନ୍ଧିଲା ବେଳକୁ ମନେ ହେଉଥିଲା ନୂଆଁ ହେଲେ ବି ମୁଁ ଜଣକର ପାଲଟା ପୋଷାକ ପିନ୍ଧୁଚି ।

 

ଦଉଡ଼ିରେ ଟଣା ବାଉଁଶ ତାଟିର ପରଦା ଅନ୍ତରାଳରେ ଦଉଡ଼ି ଖଟିଆ । ତା ଭିତରେ ପୁଣି ଗୋଟାଏ ଅଶିକ୍ଷିତ ଗ୍ରାମ୍ୟବଧୂର ମନରେ ଏ ଭଳି ଗୋଟାଏ କୋମଳ ମାନସିକ ବିକାରର ପରିଚୟ ପାଇ ମୁଁ ଚମକି ପଡ଼ିଲା ।

 

ସେ ମୋର ଭାବନାକୁ ଆଗେଇବାକୁ ନ ଦେଇ ପୁଣି ଆରମ୍ଭ କଲା “ହେଲେ ତାକୁ ମୁଁ କେବେହେଲେ ପଦେ ବି କିଛି କହିନାହିଁ କାଳେ ବିଚାରିର ମନରେ କଷ୍ଟ ହେବ, ମନ ଭାଙ୍ଗିଯିବ ।”

 

ତା ପରେ ?

 

ତା ପରେ ପ୍ରାୟ ଦେଢ଼ବର୍ଷ ପରେ ମୁଁ ଜାଣିପାରିଲି । କିଏ ଜଣେ ମୋତେ କହିଲା ଯେ ସେହି ଝିଅଟା ସହିତ ମୋ ସ୍ୱାମୀଙ୍କର ଅନ୍ତରଙ୍ଗତା ଥିଲା । ଝିଅଟି ମୋ ସ୍ୱାମୀଙ୍କର ଦୂର ସମ୍ପର୍କୀୟ ଭଉଣୀ, ତେଣୁ ତାଙ୍କୁ ଏ ସମ୍ପର୍କ, ଏ ଭଲ ପାଇବା ବଡ଼ ଖରାପ ଲାଗୁଥିଲା ଏପରିକି ଥରେ ଏହି ଝିଅଟିକି ଜବତ୍ କରିବା ପାଇଁ ସେ ହାତ ଉଠେଇ ଥିଲେ ।

 

ଚାହିଁ ଦେଖିଲି କରମାବାଲିର ଦୁଇ ଗଣ୍ଡଦେଶ ଉଦ୍‍ଗତ ଅଶ୍ରୁଧାରାରେ ପ୍ଲାବିତ ହୋଇଯାଇଛି । ସେ ମୋର ହାତ ଯାବୁଡ଼ିଧରି କହିଲା “ଦେଈ ! ତୁମେ ତ ମୋର ମନର ବେଦନା ବୁଝିପାରୁଥିବ । ଅନ୍ୟର ପାଲଟାଲୁଗା, ପୋଷାକ ପିନ୍ଧିବା ମୋ ଦେହ ସହିଲା ନାହିଁ । ମୋର ଜରିକାମ କରା ସେଲଓ୍ୟାର, ମଖମଲ୍‍ କନାର କାମିଜ୍ ସବୁ ସେ ଝିଅଟି ପାଲଟା । ଆଉ ମୋର ପୋଷାକ ଭଳି ପାଲଟା ମୋର ସ୍ୱାମୀ ।”

 

କରମାବାଲି ନିକଟରେ ମୋର ଲେଖନୀ ପରାଜୟ ସ୍ୱୀକାର କଲା । କେଉଁ ଲେଖକ ଏହି ଜୀବନ୍ତ ଅଶ୍ରୁଳ କାହାଣୀକି ରୂପଦେବ ତାର କଲମ ମୁନରେ । ବର୍ତ୍ତମାନ ମୁଁ ସେ ସବୁ ପୋଷାକ ଓହ୍ଲେଇଦେଇ ଆସିଛି ଆଉ ତା ସହିତ ମୋର ସ୍ୱାମୀଙ୍କି । ବର୍ତ୍ତମାନ ମାମୁଁ, ମାଇଁ ହେଉଛନ୍ତି ମୋର ଏକମାତ୍ର ଆଶ୍ରୟ । ତାଙ୍କର ଘର ଲିପାପୋଛା, ଟେବୁଲ ପରିଷ୍କାର କରୁଛି ଆଉ ଫୁରୁସତ୍‍ ବେଳକୁ ମେସିନ୍ ରେ ଦୁଇ ଚାରିଖଣ୍ଡ ପୋଷାକ ସିଲେଇ କରି ମୋର ଗୁଜୁରାଣ ମେଣ୍ଟେଇ ନେଉଛି । ଖରିଦଦାର ନ ଆସିଲେ କିମ୍ବା ପୋଷାକ ପଡ଼ିରହିଲେ ବି ଅନ୍ୟ କାର ପାଲଟାଲୁଗା ଦେହରେ ଦେଉନାହିଁ । ମାମୁଁ ପୁନରାୟ ମୋତେ ବିବାହ ଦେବାପାଇଁ ବିଚାର କରୁଛନ୍ତି । ବଣପୋଡ଼ିଲେ ସମସ୍ତେ ଜାଣନ୍ତି, ମନପୋଡ଼ିର ଖବର ନିଅନ୍ତି କେତେଜଣ ? ସିଏ ବା କାହୁଁ ବୁଝିବେ ମୋର ମନର ବେଦନା, ହା, ହୁତାଶ । କାଚ ଆଉ ମନ ଗୋଟାଏ ଧାତୁରେ ଗଢ଼ା, ଥରେ ଭାଙ୍ଗିଗଲେ ଆଉ ଯୋଡ଼ି ହୁଏନା । ମୁଁ ଯେମିତି ବଞ୍ଚି ରହିଛି ସେମିତି ବଞ୍ଚି ରହିବି । ମୁଁ ଆଉ କିଛି ଚାହେଁନା । କେବଳ ତମେ ଥରେ ମୋର ମନ କଥା ଭାଷାରେ ପ୍ରକାଶ କରି ଦିଅ । ହୁଏତ ମନର ବୋଝ ହାଲୁକା ହୋଇଯିବ ।

 

କରମାବାଲିର ଦୁଃଖରେ ଅଭିଭୂତ ହୋଇପଡ଼ି ମୁଁ ମୋର ଦୁଇବାହୁରେ ଆଲିଙ୍ଗନ କରି ପକେଇଲି । ପରିପୁଷ୍ଟ ଦେହ, ଯେମିତି ନିଖୁଣ ପଥରରେ ତିଆରି, ମନଟାବି ସେମିତି ଟାଣ । ଏଇଠି ମୁଁ ଲଙ୍କାମରିଚରୁ ମଦ ଆଉ ମଦରୁ ହତ୍ୟାର ବିଭୀଷିକା ଶୁଣି ଟିକିଏ ଆଗରୁ ଭୟଭୀତ ହୋଇପଡ଼ିଥିଲି; ମାତ୍ରକ ଏଥି କେତେ ନିର୍ଭୟରେ କରମାବାଲି ତାର ଜୀବନ ବିତେଇ ନେଉଛି ।

 

ବାହର ରାସ୍ତାରେ ସିମଲାକୁ ଯାଉଥିବା ଯାତ୍ରୀବାହି ବସ୍ । ବସ୍ ଭିତରେ ଅସଂଖ୍ୟ ତରୁଣୀ । ରେଶମୀ ସେଲ୍ଓ୍ୟାର ଆଉ ନାଇଲନ ଦୁପଟ୍ଟା । କେତେଥର ପିଆଲାଏ ଚାହା ବା ଟିଣେ ସିଗାରେ୍‍ଟ ପାଇଁ ନତୁବା ଦୁଇଖଣ୍ଡ ଗରମ ରୋଟିପାଇଁ ସେମାନେ ହୁଏତ ଏଠି ରହୁଥିବେ । ସେମାନଙ୍କର ସେ ପରିଧେୟ ରେଶମୀ ପୋଷାକ ହୁଏତ ଅନେକ ତରୁଣୀର ପାଲଟା ପୋଷାକ କିନ୍ତୁ ସେଥିରେ ସେମାନଙ୍କର ସଙ୍କୋଚ ବା ଘୃଣା ନାହିଁ । ସେମାନେ ଯେପରି ସଭ୍ୟତାର ନୂତନ ସ୍ପର୍ଶରେ ଉଦାର—ମିଛାର ଅଭିନୟ କରି ଚାଲିଛନ୍ତି । ଆଉ କରମାବାଲି ଯିଏ ଆଜି ହୋଟେଲର ଟେବୁଲ ପୋଛୁଚି, ଚୌକି ଝାଡ଼ୁଛି, ଦେହରେ ଯାର ଖଣ୍ଡେ ଖଦଡ଼ର ପୋଷାକ, ସିଏ ଘୃଣା କରୁଛି ପରର ପାଲଟା ପୋଷାକ ଦେହରେ ଦେବାକୁ । ଟିକିଏ ନୀରବ ରହି କରମାବାଲି ପୁଣି କହିଲା “ଦେଈ ! ମୁଁ ତମର ସେହି ଟଙ୍କା ସମ୍ଭାଳି ରଖିଛି ?”

 

“ସତରେ ? ଏ ଯାଏଁ ?”

 

ହଁ ଦେଈ ! ସେତେବେଳେ ଅବଶ୍ୟ ଟଙ୍କାଟା ମୁଁ ଭଣ୍ଡାରୁଣୀକୁ ଧରେଇ ଦେଇଥିଲି । କିନ୍ତୁ ତା’ପରଦିନ ଯେତେବେଳେ ଖବରକାଗଜରେ ତମରି ଛବି ଦେଖିଲି, ଭଣ୍ଡାରୁଣୀ ପାଖରୁ ସେ ଟଙ୍କାଟି ମଗେଇ ଆଣି ଅତି ଯତ୍ନରେ ସାଇତି ରଖିନେଲି । ତମେ ଦେଈ ! ସେ ଟଙ୍କାଟା ଉପରେ ଯତ୍ନରେ ସାଇତି ରଖିନେଲି । ତମେ ଦେଈ ! ସେ ଟଙ୍କାଟା ଉପରେ ତମର ନାଁ’ଟା ଲେଖି ଦେଇଯା-। ଆଉ ମୋର କାହାଣୀ ଯେତେବେଳେ ଲେଖିବ ମୋତେ ନିଶ୍ଚୟ ପଠେଇଦେବ ।

 

ତା’ପରେ କରମାବାଲି ଉଠିଯାଇ ଖଟତଳେ ଥୁଆହୋଇଥିବା ଗୋଟାଏ ଟ୍ରଙ୍କ ଖୋଲିଲା । ଟ୍ରଙ୍କ ଭିତରେ କାଠର ଗୋଟାଏ ଛୋଟ ଡିବା । ତା’ରି ଭିତରୁ ସିଏ ବାହାରକଲା କାଗଜର ଟଙ୍କାଙ୍କିଆ ନୋଟ୍ ଖଣ୍ଡକ । “ମୁଁ ନିଜର ନାଁ’ତ ଲେଖିଦେଉଛି କରମାବାଲି, ଏମିତି କେତେ ଝିଅଙ୍କ ନୋଟ୍ ଉପରେ ମୁଁ ମୋର ନାଁ ଲେଖିଛି କିନ୍ତୁ ଆଜି ମୋର ନୋଟ୍ ଉପରେ ତୁ ନିଜେ ତୋର ଲେଖିଛି କିନ୍ତୁ ଆଜି ମୋର ନୋଟ୍ ଉପରେ ତୁ ନିଜେ ତୋର ନାଁ’ ଲେଖିଦେ । କାହାଣୀ ଲେଖକ ବଡ଼ ନୁହନ୍ତି, ବଡ଼ ସିଏ ଯାର କପାଳରେ ଅଜସ୍ର କାହାଣୀ ଅଙ୍କିତ ।”

 

ମୋତେ ଭଲଭାବରେ ଲେଖି ଆସେନାହିଁ । କରମାବାଲି ଲଜ୍ଜାରେ ସଙ୍କୁଚିତ ହୋଇପଡ଼ିଲା । ତା’ପରେ ପୁନରାୟ କହିଲା “ ମୋର ନାଁ କାହାଣୀରେ ନିଶ୍ଚୟ ଲେଖିବ ।”

 

ହଁ, ମୁଁ ଏହି ନାଁ, ତୋରି ହାତରେ ଲେଖା ନାଁ ନିଜ କାହାଣୀଟିର ନାଁ ରଖିବି । ମୁଁ ବେଗରୁ କଲମ ଆଉ ନୋଟ୍‍ବୁକ୍ ବାହାର କରିନେଲି ।

 

କରମାବାଲି ! ଆଜି ମୁଁ ତୋର କାହାଣୀ ଲେଖୁଛି । ସେହି ଟଙ୍କାକିଆ ନୋଟ୍ ଉପରେ ଲେଖା ହୋଇଥିବା ତୋର ନା ଆଜି ଏହି କାହାଣୀର କପାଳରେ ପବିତ୍ର ଟୀକା ଭଳି ଲାଗିରହିଛି ।

 

ଏହି କାହାଣୀ ତୋର କୌଣସି କାମରେ ଆସିବନାହିଁ, ତଥାପି ଏହି କାହାଣୀ ଭରସା, ଏହି ମନର ଉଜ୍ଜ୍ୱଳତାରେ ଏହି କାହାଣୀ ଉଜ୍ଜର୍ସଳ । ଯେଉଁମାନଙ୍କର ରକ୍ତର ରଙ୍ଗ ତୋର ଏହି ଟୀକାର ରଙ୍ଗକୁ କାନ୍ତିମାନ କରିଛି ତାଙ୍କରି ଏହି କୁତ୍ସିତ ସମାଜର ଗଳିକନ୍ଦିରେ ଘୁରି ବୁଲୁଛନ୍ତି ସେମାନଙ୍କର ମୁଣ୍ଡ ନଇଁଯିବ ।

 

ଆଉ ତୁ କରମାବାଲି….ତୋର ସୌଭାଗ୍ୟ ସତରେ କଣ ଫେରିବ ?

Image

 

ନାଳପୋଲ ଓ ଟିଣଘରର ଚିତ୍ରକର

-ଜ୍ୟୋତିରୀନ୍ଦ୍ର ନନ୍ଦୀ-

 

[ବଙ୍ଗଳା ସାହିତ୍ୟର ବହୁ ଔପନ୍ୟାସିକ ଆଉ କଳା ଶିଳ୍ପୀମାନଙ୍କ ମଧ୍ୟରେ ଜ୍ୟୋତିରୀନ୍ଦ୍ର ନନ୍ଦୀ ଅନ୍ୟତମ । ଜଣେ ପ୍ରତିଷ୍ଠାବାନ ଶକ୍ତିଶାଳୀ ସାହିତ୍ୟିକ ହିସାବରେ ସେ ବଙ୍ଗଳା ସାହିତ୍ୟରେ ସୁପରିଚିତ । ଗ୍ରୀଷ୍ମବାସର ପ୍ରଭୃତି ବହୁ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ସଞ୍ଚୟନ ବିଭିନ୍ନ ପ୍ରକାଶିନୀ ଦ୍ୱାରା ପ୍ରକାଶିତ ହୋଇଛି । ସମସାମୟିକ ବହୁସାହିତ୍ୟର ପତ୍ରର ସେ ଜଣେ ନିୟମିତ ଲେଖକ । ଉପସ୍ଥିତ ଗଳ୍ପଟି ମଣିଷର କଳା-ରୁଚି ଉପରେ ଏକ ବ୍ୟଙ୍ଗାତ୍ମକ ସମାଲୋଚନା । ଭାବ ଓ ଭାଷାର ସୁଷ୍ଠ ପ୍ରକାଶରେ ତାଙ୍କର ଶୈଳୀ ଅନ୍ୟାନ୍ୟ କଥାଶିଳ୍ପୀଙ୍କ ଠାରୁ ସ୍ୱତନ୍ତ୍ର ।]

Image

 

କଂକ୍ରିଟର ନୂଆ ପୋଲ ତିଆରି ହେବାପରେ ଜାଗାଟାରେ ଚେହେରା ପୂରାପୂରି ବଦଳି ଯାଇଛି । ଏ ପାଖରେ ଥିବା ନାଳଟାକୁ ଆଉ ଚିହ୍ନି ହେଉନାହିଁ । ଚିହ୍ନିବାକୁ କଷ୍ଟ ହୁଅନ୍ତା ନାହିଁ ଯଦି ସେ ପାରିର ଝାମ୍ପୁଡ଼ା ଶିରିଷ ଗଛଟା କଟା ହୋଇନଥାନ୍ତା । କିନ୍ତୁ ଯେଉଁମାନେ ପୋଲ ତିଆରି କରିବାକୁ ଆସିଥିଲେ ସେମାନେ ଗଛଟାକୁ ରକ୍ଷାକରି ପାରିନାହାନ୍ତି । ଗଛଟି ଯାଇଛି, ତେଣୁ ଆକାଶର ବିସ୍ତାର ବଢ଼ିଯାଇଛି ଆଉ ତା ସହିତ ନାଳଟାର ପୁରାତନ ଜଙ୍ଗଲୀ ଚେହେରା ବଦଳିଯାଇଛି—ତା ବଦଳରେ ଫୁଟି ଉଠିଛି ସହରର ସୌନ୍ଦର୍ଯ୍ୟ । କାହାକୁ ଭଲ ଲାଗୁଛି ତ କାହାର ପସନ୍ଦ ଆସୁନାହିଁ । ଶିରିଷ ଗଛର ଛାଇରେ କଣ୍ଟାକୋଳି ଆଉ ସାରୁର ଘୋର ଜଂଗଲ, ସକାଳ ସଂଧ୍ୟାରେ ଚିତ୍ରିତ ପ୍ରଜାପତି । ବର୍ତ୍ତମାନ ସବୁକିଛିର ସମାପ୍ତି ଘଟିଯାଇଛି । ଯେମିତି ସାଦାଚୂନ ଧଉଳା ବିଶାଳକାୟ ସେତୁ ଆରପାରିରେ ଚକ୍ ଚକ୍ ପିଚୁରାସ୍ତା ସହିତ ଏ ପାରିର କଞ୍ଚାମାଟିର ରାସ୍ତା ହାତ ମିଳେଇ ହୋ, ହୋ, ହୋଇ ଦିନରାତି ହସୁଛି । ଏପରିକି ପୋଲର ଧଳାଛାଇ ପଡ଼ି ନାଳଟାର ଶିଉଳିମଖା ପାଣିଟା ବି ଆଉ ଆଗଭଳି ନାହିଁ। ଆରଣ୍ୟକ ସ୍ୱଭାବଟା ପୂରାପୂରି ଚାଲିଯାଇଛି। ବଣ୍ୟଚେହେରାଟା ଫିକା ଧରିଯାଇଛି । କୌଣସି ଏକ ଗ୍ରାମ୍ୟ ତରୁଣୀ ଯେମିତି ସବୁଜ ଶାଢ଼ୀ ପାଲଟି ଦେଇ ସାର୍ଟିନର ଫ୍ରକ୍ ଦେହରେ ଚଢ଼େଇଛି । କାହାକୁ ଭଲ ଲାଗୁଛି ତ କାହାର ପସନ୍ଦ ଆସୁନାହିଁ ।

 

ହଁ ନାଳ ଆଉ ପୋଲ ହାତ ମିଳେଇଛନ୍ତି । ସେପାରି ସହିତ ଏ ପାରିର । ତେଣୁ କୌଣସି ଦିନ ଯେଉଁମାନଙ୍କୁ ଦେଖାଯାଏନା, ସେହିସବୁ ହରିଜନ ବସ୍ତିର ପିଲାଛୁଆ ଏପାରିର ଧୂଳିବାଲି କାଦୁଅ ଜଙ୍ଗଲ ଆଉ ମାଟି ସହିତ ନଇଁପଡ଼ିଥିବା କୁଡ଼ିଆଘର ଛାଡ଼ିକି ଏହିକ୍ଷଣି ସିଧାସଳଖ ପୋଲ ଉପରୁକୁ ଚାଲି ଆସୁଛନ୍ତି । ଆଣ୍ଠୁଯାଏ ଧୂଳି, ମଇଳାଲୁଗା, ଧୂସର ଋକ୍ଷ କେଶ, ଶୁଖିଲା ମୁହଁ ନେଇ ସେମାନେ ପୋଲର ଚକ୍‍ଚକ୍ କାର୍ନିଶ ଉପରେ ହାତ ରଖି ତଳର ପାଣି ଦେଖି ହିଁ ହିଁ କରି ହସୁଛନ୍ତି । ସେମାନେ ଖୁସି । ସେମାନଙ୍କୁ ଏ ପୋଲଟା ଖୁବ୍ ଭଲ ଲାଗୁଛି । ଠେଲାଗାଡ଼ି ଉପରେ ସରୁ, ବାଇଗଣ, ପଇଡ଼, ଲାଉଶାଗର ବୋଝନେଇ ଆରାମରେ ପୋଲ ଉପରଦେଇ ସେ ପାରିର ପରିଚ୍ଛନ୍ନ ମେଟାଲ୍‍ଡ଼ କରା ରାସ୍ତା ଉପରକୁ ଖସିଆସନ୍ତି । ତାପରେ ଭଲ ଭଲ ବଜାର ଯେଉଁଠି ରହିଛି ସେ ପାଖକୁ ଛୁଟି ଯାଆନ୍ତି । ଯେମିତି ରାତାରାତି ସେମାନେ ଜାଣିପାରିଛନ୍ତି ଯେ ସେ ପାରିର କେଉଁ ବଜାରରେ ସାରୁ, ପଇଡ଼, ଲାଉଶାଗ, ଚଢ଼ାଦାମରେ ବିକ୍ରୀ ହୋଇପାରିବ । ସେମାନଙ୍କର ମୁହଁ ହସରେ ଉଜ୍ଜ୍ୱଳ ।

 

ଏ ଭଳି ଲୋକ ବି ଅଛନ୍ତି ଯିଏ ମୁହଁକୁ ତମସାଚ୍ଛନ କରି ପୋଲ ଉପରେ ଆସି ଠିଆ ହୁଅନ୍ତି । ଭ୍ରଙ୍କୁଚିତ କରି ସୂର୍ଯ୍ୟାସ୍ତର ସୁନେଲି ଆଭା ଦେଖୁ ଦେଖୁ ଅପ୍ରସନ୍ନ ଆଖିରେ ମଇଳା ପୋଷାକ ପରିହିତ ସେପାରିର ଅପରିଷ୍କାର ମୁହଁ ଗୁଡ଼ିକ ପାଖରେ ଦେଖି ଅଶ୍ୱସ୍ତିର ନିଶ୍ୱାସ ପକାନ୍ତି-। ସେମାନେ ଏହି ପାଖର ବାସିନ୍ଦା । ସେମାନଙ୍କ ଦେହରେ ପରିଷ୍କାର କାମିଜ, ପାଦରେ ଦାମୀ ଜୋତା । ସକାଳର ମୁକ୍ତ ବାୟୁସେବନ କରିବା ପାଇଁ ଏମାନେ ଆସନ୍ତି । କିନ୍ତୁ ଏମାନଙ୍କ ଭିତରୁ ସମସ୍ତ ଅସୁଖୀ ନୁହଁନ୍ତି । ଯାହାର ନିଜ ଗାଡ଼ି ଅଛି ଏଭଳି ସମସ୍ତ ସୁଖୀ ମଣିଷ ପୋଲର ଭିଡ଼ ପଛରେ ପକେଇ ସଁ କରି ସେପାରିର ଢାଲୁ ରାସ୍ତାରେ ଚାଲିଯାଆନ୍ତି । ଗାଡ଼ି ପ୍ରଚୁର ଧୂଳି ଉଡ଼େଇ ଆହୁରି ଦୂରକୁ ଚାଲିଯାଏ, ତାପରେ ଦୃଷ୍ଟି ସୀମା ଭିତରୁ ଅନ୍ତର୍ଦ୍ଧାନ ହୋଇଯାଏ ।

 

ହୁଏତ ସବୁଜ ସକାଳର ଶାନ୍ତରୂପ ଦେଖିବାପାଇଁ, ପକ୍ଷୀର କଳକୂଜନ ଶୁଣିବାପାଇଁ ସେମାନେ ବଣ ଭିତରକୁ ଗଲାବେଳକୁ ପୋଲଟିକି ଧନ୍ୟବାଦ ଜଣାନ୍ତି ।

 

କେତେଦିନ ଧରି ପୋଲଟାହିଁ ଗୋଟାଏ ବିସ୍ମୟ, ନୂତନତ୍ୱ ଧରି ରହିଲା ଏପାରି ଆଉ ସେପାରି ମଣିଷମାନଙ୍କ ନିକଟରେ, ତା ପରେ ସେହି ନୂତନତ୍ୱ ଯେତେବେଳେ ସମସ୍ତଙ୍କ ଆଖିରେ ଆସ୍ତେ ଆସ୍ତେ ପୁରାତନ ହୋଇଗଲା, ସ୍ୱାଭାବିକ ହୋଇଆସିଲା, ସେତେବେଳେ ଦିନେ ସମସ୍ତେ ଅବାକ୍ ଆଖିରେ ଚାହିଁ ଦେଖିଲେ ଗୋଟାଏ ଅଦୃଶ୍ୟ ଶିଳ୍ପୀର ତୁଳୀରେ ଅଙ୍କିତ ନାନା ଚିତ୍ର ପୋଲ ଦେହରେ ଫୁଟିଉଠିଛି । ଫୁଲ, ପତ୍ର, ଲତା, ମାଛ, ପକ୍ଷୀ । ପୋଲର ଚୂନକାମକରା ଢାଲୁ ଅଂଶଟାରେ ଶିଳ୍ପୀ ଗଭୀର ଯତ୍ନର ସହିତ ଏ ସବୁ ଆଙ୍କି ରଖିଛି । ଏଇପାଖ ଢାଲୁରେ ଯେମିତି ଠିକ୍ ସେମିତି ଆର ଢାଲୁରେ ମଧ୍ୟ ଫୁଲ, ମାଛ, ପକ୍ଷୀର ଚିତ୍ର ଅଙ୍କିତ ହୋଇରହିଛି । ଇଟାଗୁଣ୍ଡ ନତୁବା କାଠକୋଇଲା ଘସିଘସି ଶିଳ୍ପୀ ଚିତ୍ରାଙ୍କନ କରାଯାଇଛି । ବୁଝାପଡ଼ୁଛି ତାର ତୁଳୀ ନାହିଁ, ଦୋକାନରୁ ରଙ୍ଗ କିଣିବାର ସାମର୍ଥ୍ୟ ନାହିଁ । କିନ୍ତୁ ତାହା ବଡ଼କଥା ନୁହେଁ । ଅଙ୍କନଟାହିଁ ଅସଲ, ଚିତ୍ର ଗୁଡ଼ିକହିଁ ଏଇଠି ବଡ଼ । ତା ଛଡ଼ା ଇଟାର ରଙ୍ଗଟା ବି ରଙ୍ଗ, ଆଉ କୋଇଲାର ରଙ୍ଗ ବି ରଙ୍ଗ । ଏହି ପାଖରେ ଭଲ ଭଲ ପୋଷାକ ପରିହିତ ମଣିଷମାନେ ମୁଣ୍ଡ ହଲେଇ ଗମ୍ଭୀର ଭାବରେ ମନ୍ତବ୍ୟ କଲେ–“ଗୋଟାଏ ଜିନିୟସ୍‍, ହୁଏତ ଲୋକଚକ୍ଷୁର ଅନ୍ତରାଳରେ ରହିଯାଇଛି । ହୁଏତ ଅନାଦର ଆଉ ଅବହେଳାରେ ରହି ରହି ନିଜକୁ ସେଭଳି ଭାବରେ ପ୍ରକାଶ କରି ପାରୁନାହିଁ । କିନ୍ତୁ ତଥାପି ମହତ୍ ଶିଳ୍ପୀର ପ୍ରତିଭା ନେଇ ଯେ ଲୋକଟା ଜନ୍ମହୋଇଛି ଏହି ବିଷୟରେ କୌଣସି ସନ୍ଦେହ ନାହିଁ-। ଆହା ! କି ଚମତ୍କାର ହାତ ।”

 

ସେ ପାରିର ମିଳନ ବସ୍ତ୍ର ପରିହିତ ଅପରିଷ୍କାର ଚେହେରାର ମଣିଷଗୁଡ଼ିକ ପୋଲ ଦେହରେ ବିଚିତ୍ର ଚିତ୍ର ସବୁ ଦେଖି ହି ହି ହୋଇ ହସିଲେ । ପାଗଳା ! ମୁଣ୍ଡରେ ସ୍କ୍ରୁ ଢିଲା ଅଛି ବେଟାର । ସାରା ରାତି କୋଇଲା ଆଉ ଇଟାର ଟୁକୁର ଘସିଘସି ଏ ସବୁ କାମ କରିଯାଇଛି । ଖାଇବା ପିଇବା ପରେ ଯେମିତି ଆଉ କିଛି କାମ ନଥିଲା.....ଦୁନିଆରେ କେତେ ପ୍ରକାର ଜୀବ ଅଛନ୍ତିରେ ବାବା । ଜୀବକୁ ସେମାନେ ଦେଖି ପାରନ୍ତିନି । ଗୁଣଗ୍ରାହୀ, ବୁଦ୍ଧିମାନ, ସହର ଦର୍ଶକମାନଙ୍କ ନିକଟରେ ମଧ୍ୟ ଶିଳ୍ପୀ ଅଜ୍ଞାତ ରହିଗଲା । ବୁଲିବା ପାଇଁ ଆସି କିମ୍ବା ବ୍ରିଜ୍‍ ପାରି ହେବ ସମୟରେ ସେମାନେ ଦୁଇ ମିନିଟ୍‍ ଠିଆ ହୋଇ ଗଛ, ଲତାପତ୍ର, ଫୁଲ, ପକ୍ଷୀ ମାଛ ଦେଖନ୍ତି-

 

ତିନିଦିନ ପରେ ପୋଲର ଆଉ ଗୋଟାଏ ପାଖରେ ଚିତ୍ର ଫୁଟି ଉଠିଲା । ଏଥର କିନ୍ତୁ ଗଛ, ଫୁଲ ପକ୍ଷୀ କିମ୍ବା ମାଛ ନୁହେଁ । ଚନ୍ଦ୍ର, ସୂର୍ଯ୍ୟ, ପର୍ବତ, ଝରଣା ନଦୀ । ସେ ପାରିର ମଣିଷଗୁଡ଼ିକ ପୁଣି ଦାନ୍ତ ଦେଖେଇ ହି-ହି ହୋଇ ହସିଲେ । ପାଗଳା ଗୋଟାଏ ବଡ଼ କାମ ପାଇଯାଇଛି । ସାରା ପୋଲଟାକୁ ଚିତ୍ର ବିଚିତ୍ର କରି ପକେଇବ ଦେଖାଯାଉଛି । ଏ ପାରିର ସହରୀ ମଣିଷଗୁଡ଼ିକ ମୁଗ୍ଧ ବିସ୍ମୟରେ କାଠକୋଇଲା ଆଉ ଇଟାର ଟୁକୁରା ଦେଇ ଅଙ୍କିତ ଚନ୍ଦ୍ର, ସୂର୍ଯ୍ୟ, ସମୁଦ୍ର, ପର୍ବତ ଦେଖୁ ଦେଖୁ ଆଦିମ ସୃଷ୍ଟିର କଥା ଚିନ୍ତା କରି ଦୀର୍ଘଶ୍ୱାସ ପକେଇଲେ । ଆହା ! ଥରେ ଯଦି ଶିଳ୍ପୀକୁ ଦେଖିବାକୁ ପାଅନ୍ତୁ । ଯେମିତି ଦେଖିପାଇବା ମାତ୍ରକେ ସେମାନେ ତାକୁ ବାରଣ କରି ନିଅନ୍ତେ, ସଭାକରି ତା ଗଳାରେ ଫୁଲମାଳ ପିନ୍ଧେଇ ଦିଅନ୍ତେ, ତାର ଖାଇବା ପିଇବା ସୁଖସ୍ୱାଚ୍ଛନ୍ଦ୍ୟର ସ୍ଥାୟୀ ବନ୍ଦୋବସ୍ତ କରିବାକୁ ଜନସାଧାରଣଙ୍କ ନିକଟରୁ ଚାନ୍ଦା ଉଠେଇବାର ଧୁମ୍ ପଡ଼ିଯାଆନ୍ତା । ସରକାରୀ ସାହାଯ୍ୟ ପାଇଁ ଆବେଦନ ନିବେଦନ ଆରମ୍ଭ ହୋଇଯାଆନ୍ତା ।

 

କିନ୍ତୁ ପାଗଳା ଦେଖା ଦେବନାହିଁ । ସେ ପାରିର ଅଶିକ୍ଷିତ ମଣିଷଗୁଡ଼ିକ ହି.....ହି ହୋଇ ହସନ୍ତି । ପାଗଳା ଜାଣି ପକେଇଛି, ଯେତେଦିନ ଲୁଚି ରହିବ ସେତେ ଭଲ । ନ ହେଲେ ସହରୀବାବୁଙ୍କ ଦଳ ତାକୁ ଧରି ବାନ୍ଧି ନେଇଯାଇ କହିବେ ଏଇଟା ଆଙ୍କ, ସେଇଟା ଆଙ୍କିଦିଅ । ଫରମାସ ଦେଇଦେଇ ବେଟାର ପ୍ରାଣ ଅତିଷ୍ଠ କରି ତୋଳିବେ । ନିଜର ମନମୁତାବକ ଏଭଳି ଚମତ୍କାର ଚନ୍ଦ୍ର, ସୂର୍ଯ୍ୟ, ଫୁଲ ଚିତ୍ର କରି ପାରିବନାହିଁ । ସେପାରିର ଅପରିଚ୍ଛନ୍ନ ମଣିଷମାନକଙ୍କର ଏଭଳି ଗୋଟାଏ ଆଶଙ୍କା କରିବାର କାରଣ ରହିଛି, କାହିଁକିନା ସେମାନେ ଆଖି ଆଗରେ ଦେଖୁଛନ୍ତି ପୋଲ ଦେହର ଚନ୍ଦ୍ର ସୂର୍ଯ୍ୟ, ମାଛ ପକ୍ଷୀ ଦେଖିବାପାଇଁ ବାବୁମାନଙ୍କ ଯେମିତି ଗୋଟାଏ ଚହଳ ପଡ଼ିଯାଇଛି । କ୍ରମେ କ୍ରମେ ବାବୁମାନଙ୍କ ସଂଖ୍ୟା ବୃଦ୍ଧିଲାଭ କରୁଛି । ଗାଡ଼ିର ସଂଖ୍ୟା ବଢ଼ୁଛି, କାନ୍ଧରେ କ୍ୟାମେରା ଝଲେଇ କାଗଜର ପ୍ରତିନିଧିଗଣ ସମୟ ଅସମୟରେ ଆସି ଫଟୋ ଉଠେଇ ନେଇଯାଉଛନ୍ତି । ସେଦିନ ଗୋଟାଏ ଲମ୍ବା କଳାଗାଡ଼ିରେ ଦଳେ ସ୍କୁଲ ଛାତ୍ରୀ ଆସି ଅନେକ ସମୟ ରହି ଚିତ୍ର ଗୁଡ଼ିକ ଦେଖିଗଲେ । ଦେହରେ ସ୍କାର୍ଟ ଆଉ ହାତକଟା ବ୍ଲାଉଜ । ମୁଣ୍ଡରେ ଲମ୍ବା ବେଣୀ । ଲୋକଟା କେତେବେଳେ ଏ ସବୁ ଆଙ୍କେ ରେ ?” ଜଣେ ଆର ଜଣକୁ କହୁଥିଲା । “ଅଥଚ ଆଜି ପର୍ଯ୍ୟନ୍ତ ଶୁଣିଛି କେହି ତାକୁ ଦେଖିନାହାନ୍ତି ।”

 

“ରାତିରେ ।” ଗମ୍ଭୀର ହୋଇ ଆଉ ଜଣେ ତରୁଣୀ କହୁଥିଲା । ଆମେ ଯେତେବେଳେ ଶୋଇଥାଉ, ସବୁ ମଣିଷ ଯେତେବେଳେ ଶୋଇଥାଆନ୍ତି, ସେତେବେଳେ ଆସି ଆଙ୍କିଯାଏ ।”

 

“ହୋଇପାରେ ।” ଆଖିତୋଳି ଆଉ ଜଣେ ପୋଲର ଚାରିକୋଣର ଉଚ୍ଚସ୍ଥାନ ଗୁଡ଼ିକ ଦେଖିଲା । ଗମ୍ବୁଜ ଭଳି ଚାରୋଟିସ୍ତମ୍ଭ ଉପରେ ବଲ୍‍ବ ଝୁଲୁଛି । ସାରାରାତି ଆଲୁଅ ଜଳେ । ଆଲୁଅ ତଳେ ଠିଆ ହୋଇ ସେ ଚିତ୍ର ଅଙ୍କନ କରେ ।

 

ଆଲୁଅ ନଥିଲେ ମଧ୍ୟ ସେ ଠିକ୍ ଅଙ୍କନ କରିଯାଆନ୍ତା । ଏହି ଶିଳ୍ପୀ ସାଧାରଣ ମଣିଷ ନୁହେଁ । ଐଶ୍ୱରିକ ଶକ୍ତି ସମ୍ପନ୍ନ କୌଣସି ପୁରୁଷ ହୋଇପାରେ । କଥାଟା କହୁଥିଲେ ଜଣେ ବୃଦ୍ଧ । ମୁଣ୍ଡରେ ବାଳ ପୂରାପୂରି ଧଳା ହୋଇ ଯାଇଛି । ନାକ ଉପରେ ପୁରା ଚଷମା ଝୁଲେଇ ସ୍କୁଲର ଛାତ୍ରୀମାନଙ୍କ ପାଖରେ ଠିଆ ହୋଇ ସେ ଗଭୀର ମନଯୋଗ ସହିତ ଛବି ଦେଖୁଥିଲେ ।

 

ଛାତ୍ରୀଗଣ ଟା’ଙ୍କର କଥା ଶୁଣି ଚୁପ୍ ହୋଇଗଲେ ।

 

ବୃଦ୍ଧ ହାତ ହଲେଇ ବକ୍ତୃତା ଦେବାକୁ ଲାଗିଲେ “ଆମର ଏହି ସମାଜ କି ଆଉ ସମାଜ ହୋଇରହିଛି । ସଭ୍ୟତାର ଓ ସଂସ୍କୃତିର ବଡ଼େଇ କରି ମରୁଛୁ । ଅଥଚ ଯେଉଁଆଡେ ଚାହିଁବ ଦୁର୍ନୀତି ଛଡ଼ା ଆଖିରେ ଆଉ କିଛି ପଡ଼ିବନାହିଁ । ପ୍ରକୃତ ଜ୍ଞାନୀଗୁଣୀ ବିଶେଷଭାବରେ ସେ ଯଦି ଶିଳ୍ପୀ, ଏହି ଅଧପତିତ ସମାଜରେ ନିଜକୁ ବଞ୍ଚେଇ ରଖିବା ପାଇଁ ଲଜ୍ଜା ବୋଧ କରନ୍ତି । ଏହି ସମାଜର କୌଣସି ଶିକ୍ଷା ପ୍ରତିଷ୍ଠାନ, ବ୍ୟବସାୟୀ ପ୍ରତିଷ୍ଠାନ ସହିତ ସେ ନିଜକୁ ଖାପ ଖୁଆଇ ପାରନ୍ତି ନାହିଁ । ମୋର ମନେହୁଏ ଏହି ଶିଳ୍ପୀ ମଧ୍ୟ ଶୁଦ୍ଧ ଚରିତ୍ରର ଉନ୍ମତମନା କୌଣସି ପୁରୁଷ; ଋଷିତୁଲ୍ୟ ବ୍ୟକ୍ତି । ହୁଏତ ତା ଖାଇବା ପିନ୍ଧିବାର କଷ୍ଟ ହେଉଛି କିନ୍ତୁ ତାହା ହେଲେ ବି ସେ ଲୋକ ଚକ୍ଷୁର ଅନ୍ତରାଳରୁ ନିଜର ଶିଳ୍ପୀ ସତ୍ତାକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି । ମୋର ମନେହୁଏ ଆଧୁନିକ ସମାଜକୁ ବ୍ୟଙ୍ଗ କରିବାକୁ ଶିଳ୍ପୀ ଇଟା, କାଠକୋଇଲା ଦେଇ କଂକ୍ରିଟ ବ୍ରୀଜ ଦେହରେ ଏସବୁ ଚିତ୍ର ଅଙ୍କନ କରିରଖିଛି । ଆମେ କୃତ୍ରିମ ହୋଇଯାଉଛୁ, ଆମର ସଭ୍ୟତାଟା ଏକ ଅନୁକରଣ, ପ୍ରହସନ । ଚନ୍ଦ୍ର, ସୂର୍ଯ୍ୟ, ଫୁଲ, ପକ୍ଷୀ ଅଙ୍କନ କରି ଶିଳ୍ପୀ ବୁଝେଇବା ପାଇଁ ଚାହିଁଛନ୍ତି ଆମେ ପ୍ରକୃତିଠାରୁ ବହୁଦୂରକୁ ଅପସରି ଯାଉଛୁ ବୋଲି ଆମର ଦୁଃଖ କଷ୍ଟ ମଧ୍ୟ ଦିନକୁ ଦିନ ବଢ଼ୁଛି, ଆମେ ଧ୍ୱଂସର ପଥରେ ଆଗେଇଯାଉଛୁ ।”

 

ଜଣେ ଯୁବକ ବୃଦ୍ଧ ସହିତ କଥାବାର୍ତ୍ତା କରୁଥିଲେ । ଆପଣ ଠିକ୍ କହିଛନ୍ତି,“ଲୋକଟି ସାଧକ, ଯୋଗୀ—ବସ୍ତୁତ ପ୍ରକୃତ ଶିଳ୍ପୀ ଏହିପରି ହୁଅନ୍ତି । କେବଳ ଛବି ଆଙ୍କିବା, ଗୀତ ଗାଇବା ନୁହେଁ, ଛବି ଆଉ ଗୀତ ମାଧ୍ୟମରେ ମଣିଷକୁ ଶିକ୍ଷା ଦେବପାଇଁ ମଝିରେ ମଝିରେ ଏମାନେ ପୃଥିବୀରେ ଜନ୍ମଗ୍ରହଣ କରନ୍ତି ।

 

“ହୋଇପାରେ ।” ବୃଦ୍ଧ ମୁଣ୍ଡ ହଲେଇଲେ । କେବଳ ଆର୍ଟିଷ୍ଟ କହିଲେ ଏମାନଙ୍କୁ ଅପମାନ କରାହେବ । ଏମାନେ ପ୍ରଫେଟ୍ ।

 

ସ୍କୁଲର ଛାତ୍ରୀଗଣ କଥାଗୁଡ଼ିକ ଅଧା ବୁଝିଲେ ଅଧା ବୁଝିଲେ ନାହିଁ । ଛବି ଦେଖିସାରି ପୁଣି ସେମାନେ ଦଳବାନ୍ଧ ଲମ୍ବା କଳା ମୋଟରରେ ଯାଇ ବସିଲେ । ବୃଦ୍ଧ ପୋଲ ପାରିହୋଇ ଅପେକ୍ଷାକୃତ ନିର୍ମଳ ବାୟୁ ସେବନ ଉଦ୍ଦେଶ୍ୟରେ ସେ ପାରିକି ମୁହେଁଇଲେ । ଯୁବକଟି ସହରର ଜନଗହଳ ଭିତରେ ମିଶିଗଲା । ସେତେବେଳେକୁ ନୂତନ ଦର୍ଶକ ଆସି ପୋଲ ଉପରେ ଭିଡ଼କରି ଠିଆ ହୋଇଛନ୍ତି ।

 

କିନ୍ତୁ କି ଅଘଟଣ ଘଟିଗଲା । ପାଞ୍ଚ ଛଅ ଦିନପରେ ଗୋଟାଏ ସକାଳରେ ଦେଖାଗଲା ଲତାପତ୍ର, ଫୁଲ ପକ୍ଷୀ, ଚନ୍ଦ୍ର ସୂର୍ଯ୍ୟ, ସମୁଦ୍ର, ପାହାଡ଼ ପୋଛିଦେଇ ଅଦୃଶ୍ୟ ଚିତ୍ରକର ପୋଲର ଦୁଇ ପାଖରେ ସାପ, ବେଙ୍ଗ, ବିଛା, ଅସରପା, ଝିଟିପିଟିର ଛବି ଆଙ୍କି ଭରି ଦେଇଛି । ସେ ପାରିର ଅଶିକ୍ଷିତ ମଣିଷଗୁଡ଼ିକ ପୁନରାୟ ଦାନ୍ତ ଦେଖେଇ ହସିଲେ, କାହିଁକିନା ସେମାନେ ପ୍ରଥମେ ଚାବିଗୁଡ଼ିକ ଦେଖିଲେ । ପଇଡ଼, ଲାଉଶାଗ, ବାଇଗଣ, ବିଲାତିବାଇଗଣ, ପୋତଳ ବୋଝେଇ ଠେଲାଗାଡ଼ି ନେଇ ସୂର୍ଯ୍ୟୋଦୟ ପୂର୍ବରୁ ସେମାନେ ପୋଲ ଟପି ଚାଲିଯାଆନ୍ତି । ଠେଲା ରୋକିନେଇ କିଛି ସମୟ ପାଇଁ ସେମାନେ ଠିଆହୋଇ ପଡ଼ନ୍ତି, କାହିଁକି ନା ଚାବିଗୁଡ଼ିକ ନୂତନ । ପକ୍ଷୀ, ଚନ୍ଦ୍ର ସୂର୍ଯ୍ୟ, ଫୁଲ, ସମୁଦ୍ର ତାଙ୍କ ଆଖି ଆଗରେ ପୁରାତନ ହୋଇପଡ଼ିଥିଲା । ସେ ସବୁ ଦେଖିବାପାଇଁ ଆପାତତଃ ଆଉ ସେମାନଙ୍କର ଆଗ୍ରହ ନଥିଲା । ଆଜି ପୁଣି ନୂତନ ଆଗ୍ରହ । ସଙ୍ଗରେ ଥିବା ଛୋଟ ଶିଶୁଟା ଡେଇଁ ଡେଇଁ ଏକ ଦୁଇ କରି ଗଣିବାପାଇଁ ଆରମ୍ଭ କରିଦେଇଛି । ତା’ ପରେ ଠେଲାପାଖକୁ ଦୌଡ଼ିଆସି ପାଟିକରୁଛି “ମାମୁଁ ! ଚଉଦଟା ସାପ, ଅଠେଇଶିଟି ବେଙ୍ଗ, ତିନିକୋଡ଼ି ଅସରପା, ବାଇଶିଟି ଝିଟିପିଟି....ହି....ହି.... । ତା’ସହିତ ବଡ଼ ମଣିଷଗୁଡ଼ିକ ବି ଯୋଗଦିଅନ୍ତି । ବାବୁମାନଙ୍କର ଭିଡ଼ ବଢ଼ୁଛି । ସେଥିପାଇଁ ବେଟା ମଜା କରିବାକୁ ସାପ, ବେଙ୍ଗ, ଚିତ୍ର କରି ରଖିଛି । ଏଥର ଖବରକାଗଜବାଲା ଆସି ଫଟୋ ତୋଳି ନିଅନ୍ତୁନା...ହା...ହା ।

 

ନାଳ ସେପାରିର ହରିଜନ ବସ୍ତିର ବାଳକ ବାଳିକା ଦିନସାରା ପୋଲର ଏ ମୁଣ୍ଡରୁ ସେ ମୁଣ୍ଡ ବୁଲି ବୁଲି ସାପ, ବେଙ୍ଗ ଅସରପାର ଛବି ଦେଖିଲେ । ପାଗଳ ଗତ ରାତିରେ ଗଂଜେଇ ଟାଣିଥିଲା । ନହେଲେ ଗଣ୍ଡା ଗଣ୍ଡା ସାପର ଚିତ୍ର କରିବା କାହିଁକି ? ଆଉ ସବୁଗୁଡ଼ିକ ବ୍ରାହ୍ମଣୀବେଙ୍ଗ, ଖପ୍ ଖପ୍ କରି ଡ଼େଇଁ ପଳଉଛନ୍ତି ଅପାରେ...ହା....ହା....

 

କିନ୍ତୁ ଏଥରମଧ୍ୟ ସହରର ଭଦ୍ରପଡ଼ାର ମଣିଷମାନେ ଶିଳ୍ପୀର ନୂତନ ସୃଷ୍ଟି ଦେଖିବାପାଇଁ ପୋଲଉପରେ ଭିଡ଼ ଜମେଇବାପାଇଁ ଭୁଲିଲେ ନାହିଁ ।

 

“ମର୍ଜି, ଶିଳ୍ପୀର ନୂତନ ଖିଆଲ ।” ଛବି ଦେଖି ସେମାନେ ମନ୍ତବ୍ୟ କଲେ । ସାଧକ ଶିଳ୍ପୀ-ପ୍ରକୃତିର ଆଉ ଗୋଟା ଦିଗ ଆମ ଆଖିଆଗରେ ଉନ୍ମୋଚନ କରି ଧଇଲା । ପକ୍ୱକେଶ ବୃଦ୍ଧଙ୍କୁ ଚାହିଁ ସେହି ଦିନର ଯୁବକଟି ମନ୍ତବ୍ୟ କଲା । ବୃଦ୍ଧ ମୁଣ୍ଡ ହଲେଇଲେ । ଚଶମାର ପୂରା ଲେନ୍ସଟା ଭଲଭାବରେ ପୋଛିନେଇ ପୁଣି ତାକୁ ନାକ ଉପରେ ଦେଇ ଗୋଟିଏ ଦୀର୍ଘ ନିଶ୍ୱାସ ତ୍ୟାଗକଲେ । ଅର୍ଥ ଆମର ମନେପକେଇ ଦେଉଛି । ଆଣବିକ ସଭ୍ୟତାର ବଡ଼େଇକରି ଆମେ ଯେତେ ଡିଆଁ ଡ଼େଇଁ କରୁନା କାହିଁକି, ଯେତେ ସ୍ଲୋଗନ ଦେଉନା କାହିଁକି, ଧ୍ୱଂସମୁଖକୁ ଆସି ପୃଥିବୀ ଥର ଥର ହୋଇ କମ୍ପୁଛି । ଶିଳ୍ପୀ କହିବାକୁ ଚାହୁଁଛି ଦୁଇପାଦ ଉପରେ ଠିଆ ହୋଇଥିବା ମଣିଷର ଦିନ ଶେଷହେବାରେ ଆଉ ଡେରିନାହିଁ । ସେମାନେ ପୁଣି ଆସୁଛନ୍ତି, ପୁଣି ବୁକୁଉପରେ ଭରାଦେଇ ଚାଲୁଥିବା ଜୀବମାନଙ୍କର ରାଜତ୍ୱ ଚାଲିବ କେତେ କୋଟି ବର୍ଷ ।

 

କଥା ଶୁଣି ସ୍କୁଲର ତରୁଣୀ ଛାତ୍ରୀମାନେ ଗମ୍ଭୀର ହୋଇପଡ଼ିଲେ । ଏ ଯାବତ୍‍ ସେମାନେ ସାପ, ବେଙ୍ଗ, ଏଣ୍ଡୁଅ, ଅସରପା ଆଉ ବିଛାର ଛବି ଦେଖି ବେଶ୍ ଆନନ୍ଦ ଉପଭୋଗ କରୁଥିଲେ । ଯେମିତି ଅନାଜବାଲାର ସଙ୍ଗୀ ସେହି ଛୋଟ ପିଲାଟି ଭଳି ଏକ ଦୁଇ କରି କେତୋଟି ବେଙ୍ଗ, କେତୋଟି ଅସରପା ଗଣିବାପାଇଁ ଆରମ୍ଭ କରି ଦେଇଥିଲେ । ଆବହାଓ୍ୟାଟା ହଠାତ୍ ଗମ୍ଭୀର ହେବାଫଳରେ ସେମାନେ ଘୁଞ୍ଚିଗଲେ । ତେବେ ସେମାନଙ୍କର ଆଶାରହିଲା ଆଉ କେତୋଟି ଦିନଗଲେ ହୁଏତ ସେମାନେ ଦେଖିବାକୁ ପାଇବେ ପୋଲଦେହରେ ବାଘ, ସିଂହ, ଗଣ୍ଡାର, ହଙ୍ଗର, କୁମ୍ଭୀର ଅଙ୍କା ହୋଇରହିଛି ।

 

ଶେଷ ଫାଲ୍‍ଗୁନ । ରାତ୍ରିରେ ବିଶେଷଭାବରେ ବର୍ଷା ହୋଇଯାଇଛି । ତା’ଆରଦିନ ସକାଳେ ଦେଖାଗଲା ବର୍ଷାପାଣିରେ ଧୋଇଧୋଇ ହୋଇ ନୂତନ ବ୍ରିଜ୍‍ଟା ଆଗଭଳି ଚକ୍ ଚକ୍ ପରିଷ୍କାର ହୋଇଯାଇଛି । କେଉଁଠି ଟିକିଏ ବି ଚିହ୍ନ ନାହିଁ । କେବେ ଏହି ପୋଲରେ ଚିତ୍ରକରା ହୋଇଥିଲା କିଏ କହିବ ? ତେଣୁ ଆଉ ଭିଡ଼ ନାହିଁ । ସେପାରିର ମଣିଷ ଏପାରିକି ଆସିଲେ । ବାସ୍ ଦେଖିଲେ, ରିକ୍ସା ଦେଖିଲେ, ଦୋକାନପତ୍ର ଦେଖିଲେ, ପରିଷ୍କାର ସୁନ୍ଦର ପୋଷାକ ପରିହିତ ସହରୀ ମଣିଷମାନଙ୍କୁ ଚାହିଁ ସେମାନେ ଦୀର୍ଘଶ୍ୱାସ ପକେଇଲେ । ଏପାରିର ମଣିଷ ବ୍ରିଜ୍ ଉପରେ ଠିଆ ହୋଇ ନାଳର ଗୋଳିଆପାଣି ଦେଖିଲେ । ଖଡ଼ ବୋଝେଇ ନୌକା ଦେଖିଲେ, ପକ୍ଷୀ ଦେଖିଲେ, ତାପରେ ପୁଣି ସହରଆଡ଼କୁ ଫେରିଆସିଲେ । ପୋଲ ଦେଖିବା ପାଇଁ ପୋଲଦେହରେ ବିଚିତ୍ର ଚିତ୍ର ଦେଖିବାପାଇଁ ଆଜି କେହି ଆଉ ଅଟକ ରହୁନାହାନ୍ତି । ଯେମିତି ହଜାର ହଜାର ବର୍ଷର ପୁରାତନ ଏହି ସେତୁ-ଏହାର ପୁଣି ନୂତନତ୍ୱ କଣ ? ଦେଖିବାର କଣ ରହିଛି ଏଥିରେ । ଦ୍ୱିପ୍ରହରର ମୁଣ୍ଡଫଟା ଖରା ମୁଣ୍ଡରେ ଧରି ନିଃସଙ୍ଗ ବ୍ରିଜ୍‍ଟା ମଣିଷର ସ୍ୱଭାବ କଥା ଚିନ୍ତାକରି ହୁଏତ ଓଠଚିପି ହସିଥିଲା ।

 

ଅବଶ୍ୟ ତା’ପରଦିନ ସକାଳଓଳି ପୁଣି ସମସ୍ତଙ୍କୁ ଆଖି ଉଠେଇ ପୋଲକୁ ଚାହିଁବାପାଇଁ ହେଲା । ସାପ ବେଙ୍ଗ ନୁହେଁ, ହାଙ୍ଗର, କୁମ୍ଭୀର, ବାଘ, ଭାଲୁ ନୁହେଁ । ଅନାଜବାଳାର ସେହି ପିଲାଟା ଗଣିଗଣି ଦେଖିଲା ଏପଟେ କୋଡ଼ିଏଟା, ସେପଟେ କୋଡ଼ିଏଟା ମଣିଷର ମୁହଁ କିଏ ଅଙ୍କିତକରି ରଖିଯାଇଛି । ପୁଣି ଗୁଡ଼ିଏ ସ୍ତ୍ରୀଲୋକର ମୁହଁ । ଏ ପାରିର ହରିଜନ ବସ୍ତିର ପିଲାଝିଲା ହସିହସି ବେଦମ୍ । ବେଟାର ସ୍ତ୍ରୀ ପଳେଇଛି, ସେଥିପାଇଁ ମନଦୁଃଖରେ ଏହି କାମ କରିଛି । ରାତିସାରା ସ୍ତ୍ରୀଲୋକଙ୍କ ମୁହଁ ଅଙ୍କନ କରିଯାଇଛି ।

 

ଯେମିତି ଏତେକାଳ ପରେ ଲୋକଟାର ଅସଲ ସ୍ୱରୂପ ଧରା ପଡ଼ିଯାଇଛି । ଯେମିତି ସେ ଅସୀମ ଦୁଃଖ ବୁକୁରେ ନେଇ ଘୁରି ବୁଲୁଛି । ହଁ, ଏ ସବୁ ନେଇତ ମଣିଷ କବିତା ଲେଖେ, ଗୀତ ଗାଏ । ବିରହୀ ଶିଳ୍ପୀର ଛବି ଆଙ୍କିବାଟା ବି ସେହିଭଳି । ତା ଉପରେ କଣନା.... ।

 

ଚକ୍ଷୁ ବିସ୍ଫୋରିତ କରି ଏ ପାରିର ସୁଶ୍ରୀ ଚେହେରା ଆଉ ସୁନ୍ଦର ପୋଷାକ ପରିହିତ ମଣିଷଗୁଡ଼ିକ ଏ ପାଖରେ କୋଡ଼ିଏଟି, ଆର ପାଖରେ କୋଡ଼ିଏଟି ମୁହଁ ଦେଖି ସ୍ତବ୍ଧ ହୋଇଗଲେ । ନାରୀମୁହଁ ବ୍ୟତୀତ ଆଉ କଣ ? ବଳୟାକୃତି, ପୂର୍ଣ୍ଣଚନ୍ଦ୍ରାକୃତି, ଡିମ୍ବାକୃତି, ଶଙ୍ଖର ଆକୃତି । ନରମ ରେଖାରେ ଗୋଟାକ ପରେ ଗୋଟାଏ ମୁଖ ସଜ୍ଜିତ ।

 

ଦେଖି ପାରୁନାହାନ୍ତି ସେମାନଙ୍କର ଆଖିରେ ତୃଷ୍ଣା, ଅଧରରେ କାମନା ।” ବୃଦ୍ଧଙ୍କ ଆଡ଼କୁ ମୁହଁ ବୁଲେଇ ସେଇ ଯୁବକଟା ମୃଦୁମୃଦୁ ହସୁଥାଏ । ମୋର ତ ଧାରଣା ହେଉଛି ଲୋକଟା ବ୍ୟର୍ଥ ପ୍ରେମିକ । ସଂସାର ଭଲ ଲାଗିଲା ନାହିଁ । ଏହିକ୍ଷଣି ଲୋକଚକ୍ଷୁର ଅନ୍ତରାଳରେ.... ।

 

କଥା ଶେଷ ହେବାକୁ ବୃଦ୍ଧ ଦେଲେନାହିଁ । ଯେପରି ସେ ଆଜି କ୍ଷୁବ୍ଧ, ବ୍ୟଥିତ ।

 

କିନ୍ତୁ ତାହାହେଲେବି ଏତେଗୁଡ଼ିଏ ନାରୀ ମୁହଁ ଏଭଳି ପ୍ରକାଶ୍ୟ ସ୍ଥାନରେ ଅଙ୍କନ କରିବାର ଦରକାର ନଥିଲା । ଏଇଟା ଅଶୋଭନ । ଏହିକ୍ଷଣି ହୁଏତ ସ୍କୁଲର ତରୁଣୀ ଛାତ୍ରୀମାନେ ଛୁଟିଆସିବେ । ପୋଲଦେହରେ, ଆଜି କଣ ଅଙ୍କା ହୋଇଛି ଦେଖିବା ପାଇଁ ।

 

ପ୍ରେମରେ ବ୍ୟର୍ଥହୋଇ ଲୋକଟା ସିନିକ୍‍ ହୋଇସାରିଛି । ଯୁବକ ଛେପ ଢୋକିଲା, ତା’ପରେ ଆସ୍ତେ ଆସ୍ତେ କହିଲା, “ମୋର ତ ଧାରଣା ଶିଳ୍ପୀ ବହୁ ନାରୀର ପ୍ରଣୟପ୍ରାର୍ଥୀ ହୋଇଥିଲା କିନ୍ତୁ ଜଣେ ସୁଦ୍ଧା, ଗୋଟିଏ ହେଲେ ତରୁଣୀ ତା ଉପରେ ସଦୟ ହୋଇନାହାନ୍ତି ।

 

“ହୋଇପାରେ, ଏହା ବି ଆଶ୍ଚର୍ଯ୍ୟ ନୁହେଁ । ବୃଦ୍ଧ ମୁଣ୍ଡ ହଲେଇ ସମ୍ମତି ଜଣେଇଲେ । ଏବଂ ଏହି କାରଣରୁ ଯେ ଲୋକଟାର ମୁଣ୍ଡର କିଛି ଦୋଷ ରହିଛି ତାହା ଏହିକ୍ଷିଣା ବୁଝିପାରୁଛି ।”

 

“ମୋର ବି ସେୟା ମନେହୁଏ । ସେଥିପାଇଁ ସେଦିନ ଏତେଗୁଡ଼ିଏ ସାପ ବେଙ୍ଗ, ଅସରପା, ଝିଟିପିଟି ଆଙ୍କି ରଖିଥିଲା । ସେଥିପାଇଁ ସେଦିନ ଦେଢ଼ହଜାର ଫୁଟ ଲମ୍ବାବ୍ରିଜ୍‍ଟା ଚନ୍ଦ୍ର, ସୂର୍ଯ୍ୟ, ସମୁଦ୍ର, ପର୍ବତ ଅଙ୍କିତ କରି ରଖିଥିଲା ପାଗଳ ।”

 

“ଏବଂ ବିକୃତ ଦର୍ଶନ ।” ବୃଦ୍ଧ କଠିଣ ଗଳାରେ ମନ୍ତବ୍ୟ କଲେ । “ତା’ ମୁହଁକୁ କୌଣସି ରମଣୀ ମୁହଁ ଟେକି ଦେଖିବାକୁ ସୁଦ୍ଧା ଲଜ୍ଜାପାଏ । ଆଉ...ଆଉ ସେହି ରୋଗରେ ଦେଖୁଛନ୍ତି ନା ସବୁଗୁଡ଼ିକ ମୁହଁ ଲାଳସାବିକୃତ କରି ଅଙ୍କିତ ହୋଇଛି । ମୁଁ ପ୍ରସ୍ତାବ କରୁଛି ସବୁଗୁଡ଼ିକ ମୁହଁ ପୋଛି ଦିଆଯାଉ ।

 

ଭିଡ଼ ବଢ଼ୁଛି । ଗୁଞ୍ଜନ ବଢ଼ୁଛି । ସ୍କୁଲର ତରୁଣୀ ଛାତ୍ରୀମାନଙ୍କୁ ନେଇ ଲମ୍ବା କଳାଗାଡ଼ିଟା ବି ଆସି ଯାଇଛି । କିନ୍ତୁ ସେମାନେ ଆଉ ଗାଡ଼ିରୁ ଓହ୍ଲେଇଲେ ନାହିଁ । ବୃଦ୍ଧ ଗାଡ଼ି ଆଡ଼କୁ ମୁହଁ ଫେରେଇ ହାତଯୋଡ଼ି ନିଷେଧ କଲେ । “ମା’ ତୁମ୍ଭେମାନେ ଆଜି ଫେରିଯାଅ ।” ଏ ସବୁ ଛବି ତୁମ୍ଭମାନଙ୍କ ପାଇଁ ନୁହେଁ । କିନ୍ତୁ ତଥାପି ଯେପରି ଗୋଟାଏ ଦୁଇଟି କୌତୁହଳି ମୁହଁ କାଚ ସଟର୍‍ ବାହାରେ ରହିବାକୁ ଚାହୁଁଥିଲା । ଗାଡ଼ି ତତ୍‍କ୍ଷଣାତ୍‍ ହଟେଇ ନେଇ ଯିବା ପାଇଁ ଯୁବକ ଆଦେଶ ଦେବା ମାତ୍ରକେ ଗାଡ଼ି ବ୍ରିଜ୍ ପାରି ହୋଇ ଚାଲିଗଲା ।

 

ସେଥିପାଇଁ କହୁଥିଲି ଦୁର୍ନୀତି, “ଚାରିଆଡ଼େ ପାପ ।” ବୃଦ୍ଧଙ୍କ ସର୍ବ ଶରୀରର ଝାଳ, ଉତ୍ତେଜନାରେ ସେ ଥରି ଯାଉଥିଲେ । ଟିକିଏ ଖୋଲା ପବନ ପାଇବା ପାଇଁ ଏହି ବ୍ରିଜ୍‍ ପାଖଟା ହିଁ ପ୍ରଶସ୍ଥ, ଏବେ ଦେଖୁଛି ଏ ଆଡ଼କୁ ଆସିବା ହିଁ ବନ୍ଦ କରିବାକୁ ପଡ଼ିବ । ଏଭଳି ଭାବରେ ଯଦି ପୋଲ ଦେହରେ କେହି ଚିତ୍ର ବିଦ୍ୟାର ବାହାଦୂରୀ ଦେଖାଏ ତ ଆମ୍ଭେମାନେ ଯିବା କେଉଁଠି କି ?

 

“ଆପଣଙ୍କର ସବୁ କଥାରେ ଅଯଥା ଚାଞ୍ଚଲ୍ୟ ।” ଜଣେ ଭଦ୍ରଲୋକ ମନ୍ତବ୍ୟ କଲେ । ହୁଏତ ସୌକ କରି ମୁହଁ କେତୋଟି ଆଙ୍କିଛି । ସେଥିରେ କ’ଣ ଏଭଳି ଆପତ୍ତି..... । ଭଦ୍ରଲୋକଙ୍କୁ କଥାଟି ଶେଷ କରିବାକୁ ନ ଦେଇ ଯୁବକଟି ଚିତ୍କାର କରି ଉଠିଲା, “ଆପଣ ଚୁପ୍‍ ରୁହନ୍ତୁ । ଆପତ୍ତି କରିବାର ଯଥେଷ୍ଟ କାରଣ ରହିଛି । ଗୋଟାଏ ମୁହଁ ନୁହେଁ, ଚାଳିଶଟି ନାରୀ ମୁହଁ କେହି ରାସ୍ତାଉପରେ, ଗୋଟାଏ ପୋଲ ଦେହରେ ଇଟା କାଠ କୋଇଲା ଦେଇ ଆଙ୍କିଛି ତାର କେବଳ ଯେ ରୁଚି ବା ମସ୍ତିଷ୍କ ବିକୃତି ଘଟିଛି ତାହା ନୁହେଁ ଜନସାଧାରଣ ମଧ୍ୟରେ ଏ ବିକୃତି ଘଟିଛି ତାହା ନୁହେଁ ଜନସାଧାରଣ ମଧ୍ୟରେ ଏ ବିକୃତାର ସଂକ୍ରମଣ ପାଇଁ ବଦ୍ଧପରିକର ହୋଇ ରାତ୍ରି ଅନିଦ୍ରା ରହି ଏସବୁ କାମ ସେ କରି ଯାଉଛି ।”

 

ଭଦ୍ରଲୋକ ନିରବ । ବୃଦ୍ଧ ଓ ଯୁବକ ଉଭୟେ ତତ୍‍କ୍ଷଣାତ୍‍ ପକେଟ୍‍ରୁ ରୁମାଲ ବାହାର କରି ଚିତ୍ରଗୁଡ଼ିକ ପୋଛିବାରେ ଲାଗିଗଲେ । ଏହା ମୋର ଜଣକର ଦାୟିତ୍ୱ ନୁହେଁ, ସମସ୍ତଙ୍କର । ବୃଦ୍ଧ ରହି ରହି ମୁହଁ ଫେରେଇ ଉପସ୍ଥିତ ଶିକ୍ଷିତ ଅଶିକ୍ଷିତ ସମସ୍ତ ମଣିଷଙ୍କୁ ଚାହିଁ କହୁଥିଲେ “ ସୁତରାଂ ସମସ୍ତଙ୍କୁ ଦୃଷ୍ଟି ରଖିବା ପାଇଁ ହେବ, ଯେମିତି ଆଉ କୌଣସି ଦିନ ଏଇଠି ଏସବୁ ଅଙ୍କିତ ନ ହୁଏ ।” ଦିହିଙ୍କ ଦେଖାଦେଖି ଆହୁରି କେତେଜଣ ରୁମାଲ ବାହାର କରି ସେପାରିର ମୁହଁ ଗୁଡ଼ିକ ପୋଛିବା ପାଇଁ ଲାଗିଗଲେ । ଦଶମିନିଟ୍ ଭିତରେ ସବୁ ସଫା ହୋଇଗଲା । ଆଉ ଦଶମିନିଟ୍ ଭିତରେ ପୋଲ ନିର୍ଜନ କରିଦେଇ ଦର୍ଶକମାନେ ଚାଲିଗଲେ ।

 

ପ୍ରଥମେ ରୌଦ୍ରର ଆଭା ଦେହରେ ନେଇ ପୋଲଟା ଯେମିତି ଆଳସ୍ୟରେ ହାଇ ମାଇଲା । ଆଜି ଆଉ ତାକୁ କେହି ଆଖିଫେରେ ଚାହୁଁ ନାହାନ୍ତି । ଗୋଳିଆ ପାଣି ଉପରେ ସ୍ଥିରଦୃଷ୍ଟି ନିବଦ୍ଧକରି ପୋଲଟା ନାଳ ଉପରେ ମନ୍ଥରଗତିରେ ଯାଉଥିବା କାଠ ବୋଝାଇ ନୌକା ଦେଖୁ ଦେଖୁ ଯେପରି ଅସ୍ୱସ୍ଥି ବୋଧ କରୁଛି ।

 

ଏକାଧାରରେ ତିନୋଟିଦିନ ଏହିଭଳି ଭାବରେ କଟିଗଲା । କୌଣସି ଚିତ୍ର ନାହିଁ, କୌଣସି ଦର୍ଶକ ନାହାନ୍ତି, କୌଣସି ଉତ୍ତେଜନା ନାହିଁ । ଅନାଜଭର୍ତ୍ତି ଗାଡ଼ି ପୋଲ ପାରିହୋଇ ସହରର ପିଚୁ ରାସ୍ତାରେ ବହୁ ଦୂରକୁ ଚାଲିଯାଉଛି ପୋଲ ଉପରେ କେବେ ସେମାନେ ଠିଆ ହୋଇଥିଲେ ଆଜି ଆଉ ମନେ ନାହିଁ । ହରିଜନ ବସ୍ତିର ମଣିଷଗୁଡ଼ିକ ସହରର ଆଲୁଅ ଦେଖି, ଗାଡ଼ି ଦେଖି ସମୟ ସମୟରେ ଜଣ ଜଣ ହୋଇ ପୋଲ ପାରିହୋଇ ଏ ପାରିର ଥିବା ସିନେମା ଘର କଣ୍ଠରେ ଚପାହୋଇଥିବା ରଙ୍ଗିନ ଛବିଗୁଡ଼ିକ ଆଡ଼କୁ ଆଁ କରି ଚାହିଁ ରହନ୍ତି । ବାବୁମାନେ ପବନ ପାଇବା ପାଇଁ ପୋଲ ଉପରେ ଉଠନ୍ତି, ପାଣି ଦେଖନ୍ତି ଆଉ ଦେଖନ୍ତି ଆକାଶ । ଯେଉଁମାନଙ୍କର ଗାଡ଼ି ଅଛି ସେମାନେ ବ୍ରିଜ୍‍ କୁ ପଛରେ ପକେଇ ସେ ପାରିର ଥଣ୍ଡା ନରମ ମାଟିର ରାସ୍ତାରେ ଚାଲିଯାଆନ୍ତି । ଗ୍ରାମର ଅପରାହ୍ନ ଅରଣ୍ୟର ଅଜସ୍ର ପକ୍ଷୀର କାକଳି ସେମାନଙ୍କର ପ୍ରିୟ; ନାଳ ବା ପୋଲ ନୁହେଁ ।

 

ରାତିରେ ଆକାଶରେ ଉଠିଲା ପୂର୍ଣ୍ଣିମାର ଚନ୍ଦ୍ର । ଚାରିକୋଣର ଗମ୍ବୁଜର ମୁଣ୍ଡଉପରେ ଜଳୁଥିବା ଇଲେକଟ୍ରିକ୍ ବଲବଗୁଡ଼ିକ ପୋଲ- ଉପରେ ବିଛେଇଦେଇ ଅଜସ୍ର ଆଲୋକ । କିନ୍ତୁ ଲୋକଟା ଆଜି ଆଉ ଜଣେ ଛବି ଆଙ୍କିବ ? କେହି କେହି ଭାବିଲେ ନିଶ୍ଚୟ ତାର ଏଭଳି ଯତ୍ନ ସହକାରେ ଅଙ୍କିତ ଚିତ୍ରଗୁଡ଼ିକ ପୋଛିଦେବା ଫଳରେ ଶିଳ୍ପୀ ଅପମାନ ବୋଧ କରିଛି । ଅଭିମାନ ସେ ଆଉ ଏପାଖ ମାଡ଼ିବ ନାହିଁ । କେଜାଣି ହୁଏତ ଅନ୍ୟ କେଉଁଠି ଆଉ କେଉଁ ପୋଲ ଦେହରେ କି ଘରକାନ୍ଥରେ ସେ ଛବି ଆଙ୍କୁଥିବ । କିନ୍ତୁ ସେମାନଙ୍କର ଏ ଧାରଣା ଯେ କେତେ ଭ୍ରମାତ୍ମକ । ସକାଳୁ ପୋଲ ଉପରେ ଠେଲାଗାଡ଼ି ନେବାବେଳକୁ ଗ୍ରାମ୍ୟ ମଣିଷଗୁଡ଼ିକ ସମସ୍ତଙ୍କ ଆଗରୁ ତାର ପ୍ରମାଣ ପାଇଲେ । ଛବିଗୁଡ଼ିକ ଉପରେ ଆଖି ପଡ଼ିବା ମାତ୍ରକେ ସେମାନେ ଆଖି ଫେରେଇ ନେଲେ । ସଙ୍ଗରେ ଥିବା ଛୋଟ ପିଲାଟି ହାସିଲ ମାତ୍ର ବଡ଼ମଣିଷଙ୍କ ଧମକରେ ଚୁପ୍ ହୋଇଗଲା । ଲୋକଟାର କାଣ୍ଡ ଦେଖ—ଇସ୍ କି କୁତ୍ସିତ ଚିତ୍ର କରିଯାଇଛି ସାର ପୋଲଟା ଦେହରେ । ଯେମିତି ପୋଲଟା ଆଡ଼କୁ ଚାହିଁବାକୁ ସେମାନେ ନିଜେ ଲଜ୍ଜିତ ହୋଇପଡ଼ିଲେ । ଠେଲା ନେଇ ସେମାନେ ସହଳ ପୋଲ ପାରି ହୋଇ ଚାଲିଗଲେ କିନ୍ତୁ ଅଶ୍ଳିଳ ଚାବିଗୁଡ଼ିକ ଚାହିଁ ରହି ସେ ସବୁ ଉପଭୋଗ କରିବା ମଣିଷର ଅଭାବ ହେଲା ନାହିଁ ।

 

ହରିଜନ ବସ୍ତିର ମଣିଷ ଗୁଡ଼ିକ ହସି ହସି ଗଡ଼ିଗଲେ ଏ ପାରିର ବିଡ଼ି ଦୋକାନ, ପାନ ଦୋକାନର ମଣିଷଗୁଡ଼ିକ ହସି ହସି ପରସ୍ପର ଦେହରେ ଲୋଟି ପଡ଼ିଲେ ।

 

କାଲିକାର ପ୍ରତିଶୋଧ ନେବାପାଇଁ ପାଗଳା ଏସବୁ ଆଙ୍କିଛି । ଯେମିତି ପବନରେ ଖବରଟା ଛଡ଼େଇ ପଡ଼ିଲା । ଅଶ୍ଳିଳ ଛବି ଗନ୍ଧ ପାଇ ମାଛିପଲ ଭଳି ମଣିଷର ଦଳ ପୋଲଉପରେ ଭିଡ଼ କରିବା ଆରମ୍ଭ କରିଦେଲେ । ପୋଲର ଦୁଇପାଖ ଦୁଇ ଦିଗର ଢାଲୁରୁ ଆରମ୍ଭ କରି ଉଲଗ୍ନ ନରନାରୀର ପଟୁଆର ଦେଖିବାକୁ ଭଦ୍ର ଅଭଦ୍ର, ଶିକ୍ଷିତ ଅଶିକ୍ଷିତ ମଣିଷ ଭିତରେ ରୀତିମତ ଠେଲାଠେଲି ଆରମ୍ଭ ହୋଇଗଲା । କେହି ଓଠ ଚିପି ହସିଲା, କେହି କେହି ବା ରୀତିମତ ଚିତ୍କାର କରି ହସିଲେ, ଯୁବକ ଦଳ ତାଳିଦେଇ, ସୁଶୁରି ମାରି ଉଲ୍ଲାସ ପ୍ରକାଶ କଲେ । ଏତେଦିନ ପରେ ବେଟା ଛବି ପରେ ଛବି ଆଙ୍କିଛି । ଚିତ୍ରକରକୁ ଥରୁଟେ ଦେଖିଲେ ତା ଗଳାରେ ମେଡ଼ାଲ ଝୁଲେଇ ଦେବାକୁ ପଡ଼ନ୍ତା ।

 

“ମେଡ଼ାଲ ନା ଜୋତାର ମାଳା ।” ଉତ୍ତେଜିତ କଣ୍ଠସ୍ୱର ଶୁଣି ସମସ୍ତେ ମୁହଁ ଫେରେଇଲେ । ବୃଦ୍ଧର ସଙ୍ଗି ସେହି ଯୁବକ । ବୃଦ୍ଧ ଆସି ପହଞ୍ଚିନାହାନ୍ତି । ସେ ଆସୁ ଆସୁ ଅପରାହ୍ନ-। ବସ୍ତୁତଃ ଏ ସବୁ ଦେଖି ବୃଦ୍ଧର କି ପ୍ରତିକ୍ରିୟା ହୋଇପାରେ ସେ ବିଷୟରେ ଅନେକେ କଥାବାର୍ତ୍ତା ଆରମ୍ଭ କଲେ । ଇତି ମଧ୍ୟରେ ଯୁବକଟି ପକେଟ୍‍ରୁ ରୁମାଲ କାଢ଼ି ପକେଇଛି । କିନ୍ତୁ ବାହାରକଲେ କଣ ହେବ ଚାହାଦେକାନ ଆଉ ବିଡ଼ିଦୋକାନର ମଣିଷ ଗୁଡ଼ିକ ହୈ.....ହୈ କରି ଉଠିଲେ । ଟିକିଏ ଅପେକ୍ଷା କରନ୍ତୁ ମହାଶୟ ! ଏ ସବୁ ଏହିକ୍ଷିଣି ପୋଛି ପକଉଛନ୍ତି କାହିଁକି ? ଏଭଳି ଚମତ୍କାର ଚିତ୍ର ଆଉ ଟିକିଏ ଦେଖିବାକୁ ଦିଅନ୍ତୁ; ଆପଣ ବି ଆଖିପୁରେଇ ଦେଖିନିଅନ୍ତୁ । ଏଭଳି ଚିତ୍ର ଅଙ୍କନ କରିବା ସତ୍‍ସାହସ ଆପଣଙ୍କର ଅଛି ।

 

ସେମାନେ ସଂଖ୍ୟାରେ ବେଶୀ । ଯୁବକଟି ରୁମାଲଟି ପକେଟ୍‍ରେ ପୂରେଇ ପୂରାଚଷମାବାଲା ସେହି ବୃଦ୍ଧ ଭଦ୍ରଲୋକଙ୍କୁ ଅପେକ୍ଷା କରିବାକୁ ଲାଗିଲା । ଅଶ୍ଳୀଳ ଛବିଗୁଡ଼ିକ ଉପରେ ଯେମିତି ଆଖି ନପଡ଼େ ଏପରିଭାବରେ ଠିଆହୋଇ ନାଳର ପାଣି ଦେଖିବାକୁ ଲାଗିଲା । ଏପଟେ ହସ, ସୁଶୁରି, ଅଶ୍ଳୀଳ ଅଙ୍ଗଭଙ୍ଗୀ ଠେଲାପେଲା ବଢ଼ିଯାଇଛି । ଆହୁରି ବଢ଼ି ଥାଆନ୍ତା ମାତ୍ରକ ହଠାତ ବନ୍ଦ ହୋଇଗଲା । ସମସ୍ତେ ଅନ୍ତତଃ ନୀରବରେ ଦୁଇମିନିଟ୍ ଯାଏ ଲୋକଟାକୁ ଦେଖିଲେ । ପାଗଳ ? ଦାର୍ଶନିକ ? ସାଧକ ? ଭଣ୍ଡ ? ମୁଣ୍ଡରେ ଧୂଳିଧୂସରିତ କୁଞ୍ଚିତ କେଶ, କୋଟରଗତ ଚକ୍ଷୁ, କିନ୍ତୁ ଚକ୍ଷୁ ଦୁଇଟି ଅସ୍ୱାଭାବିକ ଭାବରେ ଉଜ୍ଜ୍ୱଳ । ପରିଧେୟ ଖଣ୍ଡେ ଛିଣ୍ଡା ଅଖା ଆଉ ବାହାରୁ ହାତର କବ୍‍ଜି ଯାଏ ନାନାରଙ୍ଗର ଛିଣ୍ଡା କନା ବନ୍ଧାହାତରେ ଗୋଟାଏ ଖାଲି ଡାଲ୍‍ଡ଼ା ଟିଣ । ଯାହା ସହିତ ଆଖି ମିଶୁଛି ତାକୁ ଚାହିଁ ମିଟିମିଟି ହୋଇ ହସୁଛି ଆଉ ହାତରେ ଡବାଟା ହଲେଇ କହୁଛି “ ହେଲ୍‍ପ, ହେଲ୍‍ପ ।” ଘଟଣାଟା ଜାଣିବା ପାଇଁ ଶିକ୍ଷିତ ଅଶିକ୍ଷିତ ଭଦ୍ର ଅଭଦ୍ର ସବୁ ଶ୍ରେଣୀର ଦର୍ଶକମାନଙ୍କ ମଧ୍ୟରେ ଉଠିଲା ଏକ ଅସ୍ପଷ୍ଟ ଗୁଞ୍ଜନ । ଏ କିଏ... ?

 

କିଏ, ବୁଝିପାରୁନାହାନ୍ତି । କେହି ଜଣେ ଅଙ୍ଗୁଳି ନିର୍ଦ୍ଦେଶ କରି ଲୋକଟାର ଖୋଲା ପଞ୍ଜରା ବାହାରି ପଡ଼ିଥିବା ଶୀର୍ଣ୍ଣ ଛାତିଟା, ଦେଖେଇଦେଲା । ଗୁଦ୍‍ନିକରା ଉଲଙ୍ଘ ଗୋଟାଏ ନାରୀମୂର୍ତ୍ତି । ବୁଝିପାରୁ ନାହାନ୍ତି ଏହି ତ ସେହି ବ୍ୟର୍ଥପ୍ରେମିକ ଲୁଚି, ଲୋକଚକ୍ଷୁର ଅନ୍ତରାଳରେ ରହି ଚନ୍ଦ୍ର, ସୂର୍ଯ୍ୟ, ଫୁଲ ପକ୍ଷୀ ଆଉ ନାରୀମୂର୍ତ୍ତି ଅଂକନକରି ସେ ବୁକୁର ବେଦନା କମେଇବା ପାଇଁ ଚାହୁଁଛି । ତାରି ବୁକୁରେ ମଧ୍ୟ ସେହି ଛବି ଅଂକିତ ହୋଇରହିଛି । ଆଉ କ’ଣ ଚାହାନ୍ତି ?

 

ଯେମିତି ସମସ୍ତେ ଏକାସଥିରେ ଛେପ ଢୋକିଲେ, ଅବାକ୍ ହେଲେ, ଉତ୍ତେଜିତ ହେଲେ, କ୍ରୁଦ୍ଧ ହେଲେ, ଖୁସିହେଲେ ପ୍ରେମିକ ଶିଳ୍ପୀର ଦର୍ଶନପାଇ । ଆଜି ଶେଷଦିନ ସେ ଜାଣେ । ଏଇଠି ଆଉ ତାର ଛବି ଅଙ୍କା ଚଳିବନି । ନୀତିବାଗୀଶ ଦଳ ଏହିକ୍ଷଣି ସବୁ ଛବି ପୋଛିଦେବେ, ହୁଏତ କାଲିଠୁଁ ପହରା ବସେଇବେ, ପୋଲିସ୍ ମୁତୟନ କରାହେବ—ଆଜି ଆସିଛି କିଛି ସାହାଯ୍ୟ ପ୍ରାର୍ଥନା କରିବାକୁ—ତାର ଶ୍ରମର ମୂଲ୍ୟ ଦକ୍ଷିଣା । ଶିଳ୍ପୀର ପ୍ରେମକ୍ଷୁଧା ଆମେ ମେଣ୍ଟେଇ ପାରିବାନାହିଁ କିନ୍ତୁ ପେଟର କ୍ଷୁଧାତ ମେଣ୍ଟେଇ ପାରିବା, ଆଉ ସେହି ଦାୟିତ୍ୱ ଆମ ସମସ୍ତଙ୍କର । ଦିଅନ୍ତୁ ସମସ୍ତେ ଦୁଇ, ଚାରିଅଣା ଲେଖାଏଁ ।

 

ହେଲ୍‍ପ, ହେଲ୍‍ପ; ଉନ୍ମାଦ ଶିଳ୍ପୀ ତାର ଟିଣଡବା ହଲେଇ ମିଟ୍‍ମିଟ୍ ହସୁଛି । ପୋଲର ଏ ପାଖରୁ ସେ ପାଖଯାଏ ଆଗେଇ ଯାଇ ପୁନରାୟ ଫେରିଆସୁଛି ।

 

ରହ, ସାହାଯ୍ୟ ଟାହାଯ୍ୟ ପରେ ହେବ; ସେହି ଯୁବକଟି ଚିତ୍କାର କରିଉଠିଲା । ଆଗେ ଜାଣିବା ଦରକାର ସେ କେଉଁଠି ରୁହେ; ତାର ପରିଚୟ କଣ ଆଉ ଏସବୁ ଅଶ୍ଳୀଳ ଚିତ୍ର ଅଙ୍କନ କରିବାର ଉଦ୍ଦେଶ୍ୟ କଣ । ପୋଲଟା ତ ତାର ଘରଦୁଆର କି ଷ୍ଟୋଡ଼ିଓ ନୁହେଁ ଯେ ଏମିତି ଉଲଙ୍ଘ ନାରୀପୁରୁଷର ଚିତ୍ର ଅଙ୍କନ କରିବ ।

 

ଆଚ୍ଛା ! ଶିଳ୍ପୀର ପୁଣି ପରିଚୟ ଜିଜ୍ଞାସା କାହିଁକି ? ଜଣେ ଟିକିଏ ରୁକ୍ଷଗଳାରେ କହିଲା “ଶିଳ୍ପୀହିଁ ତାର ପରିଚୟ ।” ବରଂ ପ୍ରଶ୍ନ କରନ୍ତୁ ଏତେଦିନ ସେ କେଉଁଠି ଥିଲା, ଯଦି ଏଇଠି ଆଉ ତାକୁ ଛବି ଆଙ୍କିବାକୁ ଦିଆନଯାଏ ଏହାପରେ ସେ କେଉଁଠି ଶିଳ୍ପ ଚର୍ଚ୍ଚା କରିବାର ଇଚ୍ଛା ରଖିଛି । କଥାଟାର ଭିତରେ ପ୍ରଚ୍ଛନ୍ନ ବ୍ୟଙ୍ଗର ସୁର ।

 

ଯୁବକ କ୍ରୁଦ୍ଧହୋଇ ପଡ଼ିଲା ‘କାହିଁକି, ଉଲଂଘ ନାରୀର ଛବି ଦେଖିବାକୁ ଆପଣ ସେଠିକି ବି ଛୁଟିଯିବେ କି ?

 

ଗଲେ ବି, ଛବି ଦେଖିବାରେ ଦୋଷ କେଉଁଠି—ଏତେ ଜୀବନ୍ତ କୌଣସି ନାରୀ ପରିଧେୟ ପରିତ୍ୟାଗ କରି ତାର ନଗ୍ନ ଦେହସୌଷ୍ଠବ ଦେଖେଇ ଆଗରେ ଆସି ଠିଆ ହେଉନାହିଁ । କାହିଁକି, ଆପଣ ରାଗିଯାଉଛନ୍ତି ? ପୁରୀ କିମ୍ବା କୋଣାର୍କ ମନ୍ଦିର ଯାଇ ଦେଖନ୍ତୁନା କେତେ ଉଲଗ୍ନ ଛବି ଚାରିଆଡ଼େ ଖୋଦିତ ହୋଇଛି ।

 

ସେଇଟା ମନ୍ଦିର ଆଉ ମଠରେ ଚଳେ, କଲିକତାର ରାସ୍ତାରେ ନୁହେଁ । କେଉଁଠି ବି ଚାଳେନା, ଯେଉଁଯୁଗରେ ମଥା ମନ୍ଦିରରେ ଏସବୁ ଅଙ୍କିତ ହେଉଥିଲା ସେଟା ଏ ଯୁଗ ନୁହେଁ । ଆଜି କୌଣସି ମନ୍ଦିର ଗାତ୍ରରେ ଏ ସବୁ ଚିତ୍ର ଆଙ୍କିବାକୁ ବାହାରିଲେ ଆପତ୍ତି ହେବ । କାହିଁକି ପ୍ରସ୍ତର ଯୁଗରେ ତ ମଣିଷ ଉଲଂଘ ହୋଇ ବୁଲୁଥିଲା; ବର୍ତ୍ତମାନ କଣ ତାହା ସମ୍ଭବ ? କୁହନ୍ତୁ ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ ।

 

ସମସ୍ତେ ଚମକି ଉଠିଲେ । ସେହି ପକ୍ୱକେଶ, ସ୍ଖଳିତଦନ୍ତ ବୃଦ୍ଧ । କାହା ପାଖରୁ ପାଇ ଏହି ଦ୍ୱିପ୍ରହରର ମୁଣ୍ଡଫଟା ଖରାରେ ବି ଦଉଡ଼ି ଆସିଛନ୍ତି । ଉତ୍ତେଜନାରେ ସର୍ବାଙ୍ଗ ଥରୁଛି ।

 

କୁହନ୍ତୁ, ମୋ କଥାର ଉତ୍ତର ଦିଅନ୍ତୁ ? ଯେଉଁ ରାସ୍ତାରେ ଏ ସବୁ ଚିତ୍ର ରହିବା କେମିତି ଆପଣମାନେ ଆପଣଙ୍କ ପୁଅଝିଅଙ୍କ ହାତଧରି ସେ ରାସ୍ତା ପାରିହେବେ । କୁହନ୍ତୁ ସମସ୍ତେ ତୁନିରହିଲେ କାହିଁକି ?

 

ଗୋଟାଏ ଅବରୁଦ୍ଧଗୁଂଜନ ଗୁମୁରି ଉଠିଲା ଜନତା ଭିତରେ ।

 

ନା...ନା, ଲୋକଟାକୁ ଉପଯୁକ୍ତ ଶିକ୍ଷା ଦେବାକୁ ପଡ଼ିବ ଯେମିତି ଭବିଷ୍ୟତରେ ଆଉ... । ଜଣେ କହିଲା ! ଏହିକ୍ଷିଣା ହୁଏତ ସ୍କୁଲ ଛାତ୍ରୀମାନଙ୍କୁ ନେଇ ଗାଡ଼ିଟା ଆସିଯିବ । ଛି....ଛି, କି ଲଜ୍ଜାର କଥା ।

 

ସତରେ ଆଜିକାଲି କେତେ ବଡ଼ବଡ଼ ଝିଅସବୁ ସ୍କୁଲ କଲେଜରେ ପଢ଼ୁଛନ୍ତି । ଆଉଜଣେ ଇଙ୍ଗିତ କଲା ଏହିକ୍ଷଣି ଚାବିଗୁଡ଼ିକ ପୋଛି ଦିଆହେଉ ।”

 

ହଁ, ଏହି ମୁହୁର୍ତ୍ତରେ । ଆଉ ବେଟାକୁ ଅସଲ ଶିକ୍ଷା ଦିଆହେଉ, ଯେମିତି ଏ ରାସ୍ତାରେ ଆଉ ପାଦ ବଢ଼େଇବ ନାହିଁ । ଏକା-ସାଥିରେ ଅନେକଗୁଡ଼ାଏ କଣ୍ଠସ୍ୱର ଶୁଣାଗଲା । ବର୍ତ୍ତମାନ ଏ ଦଳର ସମର୍ଥକ ବେଶୀ ।

 

ଯେଉଁମାନେ ହସୁଥିଲେ, ହୁଇସିଲ ଦେଉଥିଲେ, ଅଶ୍ଳିଳ ଛବି ଆଗରେ ଠିଆ ହୋଇ ତତୋଧିକ ଅଶ୍ଳିଳ ଅଙ୍ଗଭଙ୍ଗି କରୁଥିଲେ, ସେମାନେ ନୀରବ; ଲଜ୍ଜାରେ ଯେମିତି ସେମାନେ ଅଧୋବଦନ ହୋଇପଡ଼ିଛନ୍ତି । ଜଣେ ଅଧେ ଏହା ଭିତରେ ଖସିବା ଆରମ୍ଭ କରିଦେଇଛନ୍ତି ।

 

ଏ, ତୁ କେଉଁଠୁ ରହୁ ? ବୃଦ୍ଧର ସଙ୍ଗି ସେହି ଯୁବକ ଦେଖିବାକୁ ପାଗଳପରି ଅଜ୍ଞାତ ପରିଚୟ ଶିଳ୍ପୀର ଗୋଟାଏ ହାତ ଚାପି ଧଇଲା । କେଉଁଠି ତୋର ଆସ୍ଥାନ ? ହି....ହ, ପାଗଳଭଳି ଲୋକଟା ହସୁଛି, ହାତ ଟେକି ଆକାଶକୁ ଦେଖାଉଛି; ଯେମିତି ଆକାଶଟା ତାର ଘର ଦୁଆର । ବୃଦ୍ଧ ହୁଙ୍କାର ଦେଇ ଉଠିଲେ ବେଟା ! ପାଗଳମି ରଖିଦେଇଥା, ତୁ କେଉଁଠି ରହୁ କହ ?

 

ହେଲ୍‍ପ, ହେଲ୍‍ପ ।

 

ତୋର ଦାନ୍ତ ଭାଙ୍ଗିଦେବି । ଚାପୁଡ଼ାମାରି ଯୁବକ ତାର ଟିଣ ଡବାଟାକୁ ଫୋପାଡ଼ି ଦେଲା । ପଛପଟରୁ ଆଉଜଣେ ଗର୍ଜନ କରି ଉଠିଲା ‘ବଦ୍ଧ ପାଗଳ‘ ।

 

ମୋର ଯେମିତି ମନେ ହେଉଛି ପୋଲ ସେ ପାଖରେ ଦିନେ, ପାଗଳଟାକୁ ଦେଖିଥିଲି ।

 

କିଏ ଜଣେ ହଠାତ୍ କହି ଉଠିଲା ।

 

“ହଁ, ମୁ ବି ଦେଖିଥିଲି ।” ଆଉ ଜଣେ ।

 

ନା-ନା ସେସବୁ କୁହନ୍ତୁନି ବାବୁ । ପୋଲ ସେପାରିର ମଣିଷ ଗୁଡ଼ିକ ସମସ୍ୱରରେ ପ୍ରତିବାଦ କରିଉଠିଲେ । ସହରୀ ଛଡ଼ା ଏଭଳି ଛବି ଆଉ କିଏ ଆଙ୍କିବ ।

 

ଆମେ ବାବୁ ଲେଖାପଢ଼ା ଜାଣୁନା ଆମ ସାହିର କେହି ଛବି ଆଙ୍କି ଜାଣନ୍ତିନାହିଁ । ହରିଜନ ବସ୍ତିର ନାରୀ ଓ ପୁରୁଷ କଳରବ କରିଉଠିଲେ ।

 

ଛବି ଆଙ୍କିବା ପାଇଁ ଲେଖାପଢ଼ାର କୌଣସି ପ୍ରୟୋଜନ ନାହିଁ । ଅଶିକ୍ଷିତ ମଣିଷଗୁଡ଼ିକଙ୍କୁ ଚାହିଁ ବୃଦ୍ଧ ବ୍ୟଙ୍ଗ କରିଉଠିଲେ । ପଥର ଦେହରେ, ଗଛ ଖୋଦେଇ କରି ମଣିଷ ନାନା ଚିତ୍ରକରି ଯାଇଛି । ଜଙ୍ଗଳି ବର୍ବର ଛଡ଼ା ଏସବୁ ପ୍ରକାଶ୍ୟସ୍ଥାନରେ ଏସବୁ ଆଙ୍କିବ କିଏ ? ଏ ତୁମ୍ଭମାନଙ୍କର ଲୋକ ।

 

ନା-ନା, ସହରୀ ମଣିଷ; ସେମାନେ ହଇଚଇ ପକେଇଲେ । ଏପଟେ ସେହି ଯୁବକ ଉନ୍ନାଦ ଶିଳ୍ପୀର ମୁଣ୍ଡରେ ମାରିଛି । ଠିଆ ହୋଇ ରହିଲେ ଆହୁରି ମାଡ଼ ଖାଇବାକୁ ହେବ । ଭୟରେ ଲୋକଟା ପୋଲ ସେପାଖକୁ ଦୌଡ଼ି ଯାଉଥିଲା । ହରିଜନମାନେ ତାର ପଥରୋଧ କରି ଠିଆହେଲେ । ଏ....ଏ...ଶଳା ।

 

ସେ ପାଖରେ ବାଧାପାଇ ଲୋକଟା ଏ ପାଖକୁ ଦୌଡ଼ିଆସେ । ସହରର ସମସ୍ତ ମଣିଷ ଏକ ସଙ୍ଗରେ ବାଧା ଦିଅନ୍ତି “ ଖବରଦାର । ଏପାଖକୁ ପାଦ ବଢ଼େଇଲେ ମୁଣ୍ଡ ଭାଙ୍ଗି ଦେବୁ ।”

 

ପାଗଳ ପୁଣି ଆରପାଖକୁ ଦୌଡ଼ିଯାଏ । ତାର ଶୀର୍ଣ୍ଣ ପାଦ ଦୁଇଟି ଥରୁଛି, ଚକ୍ ଚକ୍ ଆଖିଦୁଇଟି ଫିକା ପଡ଼ିଯାଇଛି । ଚପା ଆର୍ତ୍ତନାଦ ଭଳି ଗୋଟାଏ ସ୍ୱର ବାହାରୁଛି ମୁହଁରୁ ।

 

ଜଣେ ହରିଜନ ତାର ଅଣ୍ଟାରେ ଲାଠି ମାଇଲା । ମୁହଁମାଡ଼ି ଲୋକଟା ପଡ଼ିଗଲା । ଓଠ ଫାଟିଗଲା । ଓଠର ରକ୍ତରେ ବୁକୁ-ଉପରେ ଗୁଦ୍‍ନି କରା ନାରୀମୂର୍ତ୍ତିଟି ଲାଲ ହୋଇଉଠିଲା । ପାଗଳଟି କୌଣସି ପ୍ରକାରେ ଉଠି ପୁଣି ଦୌଡ଼ିଲା । ଏ ଆଡ଼କୁ ଦୌଡ଼ିଆସି ବାବୁମାନଙ୍କ ମଝିରେ ଛୋଟ ଏକ ଫାଙ୍କ ଆବିଷ୍କାର କରି ତୀର ବେଗରେ ରାସ୍ତା ପାରିହୋଇ ନାଳର ପାଣିରେ ଲମ୍ଫ ପ୍ରଦାନ କଲା । ବୁଡ଼ିବୁଡ଼ି କୁଆଡ଼େ ଚାଲିଗଲା କେହି ଜାଣି ପାରିଲେ ନାହିଁ, ଯେମିତି ଜାଣିବାର କୌଣସି ପ୍ରୟୋଜନ ନାହିଁ । ସେତେବେଳକୁ ପୋଲିସ ଆସିଯାଇଛି । ବୃଦ୍ଧର ସଙ୍ଗି ସେହି ଯୁବକଟି ହାତହଲେଇ ପୋଲିସକୁ କଣ ବୁଝାଉଛି । ଅଙ୍ଗୁଳି ନିର୍ଦ୍ଦେଶ କରି ପୋଲ ଦେହର ଅଶ୍ଳିଳ ଚିତ୍ରକୁ ଦେଖେଇ କହୁଛି “ ଲୋକଟାର ମୁଣ୍ଡ ନିଶ୍ଚୟ ଖରାପ । ହାତରେ ବେଟନ୍‍ଟା ତଳେ ବାଡ଼େଇ ପୋଲିସଟା ଦାନ୍ତ ବାହର କରି ହସି ପୋଲ ଉପରେ ଅଙ୍କିତ ନଗ୍ନ ନରନାରୀ ଛବି ଦେଖିନେଉଛି । କିନ୍ତୁ ବେଶୀକ୍ଷଣ ଆଉ ଦେଖିବାର ସୌଭାଗ୍ୟ ଘଟିଲାନାହିଁ, ବାବୁମାନେ ରୁମାଲରେ ପୋଛି ପୋଛି ଦଶମିନିଟ୍‍ରେ ପୋଲଟା ପରିଷ୍କାର କରିଦେଲେ । ହରିଜନ ବସ୍ତିର ମଣିଷଗୁଡ଼ିକ କଣ ଯେମିତି କୁହାକୁହି ପୋଲ ଆରପାରିକୁ ଚାଲିଗଲେ । ବାବୁମାନେ ଫେରି ଆସିଲେ ସହରକୁ ।

 

ପୋଲଟା ପୁନରାୟ ଶୂନ୍ୟ, ନୀରବ । କିନ୍ତୁ ଆଜି ଯେମିତି ଦ୍ୱିପ୍ରହରର ରୌଦ୍ରସ୍ନାତ ନାଳର ପାଣି ବା ପାଣିଉପରେ କାଠ ବୋଝେଇ ବିଶାଳ ନୌକାର ମନ୍ଥର ଗତିକି ଦେଖୁନାହିଁ । ତାର ଦୃଷ୍ଟି ଆହୁରି ଦୂରରେ । ନାଳ ସେପାରିର ପିଚୁଢଳା ଗୋଟାଏ ସରୁ ଗଳି ମୁହଁରେ, ନିମଗଛ ଛାଇରେ ଢଙ୍କା ଟିଣ ଘରଆଡ଼େ । କାହିଁକି ନା ନିଚା ଛାତତଳର ଟିଣ ଘର ଝରକା ଦେଇ ମୁହଁ ବଢ଼େଇ ନିର୍ନିମେଶ ନୟନରେ ପୋଲଟିକୁ ଚାହୁଁଛି । ଉମେଶ ଯେମିତି ପୋଲଟା ସାଥିରେ ଚୋରା ଚାହାଣି ବିନିମୟ କରୁଛି ।

 

ଉମେଶ ଓଠ ଚିପି ହସିଲା କିନ୍ତୁ ପୋଲ ହସୁନାହିଁ । ଗମ୍ଭୀର ରହି ଦୀର୍ଘଶ୍ୱାସ ପକୋଉଛି-। ଉମେଶ ଅବଶ୍ୟ ଏଥିପାଇଁ ଦୁଃଖିତ ନୁହେଁ । ଝରକା ପାଖରୁ ସେ ଅପସରି ଯାଇ ତକ୍ତପୋଷ ତଳୁ ମୁରୁଚାଲଗା ପୁରୁଣା ଟିଣ ସୁଟ୍‍କେଶଟା ଟାଣି ବାହାରକଲା ।

 

ବାହାରୁଛନା କଣ ? ସ୍ତ୍ରୀ ଲୋକଟି ପଚାରିଲା ।

 

‘ହଁ’ ଉମେଶ ଉତ୍ତରଦେଲା ।

 

ଆଜି ଖଣ୍ଡେ ଅଧେ ବିକ୍ରୀ କରିପାରିବ ?

 

‘ମନେ ହେଉଛି ଗୋଟାଏ ଭଲ ବଜାର ପାଇଛି’ ମୁରକି ହସି ଉମେଶ ସ୍ନେହରେ ସ୍ତ୍ରୀର ଚିବୁକ ହଲେଇଦେଲା ।

 

ତା ବୋଲି ପ୍ରଥମେ ଝିଅ ଫିଅର ଫଟୋ କାଢ଼ିବନାହିଁ । ସ୍ତ୍ରୀଟିର ଆଖିରେ ଦୁଷ୍ଟାମୀର ଗୋଟାଏ ଉଜ୍ଜ୍ୱଳ ସ୍ପର୍ଶ ।

 

ନା ନା ଉମେଶ ମୁଣ୍ଡ ହଲେଇଲା । ଆଗରେ କାଳି, ଦୁର୍ଗା, ପରମହଂସ ଟଂସ ଯାହା ଅଙ୍କା ହେଇଛି ଝୁଲେଇ ଦେବି । ତାପରେ ଲ୍ୟାଣ୍ଡସ୍କେପ, ତାପରେ ନହେଲେ..... । ଚୋରା ଚାହାଣିରେ ପୋଲଟାକୁ ଦେଖିନେଇ ଉମେଶ ଛେପ ଢୋକିଲା । ସ୍ତ୍ରୀଟି ବି ଛେପ ଢୋକିଲା । ତାପରେ ଅସ୍ପଷ୍ଟ ଗଳାରେ କହିଲା “ଦେଖାଯାଉ ।”

 

ଖରାଟା ବର୍ତ୍ତମାନ ବି ବେଶ୍ ଚଢ଼ା ଯଦିଓ ଉମେଶ ଅପେକ୍ଷା କରି ରହିଛି ସେହି ଛାୟାଘେରା ଅପରାହ୍ନର ।

Image

 

ଶେଷ ପ୍ରତୀକ୍ଷା

-ଏସ୍. କେ. ପୋଟ୍ଟେକାଟ-

 

[କେରଳର ଆଧୁନିକ ଗାଳ୍ପିକମାନଙ୍କ ମଧ୍ୟରେ ଏସ୍. କେ. ପୋଟ୍ଟେକାଟ ଅଗ୍ରଣୀ । ବହୁ ପତ୍ର ପତ୍ରିକାରେ ତାଙ୍କରି ଗଳ୍ପ ପ୍ରକାଶ ପାଉଛି । କେରଳର ତରୁଣ ଗଳ୍ପ ଲେଖକମାନଙ୍କ ମଧ୍ୟରେ ପୋଟ୍ଟେକ୍‍କାଟ ସୁପ୍ରତିଷ୍ଠିତ ଓ ପ୍ରଖ୍ୟାତ । ‘ଶେଷ ପ୍ରତୀକ୍ଷା’ ଗଳ୍ପର ନାୟକଟିର ମନସ୍ତତ୍ତ୍ୱ ବିଶ୍ଲେଷଣ ତାଙ୍କରି ଲେଖନୀର ସ୍ୱତନ୍ତ୍ରତା । ଗଳ୍ପଟି ଭିତରେ ସେ ଯେମିତି କହିଛନ୍ତି ଆମରି ମନଗହନର ଗୋପନ ଅଥଚ ଅତିବାସ୍ତବ ଋଢ଼ ସତ୍ୟଟିକୁ ।]

Image

 

ହସ୍‍ପିଟାଲ୍‍ରୁ ସେ ସିଧା ଫେରିଆସିଲା ଘରକୁ । ସେ ଯାଏ ଗଳାରେ ତାର ଷ୍ଟେଥସ୍କୋପଟା ଝୁଲୁଥାଏ । ଜିଲ୍ଲା ସରକାରୀ ହେଡ଼କ୍ୱାଟର ହସ୍‍ପିଟାଲ୍‍କୁ ଲାଗି କ୍ୱାଟର ।

 

ବାରଣ୍ଡାକୁ ଉଠିବାପାଇଁ ପାହାଚରେ ସେତେବେଳେ ସେ ପାଦ ଥୋଇଲା ସେତିକିବେଳେ ଦୁଆର ମୁହଁରେ ଝୁଲୁଥିବା ନେମପ୍ଲେଟ୍‍ ଉପରେ ତେରେଛା ହୋଇ ଆସି ପଡ଼ିଥାଏ ବିଦାୟୀ ସୂର୍ଯ୍ୟର ଗୋଟାଏ କ୍ଷୀଣ ରେଖା । ଡା: ସି.ପି. ମାଧବନ ନାୟାର ଏମ୍. ବି. ବି. ଏସ୍; ଅକ୍ଷରଗୁଡ଼ିକ ଯେମିତି ଆହୁରି ଉଜ୍ଜ୍ୱଳ ଦେଖାଯାଉଛି । ସିଏ ବାରଣ୍ଡା ଉପରକୁ ଆସିଲା । ବାରଣ୍ଡା ଉପରେ ଛୋଟ ଗୋଟାଏ ଟେବୁଲ, ଦୁଇ ପାଖରେ ଦୁଇଖଣ୍ଡି ଚୌକୀ ଆଉ ବେତାର ଗୋଟାଏ ବଡ଼ ଚୌକୀ ସଜା ହୋଇରହିଛି । ଗୋଲାକାର ଟେବୁଲ୍ ଉପରେ ନୀଳ ଟେବୁଲ କ୍ଲଥ । ତା ଉପରେ ପଡ଼ିରହିଛି ଜୋଲାର ‘ନାନା’ । ବହିଟି ଭିତରୁ ଉଙ୍କିମାରୁଛି ଡାକ ଓ ତାର ବିଭାଗର ଲଫାପା ।

 

ସେ ସିଧା ବେଡ଼ରୁମ୍‍କୁ ଚାଲିଗଲା । ରୋଷେଇଘରୁ ପ୍ଲେଟ୍, କପ ସସରର ଆବାଜ ଶୁଣାଯାଉଛି । ସେ ଗଳାରୁ ଷ୍ଟେଥସ୍କୋପଟା କାଢ଼ିନେଇ ମୋଡ଼ିମାଡ଼ି କୋଟ ପକେଟ୍‍ରେ ରଖିନେଲା ତାପରେ ସେହି ଲମ୍ବା, ଧଳା କୋଟ୍‍ଟା ଦେହରୁ କାଢ଼ି ହେଙ୍ଗର ଦେହରେ ଝୁଲେଇଦେଇ ନିରବରେ କିଛି ସମୟ ଠିଆ ହୋଇରହିଲା ।

 

ଝରକା ପାଖରେ ଥିବା ଡ୍ରେସିଙ୍ଗ ଟେବୁଲର ଦର୍ପଣ ଦେହରେ ଝଲକାଏ ଫିକା କିରଣର ପ୍ରତିବିମ୍ବ ଦେବାଲରେ ସୃଷ୍ଟି କରିଥାଏ ଇନ୍ଦ୍ରଧନୁର ବର୍ଣ୍ଣବୈଭବ । ଡାକ୍ତର ଫେରିପଡ଼ି ଅନ୍ୟମନସ୍କ ଭାବରେ ଦର୍ପଣକୁ ଚାହିଁଲା । ଦର୍ପଣର ସୁନେଲି ପ୍ରକାଶରେ ତାର ମନେ ହେଲା ତାରା ଚେହେରା କୁତ୍ସିତ । ଠିକ ଆକାଶରେ ମହିଷି ଚମଭଳି ଭେଳାଏ କଳାମେଘ । ନିଶ ଉପରେ ହାତ ବୁଲୋଉ ବୁଲୋଉ ସେ ପୁଣିଥରେ ନିବିଡ଼ ଭାବରେ ନିଜକୁ ଚାହିଁଲା । ବହଳିଆ ନିଶଭିତରେ ଗୋଟାଏ ଧଳାବାଳ ମୁଣ୍ଡ ଟେକିଛି । ବିରକ୍ତିରେ ବାଳଟାକୁ ଓଟାରିନେଇ କିଛି ସମୟ ଚାହିଁଲା । ତାପରେ ତଳକୁ ଫିଙ୍ଗିଦେଲା ।

 

ତଳକୁ ମୁହଁପୋତି ପୁଣି ସେ ବାରଣ୍ଡାକୁ ବାହାରି ଆସିଲା ଆଉ ଧୀରଭାବରେ ବସି ପଡ଼ିଲା କେନ୍ ଚେୟାରଟା ଉପରେ । ଟେଲିଗ୍ରାମଟାକୁ ଆଉଥରେ ପଢ଼ିବା ଉଦ୍ଦେଶ୍ୟରେ ସେ ଟେବୁଲ ଉପରୁ ‘ନାନା’ ବହି ଖଣ୍ଡକ ଉଠେଇନେଲା । ବହିଟି ପଢ଼ୁଥିବା ବ୍ୟକ୍ତି ତାର ଖଣ୍ଡିକ ଚିହ୍ନ ସ୍ୱରୂପ ବ୍ୟବହାର କରୁଥିବା ଅନୁମାନ କରି ସେହି ପୃଷ୍ଠାରେ ଗୋଟାଏ ସ୍ୱତନ୍ତ୍ର ଚିହ୍ନ ଦେଇଦେଲା, ଯେମିତି ଟେଲିଗ୍ରାମଟା କାଢ଼ିନେବା ପରେ ବି ପାଠକର କୌଣସି ଅସୁବିଧା ନହୁଏ ।

 

ଦ୍ୱିପ୍ରହର ମଧ୍ୟାହ୍ନଭୋଜନ ପାଇଁ ଘରକୁ ଆସିବା ବେଳକୁ ସେ ଏହି ଟେଲିଗ୍ରାମ ଖଣ୍ଡକ ପାଇଥିଲା । ବର୍ତ୍ତମାନ ପୁଣିଥରେ ସେହି ସଂକ୍ଷିପ୍ତ ଭାଷା ଉପରେ ସେ ଆଖି ବୁଲେଇ ନେଲା ।

 

“ବାପାଙ୍କ ଅବସ୍ଥା ଚିନ୍ତାଜନକ, ଆଜି ଗାଡ଼ିରେ ଚାଲିଆସନ୍ତୁ । ରାତି ଗାଡ଼ିକି ଅପେକ୍ଷା କରି ରହିଲି—ଲିଲି ।”

 

ଅନ୍ୟମନସ୍କ ଭାବରେ ସେ ରିଷ୍ଟଓ୍ୟାଚଟାକୁ ଚାହିଁ ଦେଖିଲା । ପାଞ୍ଚଟା ପଚାଶ । ଶେଷ ଟ୍ରେନଟା ପୌନେ ସାତଟାରେ । ପଛପଟେ ରାଧାର ମୃଦୁମଧୁର ପଦଚାରଣ ଆଉ ମୋଟା ଶାଢ଼ୀର ଆବାଜ ଯେମିତି ତାର ସମସ୍ତ ସତ୍ତାକୁ ଜାଗ୍ରତ କରି ତୋଳିଲା । ସତେ ଯେମିତି କେତୋଟି ବୀଣାର ତାର ସମସ୍ୱରରେ ଝଙ୍କାର ତୋଳି ଉଠୁଛି । କେବଳ ପଦେ କଥା “ ଉଠନ୍ତୁ ଚା’ ତିଆରି ସରିଲାଣି ।”

 

“ହୁଁ ।”

 

ସିଏ ସେମିତି ଟେଲିଗ୍ରାମଟାକୁ ନିରୀକ୍ଷଣ କରି ମୌନଭାବରେ ବସିରହିଲା । ଜର୍ଜ ମାଷ୍ଟରଙ୍କୁ ଦେଖା କରିବାକୁ ଯାଉଛ ? ରାଧା ପଚାରିଲା ।

 

“ହୁ ।”

 

ରାଧା ଜାଣିଥିଲା ଯେ ସେ ଜର୍ଜ ମାଷ୍ଟରଙ୍କ ପୋଷ୍ୟପୁତ୍ର । ତାଙ୍କରି ସାହାଯ୍ୟ ପାଇ ନଥିଲେ ହୁଏତ ସେ ଡାକ୍ତର ହୋଇ ନଥାନ୍ତା କି ଏ ଚାକିରୀ ବି ପାଇପାରି ନଥାନ୍ତା । ତେଣୁ ତାଙ୍କରି ଅନ୍ତିମ ଆଶୀର୍ବାଦ ନେବାପାଇଁ ତାକୁ ଯିବାକୁହିଁ ପଡ଼ିବ । ଅନ୍ତତଃ ମାନବିକତା ଦୃଷ୍ଟିରୁ ଯିବା ଉଚିତ-। ପ୍ରଥମ ପ୍ରଥମ ଲୋକଙ୍କ ଧାରଣା ଥିଲା ଯେ ଜର୍ଜ ମାଷ୍ଟର ନିଜ ଝିଅଟିକି ବାହା କରିବା ଉଦ୍ଦେଶ୍ୟରେ ପିଲାଟିକି ପଢ଼ଉଛି । ବିଚାରୀ ଲିଲି ! ଆଜି କୌଣସି କନଭେଣ୍ଟର ଅଧ୍ୟାପିକା । ଲିଲି ସହିତ ତାର ଅବାଧରେ ବିବାହ ହୋଇପାରିଥାନ୍ତା ଆଉ ପ୍ରକୃତରେ ଲିଲିକୁ ସେ ପ୍ରାଣଦେଇ ଭଲ ପାଉଥିଲା । କିନ୍ତୁ ବିବାହ ହୋଇପାରିଲାନାହିଁ । କାରଣ କଣ ହୋଇପାରେ ତାହା ଅବଶ୍ୟ କହିବା ମୁଷ୍କିଲ । ହୋଇପାରେ ଖ୍ରୀଷ୍ଟିଆନ ଧର୍ମଗ୍ରହଣ ପାଇଁ ତାର ଆପତ୍ତି ରହିଥିଲା ବା ଯେତେବେଳେ ରାଧା ସହିତ ତାର ଟ୍ରେନରେ ସାକ୍ଷାତ ହେଲା ସେତେବେଳେ ସେ ସମୂର୍ଣ୍ଣ ସମ୍ମୋହିତ ହୋଇ ହୋଇ ସିଦ୍ଧାନ୍ତ ଗ୍ରହଣ କଲା ଯେ ଏହି ବିଶ୍ୱମୋହିନୀ ମୋର ସ୍ତ୍ରୀ ହେଲେ ଉତ୍ତମ ।

 

“କଣ ଆଜିହିଁ ଯିବାକୁ ପଡ଼ିବ ?” ଚୌକୀ ପଛପଟରେ ହାତଥୋଇ ମୁହଁକୁ ଅଳ୍ପ ନୁଆଁଇ ରାଧା ପ୍ରଶ୍ନ କଲା ।

ହଠାତ୍ ଶେଷ ଟ୍ରେନ୍‍ଟାର ସମୟ ତାର ମନେ ପଡ଼ିଗଲା । ଘଡ଼ିକି ଚାହିଁଲା, ତାପରେ ଟେଲିଗ୍ରାମଖଣ୍ଡକ ନାନାର ଉକ୍ତ ପୃଷ୍ଠାରେ ଗୁଞ୍ଜିଦେଇ ଡାଇନିଂ ରୁମକୁ ଉଠିଗଲା । ଜଳଖିଆ ଖାଉଖାଉ ତାର ସେହି ସମୟର କଥା ମନେ ପଡ଼ୁଥିଲା ଯେତେବେଳେ ସେ ଲିଲିର ପ୍ରେମରେ ପାଗଳ ହୋଇଯାଇଥିଲା । ରୋଷେଇ ଘରୁ ପୁଣି ଆବାଜ ଭାସିଆସିଲା । ସିଏ ବୁଝିପାରିଲା ରାଧା ହାତରୁ ଚା’ ସରଞ୍ଜାମ ତଳେ ଖସିପଡ଼ିଛି, ଇୟେ ତାର ଆବାଜ । ରାଧା ବିବ୍ରତ ହୋଇ ଦୌଡ଼ି ଆସି କହିଲା ‘ଚା’ ଟା ତଳେ ପଡ଼ିଗଲା, ପୁଣି ତିଆରି କରୁଛି ।”

“ଥାଉ, ଦରକାର ନାହିଁ ।” ସେ ଘଡ଼ି ଦେଖିନେଇ ହାତ ପୋଛୁ ପୋଛୁ ଠିଆହେଲା । ବାହୁରେ ହାତ ବୁଲୋଉ ବୁଲୋଉ କହିଲା “ମୁଁ କାଲି ସକାଳ ଗାଡ଼ିରେ ଫେରିଆସିବ ।”

 

ରାସ୍ତା ଉପରକୁ ସେ ଯେତେବେଳେ ଆସିଲା—ସେତେବେଳେ ସବା’ ଛ । ରାସ୍ତାରେ ଯାଉଥିବା ଗୋଟାଏ ଖାଲି ଘୋଡ଼ାଗାଡ଼ି ରୋକିନେଇ ତାରି ଉପରେ ବସିପଡ଼ିଲା । ଗାଡ଼ିବାଲାକୁ କହିଲା, “ପନ୍ଦର ମିନିଟ୍‍ରେ ଷ୍ଟେସନରେ ପହଞ୍ଚିଲେ ଆଠଅଣା ବକସିସ୍ ।” ଘୋଡ଼ା ପବନବେଗରେ ଦୌଡ଼ିବାକୁ ଲାଗିଲା । ଗାଡ଼ି ପ୍ରାୟ ଅଧମାଇଲ ଯାଇଛି କି ନାହିଁ ଗୋଟାଏ ବୁଢ଼ା ଡାକ୍ତରଙ୍କୁ ଗାଡ଼ିଭିତରେ ଦେଖିପାରି କାନ୍ଦିକାଣ୍ଡି ତା ପଛରେ ଦୌଡ଼ିବାକୁ ଲାଗିଲା । ଅସ୍ପଷ୍ଟସ୍ୱରରେ ବୁଢ଼ାଟା କଣ କରୁଥାଏ । ଝିଅଟି ତାର ପ୍ରସବ ବେଦନାରେ ମୁର୍ଚ୍ଛିତ, ଶିଶୁଟି ଭୁମିଷ୍ଟ ହେଉନାହିଁ । ବେଦନାରେ ସେ ଛଟପଟ କରୁଛି । ଆଠଅଣାର ଲୋଭରେ କଚୁଆନ ଗାଡ଼ି ରୋକିଲା ନାହିଁ ବା ଡାକ୍ତର ଗାଡ଼ି ରୋକିବାପାଇଁ କହିଲା ନାହିଁ । ଶେଷରେ ବୁଢ଼ା ଥକିପଡ଼ି ରହିଗଲା ଆଉ ଗାଡ଼ି ବହୁଦୂରକୁ ଚାଲିଆସିଲା । ବୁଢ଼ାର କ୍ରନ୍ଦନ ଧ୍ୱନି ପବନରେ କ୍ରମଶଃ କ୍ଷୀଣରୁ କ୍ଷୀଣତାର ହୋଇ ବିଲୀନ ହୋଇଗଲା ।

ଷ୍ଟେସନ ପାଖେଇ ଆସିବାରୁ ଇଞ୍ଜିନର ଧୂଆଁ ଆଖିରେ ପଡ଼ିଲା । ଘଦୀରେ ଛା’ ଟା ପୟଁନ୍ତ୍ରିଶ । ମୋଟେ ପାଂଚମିନିଟ୍‍ର ରାସ୍ତା ବାକି । ହଠାତ୍ କେମିତି କେଜାଣି ସେ ରାସ୍ତ ଉପରେ ଗାଡ଼ିପଡ଼ିଲା । ଘୋଡ଼ା ସଡ଼କ ଉପରେ ପଡ଼ିଯାଇ ଖୁରା ପିଟୁଥାଏ ଆଉ ଗାଡ଼ିଟା ଓଲଟି ଯାଇଥାଏ-। କିନ୍ତୁ କଚୁଆନ ପକ୍ଷରେ ଯେମିତି କିଛି ଘଟିନି । ସେ ଗାଡ଼ିକି ସିଧାକଲା ଆଉ ଘୋଡ଼ାକୁ ଠିଆ କରିବାପାଇଁ ଚାବୁକ ମାରିବାକୁ ଲାଗିଲା । ଗାଡ଼ିବାଲାର ଆଠଣା ପଇସା କ୍ଷତିହେବାକୁ ଯାଉଥିଲେହେଁ ଘୋଡ଼ାଟା ନିର୍ବିକାର । ସେ ଖୁରା ମାଟିରେ ବାଡ଼େଇ ପୁଣି ଶାନ୍ତି ହୋଇଗଲା ।

ଡାକ୍ତର ଉଠି ଠିଆ ହେଲା । ଦେହରେ ଯଦିଓ କୌଣସି ଆଘାତ ଲାଗିନଥିଲା ତଥାପି ପଡ଼ିଯିବା ଫଳରେ ସେ ଅଳ୍ପ ଘାବରେଇ ଯାଇଥିଲା, ବେଶ୍ ସେତିକି । ସେ ଚିନ୍ତାକଲା ‘ଷ୍ଟେସନକୁ ପାଦରେ ଚାଲିଗଲେ ମନ୍ଦ ହୁଅନ୍ତାନାହିଁ । ଘଡ଼ି ଛାହିଁ ଦେଖେତ ଛା’ଟା ପୟଁନ୍ତ୍ରିଶ । ପଡ଼ିଯିବ ଫଳରେ ଘଡ଼ିଟା ବନ୍ଦ ହୋଇଯାଇଥିଲା । କିନ୍ତୁ ସେତେବେଳକୁ ପୌନେ ସାତ ବାଜିଯାଇ ଥିବାର ସୂଚନା ବିଦାୟୀ ରେଳଗାଡ଼ିର ହୁଇସିଲରୁ ମିଳିଲା । ଗାଡ଼ି ଧୂଆଁ ଉଦ୍‍ଗୀରଣ କରି ଷ୍ଟେସନ ଛାଡ଼ୁଥାଏ ।

ତଥାପି କଚୁଆନ ଘୋଡ଼ାଟିକି ଚାବୁକ ମାରୁଥାଏ । ହଠାତ୍ ଗୋଟାଏ ନୀଳ ରଙ୍ଗର ବିଉକ୍ ଡାକ୍ତର ର ପୂରାପୂରି ସାମନାରେ ବ୍ରେକ୍ କସୀ ରହିଗଲା । “ଡାକ୍ତର ଭିତରକୁ ଆସନ୍ତୁ ।” ଗୋଟାଏ କଳା ମୂର୍ତ୍ତି କାରଭିତରୁ ଡାକିଲା ।

ଡାକ୍ତର ଦେଖିଲା ମିଲମାଲିକ ଶିଙ୍କାରବେଳୁ ଚେଟ୍ଟିଆର ତାକୁ ଡ଼ାକୁଛି । ସେ କାର ପାଖକୁ ଗଲା । ଡ୍ରାଇଭାର ତଳକୁ ଓହ୍ଲେଇ କାରର ଦରଜା ଖୋଲି ଧରି ଠିଆ ହୋଇଥାଏ । ଡାକ୍ତର କାରରେ ଚଢ଼ି ଚେଟ୍ଟିଆର ପାଖରେ ବସୁବସୁ ପ୍ରଶ୍ନକଲା ‘କୁହନ୍ତୁ’ ।”

 

ମୁଁ ଆପଣଙ୍କ ଘରକୁ ଯାଉଥିଲି । ଆପଣ ଏଇଠି କେମିତି ? ଚେଟ୍ଟିଆର ପଚାରିଲେ ।

 

ଡାକ୍ତର ସମସ୍ତ ଘଟଣା ତାଙ୍କୁ ଶୁଣାଇଲା ।

 

ଭଲହେଲା ଯେ ଆପଣ ଗାଡ଼ି ଧରି ପାରିଲେ ନାହିଁ; ମୋର ପତ୍ନୀଙ୍କର ଶ୍ୱାସ ବଢ଼ି ଚାଲିଛି । ମୁଁ ଆପଣଙ୍କୁ ନେବାପାଇଁ ଯାଉଥିଲି ଚାଲନ୍ତୁ ।

 

କାର ଯେତେବେଳେ ସେହି କୁଡ଼ିଆ ଘର ଦେଇ ଯାଉଥିଲା, ଡାକ୍ତର ଆପଣାର ମୁହଁ ବାହାରକରି ଦେଖିଲା । ଗୋଟାଏ କୁଡ଼ିଆ ପାଖରେ କ୍ରନ୍ଦନ ଧ୍ୱନି ଜୋରରେ ଶୁଣା ଯାଉଥିଲା । ଘୋଡ଼ାଗାଡ଼ି ପଛରେ ଦୌଡ଼ିଥିବା ସେହି ବୃଦ୍ଧର ଡାକ୍ତରର ସାମନାରେ ଆସି ଠିଆ ହେଲା । ତାର ଖୀଆଳ ହେଲା ଗାଡ଼ି ବନ୍ଦକରି ଦେଖି ନେଲେ କେମିତି ହୁଅନ୍ତା ! ବିଉକ୍ ରୁ ଓହ୍ଲେଇ ଏ ଅପରିଷ୍କାର ଗଳିକୁ ଯିବା– । ସେ ସେଇଠି ବସି ରହିଲା । ଲୋକେ ଆଗ ଭଳି କାନ୍ଦୁଥିଲେ ।

 

କାରଟି ଚେଟ୍ଟିଆର ର ବିରତ ବିଳାସ ପ୍ରସାଦ ଠିଆ ହେଲା । ଚେଟ୍ଟିଆର ଡାକ୍ତର କୁ ନିଜ ପତ୍ନୀର ଶୋଇବା ଘରକୁ ନେଇଗଲା । ଡାକ୍ତର ପଲଙ୍କ ଉପରେ ଗୋଟାଏ କଳା ମୋତି ସ୍ତ୍ରୀ ଲୋକର ଦର୍ଶନ ପାଇବ ବୋଲି ପ୍ରତ୍ୟାଶା କରିଥିଲା କିନ୍ତୁ ଦେଖିବାକୁ ପାଇଲା ଗୋଟାଏ କାଂଚନାଙ୍ଗୀ ନନାରୀ । ଏତେ ସଂଦାରୀ ସ୍ତ୍ରୀ ଡାକ୍ତର ଏହା ଆଗରୁ କେବେ ଦେଖିନଥିଲା । ରାଧା ଠାରୁ ବି ସଂଦାରୀ, ଏକ ଅପୂର୍ବ ସୃଷ୍ଟି । ଚେଟ୍ଟିଆର ଏହି ବହୁମୂଲ୍ୟ ରତ୍ନଟିକୁ ବହୁ ଅର୍ଥ ବିନିମୟ ସଂଗ୍ରହ କରିଥିବା ନିଶ୍ଚୟ ।

 

ରାତିରେ ଦିନର ପରେ ଚେଟ୍ଟିଆର ଡାକ୍ତରକୁ ବିଦାୟ ଦେଲା । ପକେଟ୍‍ରେ ଦଶଟଙ୍କାର ପାଂଚଖଣ୍ଡ ନୋତ । ବିଉକ୍ ତାକୁ ନେବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଘଡ଼ିରେ ସେତେବେଳେ ପୁର ଦଶଟା ।

 

ସେ ନିଜ ଘର ସାମନାରେ ଠିଆହେଲା । ଘର ଆଉ ଆଖପାଖ ଅଞ୍ଚଳ ଜୌତ୍ସ୍ନାରେ ବୁଡ଼ି ଯାଇଥିଲା । ଘରର ଦରଜା ଆଉ ଝରକା ଏମିତି ଭାବରେ ବନ୍ଦ କରା ହୋଇଥିଲା ଯେ ବାହାରକୁ ଭିତରର ଆଲୁଅ ମୋଟେ ଦେଖା ଯାଉନଥିଲା । ଚାନ୍ଦିନୀରେ ନିଜ ଘର ଡାକ୍ତର କୁ ବଡ଼ ମନୋରମ ଆଉ ରହସ୍ୟମା ମନେହେଲା ।

 

ସିଏ ବାରଣ୍ଡା ଉପରକୁ ଉଠିଯାଇ କବାଟରେ ଦୁଇ ତିନି ଥର ମୃଦୁ ଆଘାତ କରିବା ମାତ୍ରକେ ରାଧା ଆସି ଦରଜା ଖୋଲି ଦେଲା । ଆଖିରେ ତାର ବିସ୍ମୟ ।

 

“ଗଲ ନାହିଁ ? ।

 

ରାଧାର ପ୍ରଶ୍ନ ଯେପରି ତାର କାନରେ ପଶିଲା ନାହିଁ । ସେ କେବଳ ତାକୁ ଦେଖିବାକୁ ଲାଗିଲା । “ସେ ଜାଣେ ଯେ ମୁଁ ଆଲି ଯିବି ନାହିଁ । ନାଆଁ ନ ଡାକି ମୁଁ କବାଟରେ ଆଘାତ କଲି । ଆବାଜ ଶୁଣିବା ମାତ୍ରକେ ସିଏ ଆସି କବାଟ ଖୋଲିଦେଲା । ସେ ନିଶ୍ଚୟ କାହାରି ପ୍ରତୀକ୍ଷାରେ ବସି ରହିଥିଲା । ....ତାର ମନରେ ଅନେକ ରକମର ଚିନ୍ତା ନିଜର ଆସନ ଜମେଇ ନେଇଥିଲେ । ସେ ଦେଖିଲା ଯେ ବାରଣ୍ଡାର ଦରଜାଟା ଖୋଲା ରହିଯାଇଛି ।

 

“କବାଟ ବନ୍ଦ କର ।” ସିଏ ପତ୍ନୀକୁ ଇସାରାରେ ଡାକି କହିଲା । ସ୍ୱାମୀର ଚେହେରା ଦେଖି ରାଧା ନିଶ୍ଚଳ ଭାବରେ ଠିଆ ହୋଇ ରହିଗଲା । ଡାକ୍ତର ତାପରେ ନିଜେ ଯାଇ କବାଟ ବନ୍ଦକରି ବେଡ଼ରୁମ୍‍କୁ ଆସି ଖଟ ଉପରେ ବସି ପଡ଼ିଲା ।

 

‘‘ଏଇଠି ବସା’’ ରାଧାକୁ ସେ ଇସାରାରେ ଡାକି କହିଲା ।

 

କାଠ କଣ୍ଢେଇ ଭଳି ରାଧା ଖଟ ଉପରେ ଡାକି କହିଲା । ଟେବୁଲ ଲ୍ୟାମ୍ପର କ୍ଷୀଣ ଆଲୋକରେ ତାର ଗାଲ ଉପରେ ଚମକି ଉଠିଲା ଦି’ଟୋପା ଲୁହ । ସିଏ ସ୍ତ୍ରୀର ଆପାଦମସ୍ତକ ଗଭୀର ଧ୍ୟାନର ସହିତ ଦେଖିଲା । ରାଧାର ଦେହରେ ସିଲ୍‍କ କନାର ନୀଳ ବ୍ଲାଉଜ, ସମୂର୍ଣ୍ଣ ନୂଆଁ । ଛାତିର ଅର୍ଦ୍ଧାଂଶ ପୂରାପୂରି ଖୋଲା, ଅର୍ଦ୍ଧ-ଚନ୍ଦ୍ରାକୃତିରେ କଟା ପୂରାପୂରି ନୂଆ ଫେସନର । ତା ଉପରେ ଗୋଲାପୀ ଶାଢ଼ୀ । ଦେଖୁ ଦେଖୁ ତାର ମନେ ହେଲା ସେ ତାର ପତ୍ନୀ ନୁହେଁ; କୌଣସି ଗୋଟାଏ ଅପରିଚିତା ମହିଳା ।

 

କାହାପାଇଁ ଏ ଶୃଙ୍ଗାର କରି ବସିଛି ? ଆଜି ବା ଏ ବେଶ କାହିଁକି ସାଜିଛି । ତୁମେ...ତୁମେ.., ସିଏ ତାର ଚେହେରା ଆଡ଼କୁ ଇସାରା କରି କହିଲା, ଅତି ଅସ୍ପଷ୍ଟ ସ୍ୱରରେ । ପୁନରାୟ ଓଠ ଚିପି ନିଶ ଉପରେ ହାତ ବୁଲେଇଲା ।

 

ତାର ଏହି ଦୃଷ୍ଟି ଆଉ କଥାରେ ରାଧା ସଂକୁଚିତ ହୋଇପଡ଼ିଲା । ସେ ବାରଣ୍ଡାର ଦୁଆର ଆଡ଼କୁ ଦେଖିବାକୁ ଲାଗିଲା, ଯେମିତି ସେ ନିଜକୁ ସ୍ୱାମୀର ସେହି ବିଷାକ୍ତ ଦୃଷ୍ଟିରୁ ନିଜକୁ ମୁକ୍ତି ଦେବାକୁ ଚାହେଁ ।

 

ଡାକ୍ତର ନିଜ ପତ୍ନୀ ଏମିତି ଚାହିଁ ରହିଥିବା ଦେଖି କିଛି ସମୟ ଭାବିଲା । ଶୁଣି ବିଜୟୀର ସୁରରେ ସେ ତାର କାନ ପାଖରେ ଧୀର ଗଳାରେ କହିଲା “ବୋଧହୁଏ ତୁମେ ଜାଣିଯାଇଛା ଯେ ତୁମକୁ ମୁଁ ଏଠି କାହିଁକି ବସେଇଛି । ଦରଜାକୁ ଆଉ ଉତ୍କଣ୍ଠାରେ ଚାହିଁ ଲାଭ ନାହିଁ । ରାଣୀ ! ଆଉ କିଛି ସମୟ ଅପେକ୍ଷା କର, କାହାର ପଦଧ୍ୱନି ଶୁଣିବାକୁ ମିଳିବ । ତୁମପାଇଁ ମୁଁ ଉଠିଯାଇ ଦରଜା ଖୋଲିଦେବି । ତୁମେ ଉପନ୍ୟାସଟା ପଢ଼ୁଥାଅ ! ସେ ‘ନାନା’ ଖୋଲିଲା । ସେହି ଟେଲିଗ୍ରାମ ଆସିଥିବା ଲଫାପାଟା ଏ ଯାଏ ସେ ପୃଷ୍ଠାରେ ରହିଛି । ପତ୍ନୀକୁ ସେ ରୁକ୍ଷ କଣ୍ଠରେ ପଚାରିଲା “ ତେବେ ତୁମେ ଉପନ୍ୟାସ ପଢ଼ୁନଥିଲ; କାହାର ସ୍ୱପ୍ନ ଦେଖୁଥିଲ ବୋଧହୁଏ ?”

 

ରାଧା କିଛି କହିଲା ନାହିଁ ।

 

ସେତେବେଳେ ବାହାରୁ ପାଦଶବ୍ଦ କୌଣସି ଗୋଟିଏ ଆବାଜ୍ ଭାସି ଆସିଲା । ଡାକ୍ତର ଏକ ପୈଶାଚିକ ହସରେ ବାୟୁ ମଣ୍ଡଳ ସଂକ୍ରମିତ କରି ଧ୍ୟାନ ସହକାରେ ଶୁଣିଲା । ସେହି ଶବ୍ଦ ବାରମ୍ବାର ଶୁଣା ଯାଉଥାଏ । ପୁନରାୟ ତାର ମନେ ହେଲା ଶବ୍ଦଟାପାଦର ନୁହେଁ, ପତ୍ରର ମର୍ମର । ସେ କୋଠାରୀଟିକୁ ତୀକ୍ଷଣ୍‍ ଭାବରେ ନିରୀକ୍ଷଣ ତାର ଦୃଷ୍ଟି ସ୍ଥିର ହୋଇଗଲା । କେହେରା ଶାନ୍ତ ହୋଇପଡ଼ିଲା । ଆଖିରେ ବାତ୍ସଲ୍ୟର ଏକ ଅପୂର୍ବ ପ୍ରକାଶ ପହଁରିବାକୁ ଲାଗିଲା ।

 

ଫଟୋରେ ଗୋଟାଏ ଛୋଟ ଝିଅ ଗୋଟାଏ କଳା କୁକୁରକୁ ଗଳାରେ ଆଲିଙ୍ଗନ କରି ବସି ରହିଛି । ସେ ତାର ଝିଅ । ଦୁଇବର୍ଷ ଆଗେ ଏହି ଫଟୋଟା ତାର ସପ୍ତମ ଜନ୍ମବାର୍ଷିକୀର ସ୍ମୃତି ରୂପରେ ଉଠା ହୋଇଥିଲା । ‘ନୀରୋ’ ସେହି କୁକୁରଟି ଥିଲା ମିଲିର ପ୍ରାଣାଧିକ । ନୀରୋ ସେହି ସପ୍ତମ ଜନ୍ମବାର୍ଷିକୀର ମାସକ ପରେ ଟ୍ରକ୍ ତଳେ ଚପା ପଡ଼ି ମରିଗଲା । ମିଲି ଦୁଇ ତିନିଦିନ ଖାଇବା ପିଇବା ବନ୍ଦ କରି ବରାବର କାନ୍ଦିଥିଲା । ସେ ଚାହିଁଥିଲା ନୀରୋର କବର ସ୍ଥାନରେ ଗୋଟାଏ ସ୍ମାରକୀ ନିର୍ମାଣ କରାହେଉ । ସେଥିପାଇଁ ଡାକ୍ତରର ମନେଅଛି, ମିଲି ତାର ସମସ୍ତ ସଂଚୟ ଆପଣାର ସମସ୍ତ ସମ୍ପତ୍ତି ତିନି ଟଙ୍କା ଦୁଇଅଣା ଦୁଇପଇସା ତାକୁ ସମର୍ପଣ କରି ଦେଇଥିଲା । ସେ ନିଜେ ବି ଦୁଇଟଙ୍କା ଦେଇଥିଲା । ମାତ୍ରକେ ନୀରୋର ସ୍ମାରକ ସ୍ତମ୍ଭ ତିଆରି ହେବା ଆଗରୁ ସେହି ସହରରୁ ତାର ବଦଳି ହୋଇଗଲା ।

 

ଆସନ୍ତା ମାସ ଦଶ ତାରିଖରେ ମିଲିର ଜନ୍ମତିଥି । ମିଲି ମାନ୍ଦ୍ରାଜର ‘କଳାନିକେତନ ବୋଡ଼ିଙ୍ଗ ସ୍କୁଲ’ ରେ ରହି ପଢ଼ୁଛି । ଜନ୍ମବାର୍ଷିକୀରେ ଝିଅକୁ କଣ ଉପହାର ଦେବା ଦରକାର ସେଥିପାଇଁ ରାଧା ଆଉ ଡାକ୍ତର ଭିତରେ ଅନେକ ତର୍କ ହୋଇଯାଇଛି । ଡାକ୍ତର ର ଇଚ୍ଛା କିଛି ନୂଆ ପୋଷାକ ଆଉ ମିଠା ପଠାଇ ଦିଆହେଉ । ରାଧାର ଇଚ୍ଛା ଗୋଟାଏ ଫାଉଣ୍ଟେନ୍‍ପେନ୍ ଆଉ ‘ଝିଅପାଖକୁ ପିତାର ପତ୍ର’ ନାମକ ଜବାହରଲାଲଙ୍କ ଲିଖିତ ପୁସ୍ତକ ଉପହାର ଦେବା ଉଚିତ ।

 

ମିଲିର ମା ! ....ଡାକ୍ତରର ଧ୍ୟାନ ହଠାତ୍ ରାଧାଆଡ଼କୁ ଚାଲିଗଲା ଯେ ତାରି ନିକଟରେ ବସିଥିଲା । ମିଲିର ଗର୍ଭଧାରିଣୀ ଏହି ନାରୀଟି ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ତିକ୍ଷ୍‍ଣ ଦୃଷ୍ଟିରେ ଚାହିଁଲା । ସେ ଆଶ୍ଚର୍ଯ୍ୟ ହେଲା ଯେ ଏଯାଏ ରାଧାର ଶିଖରରେ ଉପବିଷ୍ଟ କୋଣସି ଏକ କିନ୍ନରୀ । ସେହି ପ୍ରତିକ୍ଷିତ ପାଦଶବ୍ଦ ଶୁଣିବା ମାତ୍ରକେ ସିଏବି କିନ୍ନରୀ ଭଳି ଅଦୃଶ୍ୟ ହୋଇଯିବ.... । କିନ୍ତୁ ମିଲି ?” ନା...ସେ ଜାଣି ପାରିବନାହିଁ ।

 

ବହୁଦୂରରୁ ପବନରେ ଗୋଟାଏ କୁକୁରର ଚିତ୍କାର ଭାସିଆସିଲା । ଛା’ଟା ପୟଁନ୍ତ୍ରିଶ । ଠିକ୍ ରହିଛି । ସେ ଯେତେବେଳେ ପଡ଼ି ଯାଇଥିଲା, ଘଡ଼ିଟା ସେତେବେଳୁ ବନ୍ଦ ହୋଇଯାଇଛି । କାନ୍ଥ ଘଡ଼ିକି ଚାହିଁ ଦେଖିଲା ଏଗାରଟା ଦଶମିନିଟ୍‍ । ଘଡ଼ିର ଟିକଟିକ ଶବ୍ଦ ଶୁଣିଲା । କିନ୍ତୁ ଅଳ୍ପ ସମୟପରେ ଘଡ଼ିର ଟିକଟିକ ଶବ୍ଦ ତାକୁ ଯେପରି ବିବ୍ରତ କରି ତୋଲିଲା, ପୁନରାୟ ଅଚାନକ କାନ୍ଥ ଘଡ଼ିଟାବି ବନ୍ଦ ହୋଇଗଲା । ବୋଧହୁଏ ଛବି ଶେଷ ହୋଇଗଲା । ଇୟେ ରାଧାର କାରସାଦି । କଣ କରାଯାଏ.... ? ତାର ଧ୍ୟାନ ଆଉ କେଉଁଠି ବିଚରଣ କରୁଥିଲା ।

 

ଘଡ଼ି ସେମିତି ମୃତଅବସ୍ଥାରେ ପଡ଼ିରହିଲା । “ଅବିକା ନିର୍ଦ୍ଦିଷ୍ଟ ସମୟ ଜାଣିବା ହିଁ ବିପଦ-।” ସେ ନିଜକୁ ନିଜେ ଜୋର୍‍ରେ କହି ଉଠିଲା ।

 

ସେ ଅନୁଭବ କଲା ଘରଭିତରେ ଯେମିତି ପ୍ରଚୁର ଗରମ । ଉଠିଯାଇ ପଶ୍ଚିମଦିଗର ଦରଜାଟା ଖୋଲିଦେଲା । ଜ୍ୟୋତ୍ସ୍ନାର ସ୍ରୋତରେ ମଗ୍ନ ହସ୍‍ପିଟାଲ୍‍ର ଇମାରତ୍ ତାକୁ ମୁଗ୍ଧ କଲା । ଦିବସର ଚଞ୍ଚଳତାର ଲେଶ ମାତ୍ର ଚିହ୍ନ ନାହିଁ । ସମସ୍ତ ପରିବେଶ ନିଃସ୍ତବ୍ଧ, ନୀରବ । ରୋଗୀମାନଙ୍କ ଯନ୍ତ୍ରଣାଦାୟକ ଚିତ୍କାର ବି ନାହିଁ । ଯେମିତି ସମଗ୍ର ପରିବେଶଟିରେ ଆଶ୍ରମର ଶାନ୍ତି-। ଗୋଟାଏ ଘଞ୍ଚ ଗଛତଳେ ଅପରିଚ୍ଛନ୍ନ ତୁଳାର ପାହାଡ଼ ଆଉ ବେଣ୍ଡେଜ ଜ୍ୟୋତ୍ସ୍ନାରେ ମନେ ହେଉଥିଲା ଯେମିତି ଭୂମିଉପରେ ପଡ଼ିଛି ସେମିତି ମନେହେଲା ।

 

ହଠାତ୍ ଯେମିତି ଡାକ୍ତରର ମନେହେଲା କିଏ କବାଟ ଖଟ୍ ଖଟ୍ କରୁଛି । ସେ ଅତି ସନ୍ତର୍ପଣରେ ଦରଜା ପାଖକୁ ଯାଇ ଚିନ୍ତାକଲା ବେଳକୁ ଗୋଟାଏ ବାଦୁଡ଼ି ପକ୍ଷ ବିଧୁନନ କରି ଚାଲିଗଲା । ନିରାଶ ହୋଇ ସେ ରାଧାକୁ ଚାହିଁଲା । ରାଧା ଖଟ ଉପରେ ମୁହଁ ତଳକୁ ପୋତି ବସିଛି ।

 

ସମୟର କୌଣସି ସୂଚନା ନଥିଲା । ମଝିରେ ମଝିରେ ଶୁଣା ଯାଉଥିଲା ନିଶାଚର ପକ୍ଷୀର କୂଜନ ଓ ବାଦୁଡ଼ିମାନଙ୍କର ପକ୍ଷ ବିଧୂନନ । କିନ୍ତୁ ସେହି ପ୍ରତିକ୍ଷିତ ପାଦଶବ୍ଦର କୌଣସି ପତା ନଥିଲା । ପବନରେ ସେତିକିବେଳକୁ ଭାସିଆସିଲା ପଦେ ଗୀତ “ମାୟା ପ୍ରପଞ୍ଚ ଭିଲାନଂଦମ୍ ବେରିଲ୍ଲେ ।” ଅତି କରୁଣ, କ୍ରାନ୍ତ କଣ୍ଠର ଆବାଜ । ସେ ଠିକ୍ ଅନୁମାନ କଳା ଏହି ଅର୍ଦ୍ଧନିଶି ଥିନୀର ସଙ୍ଗିତଜ୍ଞ ରାଜୁ ଗାଡ଼ିବାଲା । ରାଜୁର କାହାଣୀ ସେ ଏହା ଆଗରୁ ବହୁବାର ଶୁଣିଛି । ରାଜୁ କାଲା, କୁରୂପ, ଆଉ ଅନ୍ଧ । କିନ୍ତୁ ତାର ସ୍ତ୍ରୀ ରୂପବତୀ । ରାଜୁକୁ କେମିତି ଏଭଳି ଗୋଟାଏ ସୁନ୍ଦରୀ ସ୍ତ୍ରୀ ମିଳିଥିଲା ବୋଲି କାହାକୁ ଜଣା ନଥିଲା । ରାଜୁ ତାକୁ ଏକ ସାମ୍ରାଜ୍ଞୀ ଭଳି ରଖିଥାଏ । କେବେ କେବେ ନିଜ ଗାଡ଼ିରେ ସେ ତାକୁ ବସେଇ ସହର ସାରା ବୁଲାଏ । ସେହି ମୋହିନୀ, ଗାଡ଼ିବାଲା ସେହି କଳାମାଙ୍କଡ଼, ଆଉ ମେଘନାଦ ନାମକ ମୁମୁର୍ଷ ଘୋଡ଼ାକୁ ରାସ୍ତାରେ ଦେଖି ଲୋକେ ହସୁଥିଲେ, ଥଟ୍ଟା କରୁଥିଲା ।

 

ମାତ୍ର ଏସବୁ ସାତବର୍ଷ ତଳର ଘଟଣା । ବର୍ତ୍ତମାନ ରାଜୁର ପାଟରାଣୀ ଗୋଟାଏ କୁଷ୍ଠରୋଗୀ । ମୋଟା ମୋଟା ଓଠ, କାନଗୁଡ଼ିକ ବଡ଼ବଡ଼ । ମହମର ମୂର୍ତ୍ତି ଭଳି ତାର ଶରୀର ଛିଣ୍ଡି ଛିଣ୍ଡି ବିକୃତ ହୋଇଯାଉଛି ।

 

ଆଜି ବି ରାଜୁତାକୁ ନିଜ ଗାଡ଼ିରେ ନିଏ ମାତ୍ରକ ସାନ୍ଧ୍ୟ ଭ୍ରମଣ ପାଇଁ ନୁହେଁ, ହସ୍‍ପିଟାଲକୁ ଚିକିତ୍ସା ପାଇଁ । ରାଜୁର ଗାଡ଼ିରେ ଆଜିକାଲି କେହି ଚଢ଼ନ୍ତି ନାହିଁ କାରଣ ତା ଉପରେ ସେହି କୁଷ୍ଟରୋଗୀ ଚଢ଼େ । ଦିନରେ ଓପାସ ରହି ରାତିରେ ରାଜୁ ଗୀତ ଗାଏ ।

 

“ମାୟା ପ୍ରପଞ୍ଚତ୍ତିଲାନଂଦମ୍ ବେରିଲ୍ଲେ–

 

ସେହି ସଂଗୀତାର ତରଙ୍ଗ ଜ୍ୟୋତ୍ସ୍ନାର ପଦତଳ ଚୁମ୍ବନ କରି ଧୀରେ ଧୀରେ ସେହି କୁଟୀର ଭିତରେ ବିଲୀନ ହୋଇଗଲା ।

 

ଚନ୍ଦ୍ର ଧୀରେ ଧୀରେ ମେଘର ଓଢ଼ଣାତଳେ ମୁହଁ ଲୁଚାଉଛି । କେଉଁଠି ଗୋଟାଏ କୁକୁଡ଼ା ବାରମ୍ବାର ଡାକି ଉଠୁଛି ।

 

ପ୍ରତିକ୍ଷିତ ପଦଶବ୍ଦ ଶୁଣିବାର ସମୟ ଆସନ୍ନ.....ସମୟ ଆସିଗଲା । ଦେଖି, ସମୟ ଆସିଗଲା, ତାର ସମଗ୍ର ସତ୍ତାକୁ ଯେମିତି କିଏ ସଜାଗ କରି ତୋଲିଲା ।

 

ଟକ୍, ଟକ୍; ଟକ୍ ଦୁଆରରେ କାର ମୃଦୁ କରାଘାତ । ଟକ୍, ଟକ୍.....ପୁଣି ଆବାଜ ।

 

ଦିଏ ବୋକାଙ୍କ ଭଳି ଶୂନ୍ୟ ଦୃଷ୍ଟିରେ ଦୁଆରକୁ କିଛି ସମୟ ଚାହିଁ ରହିଲା । ରାଧା ମୁଣ୍ଡ ଟେକି ଚାହିଁଲା । ଆହତ ପକ୍ଷୀଭଳି ତାର ଦୃଷ୍ଟି ପକ୍ଷାଘାତ କରୁଥାଏ । ଡାକ୍ତର ରାଧାକୁ ସମୂର୍ଣ୍ଣ ଉପେକ୍ଷା କଲା । ଟକ୍ ଟକ୍....ଯେମିତି ବର୍ଷାରାତିର ଘଡ଼ଘଡ଼ି । ମୁଣ୍ଡରେ କିଏ ଯେମିତି ହାତୁଡ଼ି ବାଡ଼ୋଉଛି । ସେ ଦୁଆର ଆଡ଼କୁ ଆଗେଇଲାବେଳକୁ ତାର ଗୋଡ଼ ଥରିବାକୁ ଲାଗିଲା । ଆଉ ନିଶ୍ୱାସ ପ୍ରଖର ହେବାକୁ ଲାଗିଲା । ଶେଷରେ ସେ କବାଟ ଖୋଲିଦେଲା ।

 

ହଜୁର...ଟେଲିଗ୍ରାମ । ଉଷାର ପ୍ରଥମ ପ୍ରକାଶରେ ଡାକପିଅନର ଖାକି ପଗଡ଼ି ତା ଆଗରେ ନଇଁଗଲା । ନିଜ ପଗଡ଼ି ରଙ୍ଗର ଗୋଟାଏ ଲଫାପା ଡାକ୍ତର ହାତକୁ ବଢେଇ ଦେଇ ଦସ୍ତଖଟ ପାଇଁ କାଗଜ ଆଉ ପେନସିଲ ଆଗେଇଦେଲା ପିଅନଟା । ଡାକ୍ତର କାଗଜ ଉପରେ ପେନସିଲ ସାହାଯ୍ୟରେ ଦସ୍ତଖଟ କରି କମ୍ପିତ ହାତରେ ଲଫାପା ଖୋଲୁଖୋଲୁ ଟେବୁଲ ଲ୍ୟାମ୍ପ ପାଖକୁ ଯାଇ ଟେଲିଗ୍ରାମ ଉପରେ ଆଖି ବୁଲେଇ ଆଣିଲା ।

 

“ଆପଣଙ୍କ ମିଲି ଆଜି ସନ୍ଧ୍ୟାରେ କୁଅରେ ପଡ଼ି ଯାଇଥିଲା । ରାତି ଏଗାରଟାବେଳକୁ ହସ୍‍ପିଟାଲ୍‍ରେ ତାର ମୃତ୍ୟୁ ହୋଇଯାଇଛି । ସମସ୍ତେ ଆପଣଙ୍କ ଅପେକ୍ଷାରେ ।

 

ମେଟ୍ରନ୍, “କଳାନିକେତନ ।”

Image

 

ନୀଳିମାର ଭୂତ

ଗୁଲାବ ଦାସ ଏଚ୍. ବ୍ରୋକର

 

[ଜାତୀୟ ଆନ୍ଦୋଳନରେ ଅଂଶଗ୍ରହଣ କରି ତାଙ୍କରି ଅନ୍ୟାନ୍ୟ ସତୀର୍ଥମାନଙ୍କ ଭଳି ଗୁଲାବ ଦାସ ଏଚ୍. ବ୍ରୋକର ଜେଲରେ ଥିଲାବେଳକୁ ଲେଖାଲେଖି ଆରମ୍ଭ କରିଥିଲେ । ବ୍ରୋକର ଆଧୁନିକ ମହାରାଷ୍ଟ୍ରଅ ସୁପ୍ରତିଷ୍ଠିତ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ । ସନ ୧୯୪୩ରେ ଲେଖାପାଇଁ ସାହିତ୍ୟ ପରିଷଦ ତରଫରୁ ସ୍ୱର୍ଣ୍ଣପଦକ ଏବଂ ବମ୍ବେ ପୁରସ୍କୃତ ହୋଇଥିଲେ । ବର୍ତ୍ତମାନ ବ୍ରୋକର ଭାରତୀୟ ସାହିତ୍ୟ ଏକାଡ଼େମୀର ସଭ୍ୟ । ଭାରତାର ଅନ୍ୟାନ୍ୟ ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ସର୍ବପ୍ରଥମେ ଓଡ଼ିଆରେ ତାଙ୍କର ଏହି “ନୀଳିମାର ଭୂତ’’ ଗଳ୍ପଟି ପ୍ରକାଶ ପାଉଛି ।]

Image

 

ବାହାରେ ବିଭିତ୍ସ ରାତ୍ରିର ତିମିର ପୃଥିବୀର ସମଗ୍ର ସତ୍ତାକୁ ନିଜର ହାତ ମୁଠାରେ ଚାପି ଧରିଥିଲା କିନ୍ତୁ କୋଠାରୀ ଭିତରର କ୍ଷୀଣ ଦୀପାଲୋକରେ ତିନିବନ୍ଧୁ ଏମିତି ମଗ୍ନ ହୋଇପଡ଼ିଥଲେ ଯେ ସେ ସମ୍ବନ୍ଧରେ ମୋତେ ଖିଆଲ ନଥିଲା । ସେମାନେ ପରସ୍ପର କଥାବାର୍ତ୍ତାରେ ଏମିତି ମଜ୍ଜି ରହିଥିଲେ ଯେ ସେହି ଭୟଙ୍କର ରାତ୍ରୀ ଯଦି ଆହୁରି ଭୟଙ୍କର ରୂପଧାରଣ କରି ବର୍ଷ ବଜ୍ର ଆଉ ବିଜୁଳିରେ ସମଗ୍ର ଧରା ପ୍ଲାବନ କରି ଦେଇଥାନ୍ତା ତଥାପି ସେମାନେ ତାର୍ ତିଳେହେଲେ ସୁଚନା ପାଇ ପାରି ନଥାନ୍ତେ ।

 

ସମୟରେ କ୍ଷୀଣସ୍ରୋତ ଏହି ରାତ୍ରିର ତିମିର ସ୍ରୋତରେ କ୍ଷିପ୍ରଗତିରେ ବହି ଚାଲିଥାଏ । ବାହାରେ ପ୍ରଚୁର ଶୀତ । ସାଇଁ ସାଇଁ ପବନର ଶୀତଳ ସ୍ପର୍ଶ ସେମାନେ ପ୍ରତ୍ୟେକେ ଅନୁଭବ କରୁଥାନ୍ତି । ଖଟ ଉପରେ ଶାଲ୍ ଘୋଡେଇହୋଇ ବସିଥାନ୍ତି ନିର୍ମଳା ଆଉ ପ୍ରବୋଧ; ସ୍ୱାମୀ ସ୍ତ୍ରୀ । ଖଟପାଖକୁ ଲାଗି ପଡ଼ିଥିବା ଚୌକିଉପରେ ବସିଥାଏ ଶଶି । ପରିବାରର ଅନ୍ତରଙ୍ଗ ବନ୍ଧୁ । ହାତଦୁଇଟି ପଡ଼ି ରହିଥାଏ ଆଣ୍ଠୁ ଉପରେ ।

 

ସେମାନଙ୍କର ଭାବଭଙ୍ଗି, କଥାବାର୍ତ୍ତା ଓ ଉତ୍ତେଜିତ ମୁଖ ମଣ୍ଡଳରୁ ପ୍ରତୀୟମାନ ହେଉଥିଲା ଯେ ତିନିହେଁ ଘଟଣାଟି ସମନ୍ଧରେ ସମଭାବରେ ଉତ୍ସାହିତ । କେତେ କେତେବେଳେ ସମସ୍ତେ ଏକା ସାଥିରେ କହି ଉଠୁଥିଲେ, କେତେ କେତେବେଳେ ଜଣେ ଅପରର ବକ୍ତବ୍ୟ ଶେଷ ନ ହେଉଣୁ ମଝିରେ ବ୍ୟାଘାଟା ସୃଷ୍ଟିକରି ନିଜେ କହିବା ଆରମ୍ଭ କରି ଦେଉଥିଲା । କଥାର ସୂଅରେ କେଉଁଠି ହେଲେ ନଥିଲା ଟିକିଏ ହେଲେ ବିରତି ।

 

ହେ ଭଗବାନ ! କେମିତି ଏହା ସମ୍ଭବ ହୋଇପାରେ । ଜଣେ କେମିତି ଏତେ ନୀଚ ହୋଇପାରେ ? ନିର୍ମଳା ଆଶ୍ଚର୍ଯ୍ୟରେ ଘୋଡ଼େଇ ହୋଇଥିବା ଶାଲଖଣ୍ଡକ ତଳୁ ତାର ସରୁ ଧଳା ହାତ ଯୋଡ଼ିକି ପଦାକୁ ବାହାର କରି, ସୁାଗଠିତ ବିଷର୍ଣ୍ଣ ମୁହଁକୁ ଢାଙ୍କି ପକେଇଲା । ତାର ସ୍ୱରରେ ବିଷାଦର ଏକ ସୂକ୍ଷ୍ମ ସ୍ପର୍ଶ ଗଭୀର ବିରକ୍ତି ସହିତ ମିଶ୍ରିତ ହୋଇ ରହିଥିଲା ।

 

ବାହାରେ ଭୀଷଣ ଥଣ୍ଡା, ତେଣୁ ନିର୍ମଳାର ହାତ କେବଳ ଖୋଲାଥିଲା । ମୁହୁର୍ତ୍ତକ ପରେ ନିର୍ମଳା ପୁନରାୟ ହାତ ଦୁଇଟିକୁ ଶାଲ ଭିତରେ ଢାଙ୍କି ପକେଇଲା ।

 

“ତୁମେ କେବେହେଲେ ସେ ସବୁ ବୁଝି ପାରିବନି ନିର୍ମଳା “ପ୍ରବୋଧର କଣ୍ଠରେ ଅତିରିକ୍ତ ସ୍ନେହ ଆଉ ସମ୍ମାନ; ଆଖିରେ ଏକ ଶୂନ୍ୟ ସଂଚାରି ଦୃଷ୍ଟି ।

 

“ତମେ କେମିତି ସେ ସବୁ ବୁଝିବ ?”

 

ପ୍ରବୋଧ ପୂରାପୂରି ସତ କହୁଛନ୍ତି ନିର୍ମଳା । ତୁମ ସେ ଭଳି ଅନୁଭବ କରିବା ପୂରାପୂରି ପ୍ରାକୃତିକ” ଶଶି ନିଜ ଆଣ୍ଠୁ ଉପରେ ହାତାର ଚାପ ଆହୁରି ବୃଦ୍ଧିକରି କହିଲା । ତୁମ ଦୁହିଁଙ୍କ ଭିତରେ କଣ କେବେ ତୁଳନା ହୋଇପାରେ ? ସେ ପୂରାପୂରି– । ସେ ତାର ବକ୍ତବ୍ୟର ଗୁରୁର ଜଣାଇବା ପାଇଁ ନିର୍ମଳାର ମୁହଁକୁ ଚାହିଁଲା । ବକ୍ତବ୍ୟର ଶୂନ୍ୟସ୍ଥାନ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ପୁରଣ କରିବା ପାଇଁ ଛାଡ଼ିଦେଇ ସେ ଚୁପ୍ ରହିଗଲା । ତାର ମୁହଁ ଉପରେ ଫୁଟି ଉଠିଲା ଦୁଃଖ, ଘୃଣା ଏବଂ ସୂକ୍ଷ୍ମ ବିରକ୍ତିର ଏକ ମିଶ୍ରିତ ଭ୍ରୁକୁଟି ।

 

“କିନ୍ତୁ ତାହା କେମିତି ସମ୍ଭବ ହୋଇପାରେ“ ନିର୍ମଳା ପୁନରାୟ ପ୍ରଶ୍ନକଲା “କଣ ତାର ଟିକିଏ ବୋଲି ଆତ୍ମ-ସମ୍ମାନ ନାହିଁ ?” ହିନ୍ଦୁ, ମୁସଲମାନ, ବନ୍ଧୁ ବା ମିତ୍ର ଯେ ହେଉନା କାହିଁକି ।” ସେ ଭାଙ୍ଗି ପଡ଼ିଲା । ବିଷାଦର ଏକ ଅଭିବ୍ୟକ୍ତ ତାର ସମଗ୍ର ମୁଖ ମଣ୍ଡଳରେ ଉଦଭାସିତ ହୋଇ ଉଠିଲା ।

 

ଆମର ସେଥିରେ କଣ ଅଛି ? ପ୍ରବୋଧ କହିଲା ତାପରେ ଶଶିକି ଚାହିଁ ଆରମ୍ଭ କଲା “ ସିଏତ ମଲା, କିନ୍ତୁ ଟା ଆଗରୁ ସେ ପ୍ରାୟ ମଙ୍ଗଳକୁ ହତ୍ୟା କରିଦେଇ ଗଲା । ସେ ବିଷୟରେ ତୁମେ ତ ଜାଣ ।

 

“ମୁଁ ସବୁ ଜାଣେ” ଶଶି ଅଳ୍ପ ଗମ୍ଭୀର ହୋଇ କହିଲା “ମୁଁ ବୋଧହୁଏ ତୁମ୍ଭମାନଙ୍କ ଅପେକ୍ଷା ବେଶୀ ଜାଣେ ।

 

ଏତକ କହିବା ଅବସରରେ ସହଜାତ କେତୋଟି ମନୋଭାବ ସହିତ ବିଶ୍ୱାସଘାତକତା କରି ତାକୁ ପ୍ରଚ୍ଛନ୍ନଭାବରେ ଲୁକ୍କାୟିତ କରିବା ଫଳରେ ପ୍ରବୋଧ କିମ୍ବା ନିର୍ମଳା କେହି ଶଶିର ପରିବର୍ତ୍ତନ ଲକ୍ଷ୍ୟ କରି ପାରିଲେ ନାହିଁ । କିନ୍ତୁ ଦୁହେଁ ବିସ୍ମୟରେ ତାକୁ ଚାହିଁ ରହିଲେ ।

 

ଶଶି ଖୁବ୍ ଧୀରେ ଧୀରେ କହିବାକୁ ଲାଗିଲା “ତମେ ତ ଜୟର ଭଉଣୀ କୁସୁମକୁ ଜାଣ-। କୌଣସି ଗୋଟାଏ କାମରେ ସେ ଥରେ ନୀଳିମାର ଘରକୁ ଯାଇଥିଲା । ଦରଜାର ଶିକୁଳୀ ଭଲ ଭାବରେ ଦିଆ ହୋଇ ନଥାଏ, କୁସୁମ କବାଟରେ ଅଳ୍ପ ଆଘାତ କରିବାମାତ୍ରକେ ଦରଜାଟା ଖୋଲିଗଲା । କୁସୁମ ଦେଖିଲା ଯେ ଗୋଟାଏ ଅପରିଚିତ ପୁରୁଷ ସହିତ ନୀଳିମା ଘନିଷ୍ଠ ଭାବରେ ବସି ରହିଛି । ତମକୁ କିଏ କହିଲା ? କିଏ ତୁମକୁ କହିଲା ? ଉଭୟ ସ୍ୱାମୀ ଓ ସ୍ତ୍ରୀ ସମସ୍ୱରରେ ପ୍ରଶ୍ନକଲେ ।

 

ଶଶି କିଛି ସମୟ ପୂରାପୂରି ନୀରବ ରହିଲା । ଯେମିତି ସେ ସେମାନଙ୍କର ପ୍ରଶ୍ନ ମୋତେ ଶୁଣି ପାରିନାହିଁ । ସେହି ନୀରବ ମୁହୁର୍ତ୍ତରେ ତାର ଆଖି ଆଗରେ ଭାସି ଉଠିଲା ଗୋଟାଏ ମୁହଁ, ସରୁ, ଫିକା କିନ୍ତୁ ସୁନ୍ଦର ଓ ନିରୀହ ମୁଖମଣ୍ଡଳ । ସେ ମୁହଁତାକୁ କହିବାକୁ ଲାଗିଲା ।” ସମସ୍ତଙ୍କ ଭଳି ତୁମେ ବି ? ତୁମର କି ଅଧିକାର ରହିଛି ? ସେ କୌଣସି ଉତ୍ତର ଦେବାପୂର୍ବରୁ ତାର ଚିନ୍ତା ବିଭ୍ରାତ ହୋଇଗଲା ।

 

କିନ୍ତୁ ଏ ଘଟଣା ଏମିଟ୍ ଭାବରେ ପ୍ରଚାରିତ ହେଲା ବା କିପରି ? ପ୍ରବୋଧ ଓ ନିର୍ମଳା ପ୍ରଶ୍ନକଲେ ।

 

ମୁଁ କେମିତି ଜାଣିଲି ? କୁସୁମ ନୀଳିମାର ଘରୁ ଫେରିଆସିବା ପରେ ଜୟକୁ ଆଉ ମୋର ସ୍ତ୍ରୀକୁ ଏ ଘଟଣା କହିଲା । ଚମବାଇଦ ସିନା କୋଶେ; ତୁଣ୍ଡବାଇଦ ସହସ୍ର କୋଶ । ତାକୁ କେହି ପ୍ରଚାର କରିବାକୁ ପଦେନା ।

 

ଦେଖୁଛା ନିର୍ମଳା “ଆହୁରି ଗୋଟାଏ ନୂତନ ଘଟଣା” ପ୍ରବୋଧ କହିଲା ।

 

ନିର୍ମଳା ବି କିଛି କିନ୍ତୁ ଶଶି ସେ ବିଷୟରେ ପୂରାପୂରି ଅମନୋଯୋଗୀ ରହିଥିବାର ପରିଲକ୍ଷିତ ହେଲା । କାରଣ ସେତେବେଳକୁ ସେହି ମୁହଁ ଧୀରେ ଧୀରେ ଯେପରି ସମୂର୍ଣ୍ଣ ଗୋଟାଏ ଶରୀରର ଆକୃତି ଗ୍ରହଣ କରୁଥିଲା । ଗୋଟିଏ ଶରୀର କ୍ଷୀଣ ଦ୍ୟୁତିହୀନ କିନ୍ତୁ ମୁହଁରେ ସେ ନିରୀହତାକୁ ଯେମିତି ଆହୁରି ବଢ଼େଇ ଦେଇଥିଲା । ସେ ଯେମିତି କହୁଥିଲା “ ତମେ ବି ଶେଷରେ..... ? ଆଚ୍ଛା ଆହୁରି ଟିକିଏ.... ଅନୁଗ୍ରହ କରି କହିଯାଅ ।

 

ସତେ ଯେମିତି ସେ ଇଚ୍ଚା ଶକ୍ତିରେ ବାଧ୍ୟ ହୋଇ ଶଶି ନିର୍ମଳା ଆଉ ପ୍ରବୋଧକୁ କହିଲା “କିନ୍ତୁ ନୀଳିମାକୁ ଦେଖିଲେ ମନେହେବ ସେ ନିର୍ଦୋଷ, କୌଣସି ପାପର ସ୍ପର୍ଶ ଯେମିତି ସେ ତରୁଣୀର ଦେହରେ ଲାଗିନି । ତଥାପି ସେ ଯେ ଏତେ ତଳକୁ ଖସି ଯାଇପାରେ.... ।

 

“ପ୍ରକୃତି ବି ସେମିତି ହିଂସୁକ । ମଙ୍ଗଳ ନିର୍ମଳାକୁ ଯଦି କିଛି କହିଲା ତା ଆଖିରେ ମୋତେ ସୁହାଯିବ ନାହିଁ ।” ପ୍ରବୋଧ କହିଲା ।

 

“ବର୍ତ୍ତମାନ ଅତୀତକୁ ବିସ୍ତୃତ ହୋଇଯିବା ଉଚିତ । ଆମର ବା କଣ ଯାଏ ଆସେ ।” ବିଷର୍ଣ୍ଣ ଭାବରେ ନିର୍ମଳା କହିଲା । ସିଏତ ମଲା ମାତ୍ରକ ଅଶେଷ କଷ୍ଟ ପାଇବା ପରେ ।

 

“ତା ଭଳି ମଣିଷର କପାଳରେ ଏମିତି ଦୁଃଖ ପ୍ରାପ୍ୟ ଶଶି ଉତ୍ତେଜିତ ହୋଇକହିଲା । ସେ ଜୀବନରେ କେବେ ଶାନ୍ତିରେ ରହିନାହିଁ ବା ଅନ୍ୟକୁ ଶାନ୍ତିରେ ରହିବା ପାଇଁ ସୁଯୋଗ ଦେଇନାହିଁ । ଅଦୃଶ୍ୟ ଛାୟା ମୂର୍ତ୍ତିକୁ ନିଜ ମନର ନିଭୃତି କୋଣରୁ ବହିଷ୍କାର କରିବା ଉଦ୍ଦେଶ୍ୟରେ, ପୁଣି ଜୋର୍ ରେ କହିବାକୁ ଲାଗିଲା ।

 

“ମୁଁ ଥରେ ତାକୁ ଏମିତି କହିଥିଲି.....ଏବଂ ଏମିତି କହିଥିଲି.... ଯେତେବେଳେ.... ଅନେକସମୟ ଧରି ଘଟଣା ପରେ ଘଟଣା ନୀଳିମାର ଦୋଷ ପ୍ରକଟିତ କରିବାର ଆପ୍ରାଣ ଚେଷ୍ଟା ସେ କରୁଥାଏ । ଅତୀତରେ ଶଶି ଓ ନୀଳିମା ଭିତରେ ଘନିଷ୍ଠ ବନ୍ଧୁତା ଥିଲା । ପ୍ରବୋଧ ଓ ନିର୍ମଳା ତାର କଥାବାର୍ତ୍ତା ଗଭୀର ମନୋଯୋଗ ଓ ସହାନୁଭୂତିର ସହିତ ଶୁଣୁଥିଲା ମଝିରେ ମଝିରେ ଦୁହେଁ ନିଜ ନିଜର ସ୍ମତିରେ ଗଚ୍ଛିତ ଘଟଣାମାନ ବି ପ୍ରକାଶ କରୁଥିଲେ-

 

ଶଶି ଯେତେ ବେଶୀ ବେଶୀ କହୁଥାଏ ସେତେ ପୁରାତନ ଘଟଣାବଳିର ରୋମନ୍ଥନରେ ଉତ୍ତେଜିତ ହୋଇ ପଡ଼ୁଥାଏ । ଅନ୍ୟ ଘଟଣା ଗୁଡ଼ିକ ପାସୋରିଯିବା ପରିବର୍ତ୍ତେ ରାତ୍ରିର ପ୍ରେତଭଳି ତା ବିକ୍ଷିପ୍ତ ଚିନ୍ତାରେ ସବାର ହୋଇ ପଡ଼ୁଥାଆନ୍ତି । ସେ ସେହି ସ୍ୱଳ୍ପ ଆଲୋକିତ କୋଠାରୀରେ ପ୍ରବୋଧ ଆଉ ନିର୍ମଳା ସହିତ ବସି ରହିଥାଏ । ବାହାରେ ତମସାଚ୍ଛନ୍ନ ରାତ୍ରୀ, ଗଭୀର ଭୟଙ୍କର । କିନ୍ତୁ ତାର ମନ ସେ ପରିବେଶର ବାହାରେ, ବହୁଦୂରରେ ବିଚରଣ କରୁଥିଲା । ଆଗେ ବମ୍ବେର ଏକ ସହର ତଳିରେ ଏମାନେ ସମସ୍ତେ ବାସ କରୁଥିଲେ । ନୀଳିମାର ସ୍ୱାମୀ ମଙ୍ଗଳ ଯେଉଁ ସ୍କୁଲରେ ଶିକ୍ଷକତା କରୁଥିଲା ସେ ସ୍କୁଲରେ ଶଶି ବି ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲା । ପ୍ରବୋଧ ଯଦିଓ ଅନ୍ୟନ୍ତ୍ର ଚାକିରୀ କରୁଥିଲା ତଥାପି ସେହି ଶର ତଳିରେ ସେ ଓ ନୀଳିମା ବାସ କରୁଥିଲେ । ନିର୍ମଳା ନୀଳିମା ଓ ଶଶି ପଡ଼ୋଶୀ ନ ହେଲେହେଁ ସେମାନଙ୍କର ଘରଗୁଡ଼ିକ ପରସ୍ପରଠାରୁ ବେଶୀ ଦୂରରେ ନଥିଲା । ନିର୍ମଳା, ପ୍ରବୋଧ, ଶଶି, ମଙ୍ଗଳ ଆଉ ନୀଳିମା ଭିତରେ ଏତେ ନିବିଡ଼ ବନ୍ଧୁତ୍ୱ ଥିଲା ଯେ ସେମାନେ ପଡ଼ୋଶୀମାନଙ୍କର ହିଂସାର ପାତ୍ର ହୋଇ ପଡ଼ିଥିଲେ ।

 

କିନ୍ତୁ ସେହି ନିବିଡ଼ ଓ ଆଦର୍ଶ ବନ୍ଧୁତ୍ୱ ବେଶିଦିନ ସ୍ଥାୟୀ ହୋଇ ପାରିଲାନାହିଁ । ଶଶିର ମନରେ ଅତି ଦ୍ରୁତଭାବରେ ଅନେକ ଘଟଣା ଆସ୍ଥାନ ଜମେଇ ନେଲା । ନିଳିମା ଶେଷରେ ନିର୍ମଳାକୁ ମୋଟେ ଦେଖିପାରିଲା ନାହିଁ।କ ନିର୍ମଳା ଆଉ ମଙ୍ଗଳର ବନ୍ଧୁତ୍ୱ ତା ଆଖିରେ ଭରିଦେଲା ବିଷର ଜ୍ୱାଳା । ସେ ଅନେକ ଉପାୟ କରି ଶେଷରେ ନିର୍ମଳା ଘରକୁ ମଙ୍ଗଳର ଯିବା ଆସିବା ବନ୍ଦ କରିଦେଲା । ନିର୍ମଳା ବିରୁଦ୍ଧରେ ଶଶିକୁ ନୀଳିମା ଅନେକ କଥା କହିଥିଲା । ସେ ଭିତରୁ କେବଳ ଗୋଟାଏ କଥା ତାର ମନେ ପଡ଼ୁଛି ।

 

ସେ ଥରେ ମୋତେ କହିଥିଲା “ ଶଶିଭାଇ ! ମଙ୍ଗଳ ନିର୍ମଳାକୁ ଚୁମ୍ବନ କରୁ ମୋର ସେଥିରେ କଣ ଯାଏ ଆସେ ? ସେ ନିଶ୍ଚୟ ବନ୍ଧୁ ହିସାବରେ ଏସବୁ କରୁଥିବ । ସେସବୁ ମୁଁ ମନରେ ଧରିବି ବା କାହିଁକି ? ସେ ଏମିତି ସହଜ ଓ ସରଳ ଭାବରେ କହୁଥିଲା ଯେ ତାର ହୃଦୟ ତଳର ସେ ନୀଳ ବିଷର ପ୍ରକାଶ ଟିକିଏ ହେଲେ ତାର କଥାବାର୍ତ୍ତାରେ ପରିସ୍ଫୁତ ହୋଇନଥିଲା ।

 

“ମିଛ—ପୂରାପୂରି ମିଛ’’ ନିର୍ମଳା ରାଗିଯାଇ କହିଲା, ଏମିତି ଏକ ଘଟଣା କେବେହେଲେ ଘଟିନାହିଁ ।

 

ପ୍ରବୋଧର ଦୁଇ ଆଖିରେ ଭରି ରହିଥିବା ଘୃଣା କିନ୍ତୁ ସେ କିଛି କହିଲା ନାହିଁ ।

 

ଚୋର ମନ ଗଣ୍ଠିରେ । ନିକେ ଯିଏ ଯେମିତି ସାରା ଦୁନିଆଁ ତାଙ୍କ ଆଖିରେ ସେହିଭଳି ଦେଖାଯାଏ । ନିଜର କୁତ୍ସିତ ପ୍ରବୃତ୍ତିର ପ୍ରତିବିମ୍ବ ତାକୁ ସର୍ବନ୍ତ୍ର ଦେଖାଯାଏ । ଶଶି ଏତକ କହି କିଛି ସମୟ ନୀରବ ରହିଲା । ସେହି ନିରବିଚ୍ଛିନ୍ନ ନିରବତା ଭିତରେ ସମଗ୍ର ଘଟଣାଟି ତାର ମନେ ପଡ଼ିଗଲା ।

 

ସେମାନେ ସମସ୍ତେ ଜାଣିଥିଲେ ଯେ ନୀଳିମାର ଚରିତ୍ର ସନ୍ଦେହଜନକ । ନୀଳିମା ନିଜେ ବି ମଙ୍ଗଳ ପାଖରେ ଗୋଟାଏ ଦୁଇଟି ଘଟଣା ସ୍ୱୀକାର କରିଛି । ସେ ତାର ଦିନକର ଘଟଣା.....

 

ମଙ୍ଗଳ ଆଉ ନୀଳିମା ସହିତ ତାଙ୍କର ଡ୍ରଇଂ ରୁମରେ ଶଶି ବସିଥାଏ ଇଜିଚେଆରରେ । ପାଖ ଚୌକୀଟାରେ ବସିଥାଏ ନୀଳିମା । ମଙ୍ଗଳ ଭାରି ଗପୁଡ଼ି, ତାର କଥାରେ ଦୁହେଁ ହସି ହସି ଗଡ଼ିଯାଉଥାନ୍ତି । ହସିବା ଅବସ୍ଥାରେ ହଠାତ୍ ନୀଳିମା ଯେପରି ଗଭୀର ଭାବରେ ତାକୁ ଚାହିଁରହିଛି । ତାର ଶେତାମୁହଁ ଯେମିତି ହସର ଢେଉରେ ଉଜ୍ଜ୍ୱଳ ହୋଇପଡ଼ିଛି । ଶଶି ତାକୁ ଚାହିଁ ରହିଥିବାର ଦେଖି ନୀଳିମା ଆହୁରି ହସିବାକୁ ଲାଗିଲା । ପ୍ରଥମ ଥର ପାଇଁ ଶଶି ଆବିଷ୍କାର କଲା ଯେ ନୀଳିମା ସୁନ୍ଦରୀ ।

 

ଗପ ଆଉ ହସ ପାଖରେ ପଡ଼ିଥିବା ମଙ୍ଗଳର ଓ୍ୟାକିଙ୍ଗଷ୍ଟିକଟା ନୀଳିମା ଉଠେଇନେଇ ଖେଳିବାକୁ ଲାଗିଲା । ତାଙ୍କର କଥାବାର୍ତ୍ତାରେ ନୀଳିମାର ଏ ଚପଳତା ଅବଶ୍ୟ କୋଣସି ବାଧା ସୃଷ୍ଟି କରୁନଥିଲା । କିଛି ସମୟପରେ ନୀଳିମା ଷ୍ଟିକଟା ସାହାଯ୍ୟରେ ଶଶିର ପାଦରେ ଆଘାତ କରିବାକୁ ଲାଗିଲା । ଶଶି ଓ ମଙ୍ଗଳ ଉଭୟେ ପୁନରାୟ ଜୋରରେ ହସି ଉଠିଲେ ।

 

ନୀଳିମାକୁ ଏହି ଦୁଷ୍ଟାମୀର ଦଣ୍ଡ ଦେବା ଉଦ୍ଦେଶ୍ୟରେ ଶଶି, ତା ହାତରୁ ବାଡ଼ି ଖଣ୍ଡିକ ଛଡ଼େଇ ନେବାପାଇଁ ଚେଷ୍ଟା କଲା ଆଉ ନୀଳିମା ବାଡ଼ିଟାକୁ ନିଜ ଆୟତ୍ତରେ ରଖିବାପାଇଁ ନଇଁପଡ଼ିଲା । ସେହି ନଇଁବା ଅବସ୍ଥାରେ ମଧ୍ୟ ନୀଳିମା ଶଶିକି ଚାହିଁ ରହିଥାଏ । ତାର ସେ ନିରୀହ ଆଖିରେ ରୂପ ନେଇଥାଏ ଅନେକ ଗୋପନ ଭାଷା ।

 

ଭଗବାନଙ୍କୁ ଜଣା ଆଜି କାହିଁକି ନୀଳିମା ବିରୁଦ୍ଧରେ କୁତ୍ସାରଟନା ପାଇଁ ଶଶି ଶତଜିହ୍ୱ ହୋଇପଡ଼ିଥିଲା । ନୀଳିମା ବିରୁଦ୍ଧରେ ଅନେକ ଅଶ୍ଳିଳ କଥା କହିବା ପରେ ସେ କେମିତି ନିର୍ମଳା ଆଉ ମଙ୍ଗଳର ମିଳାମିଶାକୁ ପଙ୍କିଳ ଭାବରେ ଚିନ୍ତ୍ରଣ କରୁଥିଲା ସେ ସମ୍ବନ୍ଧରେ ନିର୍ମଳା ଓ ପ୍ରବୋଧକୁ କହିବା ପାଇଁ ଲାଗିଲା । ସେ ତୁମ ଦୁହିଙ୍କ ସମ୍ବନ୍ଧରେ ଅନେକ କଥା କୁସୁମ ଆଉ ଜୟକୁ କହିଛି । ...ମୁଁ ଯେତେବେଳେ ମୋ ସ୍ତ୍ରୀ ପାଖରୁ ଏହାର ସୂଚନା ପାଇଲି ଏତେ ରାଗିଯାଇଥିଲି ଯେ.... ।

 

ସେତେବେଳେକୁ ଶଶିର କଳ୍ପନାରେ ସମୂର୍ଣ୍ଣ ଏକ ନୂତନ ଜଗତାର ଚିତ୍ର ଉଦ୍‍ଭାସିତ ହୋଇଉଠିଲା । ସହରକୁ ଯିବାବେଳେ ସହରତଳିର ଗୋଟାଏ ଟ୍ରେନ୍ ରେ ସେ ନୀଳିମାକୁ ଭେଟିଥିଲା । ସେମାନେ ଦୁହେଁ ଗୋଟାଏ କମ୍ପାର୍ଟମେଣ୍ଟରେ ବସିଥିଲେ । ଟ୍ରେନ୍ ରେ ଅସମ୍ଭବ ଭିଡ଼-। ସେ ଭିଡ଼ ଭିତରେ ବହୁ କଷ୍ଟରେ ପାଖାପାଖି ବସିବା ପାଇଁ ସେମାନେ ଜାଗାକରି ନେଇଥିଲେ । ନୀଳିମାର ଗୋଡ଼ ଉପରେ ତାରି ଗୋଡ଼ର ସାମାନ୍ୟ ଚାପ ପଡ଼ିଥାଏ । ସେ ଭାବିଲା ହୁଏତ ନୀଳିମା ସଂକୁଚିତ ହୋଇ ତାର ଗୋଡ଼ ଅପସାରଣ କରି ନେଇଯିବ । କିନ୍ତୁ ନୀଳିମା ତାର ଗୋଡ଼ ଅପସାରଣ ନକରି କିଛି ନ ଜାଣିଲା ପରି ବସିରହିଲା । ଶଶି ବି ଜାଣିଶୁଣି ତାର ଗୋଡ଼ ଘୁଞ୍ଚେଇ ନେଲାନାହିଁ ।

 

ଟ୍ରେନ୍ ରୁ ଓହ୍ଳେଇ ଦୁହେଁ ବସ୍ କୁ ଅପେକ୍ଷା କରି ରହିଲେ । ନୀଳିମା ଶଶି ପାଖରେ ଏମିତିଭାବରେ ଲାଗି ଠିଆ ହୋଇଥାଏ ଯେ ଶଶି ତା ଦେହର ଉତ୍ତାପ ପୂରାପୂରି ନିଜ ଦେହରେ ଅନୁଭବ କରୁଥାଏ । ନୀଳିମା ଶଶିର ଇତସ୍ତତଃ ଅବସ୍ଥା ଦେଖି ମୁରୁକି ମୁରୁକି ହସୁଥାଏ । ଶଶି ନୀଳିମାକୁ ମୁହଁଟେକି ଚାହିଁ କର୍କଶ କଣ୍ଠରେ କହିଲା “ନୀଳିମା କାଲି ସଂଧ୍ୟାବେଳକୁ ତୁମେ ମୋର ବସାକୁ ଆସ ।” ଯେତେବେଳକୁ ଶଶି ଗୋଟାଏ ଭଡ଼ାଘରେ ଏକୁଟିଆ ।

 

ଯଦି ମଙ୍ଗଳ ଠିକ୍ ସମୟରେ ଫେରେ ଆମେ ନିଶ୍ଚୟ ଆସିବୁ । ନୀଳିମା ହସି ହସି ଉତ୍ତର ଦେଲା ।

 

ଶଶି ଅନୁଭବ କଲା ତାର ଗଳାର ଆବାଜ ଆହୁରି କର୍କଶ ହୋଇପଡ଼ିଛି ଓ ଥରୁଛି । ସେ କହିଲା “ନା....ନା ତୁମେ ଏକାକୀ ଆସ ।”

 

କାହିଁକି ? ସଦ୍ୟ ଆସି ପହଂଚିଥିବା ବସ୍ ରେ ଚଢ଼ୁ ଚଢ଼ୁ ନୀଳି ପଚାରିଲା ।

 

ସେମିତି କିଛି କାରଣ ନାହିଁ । ଏଭଳି କହି ଶଶି ନିଜ ରାସ୍ତାରେ ଚାଲିଗଲା ।

 

ତାପରେ ତାର ମନେ ପଡ଼ୁଛି କେମିତି ଏକ ଦୈହିକ କ୍ଷୁଧାରେ ଅସ୍ଥିରହୋଇ ସେ ନୀଳିମାର ଦେହଟାକୁ ଉପଭୋଗ କରିଥିଲା । ପ୍ରବୋଧ ଆଉ ନିର୍ମଳାକୁ କହୁ କହୁ ସେ କହିଲା “ନୀଳିମା ସହସ୍ର ଶଯ୍ୟାର ନାୟିକା, ଭଗବାନଙ୍କୁ ଜଣା କେବେ ତାର ଆତ୍ମାକୁ ମୁକ୍ତି ମିଳିବ । ବର୍ତ୍ତମାନ ଆଉ ସେ ସମ୍ବନ୍ଧରେ କଥାବାର୍ତ୍ତା ନ କରିବା ଭଲ । ସିଏତ ମଲାଣି, ଆମର ବା ଆଉ କଣ କରିବାର ଅଛି । ଆଉ ତମେତ ତାର ସପ୍ତପୁରୁଷର ଶ୍ରାଦ୍ଧ କରି ପକେଇଲଣି, ଆମେ ଜାଣିନଥିଲୁ ଯେ ତୁମେ ବି ତା ପ୍ରତି ବିତସ୍ପୃହ ।” ପ୍ରବୋଧ କହିଲା । ଦୟାକରି ସେ କଥା ଆଉ କୁହନାହିଁ । ମୁଁ ତାକୁ ଅସୀମ ଘୃଣା କରୁଥିଲି । ଶଶି କର୍କଶ ଭାବରେ କହିଲା ତାର ସ୍ପର୍ଶରେ ଆସିବାହିଁ ପାପ ।

 

ପୁଣି ଥରେ ସେହି ହସ ହସ ନିରିହ ମୁହଁ କହିଲା ‘ସତେ ?’ ଆଉ ତୁମର ପରିଚୟ ପାଇ ମୁଁ ଯେମିତି ପୁଣ୍ୟ ଅର୍ଜନ କରିଛି । ଶଶି ଏତିକିରେ ଆହୁରି ଅସ୍ଥିର ହୋଇପଡ଼ିଲା ।

 

ସେତେବେଳକୁ ଆଉ ଘଟଣାଟି ଉପରୁ ସମସ୍ତଙ୍କ ଆଗ୍ରହ ବି କମି ଯାଇଥିଲା । ଶଶି ଉଠିପଡ଼ି କହିଲା “ବେଶୀ ଡେରି ହେଲାଣି, ଏଥର ମୁଁ ଯାଏ । “ସାଢ଼େ ଗୋଟାଏ ।” ନିର୍ମଳା ଗୁଣୁଗୁଣୁ କରି କହିଲା ।

 

ଶଶି ତାର କୋଟ୍‍ର କଲାର ସଜାଡ଼ି ନେଇ କହିଲା ‘ମୋତେ ଆହୁରି ଅନେକ ବାତ ଯିବାପାଇଁ ହେବ, ତଥାପି ବୋକାଙ୍କଭଳି ମୁଁ ଗପିଚାଲିଛି ।’

 

ପ୍ରବୋଧ ଶାଲଟାକୁ ଘୋଡ଼େଇ ହେଉ ହେଉ କହିଲା “ତୁମ ପକ୍ଷରେ ଏମିତି ରାତିରେ ମାଇଲେ, ଦୁଇମାଇଲ ଯିବା ବିଶେଷ କିଛି ନୁହେଁ । ନିର୍ମଳା ଶାଢ଼ୀ ଖଣ୍ଡକ ଦେହରେ ସଜାଡ଼ି ନେଇ ବାହାରକୁ ଚାହିଁଲା ।“ ଓଃ କିଟିକିଟି ଅନ୍ଧାର’’ ତାପରେ ସହାନୁଭୂତିର ସ୍ୱରରେ କହିଲା “ଶଶି ଭାଇ ରାତିଟା ଏଠି ରହିଯାଅ, ଏମିତି ଅନ୍ଧକାରରେ ଯିବ କେମିତି ?”

 

ନା...ନା....ଶଶି ହସି କହିଲା । ଏଟା ତ ବମ୍ବେ ନୁହେଁ । ଯେ ଘରକୁ ଟେଲିଫୋନ କରିଦେଇ ହେବ । ମୁଁ ଏତେ ରାତିଯାଏ ଫେରି ନ ଥିବାରୁ ସେ ବ୍ୟସ୍ତ ହୋଇ ପଡ଼ିଥିବଣି ।

 

ଆଉ ଏ ଦେଶ, ଆମେ ତୁଚ୍ଛାଟାରେ ଏଠିକି ଆସିଲୁ । ନିର୍ମଳା କହିଲା ‘ଯୁଦ୍ଧପାଇଁ ରାତିରେ ବ୍ଲେକଆଉଟ୍ ।’ ବମ୍ବେ ଏହା ଠାରୁ ଢେର ଭଲ ।

 

କିନ୍ତୁ ଏଠି ଯେଉଁ ଆରାମରେ ଜୀବନ ନିର୍ବାହ କରୁଛ ଏମିତି ଚଳିବା ପାଇଁ ବମ୍ବେରେ କେତେ ଉପାର୍ଜନ ଦରକାର ? ପ୍ରବୋଧ ପ୍ରଶ୍ନ କଲା । ନିର୍ମଳା ଉତ୍ତର ଦେବାକୁ ଗଲାବେଳକୁ ଶଶି ବାଧା ଦେଲା” ବର୍ତ୍ତମାନ ଆମ୍ଭେମାନେ ଯଦି ସେ ବିଷୟରେ କଥାବାର୍ତ୍ତା କରିବା ପୁଣି ଘଣ୍ଟା ବିତିଯିବି । ଭଗବାନଙ୍କ ଅସୀମ କରୁଣା ଆମ୍ଭେମାନେ ପୁଣି ଚାକିରୀ ପାଇଁ ଏକତ୍ରିତ ହୋଇଛୁ ।

 

“କେବଳ ମଙ୍ଗଳ ଭାଇ ସେଠି ରହିଗଲା” ନିର୍ମଳା କହିଲା । “ତା ହେଲେ ଶୁଭରାତ୍ରୀ” ଶଶି ଏତକ କହି ବାହାରି ଗଲା । ନିର୍ମଳା ଓ ପ୍ରବୋଧ ଗେଟ୍ ଯାଏଁ ତାକୁ ଆଗେଇ ଦେଇ । ନୀରବ ଶାନ୍ତ ରାତ୍ରୀ ନିଶ୍ଚଳ ଭାବରେ ବିତି ଚାଲିଥାଏ । ତାରାଗୁଡ଼ିକ ବି ସେହି ତାରଳ ଅନ୍ଧକାର ଭିତରେ ଯେମିତି ଏକାକାର ହୋଇପଡ଼ିଥିଲେ । ବାହାରେ କେବଳ ଏକ ଶୀତଳ ତରଙ୍ଗ । ନିଜକୁ ପୂରାପୂରି ଶାଢ଼ୀତଳେ ଢାଙ୍କି ରଖି ନିର୍ମଳା ଅକାଶ କୁ ଚାହିଁ କହିଲା ‘ଶଶିଭାଇ ଆଜିକ ରହିଯାଅ, ରାତି କେତେ ଥଣ୍ଡା ଆଉ ଭୟଙ୍କର ।

 

ସେଥିରେ କିଛି ଯାଏ ଆସେନା, ଏଇ ମୁଁ ଚାଲିଲି । ତାପରେ ଅଳ୍ପ ହସି ସେ ଗେଟ୍‍ ପାର ହୋଇଗଲା ।

 

ରାସ୍ତାରେ ଆଉ ନୀଳିମାର କଥା ଚିନ୍ତା କରିବ ନାହିଁ ।’’ ପ୍ରବୋଧ ହସି ହସି କହିଲା । ତାପରେ ନିର୍ମଳାକୁ ଚାହିଁ କହିଲା ‘‘ଏହା ଆଗରୁ କେବେ କଣ ଅନ୍ଧକାର ଆଉ ଶୀତ ଶଶୀକୁ ରୋକି ପାରିଛି ଯେ ସିଏ ଆଉ ରହିବ । ସିଏ ଭାରି ସାହାସୀ; ତାର ସ୍ୱାସ୍ଥ୍ୟ ଦେଖିଛ ତ ? ତାପରେ ସେ ଗେଟ୍ ବନ୍ଦ କରିଦେଲା ।’’

 

‘‘ନିର୍ମଳା କହିଲା‘’ ମୁଁ କିନ୍ତୁ ଏମିତି ରାତିରେ ପାଦେହେଲେ ଘୁଞ୍ଚନ୍ତି ନାହିଁ । ତାପରେ ଦୁହେଁ ଆଲୁଅ ଆଗକୁ ଚାଲିଆସିଲେ । ଶିଶିର ଏକାନ୍ତ ଯାତ୍ରା ଆରମ୍ଭ ହେଲା ।

 

ତିନି ଚାରିମାସ ଆଗରୁ ନିର୍ମଳା ଓ ପ୍ରବୋଧ ସୌରାଷ୍ଟ୍ରର ଏହି ଛୋଟ ସହରକୁ ବଦଳି ହୋଇଆସିଛନ୍ତି ଏବଂ ପ୍ରାୟ ଦୁଇମାସ ସହରର ଏହି ନିରୋଳା ଦୂର ସ୍ଥାନରେ ବସା କରି ରହିଛନ୍ତି-। ଶଶି ସହର ଭିତରେ ରହୁଥିଲା । ନିର୍ମଳାର ଘରଠାରୁ ଶଶିର ଘର ପ୍ରାୟ ଦୁଇମାଇଲ । ତା ଭିତରେ ପ୍ରାୟ ମାଇଲିଏ ନିର୍ଜନ, ଫାକାଁ; ଗୋଟାଏ ଘରର ସୁଦ୍ଧା ଚିହ୍ନବର୍ଣ୍ଣ ନାହିଁ । ଏହି ସ୍ଥାନଟିକୁ ସହରର ଅଧିବାସୀ ମରୁଭୁମୀ ବୋଲି କହୁଥିଲେ ।

 

ଶଶିର ଦୃଷ୍ଟିର ପରିଧି ଭିତରେ କେବଳ ନିରନ୍ଦ୍ର, ନିଃଷ୍ଟ୍ରାଣ ଅନ୍ଧକାର । ଆଗ ପଛ ଚତୁର୍ଦ୍ଦିଗରେ କେବଳ ତିମିରାବିଳାସ । ହିମଶିତଳତା ଅନ୍ଧକାରର ପ୍ରତିଦ୍ୱନ୍ଦି ଭଳି ତାର ହାତମୁଠା ଟାଣ କରିନେଉଛି । ତାର ହୃଦୟ ତଳର କାଳିମା ଠାରୁ ଆହୁରି ଗଭୀର ରାତ୍ରିର ଅସହ୍ୟନୀରବତା ଭିତରେ ସେ ଚାଲୁଥିଲା । ସେ କାହିଁକି ନୀଳିମା ବିରୁଦ୍ଧରେ ଏତେ ବିଭତ୍ସ ଭାବରେ କହିଲା ? ସତରେ କଣ ନୀଳିମା ଦୋଷୀ ? ସେ କେମିତି ତାଠାରୁ ଭିନ୍ନ ? କାହିଁକି ? ଓଃ....କାହିଁକି ? ତାର ହୃଦୟ ପ୍ରତିଧ୍ୱନି ସୃଷ୍ଟି କଲା ।

 

ଘଟଣାଟିକୁ ଭଲଭାବରେ ରୋମନ୍ଥନ କରିନେବାପାଇଁ ସେ ମନକୁ ସ୍ଥିରକଲା । ତାପରେ ଚାରିଆଡ଼କୁ ଚାହିଁଲା । କେଉଁଠି କିଛି ଦେଖିବାକୁ ପାଇଲାନାହିଁ । ତାର ମନେହେଲା ତାକୁ ଗିଳିଦେବା ପାଇଁ ଅନ୍ଧକାର ଯେମିତି ମୁଖବ୍ୟଦାନକରି ରହିଛି । ତାର ଚିନ୍ତା ପୁନରାୟ ବିଭ୍ରାନ୍ତ ହୋଇଗଲା । ଶେଷସମୟ ପର୍ଯ୍ୟନ୍ତ ପ୍ରବୋଧ ଆଉ ନିର୍ମଳା ଖୁବ୍ ଅଳ୍ପକଥା କହିଛନ୍ତି କିନ୍ତୁ ସିଏ ବୋକାଭଳି କେବଳ ଗପିଛି । ସେ କଣ ନୀଳିମା ପ୍ରତି ଅସୁନ୍ଦର ବ୍ୟବହାର କରିନାହିଁ ?

 

ହଁ, ନୀଳିମା ତାକୁ ସେ ବିଷୟ କହିଥିବା ଭଳି ମନେହେଲା । ଭୟଭୀତ ହୋଇ ସେହି ଅନ୍ଧକାରକୁ ସେ ଚାହିଁଲା । ନୀଳିମା ଯେମିତି ସେ ଅନ୍ଧକାର ଭିତରେ ହସି ହସି ତାକୁ ମଧୁର ଭର୍ତ୍ସନା କରୁଛି । ଆଖିକି ସେ ଦୁଇ ହାତପାପୁଲିରେ ଘସିଲା କିନ୍ତୁ କିଛି ଦୃଷ୍ଟି ଗୋଚର ହେଲାନାହିଁ । ଚାରିଆଡ଼େ କେବଳ ଅନ୍ଧକାର । ସେ ଥରି ଉଠିଲା, ମନକୁ ମନ ସାନ୍ତ୍ୱନା ଦେଲା ଯେ ଅତିରିକ୍ତ ଶୀତପାଇଁ ତାର ଦେହ ଏମିତି ଥରୁଛି, ତାପରେ କୋଟ୍‍ଟାକୁ ଦେହରେ ଭଲଭାବରେ ଜଡ଼େଇନେଲା ।

 

ସେ ଆଗକୁ ପାଦ ବଢ଼େଇଲା । ପୁଣି ସେହି ଭାବନା ତାର ମନ ମଧ୍ୟରେ ଉଦୟ ହେବାକୁ ଲାଗିଲା । ରାସ୍ତାରେ ତାର ପଦଶବ୍ଦ ପ୍ରତିଧ୍ୱନି ସୃଷ୍ଟି କରିବାକୁ ଲାଗିଲା । ଅନ୍ୟଦିନ ଅପେକ୍ଷା ଆଜି ତାର ନିଶ୍ଚିତ ଭାବରେ ମନେହେଲା ଯେପରି କିଏ ଜଣେ, ତାକୁ ଅନୁସରଣ କରୁଛି-। ପଛକୁ ଫେରିଚାହିଁଲା ମାତ୍ରକେ ଗଭୀର ଅନ୍ଧକାର ଛଡ଼ା ଆଉ କିଛି ନଥିଲା ।

 

ସେ ନିଜ ଉପରେ ବିରକ୍ତ ହୋଇଉଠିଲା । ଏହା ଆଗରୁ ସେ କେବେହେଲେ କୌଣସି ଘଟଣାରେ ଭୟଭୀତ ହୋଇନାହିଁ । ତେବେ ଆଜି ଏ ବ୍ୟତିକ୍ରମ କାହିଁକି ? ସେ କଣ ନୀଳିମା ସମନ୍ଧରେ ମିଛ କହିଛି ? ନୀଳିମା ପ୍ରକୃତରେ ଗୋଟାଏ ଚରିତ୍ରାହିନା ରମଣୀ କିନ୍ତୁ ତୁମେ ? ପୁଣି ସେହି ମୁହଁ ଗାଢ଼ ଅନ୍ଧକାର ଭିତରୁ ଟା ଆଡ଼କୁ ଚାହିଁ ହସିଲା ।

 

ସେ ଆଖିକି ଏଡ଼େଇବା ପାଇଁ ଅନ୍ୟ ଦିଗକୁ ଚାହିଁଲା କିନ୍ତୁ ପୁଣି ସେହି ଆଖି, ସେହି ମୁହଁର ପ୍ରତିକୃତି ।

 

ସେ ଜାଣେ ଏସବୁ କେବଳ ମାନସିକ ବିକୃତି । ଆହତ କଳ୍ପନାର ଛାୟା ତା ଚାରିପାଖରେ ମିଛ ପ୍ରତିକୃତିର ସୃଷ୍ଟି କରିଛି । ତଥାପି ସେ ଭୟଭୀତ ହୋଇପଡ଼ିଲା । ପୁନରାୟ କୋଟ୍‍ଟାକୁ ଦେହରେ ସଜାଡ଼ି ନେଇ ଆଗକୁ ଅଗ୍ରସର ହେଲା ! ଚାଲୁ ଚାଲୁ ସେ ଭାବିଲା ତା ସହିତ ଆଉଜଣେ କିଏ ଥାଆନ୍ତା ତେବେ ଏସବୁ ବିଷୟରେ ମୁଣ୍ଡ ଘୁରାଇବାକୁ ପଡ଼ନ୍ତା ନାହିଁ ।

 

ଅଳ୍ପବାଟ ନ ଯାଉଣୁ ପୁଣିସେହି ଛାୟା ମୂର୍ତ୍ତିମାନଙ୍କ ଦ୍ୱାରା ସେ ପରିବେଷ୍ଟିତ ହୋଇପଡ଼ିଲା । ସେ ତାର ଅସ୍ଥିର ମନକୁ ପ୍ରଶ୍ନ କଲା “ଏହା କଣ ସମ୍ଭବ ।”

 

“ଭାରି, ଭାରି ଶୀତ’’ ଉତ୍ତର ଆସିଲା, ବିନା ଚିନ୍ତାରେ ସେ ପଛକୁ ଫେରିଚାହିଁଲା, ଦେଖିଲା ପ୍ରବୋଧର ବସାରୁ ବେଶିଦୂର ଯାଇନାହିଁ । ତରତରହୋଇ ସେ ପଛକୁ ଫେରିଆସିଲା । ସେଇଠିବି ସେହି ନିଷ୍ପ୍ରାଣ ଅନ୍ଧକାର । ସେମାନେ ଆଲୁଅ ଲିଭେଇଦେଇ ସାରିଥିଲେଣି । ସେ ଡାକିବ କି ନାହିଁ ଏହି ଦ୍ୱନ୍ଦର ସମାଧାନ ପାଇଁ କିଛିସମୟ ନୀରବରେ ଠିଆ ହେଲା । ନୀଳିମାର ସେହି ମଧୁର ହସ ଯାହାକୁ ଦିନେ ସେ ଅତି ଆପଣାର କରି ସାଇତି ରଖିଥିଲା ପୁଣି ତାର ସ୍ମୃତିରେ ଫେରିଆସିଲା ଏବଂ ନିଜ ଅଜଣାତରେ ଡାକିଲା “ପ୍ରବୋଧ’’ “ନିର୍ମଳା ।”

 

“କିଏ”....ଭିତରୁ ଶୁଣାଗଲା ଗୋଟାଏ ଘୁମନ୍ତ କଣ୍ଠସ୍ୱର । ମୁଁ....ଶଶି ।

 

“କିଏ ଶଶି ଭାଇ ?” ଘରଭିତରେ ପାଦଶବ୍ଦ ଶୁଣାଗଲା ।

 

ଅଳ୍ପ କେଇ ମିନିଟ୍‍ପରେ ସେ ପ୍ରବୋଧର ବୈଠକଖାନା ଭିତରକୁ ପଶିଗଲା । ପ୍ରବୋଧ ପଚାରିଲା, “ତମେ କେମିତି ପୁଣି ଫେରିଆସିଲ ଶଶି ?

 

ମଣିଷର ସାହଚର୍ଯ୍ୟରେ ଶଶିର ଭୟ ସମ୍ପୂର୍ଣ୍ଣ ଉଭେଇ ଯାଇଥିଲା । “ ବାହାରେ ପ୍ରଚୁର ଶୀତ, ହେମାଳ ପବନରେ ଦେହ ବରଫ ପାଲଟି ଯାଉଛି, ତେଣୁ ଶାଲ ଖଣ୍ଡକ ନେବାପାଇଁ ଫେରିଲି ।”

 

କିନ୍ତୁ ତାର ମୁହଁକୁ ନିରୀକ୍ଷଣ କରି ନିର୍ମଳା ସବୁ ଠଉର କରିନେଇ କହିଲା “ମୁଁ ପୁଣି କହୁଛି ଶଶିଭାଇ ତୁମେ ରାତିକ ପାଇଁ ଏଥି ରହିଯାଅ । ବାହାରେ କେତେ ଶୀତ ଆଉ ଅନ୍ଧକାର ।”

 

ନା...ନା....ମୁଁ ନିଶ୍ଚୟ ଯିବି । ଶଶି ବର୍ତ୍ତମାନ ମୋଟେ ଚିନ୍ତା କରିପାରିଲା ନାହିଁ ଯେ ସେ ଭୟଭୀତ ହୋଇ ପଡ଼ିଥିଲା । ତାର ଭୀରୁତାର ପରିଚୟ ଦେବାପାଇଁ ସେ ଆଦୌ ପ୍ରସ୍ତୁତ ନଥିଲା ।

 

ନିର୍ମଳାର ବାରମ୍ବାର ଅନୁରୋଧ ଫଳରେ ପ୍ରବୋଧ ବି ଶସିର ରହିଯିବା ସପକ୍ଷରେ ମତ ପ୍ରକାଶ କଲା, କିନରୁ ଶଶି ରହିଲା ନାହିଁ ।

 

ଦେହରେ ଶାଲଟାକୁ ଭଲଭାବରେ ଘୋଡ଼େଇ ନେଇ ଚାଲିଗଲା ।

 

ପୁଣି ଥରେ ତାକୁ ସ୍ୱାଗତ ଜଣାଇବାକୁ ବାହାରେ ସେହି ନିରବ ରାତ୍ରି ଅପେକ୍ଷା କରି ରହିଥିଲା । ଏଥର କିନ୍ତୁ ମନରୁ ସେ ପୂରାପୂରି ଭୟକୁ ଅପସାରଣ କରି ଦେଇଥାଏ । ପ୍ରବୋଧର ବାସଗୃହର ଆଲୋକ ପଛରେ ପକେଇ ସେ ପୁଣି ଯେତେବେଳେ ଅନ୍ଧକାର ଭିତରକୁ ପ୍ରବେଶ କଲା ସେତେବେଳେ ଆଉ ଭୟ କରିବ ନାହିଁ ବୋଲି ଦୃଢ଼ପ୍ରତିଜ୍ଞା ହୋଇପଡ଼ିଲା, ଆଉ ଆଗକୁ ଦୃଢ଼ ଓ ଚଞ୍ଚଳ ପଦକ୍ଷେପରେ ଆଗେଇଯିବାକୁ ଲାଗିଲା ।

 

ବର୍ତ୍ତମାନ ତା ମନରେ ସେଯାଏ ଅଜସ୍ର ଭାବନା ବସା ବାନ୍ଧ ରହିଥିଲା, ତାରି ଭିତରେ ଓତଃପ୍ରୋତ ଭାବରେ ଜଡ଼ିତଥିଲା ନୀଳିମାର ସ୍ମୃତି । କିନ୍ତୁ ଏଥର ସେ ମୋଟେ ଭୟ ପାଇଲା ନାହିଁ-। “ମୁଁ....ଡରୁଥିଲି... । ସେ ମନକୁ ମନ ହସିଲା । ଏହା ଆଗରୁ ତ ଏମିତି କେତେ ରାତିରେ ମୁଁ ଏକାଟିଆ ଯାଇଛି । ଭୟ କରିବାର କଣ ଅଛି ସେଥିରେ ? ବର୍ତ୍ତମାନ ସେ ନୀଳିମା ସମ୍ବନ୍ଧରେ ସ୍ଥିର ଭାବରେ ଚିନ୍ତା କରିପାରିବ ।

 

“ଅନ୍ୟ ଲୋକର ଆଖିରେ ସେ ଯାହା ହେଉନାକାହିଁକି ମୋତେ ସେ ଖୁବ୍ ଭଲ ପାଉଥିଲା ।” ଏହି ଭାବନାରେ ତାର ପୁରୁଷତ୍ୱ ଗର୍ବ ଅନୁଭବ କଲା । ପୁଣି ସେ ସେହି ଜନଗହଳି ଜନପଦ ପାରିହୋଇ ସେହି ନିର୍ଜନ ସ୍ଥାନରେ ଆସି ପହଂଚିଲା । ନିର୍ଜନତା ଭିତରେ ମନେହେଲା ଶୀତ ଯେପରି ଆହୁରି ତୀବ୍ର ହୋଇପଡ଼ିଛି ।

 

“ଯଦି ତୁମେ ବିଷୟ ଭାବୁ ଭାବୁ ଏମିତି ଏକ ନୀର୍ଜନତା ଭିତରେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି, କେତେ ସୁନ୍ଦର ହୁଅନ୍ତା ।” ....ସେହି ନୀର୍ଜନତା ଭିତରେ ଯାଉଯାଉ ନୀଳିମାର ଏହି କେଇ ପଦ କଥା ତାର ମନେ ପଡ଼ିଲା । ପରିଶେଷରେ ତାର ମୃତ୍ୟୁ ହେଲା । ଭଗବାନଙ୍କୁ ଜଣା ସେ ମୋତେ ମନେ ରଖିଛି କି ନାହିଁ, ନୀଳିମା ଯକ୍ଷ୍ମାରୋଗାକ୍ରାନ୍ତ ହୋଇ ବହୁକଷ୍ଟରେ ମଲା । ସେହି ଭୟଙ୍କର ରୋଗ....ମୁଁ ତାକୁ ଶେଷ ମୁହୁର୍ତ୍ତରେ ବି ଦେଖି ପାରିନାହିଁ । ସେ ଶେଷବେଳକୁ କେମିତି ଦେଖା ଯାଉଥିଲା ।

 

ମୃତ ନୀଳିମାର ଏକ ଭୟଙ୍କର ପ୍ରତିମୂର୍ତ୍ତି ଶଶିର ଆଖି ଆଗରେ ଆସି ଠିଆହେଲା । ବିଭିତ୍ସ ମୁହଁ ଉପରେ ଖାଲୁଆ ଖାଲୁଆ ଆଖି । ସେହି ଭାବନାରେ ସେ ଥରିବାକୁ ଲାଗିଲା ଏବଂ ତାପରେ ଚିତ୍କାର କରି ସେଇଠି ଠିଆ ହୋଇଗଲା । ପେଣ୍ଡୁ ଭଳି କୌଣସି ଏକ ବସ୍ତୁରେ ତାର ପାଦପଡ଼ିଲା । ଶବ୍ଦରୁ ବୁଝିପାରିଲା ଯେ ପେଣ୍ଡୁ ଭଳି ଅନୁଭୂତ ବସ୍ତୁଟି ଗୋଟାଏ କୁକୁର । କୌଣସି ଏକ ଅଜଣା ଆଶଙ୍କା ତାକୁ ପୁଣିଥରେ ସମ୍ପୂର୍ଣ୍ଣ ଆୟତ୍ତ କରିନେଲା । ଆଉ ରାତ୍ରିର ଭୂତପୁଣି ତା ଉପରେ ସବାର ହୋଇପଡ଼ିଲା ।

 

ନୀଳିମା କେମିତି ଦେଖା ଯାଉଥିବ ? ସେ ଭୟରେ ଦୌଡ଼ିବାକୁ ଲାଗିଲା । ଭାବିଲା ତାହାରି କଳ୍ପନାରୁ ବି ବିଭତ୍ସ ରୂପରେ ନୀଳିମା ତା ଆଗରେ ଆସି ଠିଆହୋଇଛି । ତାର ଦାନ୍ତସବୁ ବଡ଼ ହୋଇଯାଇଛି ଆଉ ସେ କୁତ୍ସିତଭାବରେ ହସୁଛି ! ଶଶିଆଖି ବନ୍ଦ କରିନେଲା । ଆଗକୁ ଯିବାପାଇଁ ପାଦ ଟେକିବାମାତ୍ରକେ ତାର ମନେହେଲା ଯେମିତି ପାଦ ଦୁଇଟା ଯାକ ଭୂଇଁରେ ଲାଗିଯାଇଛି । ସେ ତାର ଆଖି ଖୋଲିଲା । କେବଳ ନୀର୍ଜନତା.....କେବଳ ଅନ୍ଧକାର କିନ୍ତୁ ଆଗ ଅପେକ୍ଷା ଆହୁରି ଭୟଭୀତ ହୋଇପଡ଼ିଲା ।

 

ଘରେ ସହଳ ପହଞ୍ଚିବା ପାଇଁ ସେ ଦୌଡ଼ିବାକୁ ଚେଷ୍ଟାକଲା । ଅଳ୍ପବାଟ ଦୌଡ଼ିଲାପରେ ତାର ମନେହେଲା ପଛରେ ଯେମିତି କିଏ ଦୌଡ଼ୁଛି । କିନ୍ତୁ ପଛକୁ ଫେରି ଚାହିଁବାପାଇଁ ସାହସ ହେଲାନାହିଁ ।

 

ବାଲ୍ୟାବସ୍ଥାରେ ସେ ଏମିତି ଅନେକ ଭୟ ଚେତନରୁ ଅବଚେତନକୁ ତଡ଼ିଦେଇଛି । ଆଜି ସେସବୁ ଅବଚେତନରୁ ଫେରି ଆସି ଯେମିତି ଚେତନରେ ଝଡ଼ର ସୃଷ୍ଟି କରୁଛନ୍ତି । ପ୍ରବୋଧ ଆଗରୁ କହିଥିଲା କଥା ତାର ମନେପଡ଼ି ତାର ଭୟ ଦ୍ୱିଗୁଣିତ ହୋଇଗଲା । ନୀଳିମା ମଙ୍ଗଳକୁ ଏତେ ସ୍ନେହ କରୁଥିଲେ ବି ତାର ପ୍ରେତାତ୍ମା ତାକୁ ଭୟଭୀତ କରୁ ନଥିବା ଆଶ୍ଚର୍ଯ୍ୟର କଥା । ନୀଳିମାର ପ୍ରେତ ଯଦି ଏ ସଇତାନୀ କରୁଥାଏ ? ଶଶି ଭୂତ କିମ୍ବା ପ୍ରେତାତ୍ମା କେବେ ହେଲେ ବିଶ୍ୱାସ କରିନାହିଁ, ବର୍ତ୍ତମାନ ବିସିଏ ଜାଣୁଥିଲା ଇୟେ କେବଳ ତାର କଳ୍ପନାର ବିଭ୍ରାତ ତଥାପି ଭୟ ତାକୁ ପୂରାପୂରି ସ୍ଥାଣୁ କରିଦେଇଥିଲା ।

 

ସେ ଖୁବ୍ ଚଞ୍ଚଳ ହୋଇପଡ଼ିଥିଲା । ଭଗବାନଙ୍କୁ ଜଣା କେମିତି ସେ ମୁହୁର୍ତ୍ତରେ ଚଣ୍ଡିସ୍ତୋତ୍ର ତାର ମନେପଡ଼ିଲା ଏବଂ ସେ ଆବୃତ୍ତି କରିବାକୁ ଲାଗିଲା । ସେ ସହରର ନିକଟତର ହୋଇଥିଲେହେଁ ମନରୁ ପ୍ରେତାତ୍ମାର କଳାଛାଇ ପୂରାପୂରି ଅଦୃଶ୍ୟହୋଇ ନଥିଲା ।

 

ସେହି ସଂନ୍ଧ୍ୟାରେ ତା ବସାରେ ନୀଳିମାକୁ ଯେତେବେଳେ ସେ ଅଟକାଇବା ପାଇଁ ଚେଷ୍ଟା କଲା ମଙ୍ଗଳର ରାଣ ପକେଇ ନୀଳିମା ଛଳନାକରି ଯଦିଓ ତାକୁ ଏପରି ବ୍ୟବହାର କରିବାପାଇଁ ବାରଣ କରିଥିଲା, ସିଏ କର୍ଣ୍ଣପାତ ବି କରିନଥିଲା ।

 

“ତଥାପି ତୁମେ ସତ୍ୟବାଦୀ ଯୁଧିଷ୍ଠିର ଭଳି ମୋତେ ସହସ୍ର ଶଯ୍ୟାର ନାୟିକା, ବାରବିଳାସିନୀ ଆଖ୍ୟା ଦେଲ, ନୁହେଁ ?” ସେ ନୀଳିମାର ବିଭତ୍ସ ହସ ଶୁଣିବାକୁ ପାଇଲା ! ତୁମେ.....ତୁମେ ବିଶ୍ୱାସଘାତକ ବିଶ୍ୱାସରେ ବିଷ ଦେଇଛ । ବନ୍ଧୁ ତାର ସୁଯୋଗ ନେଇ ତମେ ଅଣ୍ଟିଛୁରି ତଣ୍ଟିରେ ମାରିଛ । ....ତୁମେ ସଇତାନ ।

 

ଶଶିର ମନେହେଲା ତା ଦେହରେ ଜୀବନ ନାହିଁ ତଥାପି ସେ ଚାଲିବାକୁ ଲାଗିଲା । ସେ ଦେଖିଲା ଅଳ୍ପ ଦୂରରୁ ଗଛ ଭଳି କୋଣସି ଗୋଟାଏ ବଡ଼ଛାଇ ତା ଆଡ଼କୁ ମାଡ଼ି ଆସୁଛି । କଣ ହୋଇପାରେ ? ଉପରକୁ ଚାହିଁଲା ଯୁବତୀ, ରୂପବତୀ ନୀଳିମା ଗଛଟି ଉପରେ ବସି ତାର ଦୁଇବାହୁ ପ୍ରସାରିତ କରି ତାକୁ ନିମନ୍ତ୍ରଣ କରୁଛି । ସେ ଆଖି ବନ୍ଦକରି ଚାଲିବାକୁ ଲାଗିଲା । ଅଳ୍ପ ସମୟପରେ ଜାଣିପାରିଲା ଯେ ଛାଇଟି ଗଛର ନୁହେଁ ବା ଗଛର ଭ୍ରମ ସୃଷ୍ଟି କରିଛି ।

 

ତାପରେ ଅବଶିଷ୍ଟ ରାସ୍ତା ସେ ଦୌଡ଼ିଯାଇ କବାଟରେ ଆଘାତ କରିବାକୁ ଲାଗିଲା, ପ୍ରବଳ ଶୀତରେ ତାର ସର୍ବାଙ୍ଗ ଥରୁଥିବା ସ୍ୱରେ ସେ ଝାଳଏ ବୁଡ଼ି ଯାଇଥାଏ । ଭିତରୁ ତାର ସ୍ତ୍ରୀ କବାଟ ଖୋଲି ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା “ହେ ଭଗବାନ !” ତୁମକୁ ବୋଧହୁଏ ଥଣ୍ଡା ଲାଗିଛି ।

 

“ସେ କିଛି ନୁହେଁ । ଦୟାକରି ମୋତେ ଶୋଇବା ପାଇଁ ଦିଅ,” ଏତକ କହି ସେ ବିଛଣାରେ କଚାଡ଼ି ହୋଇପଡ଼ିଲା। ବିଛଣାରେ ଅର୍ଦ୍ଧସୁପ୍ତ ଓ ଅର୍ଦ୍ଧ ଜାଗ୍ରତ ସେ କେବଳ ନୀଳିମାର ସ୍ୱପ୍ନ ଦେଖିବାକୁ ଲାଗିଲା ।

 

ଆରଦିନ ସକାଳ ଯାଏ ସେ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଶେଯରେ ପଡ଼ିଥାଏ । ଗଲା ରାତିସାରା ତା ଦେହରେ ଭୀଷଣ ତାତି । ତାର ପତ୍ନୀ କପାଳରେ ବାରମ୍ବାର ଓଦାକନା ଦେଉଥାଏ-। ମଝିରେ ଥରେ ଦୁଇଥର ଆଖିଖୋଲି ସେହି ଅର୍ଦ୍ଧସୁପ୍ତ ଅବସ୍ଥାରେ ସେ ଚାହିଲା । ତାପରେ ପୁଣି ଆଖି ବନ୍ଦ କରିଦେଲା ।

 

ନିଜ ପତ୍ନୀର ହାତଟାକୁ କପାଳରୁ ଜୋରରେ ଛିଞ୍ଚାଡ଼ି ଦେଇ କହିଲା, “ବର୍ତ୍ତମାନ ବି ତୁମେ ମୋତେ ମୁକ୍ତି ଦେବନାହିଁ ? ମୋତେ କଣ ମାରିବା ପାଇଁ ଚାହିଁ ?” ଶଶିର ସ୍ତ୍ରୀ ପୁନରାୟ ଲୁଗାଟାକୁ ପାଣିରେ ବୁଡ଼େଇ ତାର କପାଳରେ ଦେଲା । ସିଏ ଅତି କୋମଳ ଭାବରେ ମୁଣ୍ଡରେ ହାତ ବୁଲୋଉ ବୁଲୋଉ ପଚାରିଲା “କଣ ହେଇଛି ତୁମର ? କାଲି ରାତିରୁ ତମେ କାହିଁକି ଏମିତି ବ୍ୟବହାର କରୁଛ ?”

 

ଏଥର ଶଶି ପୂରାପୂରି ଆଖି ଖୋଲିଲା । ସେହି ଘର, ସେହି ସ୍ନେହମୟୀ ପତ୍ନୀ-ଆଉ ଚେନାଏ ଫିକା ସୂର୍ଯ୍ୟରଶ୍ମି-ସବୁ ସେ ଦେଖିଲା । ନୀଳିମାର ଯେଉଁ ପ୍ରତିମୂର୍ତ୍ତି ଏତେବେଳେ ଯାଏ ତାକୁ ଆଚ୍ଛନ୍ନ କରି ରଖିଥିଲା, ଧୀରେ ଧୀରେ ମିଳେଇଯିବାକୁ ଲାଗିଲା । ସେ ପଚାରିଲା “ତମେ କଣ କିଛି ଦେଖିବାକୁ ପାଇନ ?’’

 

“ନା....କଣ ଆଉ ଦେଖନ୍ତି’’ ଶଶିର ପତ୍ନୀ ଉତ୍ତର ଦେଲା “ମୁଁ କେବଳ ତୁମକୁ ଦେଖୁଛି । ତୁମେ ଆଉ କିଛି ଦେଖିଲା କି ?’’

 

ଶଶି ଦୀର୍ଘନିଶ୍ୱାସ ପକେଇ କହିଲା “ନା...କିଛି ନୁହେଁ ।” ତାପରେ ସାରା ରାତ୍ରି ଯେଉଁ କୋଣଟିରେ ସେ ନୀଳିମାର ବିଭିନ୍ନ ପ୍ରତିମୂର୍ତ୍ତି ଦେଖିବାକୁ ପାଇଥିଲା ସେ ଆଡ଼କୁ ଚାହିଁଲା । ବର୍ତ୍ତମାନ ସେ ଦେଖିବାକୁ ପାଇଲା ଗୋଟାଏ ସୁନ୍ଦରୀ ତରୁଣୀର ଛବି ସେହି ସ୍ଥାନଟି ମଣ୍ଡନ କରିଛି-। ଏହି ଛବି ବହୁଦିନରୁ ସେଠ ଝୁଲା ହୋଇଛି ।

 

ଶଶି ଆଖି ବନ୍ଦକରି ପୁନରାୟ ଶୋଇପଡ଼ିଲା । ତାର ପତ୍ନୀର ସ୍ନେହାତୁର ସ୍ପର୍ଶ ସେହି ଅଭିଶପ୍ତ ଆତ୍ମାରେ ଯେପରି ଆଣିଦେଲା ଅଖଣ୍ଡ ଶାନ୍ତି ।

Image

 

କାଗଜ ଫୁଲ

-ଉମାଶଙ୍କର ପଣ୍ଡା-

 

ଓଡ଼ିଆ ସାହିତ୍ୟର ତରୁଣତର କବି ଓ କଥାକାର ମାନଙ୍କ ମଧ୍ୟରେ ଉମାଶଙ୍କର ପଣ୍ଡା ଉଜ୍ଜ୍ୱଳ ସିଦ୍ଧିର ଅଧିକାରୀ । ସମସାମୟିକ ବହୁ ଓଡ଼ିଆ ପତ୍ରପତ୍ରିକାର ସେ ଧାରବାହିକ ଲେଖକ । ଭାରତୀୟ ସାହିତ୍ୟ ଏକାଡ଼େମୀ ଦ୍ୱାରା ସଂକଳିତ ୧୯୫୮ ଓ ୧୯୫୯ ମସିହାର ଭାରତୀୟ କବିତା ସଂକଳନମାନଙ୍କରରେ ଓଡ଼ିଆ ଭାଷାର ପ୍ରତିନିଧିର କରୁଥିବା ଦଶୋଟି କବିତା ଭିତରେ ଯଥାକ୍ରମେ ତାଙ୍କର ‘ସମୟ ଓ ସ୍ଥିତି ଏବଂ ‘କଳା ଓ କଳଙ୍କ’ କବିତା ସ୍ଥାନ ପାଇଛି । ସ୍ୱପ୍ନସଙ୍ଗିନୀ, ଦୁଇନାରୀ, ନିଷିଦ୍ଧ ଅନ୍ଧକାର ପ୍ରଭୃତି ଅନୁବାଦ, ରୋମାଣ୍ଟିକ କବିତା, ଇମନ୍‍ କଲ୍ୟାଣ ଓ କେକାକୁହୁକାକଳି, କବିତା ଚୟନ, ନଦୀଉପନଦୀ ଓ ପ୍ରଜାପତିମାନେ ପ୍ରଭୃତି ମୌଳିକ ଉପନ୍ୟାସ ସମେତ କୋଡ଼ିଏ ଖଣ୍ଡ ଗ୍ରନ୍ଥ ଏ ଯାବତ୍ ପ୍ରକାଶିତ । ଲେଖକଙ୍କର ଅନେକ ରଚନା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ଓ ପ୍ରଂଶସିତ । ଏକାଧିକ ବାର ସେ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପୁରସ୍କୃତ । ବର୍ତ୍ତମାନ ଆକାଶବାଣୀରେ ଅବସ୍ଥାପିତ ।

 

ଦୂରରେ ଚିରିଗୁଣୀ ଆଲୁଅ ଦିଶୁଛି ।

 

ଧାଡ଼ି ଧାଡ଼ି କଳା ତମ୍ବୁ ଆଉ ଓଟର ଏକ ଲମ୍ବା କାରାଭାନ୍ । ତମ୍ବୁ ଆଗରେ ଜଳୁଛି ଦୁକ୍ ଦୁକ୍ ନିଆଁ । ତାରି ଚାରିପଟେ ବସି ଆନନ୍ଦରେ ଗୀତ ଗାଉଛନ୍ତି ତରୁଣ ଆଉ ତରୁଣୀ ଖାନାବଦୋଶ-

 

ମୁକ୍ତିର ଆବେଶରେ ସେ ସଂଗୀତ ମଧୁମୟ, ମୁଖର । ଆକାଶରେ ଦ୍ୱିତୀୟାର ବଙ୍କିମଚନ୍ଦ୍ର । ଖଜୁରୀ ବାହୁଙ୍ଗା ଭିତରେ ଉଙ୍କିମାରି ଯେପରି ଚାହୁଁଛି । ଖଜୁରୀ ବଣ ଦୂରରୁ କେମିତି ଧୂସର ଦେଖାଯାଉଛି ।

 

ବାହାରେ ଆଉ ଭିତରେ କନକନିଆ ହେମାଳ ପବନ । ପବନର ସ୍ପର୍ଶରେ ତାର ସମଗ୍ର ଦେହରେ ଖେଳିଗଲା ଏକ ଅପୂର୍ବ ଶିହରଣ । କେମିତି ଦେହଟା ତାର ଅବଶ ଲାଗୁଛି । ପାରା ଯୋଡ଼ିକ ଗୁମୁରି ଗୁମୁରି କେତେବେଳୁ ନିଦେଇ ପଡ଼ିଲେଣି । ଝରକା ପାଖରେ ଥିବା ରଜନୀଗନ୍ଧା ଗଛରୁ ଛୁଟିଆସୁଛି ନିଶାଲଗା ମହକ । ଫୁଲ ଭାରାରେ ନଇଁ ପଡ଼ିଛି ଗଛଟା । ମନୁ ମନ ବିରକ୍ତ ହୋଇ ପଡ଼ିଲା ମଧୁମିତା । କେମିତି ନିଛାଟିଆ ଲାଗୁଛି । ଏହି ଟିକକ ଆଗରୁ ଥାମିଛି ବାଲିଝଡ଼ ।

 

ଆକାଶରେ ଶେଷ ପକ୍ଷୀଟା ଉଡ଼ିଆସି ବସିଛି ପାଖ ଟେଲିଗ୍ରାଫ ତାରଟାରେ । ଆଗରେ ଚୁପଚାପ ଶୋଇଛି ରେଲ ଲାଇନଟା । ଯେପରି ଗୋଟାଏ ଦୈତ୍ୟ ଲମ୍ବେଇ ଦେଇଛି ତାର କଳା କଳା ଦୀର୍ଘ ଦୁଇ ବହୁ । ଦୂରରେ ସିଗ୍‍ନାଲ ପୋଷ୍ଟର ଲାଲବତୀଟା ଜଳୁଛି ଗୋଟାଏ ନିଃସଙ୍ଗ ତାରଭଳି । ଗାଡ଼ି ଆସିବାକୁ ଆହୁରି ଡେରି । ପଲଙ୍କଟାକୁ ଝରକାର ଆହୁରି ଟିକିଏ ପାଖକୁ ଟାଣିନେଇ ଶୋଇବାପାଇଁ ଚେଷ୍ଟା କଲା ମଧୁମିତା । ବିଛଣାରେ ସଦ୍ୟଧୁଆ ଚାଦରର ଗନ୍ଧ ସବୁଦିନେ ତାକୁ ଆମୋଦ ଦିଏ, କିନ୍ତୁ ଆଜି ତାକୁ ଅସହ୍ୟ ବୋଧହେଲା ।

 

ଅତୀତ ଯେପରି ଆକାଶ ଭଳି ବିସ୍ତାର ଲାଭକଲା ତାର ମନଭିତରେ । ଆଉ ତାର କଳ୍ପନା ମେଘହୋଇ ଛୁଇଁବାକୁ ଲାଗିଲା ସେହି ଆକାଶ । ଅନେକ ଉପରେ ଛୋଟ ଏକ ତାରା ହୋଇ ଯେପରି ଜଳୁଛି ସୁପ୍ରିୟ । ସୁପ୍ରିୟ ତୁମେ ତାରା ହୋଇ ରୁହ, ରାତିର ଅନ୍ଧକାର ହୋଇ ମୁଁ ତୁମର କାନେକାନେ କହିବି ସେ ମରୁଦେଶର ବାର୍ତ୍ତା । ନିଦ ମୋତେ ଆଖିର ସୀମା ସ୍ପର୍ଶ କଲାନାହିଁ-। ଅସହ୍ୟ ଥଣ୍ଡାରେ ବି ଯେମିତି ମଧୁମିତାର ଦେହରୁ ଝାଳବୋହିବାକୁ ଲାଗିଲା । ବୁକୁରେ ଆଉ ନାଭିମଣ୍ଡଳରେ ସେ ଅସହ୍ୟ ଉତ୍ତାପ ଅନୁଭବ କରିବାକୁ ଲାଗିଲା । ଉପର ଘରୁ ବିରକ୍ତିରେ ଓହ୍ଳେଇ ଆସିଲା ମଧୁମିତା, ପାହାଚ ପରେ ପାହାଚ । ମଝିରେ ମଝିରେ ନିଜର ପାଦଶବ୍ଦ ବି ତାକୁ ଅସ୍ୱାଭାବିକ ମନେ ହେଲା । ତାର ସମଗ୍ର ଶରୀରଟା ଯେମିତି ତୁଳାଭଳି ହାଲୁକା ହୋଇପଡ଼ିଛି, ଟିକିଏ ପବନର ସ୍ପର୍ଶରେ ଉଡ଼ିଯିବ ଯେମିତି । ତଳ ଘର ରାମୁ ପାଠ ପଢ଼ୁଛି, ବଡ଼ ପାଟିରେ....ଇତିହାସ । ମମତାଜ ଆଉ ସାହାଜାଁ କଥା । ପଢ଼ୁଛି ମମତାଜର ସ୍ମୃତିରେ ଗଢ଼ାହେଲା ତାଜମହଲ ଆଉ ସୁପ୍ରିୟର ସ୍ମୃତି....କେବଳ ଖଣ୍ଡେ ନିର୍ଜୀବ ଫୋଟୋ ।

 

ହଲ ଘରର ଦୁଆର ପାଖରେ ଠିଆହୋଇ ଭିତରକୁ ଚାହିଁଲା ମଧୁମିତା । ନୀଳ ନିଅନ୍ ଆଲୁଅରେ ସବୁ ଯେମିତି ଟାପ୍ ସା ଦେଖାଯାଉଛି । ସାମନା ଦେବାଲରେ ସୁପ୍ରିୟର ଗୋଟାଏ ଲାଇଫ ସାଇଜ୍‍ ବଷ୍ଟ ଫଟୋ । ସେହି ଫଟୋଟିକି କେତେଦିନ ପଲକଶୂନ୍ୟ ଆଖିରେ ଚାହିନି ମଧୁମିତା ? ନିଃଶବ୍ଦ, ଚୁପ୍ ଚାପ୍ । ଯଦି ଫଟୋ ଦେହରୁ ଜୀବନ ପାଇ ଫେରି ଆସନ୍ତା ସୁପ୍ରିୟ ! ଫଟୋ ଖଣ୍ଡିକ ଥରିଉଠିଲା ପରି ମନେହେଲା ମଧୁମିତାର । ସତେ ଯେମିତି କିଛି କହିବା ପାଇଁ ଥରି ଉଠୁଛି ସୁପ୍ରିୟର ଓଠ । ମଧୁମିତା ଆଖି ବୁଜିଦିଏ । ସମସ୍ତ ଶରୀର ତାର ରୋମାଞ୍ଚିତ ହୋଇଉଠେ । ସୁପ୍ରିୟର ସ୍ପର୍ଶ ସେ ଅନୁଭବକରେ ପ୍ରତ୍ୟେକ ସ୍ନାୟୁରେ । ସିଏ ଜାଣେ ସୁପ୍ରିୟ ଆଉ ଫେରିବାନାହିଁ । ବନ୍ଧନକୁ ସେ କେବେହେଲେ ପସନ୍ଦ କରିନାହିଁ । ମୁକ୍ତିର ନିଶା ତାକୁ କରିଛି ଗୃହଛଡ଼ା । ଅଦୂରରେ ତମ୍ବୁ ଗୁଡ଼ିକ ପୁଣିଥରେ ଭାସିଉଠିଲା ମଧୁମିତାର ଆଖି ଆଗରେ । କଳା କଳା ତମ୍ବୁ ଆଉ ତାର ସ୍ୱାଧୀନ ଅଧିବାସୀ । କଲି ହୁଏତ ତମ୍ବୁ ଉର୍ହେଇ, ଓତର କାରଭାନ୍ ଚଳେଇ ଚାଲିଯିବେ ସେମାନେ । ପୁରୁଷମାନେ ଦିନସାରା ବିନ୍ତ୍ରୀକରିବେ ଔଷଧ ଆଉ ଯୁବତୀମାନେ ଛୁରି, କତୁରୀ ଆଉ କେତେ କଣ ? ତାପରେ ବାଜରା ରୋଟି, ମଦ ଆଉ ନାଚ । ପୁଣି କେଉଁ ନିର୍ଜନ ମରୁବାଲୁକା ଉପରେ ପୋତିବେ ତାର ତମ୍ବୁ ରାତିକର ଆଶ୍ରୟ ପାଇଁ । ନବବିବାହିତ ଦମ୍ପତି ହୁଏତ ବାସର ରଚୁଥିବେ ମୁକ୍ତ ଆକାଶର ନୀଳିମା ତଳେ । ପ୍ରେମିକା ତା ପ୍ରେମିକର କୋଳରେ ମୁଣ୍ଡ ରଖି ଗୀତ ବୋଲୁଥିବ । କେତେ ଆନନ୍ଦଦାୟକ ଏହି ଯାଯାବର ଜୀବନ । ଗୃହର ମମତା ନାହିଁ, ସଂସାରର ବନ୍ଧନ ନାହିଁ, ନାହିଁ ନୀଡ଼ ରଚନାର ପରିକଳ୍ପନା । ସତେ ଯେମିତି ଦଳେ ମୁକ୍ତ ପକ୍ଷୀ ଉଡି ଚାଲିଛନ୍ତି ଗୋଟାଏ ଗଛରୁ ଆଉ ଗୋଟାଏ ଗଛକୁ । ସେହିଥିରେ ଆନନ୍ଦ, ସେହିଥିରେ ଏକ ପୁର୍ଣ୍ଣାଙ୍ଗ ଜୀବନର ସ୍ୱାଦ । ମୁଣ୍ଡଟା ତାର ଗୋଲମାଲ ହୋଇଗଲା । ମନକୁ ଟିକିଏ ହାଲୁକା କରିବା ପାଇଁ ସେ ଓହ୍ଳେଇଗଲା ବଗିଚା ଭିତରକୁ । ମାଳି ଯତ୍ନକରି ଘାସଗୁଡ଼ିକ କାତିଛି । ଘାସର ଲନ୍ ଉପରେ ଦେହ ମେଲେଇ ଶୋଇପଡ଼ିଲା ସିଏ । ନାକରେ ଆସି ବାଜିଲା ଘାସର ନରମ ଗନ୍ଧ । ମଖମଲ ଭଳି ନରମ ଘାସ ଉପରେ ଘସି ପକେଇଲା ମଧୁମିତା ତାର ଶରୀର, ଯେପରି ଏ ନରମ ଘାସର ଶୀତଳତା କୋମଳତା, ଆଉ ସବୁଜିମା ନିଃଶେଷ କରି ମାଖୀନେବା ପାଇଁ ଚାହେଁ ତାର ଦେହରେ । ମେଘ ଭିତରେ ଜହ୍ନଟା ବୁଡ଼ି ବୁଡ଼ି ଯାଉଛି । ପବନରେ ପାଖ ଗୋଲାପ ଗଛରୁ କେତୋଟି ଫୁଟା ଫୁଲର ପାଖୁଡ଼ା ଉଡ଼ିଆସି ପଡ଼ିଲା ତାର ଗାଲଉପରେ । ଜାଣିଶୁଣି ସେ ତାକୁ ଆଦେଇ ଦେବାର ଚେଷ୍ଟା କଲାନାହିଁ । ଗୋଲାପ ପାଖୁଡ଼ାର ସ୍ପର୍ଶ ତାର ଅନୁଭୁତିରେ ସୁପ୍ରିୟର ନରମ ଓଠର ଉତପ୍ତ ସ୍ପର୍ଶ ।

 

ଡିଷ୍ଟେଣ୍ଟ ସିଗ୍‍ନାଲ ସବୁଜ ଆଲୁଅଟା ଦପ୍ ଦପ୍ ହୋଇଜଳୁଛି । ରାତି ଗାଡ଼ି ଆସିବାର ଦ୍ୱିତୀୟ ଘଣ୍ଟା ହୋଇଗଲାଣି । ମଧୁମିତା ଦଉଡ଼ିଗଲା ଦୁଆର ମୁହଁକୁ । ଦୁଆର ମୁହଁରେ ଠିଆହେଲେ ଷ୍ଟେସନର ପ୍ଲାଟଫର୍ମଟା ପରିଷ୍କାର ଦେଖାଯାଏ । ପ୍ରତିଦିନ ଟ୍ରେନ୍ ଆସିଲାବେଳକୁ ବିଶ୍ୱସ୍ତ ଭାବରେ ପରୀକ୍ଷା କରିନିଏ, ମଧୁମିତା ସମଗ୍ର ପ୍ଲାଟଫର୍ମଟିକୁ । ନିତିପ୍ରତି କେତେ ଯାନ୍ତ୍ରୀ ଓହ୍ଲାନ୍ତି, କେତେ ବିଦେଶ ଯାଆନ୍ତି । ଗାଡ଼ି ପୁଣି ସିଟିଦେଇ ତୀରବେଗରେ ଛୁଟି ଚାଲିଯାଏ, ମାନ୍ତ୍ର ନିରାଶ ହୋଇ ଫେରେ ମଧୁମିତା । ଛାତି ତଳୁ ତାର ବାହାରି ଆସେ ଦୀର୍ଘଶ୍ୱାସ । ମନର ମଣିଷ ତାର ଫେରିନି, ଯାହାରି ପାଇଁ ସେ ଯୁଗଯୁଗ ଧରି କେବଳ ଅପେକ୍ଷା କରିଛି ।

 

ସୁପ୍ରିୟ ଅଭିମାନ କରି ସେଦିନ ଚାଲିଗଲା ଆଉ ଫେରିଲା ନାହିଁ । କିଏ ଜାଣେ... । ସିଏ ଆଉ ଭାବି ପାରେନା, ଜିଭ କାମୁଡ଼ି ପକାଏ । ନିଜକୁ ମନେ ମନେ ବିରକ୍ତ ହୁଏ ଏହି ଅସଂଲଗ୍ନ ଭାବନା ପାଇଁ ।

 

ଟିପୁ ନିଘୋଡ଼ ନିଦରେ ଶୋଇଛି । ଶାଶୁ ଆରଘରେ ରାମାୟଣ ପଢ଼ୁଛନ୍ତି । ଚୁପ୍ ଚାପ୍ ମଧୁମିତା ଯାଇ ବସିପଡ଼ିଲା ଶାଶୁଙ୍କ ପାଖରେ । ପାଗଳୀଟା ଏତେବେଳ ଯାଏ ଶୋଇନୁ ? ଦେହ ଖରାପ ହେବ ଯେ । ଯିଏ ଯାଇଛି ତା ପାଇଁ ଲୁହ ଗଡ଼େଇ ଲାଭ ? ଟିପୁକୁ ମଣିଷ କରିବାର ଦାୟିତ୍ୱ ଯେ ତୋରି ଉପରେ । ମୋର ତ ଦିନ ଶେଷ ହୋଇଆସିଲା ।

 

ଶାଶୁଙ୍କ ମନକଥା ମଧୁମିତା ବୁଝିପାରେ । ତାକୁ ଆଶ୍ୱସନା ଦେବାପାଇଁ ସିନା ଶାଶୁ ମୁହଁ ଏତେ ହସ କିନ୍ତୁ ଅନ୍ତରଟା....ଜଳିପୋଡ଼ି ଛାରଖାର ହୋଇଗଲାଣି । ଯେତେହେଲେ ସିଏ ମାଆ । ମନର ଅନ୍ତରାଳରେ ରହି ରହି ବହୁନୀ ଉଠୁଛି ବତ୍ସହରା ଧେନୁର ଆକୁଳତା, ନୀରବ ବେଦନା ।

 

ମଧୁମିତାର କପାଳରେ ବିଛେଇ ହେଇଛି ଚୁନାଚୁନାକୁନ୍ତଳ । ଗଭୀର ନୀଳ ଆଖିରେ ସ୍ଥିରତା, ଶୂନ୍ୟ ଉଦାସ ମନରେ ସିଏ ବସିଛି । ତମ୍ବୁ ପାଖରେ ଦାଉ ଦାଉ ହୋଇ ନିଆଁ ଜଳି ଉଠିଲାଣି । ସେହି ଆଲୁଅରେ ଦେଖାଯାଉଛି ତରୁଣୀଟିଏ ଦୋଳିରେ ଝୁଲାଉଛି ତାର ଶିଶୁ ପୁତ୍ରଟିକୁ-। ପାଖରେ ଯୁବକଟିଏ ବଜାଉଛି ମେଣ୍ଡୋଲିନ୍...ତାର ସ୍ୱାମୀ ହେବ ବୋଧହୁଏ ।

 

ହଠାତ୍ ଯେପରି କଇଁ କଇଁ କାନ୍ଦିବା ପାଇଁ ଇଚ୍ଛାହେଲା ମଧୁମିତାର । ତାର ବୁକୁତଳେ ନଦୀର ଘୂର୍ଣ୍ଣି ଭଳି କାନ୍ଦଟା ଯେପରି ଗଳା, କଣ୍ଠନଳୀ ସମସ୍ତ ପାରିହୋଇ ଉଜାଡ଼ି ହୋଇଆସୁଛି ।

 

କେତେଥର ଏମିତି ସେ କାନ୍ଦି ଉଠିଛି । ଶାଶୁ ଆଦରକରି ସୋହାଗରେ ହାତ ବୁଲାଇଛନ୍ତି ପିଠି ଆଉ ମୁଣ୍ଡଉପରେ । କେତେ ଥର ଏମିତି କାନ୍ଦି କାନ୍ଦି ସେ ଶୋଇଛି ଶାଶୁଙ୍କ କୋଳଉପରେ ।

 

ମଧୁମିତା ଦିନେ ଦିନେ ସ୍ୱପ୍ନ ଦେଖେ ! ସୁପ୍ରିୟ ଫେରି ଆସିଛି ଛୋଟ ଛୋଟ ପ୍ରଜାପତି ହୋଇ । ବାରବାର ପ୍ରଜାପତିଟି ଆସି ବସୁଛି ଫୁଲଟିର ନରମ ଦେହରେ, ଚିବୁକରେ । ତାପରେ ପୁଣି ଉଡ଼ିଯାଉଛି ଦୂରରୁ ଦୂରକୁ । ମଧୁମିତା ଚାହିଁଛି । ପ୍ରଜାପତିଟି ହଜିଯାଉଛି ନୀଳ ଆକାଶ ଭିତରେ । ତାପରେ ପ୍ରଜାପତିଟି ପାଲଟି ଯାଉଛି ଛୋଟ ତାରାଟିଏ । ଫୁଲଟି ମଉଳି ଯାଉଛି ।

 

ଚମକିପଡ଼ି ଚାହେଁ । ପାଖରେ କେହି ନାହିଁ । ମଶାରିଟା ପବନରେ ଝୁଲୁଛି ଆଉ ଟିପୁ ବୁକୁଉପରେ ଜାବୁଡ଼ି ଧରି ଶୋଇଛି । ମଧୁମିତା ବାରମ୍ବାର ଚୁମ୍ବନକରେ ଟିପୁକୁ । ସ୍ୱପ୍ନ ଯଦି ସତ ହେଉଥାନ୍ତା । ନିଦବାଉଳାରେ ଟିପୁ କଡ଼ ଲେଉଟାଏ । ମଧୁମିତାର ମନେ ହୁଏ ସୁପ୍ରିୟ ଯେମିତି ଟିପୁ ପାଲଟିଯାଇଛି ଆଉ ଶୋଇଛି ତା ସହିତ । ସୁପ୍ରିୟର ସନ୍ତାନ ଟିପୁ । ଠିକ ବାପ ଭଳି ଟଣାଟଣା ଭ୍ରୁଲତା, ଗହଳ କୁଞ୍ଚୁକୁଞ୍ଚିଆ କେଶ । ପ୍ରଶସ୍ତ କପାଳ, ଲମ୍ବା ନାକ । ସରୁ ସରୁ ଆଙ୍ଗୁଠି । ଆଖିରେ ଲୁହ ଜକେଇ ଆସେ ମଧୁମିତାର ।

 

ବାସର ରାତି....

 

ଆଜି ବି ମନେପଡ଼େ ଯେଉଁଦିନ ଅସେ ଶଙ୍ଖ ଆଉ ହୁଳହୁଳି ଭିତରେ ନବବଧୁର ସକଳ ସଂଭାର ନେଇ ପ୍ରବେଶ କରିଥିଲା ଏହି ପରିବାରଟିରେ । ସୁପ୍ରିୟ ଓଢ଼ଣା ଟେକି ଦେଇ ଘଡ଼ିଏ ଚାହିଁଥିଲା ତାର ମୁହଁକୁ । ତାପରେ କଣ ଭାବି କେଜାଣି ଛାଡ଼ିଥିଲା ଏକ ଉତପ୍ତ ନିଶ୍ୱାସ । ବାସର ଘରର ମିଳନ ଦୀପଶିଖା କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା । ଲାଜରେ ସମଗ୍ର ମୁହଁଟା ତାର ଲାଲ ପଡ଼ି ଯାଇଥିଲା । କିନ୍ତୁ ସେଦିନ ମଧୁମିତା ବୁଝି ପାରିନଥିଲା ସୁପ୍ରିୟର ସେ ଦୀର୍ଘଶ୍ୱାସର ଅର୍ଥ-। ସଂପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଥିଲ ନିଜର ପ୍ରାଣ ଆଉ ମନ ସୁପ୍ରିୟ ନିକଟରେ ।

 

ସୁପ୍ରିୟ ! ଧନୀକର ସନ୍ତାନ, ରୁଚିବାନ୍, ଶିକ୍ଷିତ ଆଉ ସ୍ୱାସ୍ଥ୍ୟବାନ । ଚେହେରା ଦେଖିଲେ ଆଖି ଖୋସୀ ହୋଇଯିବ । ବିଶେଷଭାବରେ ତାର ଗୋଲ ଗୋଲ ଆଖି ଦୁଇଟିର ମାଦକତା ଯେ କୌଣସି ତରୁଣୀର ଚିତ୍ତ ଜୟ କରିବାରେ ଯଥେଷ୍ଟ । କିନ୍ତୁ ପ୍ରଥମ ରଜନୀରୁ ହିଁ ସେ ଆଖି ଯୋଡ଼ିକି ଏକ ଅହେତୁକି ଭୟର ସଂଚାର କଲା ମଧୁମିତାର ମନରେ । ତାର ମନେହେଲୟ ଅନେକ କିଛି ଗୋପନ ରହସ୍ୟ ଯେପରି ଲୁଚି ରହିଛି ସେ ଆଖି ଦୁଇଟିରେ । ସୁପ୍ରିୟ ରାତ୍ରି ର ଗୋପନ ପ୍ରହରରେ କେବେକେବେ ବାହାରିଯାଏ ଘରୁ ଆଉ ଫେରେ ଠିକ୍ ପାହାନ୍ତା ପହରକୁ ।

 

ମଧୁମିତା ମନେମନେ ସନ୍ଦେହ କରେ କିନ୍ତୁ କିଛି କହି ପାରେନା ମୁହଁଖୋଲି । ଧୀରେ ଧୀରେ ମନଟା ତାର ତିକ୍ତ ହୋଇଉଠେ । ସନ୍ଦେହର ନିଆଁ ଅବରୁଦ୍ଧ ମନତଳେ ତାର ଶିଖା ବିସ୍ତାର କରି ଜାଳିବାକୁ ଲାଗେ । ଦିନେ ଦିନେ ଭାବେ ସତରେ ସୁପ୍ରିୟ କଣ ଚରିତ୍ରହୀନ । ଗୋଟାଏ ବିରାଟ ପ୍ରଶ୍ନବାଚୀ ମୁଣ୍ଡତୋଳେ । ସେ ଶୁଣିଛି ସବୁରି ମୁହଁରେ ସୁପ୍ରିୟର ସୁନାମ ।

 

କେବେ କେବେ ତାଙ୍କରି ବୈଠକଖାନାରେ ସାନ୍ଧ୍ୟଆସରରେ ଅନେକ ତରୁଣ ଆଉ ତରୁଣୀ ଜମା ହୁଅନ୍ତି । ଅନେକ ଅପରିଚିତ ମୁହଁ । ବେଲେ ବେଳେ ଜଣେ ବୃଦ୍ଧ ବି ଆସନ୍ତି । ଗମ୍ଭୀର, ସ୍ୱଳ୍ପବାକ୍ ସେହି ଋଷିପ୍ରତିମ ବୃଦ୍ଧଙ୍କୁ ଦେଖିଲେ ମଧୁମିତାର ମୁଣ୍ଡ ବି ଆପେ ଆପେ ନଇଁଆସେ । ସେମାନଙ୍କ ଭିତରେ ବହୁବେଳଯାଏ ତର୍କ ଚଳେ । ମଧୁମିତା ପରଦା ଆଢ଼ୁଆଳରୁ ଚୁପ୍ ଚାପ୍ କାନ ପରି ଶୁଣେ କିନ୍ତୁ କିଛି ବୁଝି ପାରେନା ।

 

ଏହାରି ଭିତରେ ବିତିଯାଇଛି ଦୀର୍ଘ ଗୋଟାଏ ବର୍ଷ । ବସନ୍ତ ଥରେ ଆସି ଫେରିଛି ତାର ମଧୁ ସଂଭାର ଢାଳିଦେଇ । ନିଦାଘ ଦେଇଛି ତାର ଉତପ୍ତ ସ୍ପର୍ଶ....ଆଣିଛି ଦକ୍ଷିଣା, ଆଉ ପ୍ରଥମ ଆଷାଢ଼ର ସୂଚନା ଦେଇଯାଇଛି ରୁକ୍ଷଧରଣୀରେ । ମଧୁମିତା ହୋଇଛି ଅନ୍ତସତ୍ୱା । ପ୍ରକାରାନ୍ତରେ ଦିନେ ସେ ଏକଥା ପ୍ରକାଶ କରିଥିଲା ସୁପ୍ରିୟ ନିକଟରେ । ନିର୍ଲପ୍ତ ଭାବରେ ସିଏ କେବଳ ହସିଥିଲା-। ଶାଶୁ ସୁଚନାପାଇ ଉତ୍‍ଫୁଲ୍ଲିତ ହୋଇପଡ଼ିଥିଲେ । ମଧୁମିତାର ଦେହରେ ଆଉ ଏକ ଅଙ୍କୁରର ସୂଚନା, ଆହୁରି ଏକ ନୂତନ ଅତିଥିର ଆଗମନ ହୋଇପଡ଼ୁଛି-ସୁପ୍ରିୟ । ମୁହଁରେ ଟିକିଏ ବୋଲି ହସ ନାହିଁ, ସବୁବେଳେ ଗମ୍ଭୀର । ସତେ ଯେମିତି ଆଶଙ୍କାର ଏକ କଳା ମେଘ ସମଗ୍ର ଆକାଶଟାକୁ ଅନ୍ଧକାର କରିଦେଇଛି ।

 

ଆଉ ଦିନକର କଥା ?

 

ଶୋଇବା ଘର ପଲଙ୍କ ଉପରେ ଶୋଇଛି ମଧୁମିତା, ତରବର ଘରକୁ ସୁପ୍ରିୟ ପଶିଆସି ବାହାରି ଯିବାର ଉପକ୍ରମ କରୁଥିଲା । ମଧୁମିତା ତାର ହାତଟିକି ଜାବୁଡ଼ି ଧରି କାନ୍ଦି ପକାଇଲା । ସ୍ୱାମୀ ସୋହାଗିନୀ ମଧୁମିତାର ମୁହଁରୁ ଆଉ କୌଣସି ବାକ୍ୟ ସ୍ଫୁରିତ ହେଲାନାହିଁ । ମୁହଁରୁ ସକଳ ଭାଷା ଯେମିତି ତାର ଶେଷ ହୋଇଯାଇଛି ।

 

ମଧୁମିତା ସୁପ୍ରିୟର କଥା କୁହେ, ଟିପୁ ଶୁଣେ । କାଠଘୋଡ଼ା ଉପରେ ବସି ଟିପୁ ତାର ଶିଶୁ ସୁଲଭ ଦରୋଟି ଭାଷାରେ କୁହେ, ମା ! ମୁଁ ପକ୍ଷୀରାଜ ଘୋଡ଼ାରେ ଉଡ଼ି ଉଡ଼ି ଯିବି ବାପାଙ୍କ ପାଖକୁ । ତୁ ମୋ ସାଥିରେ ଯିବୁନା ? ମଧୁମିତା ହସିହସି ମୁଣ୍ଡ ଟୁଙ୍ଗାରେ । ଟିପୁ ବୁଝେ ତାର ପରୀରାଇଜକୁ ଚାଲି ଯାଇଛନ୍ତି; ପରୀମାନେ ତାଙ୍କୁ ସଦାସର୍ବଦା ଘେରି ରହିଛନ୍ତି । ତାଙ୍କରି—ଗହଣରେ ଗୋଟାଏ ସୁନା ସିଂହାସନରେ ବସି ସେ ଡାକୁଛନ୍ତି । ପାଖରେ ଧଳା ପରୀଟିଏ ପଙ୍ଖା କରୁଛି । ତା ପକ୍ଷୀରାଜ ଘୋଡ଼ା ପବନ ବେଗରେ ସେଠିକି ଚାଲିଗଲେ ବାପାଙ୍କ କୋଳରେ ବସି ପଚାରିବ, ସିଏ କାହିଁକି ସେମାନଙ୍କୁ ଛାଡ଼ି ଚାଲି ଆସିଲେ ।

 

ଟିପୁ ବାହାରକୁ ଖେଳିବା ପାଇଁ ଚାଲିଯାଏ । ମଧୁମିତା ମନ ଯେପରି ଫାକାଁ, ଶୂନ୍ୟ ହୋଇପଡ଼େ । କି ଜ୍ୱାଳା, କି ଅଶ୍ୱସ୍ତି, ବୁକୁରେ ଯେମିତି ଗୋଟାଏ କ୍ଷତର ଯନ୍ତ୍ରଣା ।

 

ସେଦିନ ସୁପ୍ରିୟ ମଧୁମିତାକୁ ଉପେକ୍ଷା କରି ଚାଲିଗଲା ଆଉ ଫେରିଲା ନାହିଁ । ପରେ ମଧୁମିତା ଖବର କାଗଜରୁ ଜାଣିପାରିଥିଲା ସରକାର ବିରୋଧୀ ଆନ୍ଦୋଳନର ସାହାଯ୍ୟକାରୀ ହିସାବରେ ସୁପ୍ରିୟର ନାଁରେ ଗିରଫ ପରଓ୍ୟାନା ରହିଛି । ସେତେବେଳକୁ ଚାଲିଥାଏ ଗୋରାଶାସନ-। ମଧୁମିତା ଧୈର୍ଯ୍ୟହରାଇଲା ନାହିଁ । ସୁପ୍ରିୟ ଯଦି ଧରାପଡ଼େ ତେବେ ସ୍ୱାଧୀନତାର ପ୍ରଥମ ପ୍ରଭାତରେହିଁ ସେ ପାଇବ ମୁକ୍ତି, ନତୁବା... ।

 

ସ୍ୱାଧୀନତା ଦିବସର ପୁଣ୍ୟତିଥିରେ ମଧୁମିତା ସମଗ୍ର ଘରଟିକୁ ସଜେଇଥିଲା ଦୀପାଲୋକରେ । ଟିପୁ ଗୁଡ଼ାଏ ଫୁଲଝରି ଆଣି ଦୁଆରେ ଖୁସିରେ ଜାଳିଥିଲା । ସେହି ଦିନରୁ ମଧୁମିତାର ଅପେକ୍ଷା....କାଳେ ସୁପ୍ରିୟ ଫେରିବା ।

 

ମଧୁମିତା ଚାହିଁଛି....ସାରା ଆକାଶରେ ହାଲୁକା ହାଲୁକା ମେଘ ଆଉ ଅସଂଖ୍ୟ ତାରା । ଚତୁର୍ଥୀର ଜହ୍ନ କେତେବେଳୁ ମେଘ ଭିତରେ ଲୁଚିଗଲାଣି....

 

ଗୋଟାଏ ତାରା ଜଳୁଛି ଠିକ୍ ମଧୁମିତାର ମୁହଁ ଉପରେ । ମୁହଁ ଟିପି ଟିପି ହସୁଛି ଆଉ କହୁଛି—

 

ତୁମେ ମୋତେ ଚିହ୍ନି ପାରୁନା ମଧୁମିତା ? ମୁଁ ତୁମର କଳ୍ପନାର ରାଜକୁମାର ସୁପ୍ରିୟ । ତୁମେ ମୋତେ ଛୁଇଁ ପାରୁନ । ମୁଁ କିନ୍ତୁ ତୁମକୁ ଠିକ୍ ଛୁଇଁ ପାରୁଛି । ମୋର ସ୍ପର୍ଶ କଣ ତୁମେ ଅନୁଭବ କରିପାରୁନ ?

 

ମଧୁମିତାର ଆଖି ପଲକଶୂନ୍ୟ....ସିଏ ଦେଖୁଛି ତାରାଟା ଧୀରେ ଧୀରେ ପରିଣତ ହେଉଛି ଗୋଟାଏ ମୁହଁରେ.....ସେହି ସୁନ୍ଦର ମୁହଁଟି ସୁପ୍ରିୟର....

Image